ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବଢିଲା ଅଡୁଆ

କେନ୍ଦୁଝର : ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ବେଆଇନ ଅର୍ଥ ହେରଫେର ନେଇ ଚାର୍ଜସିଟ୍ ଦାଖଲ କରିଛି ଇଡି। ବେଆଇନ୍ ଖଣି କାରବାର ଓ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ଜିତୁ ପଟ୍ଟନାୟକ। ମାମଲାରେ ସଂପୃକ୍ତି ନେଇ ପାର୍ଟନରସିପ୍ ଫାର୍ମ ବିଡି ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ବେଆଇନ୍ ଅର୍ଥ ନେଣଦେଣ ଆଇନ ଅଧୀନରେ ଅଭିଯୋଗ ଦାଏର ହୋଇଛି। ଗତବର୍ଷ ଜିତୁ ପଟ୍ଟନାୟକଙ୍କ ଘରୁ ୧୩୩କୋଟିର ସଂପତ୍ତି ଜବତ କରିଥିଲା ଇଡି। ଖୋର୍ଦ୍ଧା ଜିଲ୍ଲା ଓ ସେସନସ ଜଜ୍ କୋର୍ଟ ତଥା ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି। ତଦନ୍ତ ଆଧାରରେ ଉଭୟ ଜିତୁ ପଟ୍ଟନାୟକ ଓ ପାର୍ଟନରସିପ୍ ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନ କରିଛି।

ଏଥିସହ ଜବତ ହୋଇଥିବା ୧୩୩ କୋଟି ଟଙ୍କା ବାଜ୍ୟାପ୍ତି କରିବାକୁ ଆବେଦନ କରିଛି ଇଡି। ତଦନ୍ତରେ ବିଡି ପଟ୍ଟନାୟକ ଫାର୍ମର ପାର୍ଟନର ଜିତୁ ପଟ୍ଟନାୟକ ରାଜ୍ୟ ସରକାରଙ୍କଠାରୁ ବୈଧ ମାଇନିଂ ଲିଜ୍ କିମ୍ବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ମଂଜୁରୀ ନପାଇ ବେଆଇନ୍ ମାଇନିଂ କରୁଥିବା ଜଣାପଡିଥିଲା। ଏହାଦ୍ବାରା ୧୯୮୯ରୁ ୨୦୦୯ ମଧ୍ୟରେ ରାଜ୍ୟ ସରକାର ୧୩୦ କୋଟି ୩୯ଲକ୍ଷ କ୍ଷତି ସହିଥିଲେ। ବେଆଇନ୍ କାରବାରରେ ମିଳିଥିବା କଳା ଟଙ୍କାକୁ ଅନ୍ୟ ବ୍ୟବସାୟରେ ଲଗାଇଥିଲେ ଜିତୁ । ବେଆଇନ୍ ଖଣି କାରବାର ନେଇ ରାଜ୍ୟ ଭିଜିଲାନସ କରିଥିବା ମାମଲା ଭିତ୍ତିରେ ଇଡି ତଦନ୍ତ କରିଥିଲା ।