ଜାଣନ୍ତୁ ସେମିଫାଇନାଲରେ କାହା ସହ ଖେଳିବ ଭାରତ?

ନୂଆଦିଲ୍ଲୀ: ଘରୋଇ ମଇଦାନରେ ବିଶ୍ବକପ ଖେଳୁଥିବା ଟିମ୍ ଇଣ୍ଡିଆ ପ୍ରଥମେ ସେମି ଟିକେଟ ହାସଲ କରିଛି । ବିଶ୍ବକପରେ ଅପରାଜେୟ ରହିବା ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ଭାରତ ସହ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲ ପାଇଁ କ୍ବାଲିଫାଇ ହୋଇଛନ୍ତି । ଉଭୟ ଦଳ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ଶେଷ ମ୍ୟାଚ ନେଦରଲ୍ୟାଣ୍ଡ ସହ ରହିଥିବାବେଳେ ଘରୋଇ ଦଳ ବିଜୟ ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବିଶ୍ବକପ ସମିକରଣ ମୁତାବିକ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଦଳ ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ ଭେଟିବ ।

ଏଣୁ ଭାରତ କାହା ସହ ସେମି ଖେଳିବ ତାକୁ ନେଇ ନୂଆ ସମିକରଣ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ ଏବେ ପର୍ଯ୍ୟନ୍ତ ସେମି ଆଶାରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରୁ କେଉଁ ଦଳ ସେମି ଫାଇନାଲରେ ଭାରତ ସହ ଖେଳିବ ତାକୁ ନେଇ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଛି । ପାକିସ୍ତାନ ତୁଳନାରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ସେପଟେ ଆଫଗାନିସ୍ତାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ଏକ ସହଜ ବିଜୟ ମ୍ୟାଚକୁ ହାତଛଡ଼ା କରିଥିଲା । ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ବିଜୟ ହୋଇଥାନ୍ତା ଏବଂ ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ହରାଇଥାନ୍ତା ତାହେଲେ ଚତୁର୍ଥ ଦଳ ଭାବେ ସେମିରେ ପହଞ୍ଚିବାକୁ କେହି ମଧ୍ୟ ଅଟକାଇ ପାରି ନଥାନ୍ତେ । ମାତ୍ର ମ୍ୟାକ୍ସଓ୍ବେଲଙ୍କ ମ୍ୟାଜିକ୍ ପରେ ଆଫଗାନିସ୍ତାନ ପରାଜୟ ବରଣ କରିଛି ।

କିନ୍ତୁ ଏବେ ମଧ୍ୟ ସେମି ଫାଇନାଲ ଯିବାର ଆଶା ରହିଛି । ଯଦି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ନିଜର ଶେଷ ମ୍ୟାଚରେ ହାରନ୍ତି ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନର ବିଜୟ ହୁଏ । ତେବେ ପ୍ରଥମ ସେମିଫାଇନାଲ ମୁମ୍ବାଇରେ ଆୟୋଜିତ ହେବାକୁ ଥିବାବେଳେ ଦ୍ବିତୀୟ ସେମିଫାଇନାଲର କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଭାରତ ଏବେ ଦମଦାର ଫର୍ମରେ ରହିଥିବାବେଳେ ନକଆଉଟ ମ୍ୟାଚରେ ମଧ୍ୟ ବିଜୟ ଧାରା ଜାରି ରଖିବା ସହ ଚାମ୍ପିୟନ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।