ଏସିଆନ ଗେମସର ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ କରି ରେକର୍ଡ କଲା ନେପାଳ

1 min read

ହୋଞ୍ଜହୁ: ଫଟାଫଟ କ୍ରିକେଟରେ ଇତିହାସ ରଚିଲା ନେପାଳ । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ଗୋଟିଏ ମ୍ୟାଚରେ ଏକାଧିକ ରେକର୍ଡ ଭାଙ୍ଗିଲା ନେପାଳ । ଦୁତତମ ଶତକ, ଅର୍ଦ୍ଧଶତକ, ସର୍ବାଧିକ ଟିମ୍ ସ୍କୋର, ଛକ୍କା ବର୍ଷା ଏଭଳି ଅନେକ ରେକର୍ଡ ବ୍ରେକ କରିଛି ନେପାଳ ଟିମ୍ । ଏସିଆନ ଗେମସର ଟି-୨୦ କ୍ରିକେଟରେ ଏହା ଦେଖିବାକୁ ମିଳିଛି । ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ କରିଛି ନେପାଳ ।

ପ୍ରଥମ ଥର ଲାଗି କୌଣସି ଦଳ ୩ଶହରୁ ଅଧିକ ରନ୍‌ ସଂଗ୍ରହ କରିଛି । ମଙ୍ଗୋଲିଆ ବିପକ୍ଷ ଗ୍ରୁପ-ଏ ମ୍ୟାଚରେ ନେପାଳ ଏଭଳି ରେକର୍ଡ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୩ ୱିକେଟରେ ୩୧୪ ରନ୍ କରିଥିଲା । ଏହା ପୂର୍ବରୁ ସର୍ବାଧିକ ସ୍କୋର ୨୭୮ ଥିଲା । ଆଫଗାନିସ୍ତାନ ଓ ଚେକ୍ ରିପବ୍ଲିକ ନାଁରେ ଥିଲା ଏହି ରେକର୍ଡ । ନେପାଳର ଐତିହାସିକ ପାଳିରେ ଦ୍ରୁତତମ ଶତକ ଓ ଅର୍ଦ୍ଧଶତକ ରେକର୍ଡ ହୋଇଛି ।

ଦଳ ପକ୍ଷରୁ କୁଶଲ ମାଲ୍ଲା ଦ୍ରୁତତମ ଶତକ ଓ ଦିପେନ୍ଦ୍ର ସିଂ ଏରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି । କୁଶଲ ୩୪ ବଲ୍‌ରେ ଶତକ ହାସଲ କରି ରୋହିତ ଶର୍ମା, ଡେଭିଡ ମିଲର ଭଳି ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ମାତ୍ର ୯ ବଲରେ ହାଫ୍‌ ସେଞ୍ଚୁରୀ କରି ଯୁବରାଜ ସିଂହଙ୍କ ୧୨ ବଲ୍‌ରୁ ଅର୍ଦ୍ଧଶତକର ରେକର୍ଡ ବ୍ରେକ୍‌ କରିଛନ୍ତି । କୁଶଲ ମୋଟ୍‌ ୫୦ଟି ବଲରୁ ୧୨ଟି ଛକା ଏବଂ ୮ଟି ଚୌକା ସହାୟତାରେ ୧୩୭ ରନ କରିଛନ୍ତି । ରୋହିତ ଶର୍ମା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଉଭୟେ ୩୫ ବଲରୁ ଶତକ ହାସଲ କରିଥିଲେ । ୩୧୫ ରନ୍‌କୁ ଟାର୍ଗେଟ କରି ମଙ୍ଗୋଲିଆ ୧୩ ଓଭରରେ ୪୧ ରନ୍‌ କରି ଅଲଆଉଟ ହୋଇଥିଲା ।