spot_img
Home Blog Page 2581

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ଅକ୍ଟୋବର ୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ତୁହାକୁ ତୁହା ଭିଜିବ ଓଡ଼ିଶା । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରଭାବରେ ୨୯ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନନଷ୍ଟପ ବର୍ଷା ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କିଛି ଜିଲ୍ଲାରେ ୨୦୦ମିଲିମିଟର କିମ୍ବା ତା ଠାରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି । ପାଗ ଅନୁକୁଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ । କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ସେପଟେ କାଲି ରାଜସ୍ଥାନ ପରେ ଆଜି ବିହାରର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେଉଛି ।

ସେପଟେ ବଙ୍ଗୋପସାଗରରେ ଏକାଧିକ ସିଷ୍ଟମ ଏବଂ ପାଣିପାଗ ନିୟାମକ ଥିବାରୁ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ହେବ । ବର୍ଷା ସହ ବଜ୍ରପାତ ନେଇ ଆଜି ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ମଦ୍ୟପ ଶିକ୍ଷକଙ୍କ ଅଭାବନୀୟ କାଣ୍ଡ, ଛାତ୍ରଙ୍କୁ ପିଟିପିଟି କରିଦେଲେ ଅଚେତ

କେନ୍ଦ୍ରାପଡା: ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର।  ଆଳି ଥାନା ଚନ୍ଦନନଗର ହାଇସ୍କୁଲର ଶିକ୍ଷକ ଗୋପବନ୍ଧୁ ବେହେରା ଜଣେ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ଛାତ୍ର ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେ ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।

ଦଶମ ଶ୍ରେଣୀ ଛାତ୍ର ଶୁଭମ ବାରିକ ଶିକ୍ଷକ ଜଣଙ୍କ ମଦ ପିଉଥିବାର ଦେଖିବାକୁ ପାଇଥିଲେ। ଛାତ୍ର ଜଣଙ୍କ ସାରଙ୍କୁ ମଦ ପିଉଛନ୍ତି ବୋଲି ପଚାରିବାରୁ ଶିକ୍ଷକ ଜଣଙ୍କ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଛାତ୍ରଙ୍କୁ ନିର୍ଧୁମ ପିଟିଥିଲେ। ଫଳରେ ଛାତ୍ର ଜଣଙ୍କ ଅଚେତ ହୋଇପଡିଥିଲେ। ଏନେଇ ସଂପୃକ୍ତ ଶିକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇସ ଅଫ ଥିବାରୁ ତାଙ୍କ ପତିକ୍ରୟା ମିଳିପାରିନାହିଁ। ଅନ୍ୟ ପଟେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏସିଆନ ଗେମସର ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ କରି ରେକର୍ଡ କଲା ନେପାଳ

ହୋଞ୍ଜହୁ: ଫଟାଫଟ କ୍ରିକେଟରେ ଇତିହାସ ରଚିଲା ନେପାଳ । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ଗୋଟିଏ ମ୍ୟାଚରେ ଏକାଧିକ ରେକର୍ଡ ଭାଙ୍ଗିଲା ନେପାଳ । ଦୁତତମ ଶତକ, ଅର୍ଦ୍ଧଶତକ, ସର୍ବାଧିକ ଟିମ୍ ସ୍କୋର, ଛକ୍କା ବର୍ଷା ଏଭଳି ଅନେକ ରେକର୍ଡ ବ୍ରେକ କରିଛି ନେପାଳ ଟିମ୍ । ଏସିଆନ ଗେମସର ଟି-୨୦ କ୍ରିକେଟରେ ଏହା ଦେଖିବାକୁ ମିଳିଛି । ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ କରିଛି ନେପାଳ ।

ପ୍ରଥମ ଥର ଲାଗି କୌଣସି ଦଳ ୩ଶହରୁ ଅଧିକ ରନ୍‌ ସଂଗ୍ରହ କରିଛି । ମଙ୍ଗୋଲିଆ ବିପକ୍ଷ ଗ୍ରୁପ-ଏ ମ୍ୟାଚରେ ନେପାଳ ଏଭଳି ରେକର୍ଡ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୩ ୱିକେଟରେ ୩୧୪ ରନ୍ କରିଥିଲା । ଏହା ପୂର୍ବରୁ ସର୍ବାଧିକ ସ୍କୋର ୨୭୮ ଥିଲା । ଆଫଗାନିସ୍ତାନ ଓ ଚେକ୍ ରିପବ୍ଲିକ ନାଁରେ ଥିଲା ଏହି ରେକର୍ଡ । ନେପାଳର ଐତିହାସିକ ପାଳିରେ ଦ୍ରୁତତମ ଶତକ ଓ ଅର୍ଦ୍ଧଶତକ ରେକର୍ଡ ହୋଇଛି ।

ଦଳ ପକ୍ଷରୁ କୁଶଲ ମାଲ୍ଲା ଦ୍ରୁତତମ ଶତକ ଓ ଦିପେନ୍ଦ୍ର ସିଂ ଏରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି । କୁଶଲ ୩୪ ବଲ୍‌ରେ ଶତକ ହାସଲ କରି ରୋହିତ ଶର୍ମା, ଡେଭିଡ ମିଲର ଭଳି ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ମାତ୍ର ୯ ବଲରେ ହାଫ୍‌ ସେଞ୍ଚୁରୀ କରି ଯୁବରାଜ ସିଂହଙ୍କ ୧୨ ବଲ୍‌ରୁ ଅର୍ଦ୍ଧଶତକର ରେକର୍ଡ ବ୍ରେକ୍‌ କରିଛନ୍ତି । କୁଶଲ ମୋଟ୍‌ ୫୦ଟି ବଲରୁ ୧୨ଟି ଛକା ଏବଂ ୮ଟି ଚୌକା ସହାୟତାରେ ୧୩୭ ରନ କରିଛନ୍ତି । ରୋହିତ ଶର୍ମା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଉଭୟେ ୩୫ ବଲରୁ ଶତକ ହାସଲ କରିଥିଲେ । ୩୧୫ ରନ୍‌କୁ ଟାର୍ଗେଟ କରି ମଙ୍ଗୋଲିଆ ୧୩ ଓଭରରେ ୪୧ ରନ୍‌ କରି ଅଲଆଉଟ ହୋଇଥିଲା ।

ଜେରକ୍ସ ଦୋକାନୀଙ୍କୁ ମହଙ୍ଗା ପଡିଲା ଦୁର୍ବ୍ୟବହାର, ଗ୍ରାହକଙ୍କୁ ଭିକାରୀ କହି ଗଣିବେ ତଣ୍ଡ

ସମ୍ବଲପୁର: ଜେରକ୍ସ ଦୋକାନୀଙ୍କୁ ମହଙ୍ଗା ପଡିଲା ଦୁର୍ବ୍ୟବହାର। ୩ଟଙ୍କା ପାଇଁ ୨୫ହଜାର ଜରିମାନା ଲଗାଇଲେ ଖାଉଟି ଅଦାଲତ। ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ତାରିଖରେ ବୁଢାରଜାର ଗୋୟଲ ପ୍ରିଣ୍ଟିଂ ଜୋନ୍ ନାମକ ଜେରକ୍ସ ସେଣ୍ଟରକୁ ଜେରକ୍ସ ପାଇଁ ଯାଇଥିଲେ। ଗୋଟିଏ କପିକୁ ଜେରକ୍ସ ପାଇଁ ୫ଟଙ୍କା ବଢାଇଥିଲେ।

ଦୋକାନୀ ଜେରକ୍ସ କରିଥିଲେ, ହେଲେ ବଳକା ୩ ଟଙ୍କା ଫେରାଇ ନଥିଲେ। ୩ ଟଙ୍କା ମାଗିବାରୁ ଦୋକାନୀ ଜଣକ ପ୍ରଫୁଲ୍ଲଙ୍କ ସହ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ୫ ଟଙ୍କା ଫେରସ୍ତ ସହ ଭିକାରୀକୁ ୫ ଟଙ୍କା ଦାନ କଲି ବୋଲି କହିଥିଲେ। ଏହାଦ୍ଵାରା ପ୍ରଫୁଲ୍ଲ ଗଭୀର ଅପମାନିତ ହେବା ସହ ମାନସିକ ଚାପଗ୍ରସ୍ତ ହୋଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।

ଖାଉଟି ଅଦାଲତ ଏହାର ଶୁଣାଣି କରି ଦୋକାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ଅଦାଲତ ଦର୍ଶାଇଛନ୍ତି । ତାଙ୍କ ରାୟରେ ବଳକା ୩ ଟଙ୍କା ଫେରସ୍ତ ସହ ମାନସିକ ଅଶାନ୍ତି ଏବଂ ନିର୍ଯାତନା ପାଇଁ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୟସୀମା ମଧ୍ୟରେ ଜରିମାନା ନଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି।

ସେପ୍ଟେମ୍ବର ସୁଦ୍ଧା ୨୩ ହଜାରରୁ ଊର୍ଦ୍ଧ୍ବ ଯନ୍ତ୍ରପାତି କିଣିଛନ୍ତି ୨୧ ହଜାରରୁ ଉର୍ଦ୍ଧ୍ବ ଚାଷୀ

ଭୁବନେଶ୍ବର: ୨୦୨୩ ସେପ୍ଟେମ୍ବର ୨୨ ଯାଏଁ ୨୧ ହଜାର ୭୬୪ ଚାଷୀ ୨୩ ହଜାର ୭୧୨ ଯନ୍ତ୍ରପାତି କ୍ରୟ କରିଛନ୍ତି । ଏହି ସମୟ ମଧ୍ୟରେ ୧୩୪ କୋଟି ୩୪ ଲକ୍ଷ ଟଙ୍କା ରିହାତି DBT ମାଧ୍ୟମରେ ମିଳିଛି । ସେହିପରି ୩ ହଜାର ୪୪୮ ମହିଳା SHG ୪ ହଜାର ୫୫୬ ଯନ୍ତ୍ରପାତି କ୍ରୟ କରି ୩୪.୭୯ କୋଟି ରିହାତି ପାଇଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

୨୦୨୨-୨୩ରେ ୪୯ ହଜାର ୨୨ ଚାଷୀ ୭୩ ହଜାର ୬୭୪ ଯନ୍ତ୍ରପାତି କ୍ରୟ କରିଛନ୍ତି । ଯେଉଁଥିରେ ୨୨ କୋଟିରୁ ଅଧିକ ରିହାତି DBT ମାଧ୍ୟମରେ ମିଳିଛି ବୋଲି ସେ କହିଛନ୍ତି । ଯନ୍ତ୍ରପାତି କିଣା ପାଇଁ ସାଧାରଣ ବର୍ଗ ଚାଷୀଙ୍କ ପାଇଁ ୪୦-୫୦%, ମହିଳା ଓ ସଂରକ୍ଷିତ ବର୍ଗଙ୍କ ପାଇଁ ୫୦-୬୦% ଓ ମହିଳା SHG ପାଇଁ ୭୫% ସବସିଡି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ।

ବର୍ତ୍ତମାନ ସ୍ଥିତିରେ ଶୀତଳ ଭଣ୍ଡାର ପୁରୁଣା ପ୍ରଣାଳୀ ହୋଇଯାଇଛି । କାରଣ ଏହା ଅଧିକ ଖର୍ଚ୍ଚାନ୍ତ କରୁଛି ଯେଉଁଥିପାଇଁ ପନିପରିବା ସଂରକ୍ଷଣ ପାଇଁ ୧୦୦୦ କୋଲ୍ଡ ଚେନ ବ୍ୟବସ୍ଥା କରାଯାଉଛି । କୋରାପୁଟ ଚାଷୀ ଏଥିରେ ଲାଭ ପାଇଛନ୍ତି । କେନ୍ଦ୍ର ସରକାର ସବମିଶନ ଆଣ୍ଡ ଏଗ୍ରିକଲଚର ମେକାନିଜମ ଜରିଆରେ ସହାୟତା ଦେବା କଥା, ସେଥିରେ ଓଡ଼ିଶାକୁ କିଛି ମିଳି ନଥିଲା । ଚଳିତ ବର୍ଷ ଓଡ଼ିଶାକୁ ୫୫ କୋଟି ମିଳିବାକୁ ଥିବାବେଳେ ମାତ୍ର ୧୩ କୋଟି ମିଳିଛି ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଗୃହରେ କଟାକ୍ଷ କରିଛନ୍ତି କୃଷିମନ୍ତ୍ରୀ ।

ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ, ମାସିକିଆ ରିପୋର୍ଟ ରଖିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ପୁଣି କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଦୈନିକ ୭ ଘଣ୍ଟାର ମାସିକିଆ ରିପୋର୍ଟ ରଖିବ ଉଚ୍ଚଶିକ୍ଷା ବିଭାଗ । ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ୭୫% ର ବି ତଥ୍ୟ ରଖିବ ବିଭାଗ । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ । MCL ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ UPSC ପ୍ରଶାସନିକ ସେବା ଲାଗି କୋଚିଂ ଦିଆଯିବ। ଆଇଏଏସ ଓ ଓଏଏସ ଅଫିସରମାନେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ୍ କରିବାକୁ ଯୋଜନା କରାଯାଇଛି ବୋଲି ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ନୂଆ ଡିଗ୍ରୀ କଲେଜ ନଖୋଲିବାକୁ ଓ ସିଟ ନ ବଢାଇବାକୁ ଗତ ୧୬ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ସମଲିଙ୍ଗୀଙ୍କ ବିବାହକୁ ନେଇ ଧାର୍ମିକ ବିରୋଧ

ଅମୃତସର: ପାରମ୍ପରିକ ରୀତି ନୀତିରେ ହୋଇଛି ବିବାହ । ଗୁରୁଦ୍ବାରରେ ସମଲିଙ୍ଗୀଙ୍କ ବିବାହ ସମ୍ପନ୍ନ ହୋଇଥିବାବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଧର୍ମ ବିରୋଧୀ ତଥା ଶିଖ ଧର୍ମର ନୀତି ବିରୋଧରେ ଏହି ବିବାହ ହୋଇଛି ବୋଲି ଅକାଲ ତାଖତର ଜାଥେଦର ଜିଆନି ରଦ୍ଧବୀର ସିଂ କହିଛନ୍ତି । ଧାର୍ମିକ ନିୟମ ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ପଞ୍ଜାବରେ ଚର୍ଚ୍ଚାର ବିଷଞ ପାଲଟିଛି । ୨୭ ବର୍ଷୀୟା ଡିମ୍ପଲ ଏବଂ ୨୧ ବର୍ଷୀୟା ମନୀଷା ଗତ ସେପ୍ଟମ୍ବର ୧୮ ତାରିଖରେ ଗୁରୁଦ୍ବାରରେ ନିଜ ପରିବାର ଲୋକଙ୍କ ଆଶିର୍ବାଦକ୍ରମେ ବିବାହ କରିଛନ୍ତି । ଡିମ୍ପଲ ଉଚ୍ଚ ଜାତିର ଶିଖ ହୋଇଥିବାବେଳେ ମନୀଷା ହେଉଛନ୍ତି ଜଣେ ଦଳିତ ହିନ୍ଦୁ ପରିବାରର । ଯାହାକୁ ନେଇ ଏବେ ଧାର୍ମିକ ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିରୋଧର ସ୍ବର ଉଠିଥିବା ଦେଖିବାକୁ ମିଳିଛି । ତେବେ ଏମାନଙ୍କ ପ୍ରେମ କାହାଣୀ ଅନନ୍ୟ ।

ଏମିତି ଆରମ୍ଭ ହୋଇଥିଲା ପ୍ରେମ

ଡିମ୍ପଲ ଏବଂ ମନୀଷାଙ୍କ ପ୍ରେମ ଜିରକପୁରରୁ ଆରମ୍ଭ ହୋଇଛି । କୌଣସି ଏକ କାମରେ ଡିମ୍ପଲ ଜିରକପୁର ଆସିଥିଲେ । ସେଠାରେ ତାଙ୍କର ମନୀଷାଙ୍କ ସହ ଭେଟ ହୋଇଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିତବା ଇଣ୍ଟରଭିୟୁ ସମୟରେ ଡିମ୍ପଲ କହିଛନ୍ତି କି, ମନୀଷାଙ୍କ ପୂର୍ବରୁ ଅନେକ ଝିଅଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କରେ ରହିଥିଲେ । ବହୁ ଝିଅଙ୍କୁ ପ୍ରେମ କରିବା ସହ ପରବର୍ତ୍ତୀ ସମୟରେ ବ୍ରେକଅପ ମଧ୍ୟ କରିଛନ୍ତି । ୟୁଟ୍ୟୁବ ଏବଂ ଗଣମାଧ୍ୟମରେ ପ୍ରକାଶିତ କିଛି ସମଲିଙ୍ଗୀ ସମ୍ପର୍କ ବିଷୟରେ ଜାଣିବା ପରେ ସେ ଏଭଳି ପ୍ରେମ ଆରମ୍ଭ କରିଥିବା କହିଛନ୍ତି ।

କିଛି ଝିଅଙ୍କ ସହ ସମ୍ପର୍କରେ ରହି ବ୍ରେକଅପ କରିଥିଲେ । କିନ୍ତୁ ଯେତେବେଳେ ସେ ମନୀଷାଙ୍କ ସହ େଭଟ ହୋଇଥିଲେ ସେ ତାଙ୍କ ପାଇଁ ଜୀବନ ସାଥୀ ହେବେ ବୋଲି ମନ କରିଥିଲେ। ଉଭୟ କିଛି ଘଣ୍ଟା ଏକାଠି ସମୟ ବିତାଇଥିଲେ । ଆଉ ଉଭୟ ଉଭୟଙ୍କୁ ବୁଝିଥିଲେ । ପରେ ମନୀଷାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଡିମ୍ପଲ । ଏଥିରେ ମନୀଷା ରାଜି ହୋଇଥିଲେ । ପରେ ପରିବାର ଲୋକଙ୍କ ସମ୍ମତିକ୍ରମେ ଉଭୟ ଗୁରୁଦ୍ବାରରେ ବିବାହ ବନ୍ଧନରେ ବାନ୍ଧିହେଲେ ।

 

 

 

ରେଳଧାରଣାରେ ପଶିଗଲା କଣ୍ଟେନର, ବାଲେଶ୍ବରରୁ ନୀଳଗିରି ଟ୍ରାକରେ ରେଳ ଚଳାଚଳ ବନ୍ଦ

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ବାମପଦା ଛକରେ ଥିବା 99 ନମ୍ବର ରେଲୱେ ଗେଟକୁ ଭାଙ୍ଗିଲା କଣ୍ଟେନର । କର୍ଣ୍ଣାଟକ ନମ୍ବର ବିହୀନ ଏକ କଣ୍ଟେନର କାର ବୋଝେଇ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଳ ଧାରଣା ଉପରକୁ ମାଡ଼ିଯାଇଛି ।

ଗେଟରେ ଥିବା ସିଗନାଲ ପୋଷ୍ଟ ସହ ଗେଟକୁ ଧକ୍କା ଦେଇ ଟ୍ରାକ ଉପରେ ଫସିଛି କଣ୍ଟେନର । ବାଲେଶ୍ବରରୁ ନୀଳଗିରି ଯାଇଥିବା ଟ୍ରାକରେ ରେଳ ଚଳାଚଳ ବନ୍ଦ ରହିଛି । ନିଶାସକ୍ତ ଅବସ୍ଥାରେ ଥିବା ଡ୍ରାଇଭରକୁ ଆରପିଏଫ ନିଜ କବଜାରେ ରଖିଛି । ଦୁର୍ଘଟଣାରେ ଲାଇନ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବାଲେଶ୍ବର ଷ୍ଟେସନ ମାଷ୍ଟର, ଇଞ୍ଜିନିୟର ଏବଂ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି କଣ୍ଟେନରକୁ ଟ୍ରେନ ଲାଇନରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ।

ଡାକଘରୁ ଜମାଟଙ୍କା ଗାଏବ, ୧୧ ଦିନ ହେବ ପୋଷ୍ଟମାଷ୍ଟରଙ୍କ ମିଳୁନି ପତ୍ତା

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଡାକଘରୁ ପୋଷ୍ଟ ମାଷ୍ଟର ଲକ୍ଷାଧିକ ଟଙ୍କା ନେଇ ଫେରାର ଅଭିଯୋଗ। ଏନେଇ ଚାନ୍ଦବାଲି ମାଜିଷ୍ଟ୍ରେଟଙ୍କ ସହ ଭଦ୍ରକ ଡାକ ବିଭାଗର ଇନ୍ସପେକ୍ଟରଙ୍କ ମିଳିତ ତଦନ୍ତ ଚାଲୁ ରହିଛି । ଘଟଣାକୁ ୧୧ ଦିନ ବିତିଯିବା ପରେ ଚାବି ଭଙ୍ଗା ଯାଇ ଡ଼ାକଘରକୁ ଖୋଲାଯାଇଛି । ଡ଼ାକ ଘରେ ବିଭିନ୍ନ ଅଞ୍ଚଳରେ ଥିବା ଗାଁ ଲୋକେ ଏହି ଡ଼ାକ ଘରେ ଟଙ୍କା ଜମା ରଖିଥିଲେ ‌।

ପୋଷ୍ଟ ମାଷ୍ଟର ବୁକେଇ ମାଝୀ ଟଙ୍କା ଜମା କରିବାକୁ କହି ଟଙ୍କା ନେଇଥିଲେ। ସାଧାରଣତଃ ଲୋକେ ଚିଟଫଣ୍ଡ ଠକେଇ ପରେ ଡ଼ାକ ବିଭାଗ ଉପରେ ଭରସା ରଖି ଟଙ୍କା ଜମା ରଖୁଥିବା ବେଳେ ପୋଷ୍ଟ ମାଷ୍ଟର ଟଙ୍କା ନେଇ ୧୧ ଦିନ ହେବ କୁଆଡେ ଫେରାର ଥିବା ଅଭିଯୋଗ ହୋଇଛି। ୧୧ ଦିନ ଭିତରେ ଏହି ସମ୍ପର୍କରେ ଚାନ୍ଦବାଲି ମୁଖ୍ୟ ଡାକ ବିଭାଗ କର୍ମଚାରୀ ପହଞ୍ଚି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରି ନାହିଁ।

ଆଜି ଭଦ୍ରକ ଡାକ ବିଭାଗର ଜିଲ୍ଲା ଇନ୍ସପେକ୍ଟର ଅନନ୍ତ କୁମାର ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୂତାରଙ୍କ ସହ ଚାନ୍ଦବାଲି ପୋଲିସ ଷ୍ଟେସନର ଏକ ଟିମ୍ ଉପସ୍ଥିତ ଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି ‌ । ଭଦ୍ରକ ଡ଼ାକ ବିଭାଗର ଇନ୍ସପେକ୍ଟର କହିଛନ୍ତି ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଲୋକଙ୍କୁ ନ୍ୟାୟ ମିଳିବ।

ପାକିସ୍ତାନ ପଳେଇଲେ ବାପ-ପୁଅ, କହିଲେ ଆମେ ଆଉ ଭାରତ ଯିବୁନି

କରାଚି: ଭାରତୀୟ ମହିଳା ଅଞ୍ଜୁଙ୍କ ପରେ ଏବେ ପାକିସ୍ତାନରେ ଆଉ ଏକ ଭାରତୀୟ ବାପା-ପୁଅଙ୍କ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିଛନ୍ତି ଭାରତୀୟ ବାପା-ପୁଅ। ସେ ଦାବି କରିଛନ୍ତି ଯେ, ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ସେମାନେ ନିଜ ଘର ଛାଡି ପାକିସ୍ତାନ ପଳାଇଛନ୍ତି। ନୂଆଦିଲ୍ଲୀରେ ରହୁଥିବା ୭୦ ବର୍ଷିୟା ମହମ୍ମଦ ହସେନ ଏବଂ ତାଙ୍କ ପୁଅ ୩୧ ବର୍ଷିୟା ଇଶାକ ଆମୀର ଭାରତ ଛାଡିଛନ୍ତି । ଉଭୟ ବାପା-ପୁଅ ବଲୁଚିସ୍ତାନ ପ୍ରଦେଶର ଚମନରେ ପାକିସ୍ତାନ-ଆଫଗାନିସ୍ତାନ ସୀମା ଦେଇ ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିଛନ୍ତି।

ବର୍ତ୍ତମାନ ଏହି ଦୁଇ ବାପ- ପୁଅ କରାଚିରେ ଥିବା ଇଧି ୱେଲଫେୟାର ଟ୍ରଷ୍ଟର ଆଶ୍ରୟ ଗୃହରେ ଅଛନ୍ତି । ପ୍ରାୟ ୧୪ ଦିନ ପୂର୍ବରୁ ଦୁହେଁ କରାଚିରେ ପହଞ୍ଚିଥିଲେ। ହସେନ କହିଛନ୍ତି, ‘ଯଦି ପାକିସ୍ତାନୀ କର୍ତ୍ତୃପକ୍ଷ ଆମକୁ ଜେଲରେ ରଖିବାକୁ ଚାହାଁନ୍ତି, ତେବେ ଆମେ ଏଥିପାଇଁ ପ୍ରସ୍ତୁତ। କିନ୍ତୁ ଆମେ ଆଉ ଭାରତ ଫେରିଯିବାକୁ ଚାହୁଁନାହୁଁ । ଦୀର୍ଘ ଦିନ ଧରି ଆମେ ସେଠାରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଆସୁଥିଲୁ ଏବଂ ପାକିସ୍ତାନକୁ ପଳାଇ ଆସିବାକୁ ନିଷ୍ପତ୍ତି ନେଇଥିଲୁ।
ଭାରତରୁ-ପାକିସ୍ତାନ କିପରି ପହଞ୍ଚିଥିଲେ

ସେପ୍ଟମ୍ୱର ୫ରେ ଦିଲ୍ଲୀରୁ ଦୁବାଇ ଅଭିମୁକେ ଯାତ୍ରା କରିଥିଲେ ହସେନ ଏବଂ ତାଙ୍କ ପୁଅ ଇଶାକ। ସେଠାରେ ତାଙ୍କୁ ଆଫଗାନିସ୍ତାନର ଦୂତାବାସଙ୍କଠାରୁ ଭିସା ମିଳିଥିଲା । ଭିସା ପାଇ ସେମାନେ କାବୁଲରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟ ରାସ୍ତା ଦେଇ କନ୍ଦାରାରେ ଯାଇ ସେଠାରୁ ଚମାନ ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ । ଉଭୟ ଆଫଗାନିସ୍ତାନ ଏଜେଣ୍ଟଙ୍କ ସାହାଯ୍ୟରେ ସୀମା ପାର କରିବାରେ ସଫଳ ହୋଇଥିଲେ।

ହସେନ କହିଛନ୍ତି ଯେ, କରାଚିରେ ପହଞ୍ଚିବା ପାଇଁ ତାଙ୍କୁ ୧୪ ଦିନି ସମୟ ଲାଗିଥିଲା । ଏହାପରେ ସେମାନେ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିଲେ।
ତେବେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ଉଭୟ ବର୍ତ୍ତମାନ ଏକ ଆଶ୍ରୟସ୍ଥଳରେ ଅଛନ୍ତି। ଏହାକୁ ନେଇ ବର୍ତ୍ତମାନ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି ।