spot_img
Home Blog Page 2566

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ, ବରଗଡରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୪ଜଣିଆ କେନ୍ଦ୍ରୀୟ ଟିମ୍

ବରଗଡ: ବରଗଡରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଚାରି ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସ୍କ୍ରବ୍ ଟାଇଫସ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନ କରିବେ।

ତେବେ ବରଗଡ଼ ଜିଲ୍ଲାର ସ୍କ୍ରବ୍ ଟାଇଫସରେ ସମୁଦାୟ ଏଯାଏ ୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

‘ସ୍ବଚ୍ଛତା ହିଁ ସେବା’ ଅଭିଯାନ: ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ବିଏସଏଫ୍ ଯବାନ

ଭୁବନେଶ୍ୱର: ସ୍ବଚ୍ଛତା ହିଁ ସେବା। ଏହି ଆହ୍ବାନକୁ ନେଇ ସାରା ଦେଶରେ ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଏସଏଫ ଯବାନମାନେ ଲିଙ୍ଗରାଜ ମନ୍ଦିରରେ ସଫେଇ କରିଛନ୍ତି। ଏକ ଘଣ୍ଟାର ଶ୍ରମ ଦାନ ଆହ୍ବାନକୁ ପାଳନ କରି ଭୁବନେଶ୍ବର ବିଏସଏଫ ହେଡକ୍ବାର୍ଟର ଯବାନମାନେ ଲିଙ୍ଗରାଜ ମନ୍ଦିରରେ ନିଜର ଶ୍ରମ ଦାନ କରିଛନ୍ତି।

ବନ୍ଧୁକ ବଦଳରେ ହାତରେ ଝାଡୁଧରି ଆଇଜି ଧନେଶ୍ବର କୁମାର ଶର୍ମାଙ୍କ ତତ୍ତ୍ବାବଧାନରେ ମନ୍ଦିରର ଭିତର ଓ ବାହାର ବେଢାକୁ ସଫା କରିଥିଲେ ଯବାନ। ଏହାସହ ସ୍ବଚ୍ଛତା ଅଭିଯାନରେ ସମସ୍ତଙ୍କୁ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି। ସଫେଇରେ ସାମିଲ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତ ଯବାନ।

ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପ୍ରେମ ବ୍ୟାପାରକୁ ନେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ହେଲେ ସଚିତ୍ର ବାରିକ, ତାଙ୍କ ଘର ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ।

ତେବେ ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଛି ମଞ୍ଚେଶ୍ୱର ପୋଲିସ। ଆତ୍ମହତ୍ୟା ପୂର୍ବରୁ ଶେଷ କଲ୍‌ ଓ ମେସେଜକୁ ପୋଲିସ ଛାନବିନ କରୁଥିବା ଜଣାପଡିଛି।

୨୬/୧୧ ମୁମ୍ବାଇ ଆକ୍ରମଣ: ଗୁଳିମାଡରେ ହାଫିଜ ସଇଦର ସହଯୋଗୀ ମୃତ

ମୁମ୍ବାଇ: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀର ମୃତ୍ୟୁ ହୋଇଛି। କରାଚୀରେ ଦୁର୍ବୁତ୍ତଙ୍କ ଗୁଳିମାଡରେ ଲସ୍କର-ଇ-ତଏବାର ଆଗଧାଡ଼ିର ଆତଙ୍କବାଦୀ ମୁଫତି କାଶିର ଫାରୁକର ମୃତ୍ୟୁ ହୋଇଛି। ସାମନାବାଦରେ ଏକ ମସଜିଦ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଫତୀ ସାମିଲ ହୋଇଥିବା ବେଳେ ତାକୁ ପଛପଟୁ ଗୁଳିମାଡ଼ କରିଥିଲା ଦୁର୍ବୁତ୍ତ ।

ମୁଫତୀର ପିଠିରେ ଗୁଳି ବାଜିଥିବା ବେଳେ ତାକୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ହୋଇଛି । ଗୁଳିମାଡରେ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି।

ମୁମ୍ବାଇ ୨୬/୧୧ ଆକ୍ରମଣ ବ୍ୟତୀତ ବହୁ ଆତଙ୍କୀ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ଥିଲା ମୁଫତୀ କାଶିର ଫାରୁକ । ହାଫିଜର ଅତି ଘନିଷ୍ଠ ହେଉଛି ମୁଫତୀ  । ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ପାକିସ୍ତାନରେ ଏକାଠି ନଜର ଆସନ୍ତି।

ନଭେମ୍ବରରେ ଇଂଲଣ୍ଡରୁ ଭାରତ ଫେରିବ ଶିବାଜୀଙ୍କ ବାଘନଖ

ନୂଆଦିଲ୍ଲୀ: ନଭେମ୍ବରରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ପ୍ରସିଦ୍ଧ ବାଘନଖ । ବିଜାପୁର ସୁଲତାନ ଆଫଜଲ ଖାଁଙ୍କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏହି ବାଘ ନଖକୁ ଆସନ୍ତା ନଭେମ୍ବରରେ ଲଣ୍ଡନରୁ ଭାରତ ଅଣାଯିବ ।

୧୬୫୯ ମସିହାରେ ଆଫଜଲଙ୍କୁ ଏହି ବାଘନଖ ଜରିଆରେ ହତ୍ୟା କରିଥିଲେ ଶିବାଜୀ । ଛତ୍ରପତି ଶିବାଜୀଙ୍କ ସିଂହାସନ ଆରୋହଣର ୩୫୦ତମ ବାର୍ଷିକୀ ଅବସରରେ ବାଘନଖକୁ ଅଣାଯିବ । ବର୍ତ୍ତମାନ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ଏହି ଅସ୍ତ୍ର ରହିଛି । ଏହି ଅସ୍ତ୍ର ଆଣିବା ସମ୍ପର୍କରେ ଚୂଡାନ୍ତ ଆଲୋଚନା ଲାଗି ମଙ୍ଗଳବାର ଲଣ୍ଡନ ଯିବେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ବାର । ଏନେଇ ସେ ଏକ ଚୁକ୍ତି ସ୍ବାକ୍ଷର କରିବେ । ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ଛତ୍ରପତି ଶିବାଜୀ ମହାରାଜ ମ୍ୟୁଜିୟମରେ ଏହାକୁ ରଖାଯିବ ବୋଲି ସୂଚନା ମିଳିଛି । ସତାରା ଜିଲ୍ଲା ଅନ୍ତର୍ଗତ ପ୍ରତାପଗଡ ଦୁର୍ଗରେ ଆଫଜଲ ଖାଁଙ୍କୁ ହତ୍ୟା କରିଥିଲେ ଶିବାଜୀ । ଏହାକୁ ଶିବାଜୀଙ୍କ ବୀରତ୍ବର ଏକ ଅଧ୍ୟାୟ ବୋଲି କୁହାଯାଏ ।

ବଲୁଚିସ୍ତାନ ବିସ୍ଫୋରଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସଲାମାବାଦ: ଭାରତ-କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଥିବାବେଳେ ଏବେ ପାକିସ୍ତାନ ସହ ସୃଷ୍ଟି ହୋଇଛି ନୂଆ ବିବାଦ । ବଲୁଚିସ୍ତାନର ଘଟିଥିବା ଭୟାବହ ବିସ୍ଫୋରଣ ଘଟଣା ଲାଗି ଭାରତକୁ ଦାୟୀ କରିଛି ପାକିସ୍ତାନ । ଏହି ବିସ୍ଫୋରଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ରହିଛି ବୋଲି ପାକିସ୍ତାନ କହିଛି ।

ଗତ ଶୁକ୍ରବାର ମହମ୍ମଦ ଜୟନ୍ତୀ ପାଳନ ବେଳେ ବଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ମଦିନା ମସଜିଦରେ ବିସ୍ଫୋରଣ ଘଟି ୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାର କିଛି ଘଣ୍ଟା ପରେ ଖାଇବର ପଖିତୁନଖାଓ୍ବାର ହାଙ୍ଗୁ ସହରରେ ଆଉ ଏକ ବିସ୍ଫୋରଣ ଘଟି ୫ ଜଣ ପ୍ରାଣ ହରାଇଥିଲେ । ପାକିସ୍ତାନର ସ୍ବରାଷ୍ଟ୍ର ମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି- ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ହାତ ରହିଛି । ମାସ୍ତୁଙ୍ଗ ଆତ୍ମଘାତୀ ବିସ୍ଫୋରଣରେ ଜଡିତ ଶକ୍ତିଙ୍କ ବିରୋଧରେ ବେସାମରିକ, ସାମରିକ ଓ ଅନ୍ଯାନ୍ୟ ପ୍ରତିଷ୍ଠାନ ଏକ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି ଦୁଇଟି ବିସ୍ଫୋରଣ ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ବିସ୍ଫୋରଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି ।

ତୁର୍କୀ ସଂସଦ ନିକଟରେ ବିସ୍ଫୋରଣରେ ନିଜକୁ ଉଡ଼ାଇଲା ଆତ୍ମଘାତୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଅନ୍ୟ ଜଣେ ମୃତ

ଆଙ୍କାରା: ତୁର୍କୀର ଆଙ୍କାରା ସ୍ଥିତ ସଂସଦ ଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ନିଜକୁ ଉଡାଇ ଦେଲା ଜଣେ ଆତ୍ମଘାତୀ ।  ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଓ ଆତ୍ମଘାତୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଜଣେ ଆତ୍ମଘାତୀ ମୃତ ।

ଦୁର୍କୀ ଗୃହମନ୍ତ୍ରୀ କହିଛନ୍ତି, ‘ସଂସଦ ଭବନ ନିକଟରେ ଦୁଇଜଣ ଆତ୍ମଘାତୀଙ୍କ ଜରିଆରେ ଏହି ବିସ୍ଫୋରଣ ଘଟିଛି । ସଂସଦର ମନ୍ତ୍ରାଳୟ ବିଲଡିଂ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଛି । ଜଣେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବାବେଳେ ଜଣେ ପୋଲିସ ଗୁଳିରେ ପ୍ରାଣ ହରାଇଛି । ସେମାନେ ଏକ ବ୍ୟାବସାୟିକ ଯାନରେ ଆସି ବିସ୍ଫୋରଣ ଘଟାଇ ଥିଲେ । ଘଚଣାସ୍ଥଳରେ ନିରାପତ୍ତା ବ୍ୟବସ୍ଥା କଡାକଡି କରାଯାଇଛି ।’

ଗ୍ରୀଷ୍ମକାଳୀନ ଅବକାଶ ପରେ ଆଜି ସଂସଦ ଆରମ୍ଭ ହେବାର ଥିଲା । ଆଇଏସଆଇଏସ ଅଧୀନ ଆଇଏସଆଇଏଲ ସଦସ୍ୟଙ୍କ ବିରୋଧରେ ତୁର୍କୀ କାର୍ଯ୍ୟାନୁଷ୍ଠାନ ନେବା ପରେ ପରେ ଏହି ବିସ୍ଫୋରଣ ଘଟିଛି । ଘଟଣାରେ ୨ ଜଣ ପୋଲିସ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି ।

ଚାଷ ଜମିରେ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ଯାଇ ତଦନ୍ତ କରୁଛନ୍ତି । ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ହେଲିକପ୍ଟରରେ ୬ ଜଣ ସେନା କର୍ମଚାରୀ ଥିଲେ । ସମସ୍ତେ ନିରାପଦ ଥିବା ଜଣାପଡ଼ିଛି । ହେଲିକପ୍ଟରରେ ତ୍ରୁଟି ଦେଖାଦେବା ପରେ ଏହା ଅବତରଣ କରିବା ଲାଗି ନିକଟସ୍ଥ ଡୁଙ୍ଗରିଆ ଡ୍ୟାମ ଚାରି ପଟେ ଘୂରିଥିଲା । ପରେ ଏକ ବିଲରେ ଏହା ଅବତରଣ କରିଥିଲା ।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଭୋପାଲରୁ ଚକେରୀ ପର୍ଯ୍ୟନ୍ତ ରୁଟିନ୍ ଟ୍ରେନିଂ ସମୟରେ ଧ୍ରୁବ ହେଲିକପ୍ଟରର ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି । ଭୋପାଲ ଏୟାରପୋର୍ଟଠାରୁ ୫୦ କିମି ଦୂରରେ ହେଲିକପ୍ଟରଟି ଲ୍ୟାଣ୍ଡ କରିଛି । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ବାୟୁସେନାର ଆପାଚି ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।

ନିଶା ମାଫିଆ ସଦାମ ଓ ଚିତ୍ତ ଗିରଫ

ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ ଏସଟିଏଫର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରା ଗିରଫ । ପିପିଲି ଦାନଗୋହିରୀର ସଦାମ ବିରୋଧରେ ରହିଛି NDPS ଓ ARMS actରେ ମାମଲା ।

୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଚଢ଼ାଉ ବେଳେ ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା STF । ସେହିପରି ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ ଜବତ ହୋଇଥିଲା । ସେହିଦିନ ଠାରୁ ଫେରାର ଥିଲା ସଦାମ ।

ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା ବିରୋଧରେ ଥିଲା ସଙ୍ଗୀନ ମାମଲା । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିଲା । ହେଲେ ମାଷ୍ଟରମାଇଣ୍ଡ ଚିତ୍ତ ଫେରାର ହୋଇ ଯାଇଥିଲା । ପୂର୍ବରୁ ଅଭିଯୁକ୍ତ ନାଁରେ ନନ୍ଦନକାନନ ଥାନାରେ ମଧ୍ୟ ମାମଲା ରହିଛି ।

ଭାରତରେ ନିଜ କାର୍ଯ୍ୟକଳାପ ଅନ୍ତ କଲା ଆଫଗାନିସ୍ତାନ ଦୂତାବାସୀ

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ କ୍ଷେତ୍ରରେ ପୁଣି ଝଟକା । ଭାରତରେ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା ଆଫଗାନିସ୍ତାନ । ଭାରତ ସ୍ଥିତ ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ଗଭୀର ଦୁଃଖ, ଅନୁତାପ ଓ ଅବ୍ୟବସ୍ଥିତ ଭାବେ ଏହା କହିବାକୁ ପଡୁଛି ଯେ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା । ଭାରତ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମର୍ଥନର ଅଭାବ, ଆଫଗାନିସ୍ତାନର ସ୍ବାର୍ଥ ପୂରଣ ଦିଗରେ ବିଫଳତା, କାରଣରୁ ଭାରତରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ବର୍ଷର ସମ୍ପର୍କ ଥିବାବେଳେ ଦୂତାବାସର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି । ଦୂତାବାସ ପକ୍ଷରୁ ଆହୁରି କୁହାଯାଇଛି- ଭାରତ ପକ୍ଷରୁ କୂଟନୈତିକ ସମର୍ଥନ ଦିଆଯାଉ ନଥିବାବେଳେ କାବୁଲରେ ସରକାର ପରିଚାଳନା କରିବା କଷ୍ଟସାଧ୍ଯ ହୋଇଛି । ଉପଯୁକ୍ତ ସଂଖ୍ୟକ କର୍ମଚାରୀ ଓ ସମ୍ବଳର ଅଭାବ, ଭିସା ନବୀକରଣରେ ସମୟାନୁବର୍ତ୍ତିତା ଓ ସମର୍ଥନର ଅଭାବ ଆଦି କାରଣରୁ ନୂଆଦିଲ୍ଲୀରେ ଦୂତାବାସ ପରିଚାଳନା କରିବା ସମ୍ଭବ ନୁହେଁ । ତେବେ ଆଫଗାନ ନାଗରିକଙ୍କ ଲାଗି ଜରୁରୀକାଳୀନ ଦୂତାବାସ ସମ୍ପର୍କିତ ସେବା ଜାରି ରହିବ ।

ନୂଆଦିଲ୍ଲୀରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଓ ଅନ୍ଯ କେତେକ ବରିଷ୍ଠ କୂଟନୀତିଜ୍ଞଙ୍କ ସମେତ ମୋଟ ୫ ଜଣ ଅଧିକାରୀ ଦୂତାବାସ ପରିତ୍ୟାଗ କରି ୟୁରୋପ ଓ ଆମେରିକା ଚାଲିଯିବା ସହ ସେଠାରେ ଆଶ୍ରୟ ନେବା ପରଠାରୁ ଏହି ବିବାଦ ବଢିଥିଲା । ଦୂତାବାସକୁ ବନ୍ଦ କରିଦିଆଯିବା ନେଇ ଭାରତର ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରାଯାଇଛି ବୋଲି କହିଛନ୍ତି ଦୂତାବାସ କର୍ତ୍ତୃପକ୍ଷ ।

ଏହାସହ ଆଫଗାନିସ୍ତାନର କୂଟନୈତିକ ସ୍ତରରେ ବିବାଦ ଜାରି ରହିଛି ବୋଲି ଭାରତ ଯେଉଁ ଅଭିଯୋଗ କରିଥିଲା ତାହାକୁ ଖଣ୍ଡନ କରାଯାଇଛି । ଗତ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ପରଠାରୁ ସେଠାରେ ଭାରତ ନିଜର ଦୂତାବାସକୁ ବନ୍ଦ କରିଦେଇଥିଲା । ତେବେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦ୍ବାରା ପ୍ରେରିତ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜେ ଓ ଅନ୍ୟ କର୍ମଚାରୀଙ୍କୁ ନୂଆଦିଲ୍ଲୀସ୍ଥିତ ଆଫଗାନ ଦୂତାବାସରେ ରହିବା ଲାଗି ଭାରତ ଅନୁମତି ଦେଇଥିଲା ।