ପାକିସ୍ତାନ ପଳେଇଲେ ବାପ-ପୁଅ, କହିଲେ ଆମେ ଆଉ ଭାରତ ଯିବୁନି

1 min read

କରାଚି: ଭାରତୀୟ ମହିଳା ଅଞ୍ଜୁଙ୍କ ପରେ ଏବେ ପାକିସ୍ତାନରେ ଆଉ ଏକ ଭାରତୀୟ ବାପା-ପୁଅଙ୍କ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିଛନ୍ତି ଭାରତୀୟ ବାପା-ପୁଅ। ସେ ଦାବି କରିଛନ୍ତି ଯେ, ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ସେମାନେ ନିଜ ଘର ଛାଡି ପାକିସ୍ତାନ ପଳାଇଛନ୍ତି। ନୂଆଦିଲ୍ଲୀରେ ରହୁଥିବା ୭୦ ବର୍ଷିୟା ମହମ୍ମଦ ହସେନ ଏବଂ ତାଙ୍କ ପୁଅ ୩୧ ବର୍ଷିୟା ଇଶାକ ଆମୀର ଭାରତ ଛାଡିଛନ୍ତି । ଉଭୟ ବାପା-ପୁଅ ବଲୁଚିସ୍ତାନ ପ୍ରଦେଶର ଚମନରେ ପାକିସ୍ତାନ-ଆଫଗାନିସ୍ତାନ ସୀମା ଦେଇ ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିଛନ୍ତି।

ବର୍ତ୍ତମାନ ଏହି ଦୁଇ ବାପ- ପୁଅ କରାଚିରେ ଥିବା ଇଧି ୱେଲଫେୟାର ଟ୍ରଷ୍ଟର ଆଶ୍ରୟ ଗୃହରେ ଅଛନ୍ତି । ପ୍ରାୟ ୧୪ ଦିନ ପୂର୍ବରୁ ଦୁହେଁ କରାଚିରେ ପହଞ୍ଚିଥିଲେ। ହସେନ କହିଛନ୍ତି, ‘ଯଦି ପାକିସ୍ତାନୀ କର୍ତ୍ତୃପକ୍ଷ ଆମକୁ ଜେଲରେ ରଖିବାକୁ ଚାହାଁନ୍ତି, ତେବେ ଆମେ ଏଥିପାଇଁ ପ୍ରସ୍ତୁତ। କିନ୍ତୁ ଆମେ ଆଉ ଭାରତ ଫେରିଯିବାକୁ ଚାହୁଁନାହୁଁ । ଦୀର୍ଘ ଦିନ ଧରି ଆମେ ସେଠାରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଆସୁଥିଲୁ ଏବଂ ପାକିସ୍ତାନକୁ ପଳାଇ ଆସିବାକୁ ନିଷ୍ପତ୍ତି ନେଇଥିଲୁ।
ଭାରତରୁ-ପାକିସ୍ତାନ କିପରି ପହଞ୍ଚିଥିଲେ

ସେପ୍ଟମ୍ୱର ୫ରେ ଦିଲ୍ଲୀରୁ ଦୁବାଇ ଅଭିମୁକେ ଯାତ୍ରା କରିଥିଲେ ହସେନ ଏବଂ ତାଙ୍କ ପୁଅ ଇଶାକ। ସେଠାରେ ତାଙ୍କୁ ଆଫଗାନିସ୍ତାନର ଦୂତାବାସଙ୍କଠାରୁ ଭିସା ମିଳିଥିଲା । ଭିସା ପାଇ ସେମାନେ କାବୁଲରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟ ରାସ୍ତା ଦେଇ କନ୍ଦାରାରେ ଯାଇ ସେଠାରୁ ଚମାନ ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ । ଉଭୟ ଆଫଗାନିସ୍ତାନ ଏଜେଣ୍ଟଙ୍କ ସାହାଯ୍ୟରେ ସୀମା ପାର କରିବାରେ ସଫଳ ହୋଇଥିଲେ।

ହସେନ କହିଛନ୍ତି ଯେ, କରାଚିରେ ପହଞ୍ଚିବା ପାଇଁ ତାଙ୍କୁ ୧୪ ଦିନି ସମୟ ଲାଗିଥିଲା । ଏହାପରେ ସେମାନେ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିଲେ।
ତେବେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ଉଭୟ ବର୍ତ୍ତମାନ ଏକ ଆଶ୍ରୟସ୍ଥଳରେ ଅଛନ୍ତି। ଏହାକୁ ନେଇ ବର୍ତ୍ତମାନ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି ।