ବ୍ୟବସାୟୀ ମହାସଂଘର ଚରମବାଣୀ

ଭୁବନେଶ୍ବର: କେତେକ ଖାଇବା ତେଲ ପ୍ୟାକେଟରେ ମିଳୁଛି କମ ଓଜନର ତେଲ । ନନ୍ଦିଘୋଷ ଟିଭିରେ ଏ ନେଇ ଖବର ପ୍ରସାରଣ ପରେ ରାଜ୍ୟ ବ୍ୟବସାୟୀ ମହାସଂଘ ଦେଇଛି ଚରମବାଣୀ । ଏପରି କୁତ୍ସିତ ବ୍ୟବସ୍ଥା ବନ୍ଦ କରିବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ସବୁ ବିତରକଙ୍କୁ ଚିଠି ଲେଖିଛି ମହାସଂଘ । ମାସେ ଭିତରେ ସମସ୍ୟାର ସମାଧାନ ନ ହେଲେ ଆଗକୁ ସମ୍ପୃକ୍ତ କମ୍ପାନୀର ତେଲ ବିକ୍ରି ବନ୍ଦ କରିବାକୁ ଖୋଲାଖୋଲି ଚିଠିରେ ଉଲ୍ଲେଖ ରହିଛି । ସେପଟେ ଖାଉଟି ସୁରକ୍ଷା ଆଇନ୍ ଅନୁଯାୟୀ ଏପରି ଓଜନ କମ୍ କରି ବିକ୍ରି ବିରୋଧରେ ଖାଉଟି ଅଦାଲତରେ ଖାଉଟି ଅଭିଯୋଗ କରିପାରିବେ ବୋଲି ଆଇନଜୀବୀ ସ୍ପଷ୍ଟ କରିଛନ୍ତି ।

ତେଲ ପ୍ୟାକେଟରେ ମିଳୁଛି କମ ଓଜନର ତେଲ । ସୁଧୁରିବାକୁ ଚରମ ଚେତାବନୀ ଶୁଣାଇଲା ରାଜ୍ୟ ବ୍ୟବସାୟୀ ସଂଘ  । କହିଲା, ବନ୍ଦ କର ଖାଉଟିଙ୍କୁ ଠକିବା । ମାସେ ଦେଲୁ ସମୟ । ନ ହେଲେ ବନ୍ଦ କରିବୁ କମ୍ ଓଜନର ତେଲ ପ୍ୟାକେଟ୍ ବିକ୍ରି। ଖାଉଟିଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଗକୁ ଆସିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶା ବଜାରରେ କେତେକ କମ୍ପାନୀ କମ୍ ଓଜନର ତେଲ ପ୍ୟାକେଟ୍ ବିକ୍ରି କରୁଥିବା ନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେଲା । ଲିଟରିକିଆ ପ୍ୟାକେଟରେ ୯୧୦ ଗ୍ରାମ ବଦଳରେ କେତେକ କମ୍ପାନୀର ତେଲ ପ୍ୟାକେଟ୍ ୮୭୦ ଗ୍ରାମ ଓ ୮୫୦ ଗ୍ରାମ ଓଜନ ଲେଖି ବିକ୍ରି କରିଆସୁଛନ୍ତି । ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ଗ୍ରାହକମାନେ ବ୍ୟବସାୟୀଙ୍କୁ ପଚାରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ଗ୍ରାହକ ଓ ବ୍ୟବସାୟୀ ଭିତରେ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି । ଖାଉଟିଙ୍କ ରୋଷରୁ ବଞ୍ଚିବା ପାଇଁ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ସବୁ ବିତରକଙ୍କୁ ଲେଖିଛନ୍ତି  ଚରମ ପତ୍ର ।

୨୦୧୯ରେ ଖାଉଟି ସୁରକ୍ଷା ଆଇନ ସଂଶୋଧନ ମୁତାବକ ଏପରି କମ୍ ଓଜନର ତେଲ ପ୍ୟାକେଟ୍ କମ୍ପାନୀ ବଜାରକୁ ଛାଡ଼ିପାରିବ ନାହିଁ । ଏହା ଖାଉଟି ସୁରକ୍ଷା ଆଇନ୍ ଅନୁଯାୟୀ ବେଆଇନ୍ । ଏହା ବିରୋଧରେ ଜଣେ ଗ୍ରାହକ ସମ୍ପୃକ୍ତ କମ୍ପାନୀ ଓ ବିତରକଙ୍କ ବିରୋଧରେ ଅଭିଯୋଗ କରିପାରିବେ । ବଜାରରେ ତେଲ ପ୍ୟାକେଟ୍ର ଏପରି କାରବାର ହେଉଥିଲେ ଓଜନ ଓ ମାପ ବିଭାଗ ବି ଯାଞ୍ଚ୍ କରିବା ଦରକାର ବୋଲି ଆଇନଜୀବୀ ମତ ରଖିଛନ୍ତି ।

ସାଧାରଣ ଗ୍ରାହକଟିଏ ଲିଟରେ ତେଲ ପାଇଁ ଟଙ୍କା ଦେଇ ପ୍ୟାକେଟ୍ ଉପରେ କେତେ ଲେଖା ଅଛି ତାକୁ ଧ୍ୟାନ ଦେଇପାରୁନି । ଗ୍ରାହକ ସଚେତନ ନ ହେଲେ ସ୍ଥିତି ଏମିତି ଆଗକୁ ବଢିଯିବ ଏବଂ କମ୍ପାନୀବାଲା ଠକିଚାଲିଥିବେ । ଯଦି ଲିଟରେ ଓଜନର ମାପ ୯୧୦ ଗ୍ରାମ, ତେବେ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ତେଲ କମ୍ପାନୀ ଓଡ଼ିଶା ବଜାରକୁ କାହିଁକି ଏପରି କମ୍ ଓଜନ ଛାଡ଼ୁଛି ତାହା ବୁଝାପଡ଼ୁନି । ଓଡ଼ିଶାର ଗ୍ରାହକ ଜାଗିଲେ ଯାଇ ଏଭଳି ତଞ୍ଚକତା କରୁଥିବା କମ୍ପାନୀ ସାବାଡ଼ ହେବେ ।