ଭାରତରେ ଉପରେ ପଡ଼ୁଛି ଗାଜା ଆକ୍ରମଣର ପ୍ରଭାବ

1 min read

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତରେ । ନିୟନ୍ତ୍ରଣ ରେଖାରେ ଅତି ସକ୍ରିୟ ହୋଇଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସକର-ଇ-ତଏବା ଓ ଜୈସ-ଏ. ମହମ୍ମଦ । ଯୁଦ୍ଧ ପରଠାରୁ ପାକିସ୍ତାନ ସମର୍ଥିତ ଏହି ଦୁଇ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ  ଜୋରଦାର ଲିପ୍ତ ରହିଛନ୍ତି । ସ୍ପର୍ଶକାତର ସୀମାରେଖାରେ ଏହି ଦୁଇ ସଂଗଠନର କାର୍ଯ୍ୟକଳାପ ନେଇ ଚିନ୍ତିତ ରହିଛି ନିରାପତ୍ତା ବାହିନୀ । କୌଣସି ତୃତୀୟ ରାଷ୍ଟ୍ରର ସହାୟତା ବିନା ସେମାନେ କାର୍ଯ୍ୟକରୁଥିବା ନେଇ ସୂଚନା ମିଳୁ ନଥିବାବେଳେ ନିଜର ସ୍ଥିତି ଜାହିର ଲାଗି ସେମାନେ ଏଲଓସିରେ ସକ୍ରିୟ ରହିଥିବା ଦେଖାଯାଉଛି ।

ପାକିସ୍ତାନରେ ଦେଖାଦେଇଥିବା ଶରଣାର୍ଥୀ ସମସ୍ୟା ତଥା ତେହରିକ-ଇ-ଜିହାଦ ପାକିସ୍ତାନ ବା ଟିଜେପି ଓ ତେହରିକ ଇ ତାଲିବାନ ପାକିସ୍ତାନ ବା ଟିଟିପି ଆକ୍ରମଣ ବଢାଇ ଚାଲିଥିବାବେଳେ ନିଜର ସ୍ଥିତି ପ୍ରତି ଚାଲେଞ୍ଜ ସମ୍ମୁଖୀନ କଲେଣି ଲସ୍କର ଓ ଜୈସ ସଂଗଠନ । ଏହି ଦୁଇ ସଂଗଠନ ନିକଟକୁ ମଧ୍ୟ ପାଣ୍ଠି ଆସିବାରେ ବ୍ୟାପକ ସମସ୍ଯା ଦେଖାଦେଇଥିବା ସୂଚନା ମିଳିଛି । ହମାସ, ହେଜବୁଲ୍ଲା, ଟିଜେପି, ଟିଟିପି ସହ ସମକକ୍ଷ ହେବା ଲାଗି ଲସକର ଓ ଜୈସ ସଂଗଠନ ଏଲଓସିରେ ଜୋରଦାର ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିଲାଗି ଗତ ମାସରେ ଏଲଓସିରେ ଡ୍ରୋନ କାର୍ଯ୍ୟକଳାପ ଅଧିକ ହୋଇଛି ଏବଂ ଦିନରେ ଭାରତ ସୀମାରେ ୨-୩ଟି ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ।

ଏପରିକି ସେମାନେ ଆନ୍ତର୍ଜାତିକ ସୀମା ପାର ହେବା ସହ ଅମୃତସର ଦିଗକୁ ଡ୍ରୋନ ଛାଡୁଛନ୍ତି ବୋଲି କୁହାଯାଇଛି ।  ଏହି ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଯାଉଛି । ଆତଙ୍କୀ କାର୍ଯ୍ୟକଳାପରେ ଅସ୍ତ୍ରଶସ୍ତ୍ର ବ୍ଯବହୃତ ହେଉଥିବାବେଳେ ପାଣ୍ଠି ସଂଗ୍ରହ ଲାଗି ଡ୍ରଗ୍ସ ବ୍ୟବହୃତ ହେଉଛି । ଚିନ୍ତାର ବିଷୟ ଏହା ଯେ ହମାସର ଆକ୍ରମଣ ପରି ଜୈସ ଓ ଲସ୍କର ସଂଗଠନ ଆକ୍ରମଣ ସମାନ ରହିଛି । ବର୍ତ୍ତମାନ କାଶ୍ମୀରରେ ୬୦ରୁ ଅଧିକ ବିଦେଶୀ ଆତଙ୍କୀ ଲୁଚି ରହିଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁ ନାହିଁ ବୋଲି ଗୁଇନ୍ଦା ବିଭାଗ କହିଛି । ତେଣେ ଏଲଓସିରେ ଆତଙ୍କୀମାନେ ସେମାନଙ୍କ ଲଞ୍ଚିଙ୍ଗ ପ୍ୟାଡ୍ ପରିବର୍ତ୍ତନ କରୁଥିବା ଜଣାଯାଇଛି ।