spot_img
Home Blog Page 2553

ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା । BPUT ଦେଶ ଓ ରାଜ୍ୟ ପାଇଁ ବହୁ ଟେକ୍ନୋକ୍ରାଟ ସୃଷ୍ଟି କରିଛି  । ଆମ ସମସ୍ତଙ୍କୁ ଆଧୁନିକ ଟେକ୍ନୋଲଜି ସହ ଅପଡେଟ ରହିବାକୁ ପଡ଼ିବ । ଏହି କାର୍ଣ୍ଣିଭାଲ ଦ୍ୱାରା ବେଷ୍ଟ ଟ୍ୟାଲେଣ୍ଟ ବାହାରିବେ  । ଆଜି ବିପିୟୁଟି ଟେକ୍‌ କାର୍ନିଭାଲ-୨୦୨୩କୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ BPUT ଓ CSIR -IMMT ମଧ୍ୟରେ MOU ସ୍ବାକ୍ଷରିତ ହେବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ରହି ଏମଓୟୁ ସ୍ବାକ୍ଷର କରିବେ ।

ମାସେବ୍ୟାପୀ ବୈଷୟିକ କଲେଜ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଜନେସ ପ୍ଲାନ ଓ ଉଦ୍ୟୋଗୀ ସୃଷ୍ଟି ପରି ଅନେକ ବିଷୟ ନେଇ ଡିବେଟ କରାଯିବାର କାର୍ଯ୍ୟକ୍ରମ ରହିଛି ।

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ରାୟଗଡା: ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଓଏମସି କଳାହାଣ୍ଡିର କୋଡିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ କଞ୍ଚାମାଲ ଯୋଗାଇବ। ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ହଜାର। ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ହଜାର ନିଯୁକ୍ତି ମିଳିବ। ପରିବେଶ ଅନୁକୂଳ ରିଫାଇନାରି ପ୍ରତିଷ୍ଠା ହେବ। ବୁଝାମଣାପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ। ରାୟଗଡ଼ାରେ କାରଖାନା ପାଇଁ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ଉପସ୍ଥିତ ରହିଥିଲେ।

ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲେ। ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଛି। ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି। କାରଖାନା ପାଇଁ ଆଦିତ୍ୟ ବିର୍ଲା ଗୋଷ୍ଠୀ ୮ ହଜାର କୋଟି ଟଙ୍କା ବିନିଯୋଗ କରିବ। ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ବୈଠକରେ ଘୋଷଣା କରିଛନ୍ତି। ଏଥିରେ ୧୫ଶହ ଲୋକ ନିଯୁକ୍ତି ପାଇବେ। ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ।

ଫ୍ଲିପକାର୍ଟର ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ

ନୂଆଦିଲ୍ଲୀ:  ଫ୍ଲିପକାର୍ଟର ଏକ ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ । ବିଗ୍ ବିଲିୟନ ଡେଜ ସେଲକୁ ନେଇ ଅମିତାଭଙ୍କ ବିରୋଧରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାୟର କରିଛି  କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ଏହି ବିଜ୍ଞାପନ ବିଭ୍ରାନ୍ତିକର ଏବଂ ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ବିରୋଧୀ ବୋଲି କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ ନିକଟରେ ଦର୍ଶାଇଛି ସିଏଆଇଟି ।

ଏହି ବିଜ୍ଞାପନକୁ ତୁରନ୍ତ ହଟାଇବା ଲାଗି ଦାବି କରିଛି ସିଏଆଇଟି । ଖାଉଟି ସୁରକ୍ଷା ଆଇନ ଅନୁସାରେ ଏହି ବିଜ୍ଞାପନ ବିଭ୍ରାନ୍ତିକର ବାର୍ତ୍ତା ଦେଉଛି ଏବଂ ଫ୍ଲିପକାର୍ଟ ବିରୋଧରେ ଜୋରିମାନା ଧାର୍ଯ୍ୟ ସହ ଅମିତାଭଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ପକାଯାଇଛି । ସିଏଆଇଟି ମହାସଚିବ ପ୍ରବୀଣ ଖାଣ୍ଡେଲଓ୍ବାଲ କହିଛନ୍ତି- ଖାଉଟି ସୁରକ୍ଷା ଆଇନର ଧାରା ୨(୪୭) ଅନୁସାରେ ଭାରତର ସ୍ମାର୍ଟଫୋନ ବଜାରରେ ସେଲର ଓ ସପ୍ଲାୟରମାନଙ୍କ ଦ୍ବାରା ଉପଲବ୍ଧ ମୋବାଇଲ ଫୋନର ଦର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ।

ଗତ ସପ୍ତାହରେ ଏହି ବିଜ୍ଞାପନକୁ ନେଇ ସିଏଆଇଟି କ୍ଷୁବ୍ଧ ହୋଇଥିଲା । ଏହି ବିଜ୍ଞାପନରେ ଅମିତାଭ କହିଥିଲେ ଯେ, ଇ-କମର୍ସ ପୋର୍ଟାଲ ଦ୍ବାରା ପ୍ରଦାନ କରାଯାଉଥିବା ମୋବାଇଲ ଡିଲ୍ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ ନାହିଁ ।

ଖଲିସ୍ତାନୀଙ୍କୁ ଚ୍ୟାଲେଂଜ୍ କରି ତ୍ରିରଙ୍ଗାର ସମ୍ମାନ ରଖିଥିବା ଯୁବକଙ୍କୁ ସୋସିଆଲ ମିଡିଆ କରୁଛି ସଲ୍ୟୁଟ୍

ଲଣ୍ଡନ: ଖଲିସ୍ତାନୀ ବିଛିନ୍ନତାବାଦୀ ନିକଟରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ  ତ୍ରୀରଙ୍ଗାର ଅପମାନ କରିଥିଲେ । ଗାନ୍ଧି ଜୟନ୍ତି ଦିନ ଖଲିସ୍ତାନୀ ବିଛିନ୍ନତାବାଦୀ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଥିଲେ । ଏହା ସହିତ ସେମାନେ ତ୍ରିରଙ୍ଗା ଉପରେ ଗୋମୂତ୍ର ଢାଳିଥିଲେ । ଦଲ୍ ଖଲସା ନାମକ ସଂଗଠନ ଗୁରଚରଣ ସିଂହ ନେତୃତ୍ୱରେ ଏଭଳି କାଣ୍ଡ ହୋଇଥିଲା । ଖଲିସ୍ତାନୀ ସମର୍ଥକଙ୍କ ଉଗ୍ର ଭିଡ଼ ଏମିତି କାଣ୍ଡ କରୁଥିବା ବେଳେ ଲଣ୍ଡନ ପୋଲିସ ଚୁପଚାପ ଛିଡା ହୋଇ ତମାସା ଦେଖୁଥିଲା। କିନ୍ତୁ ଜଣେ ଭାରତୀୟ ଯୁବକ ଦେଶର ଅପାମନ ସହି ପାରିନଥିଲେ ।  ହିଂସ୍ର ଭିଡ଼କୁ ଖାତିର ନକରି ସେ ତ୍ରିରଙ୍ଗାର ସମ୍ମାନ ରଖିଥିଲେ । ତଳେ ପଡ଼ିଥିବା ତ୍ରୀରଙ୍ଗାକୁ ଏହି ଯୁବକ ଖଲିସ୍ତାନୀଙ୍କ ଉପସ୍ଥିତିରେ ଉଠାଇ ନେଇଥିଲେ । ତାଙ୍କର ଏହି କାମକୁ ଏବେ ସୋସିଆଲ ମିଡିଆ ସଲ୍ୟୁଟ୍ କରୁଛି ।

ଦେଶକୁ ନଇଁବାକୁ ଦେବି ନାହିଁ

ତ୍ରିରଙ୍ଗାର ସମ୍ମାନ ରଖିଥିବା ଏହି ଯୁବକଙ୍କ ନାମ ହେଉଛି ସତ୍ୟମ ସୁରାଣା । ଟ୍ୱିଟର ବା ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଶିଖ୍ ବିଛିନ୍ନତାବାଦୀ ତ୍ରିରଙ୍ଗାକୁ ତଳେ ପକାଇ ସେଥିରେ ଗୋଟିଏ ବୋତଲରୁ ଗୋମୂତ୍ର ଢାଳୁଛନ୍ତି । ଏହି ସମୟରେ ଲଣ୍ଡନ ପୋଲିସର ଜଣେ ଅଧିକାରୀ ଭିଡକୁ ଆଡେଇବାକୁ ଆସି ତ୍ରିରଙ୍ଗା ଉପରେ ଛିଡା ହୋଇଯାଉଛନ୍ତି । ତ୍ରିରଙ୍ଗା ଉପରେ ପୋଲିସ କର୍ମୀ ଜାଣିଶୁଣି ଚଢିଥିଲେ କି ଅଜାଣତରେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ନିକଟରେ ଥିବା ସତ୍ୟମଙ୍କୁ ଏହା ବରଦାସ୍ତ ହୋଇନଥିଲା । ସେ ତୁରନ୍ତ ତ୍ରିରଙ୍ଗାକୁ ଉଠାଇ ନେଇଥିଲେ । ଉଗ୍ର ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ହିଂସା ମଧ୍ଯ ତାଙ୍କୁ ଭୟଭୀତ କରିନଥିଲା । ସତ୍ୟମଙ୍କ ଏହି ଭିଡିଓକୁ କରନ କଟାରିଆ ନାମକ ବ୍ୟକ୍ତି ଟ୍ୱିଟରରେ ସେୟାର କରିଥିଲେ । ସେ ଲେଖିଥିଲେ ଯେ, ଲଣ୍ଡନ୍ ସ୍କୁଲ ଅଫ୍ ଇକୋନମିକ୍ସରେ ମୋର ଜୁନିଅର ଗର୍ବର ସହିତ ଭାରତୀୟ ହାଇକମିଶନ ବାହାରେ ତ୍ରିରଙ୍ଗାକୁ ଉଠାଇଥିଲେ । ଅହିଂସା ସହିତ ସେ ଆତଙ୍କବାଦ ବିରୋଧରେ ଲଢିଛନ୍ତି । ଏଭଳି କ’ଣ ବାଧା ଅଛି ଯାହାକୁ ପ୍ରେମ ଭାଙ୍ଗି ପାରିବ ନାହିଁ ?

କିଏ ସତ୍ୟମ ?

ମହାରାଷ୍ଟ୍ରର ସତ୍ୟମ ପେଶାରେ ଓକିଲ । ସେ ପୁଣେରେ ରୁହନ୍ତି । ଏବେ ଲଣ୍ଡନରେ ଏଲଏଲଏମ ପଢୁଛନ୍ତି । କରନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କ ଶବ୍ଦ ଦ୍ୱାରା ବହୁତ ପ୍ରେରିତ । ମୁଁ ସବୁବେଳେ ଭାରତ ପାଇଁ ଉପଲବ୍ଧ । ଆପଣ ମୋତେ ଭାରତରୁ ବାହାର କରି ପାରନ୍ତି କିନ୍ତୁ ମୋ ମନରୁ ଭାରତକୁ ନୁହେଁ । ସୂଚନାଯୋଗ୍ୟ ଯେ,ସତ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ନିଜକୁ ରାଷ୍ଟ୍ରବାଦୀ ବୋଲି ପରିଚୟ ଦିଅନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏକଦା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମ ସ୍ୱରାଜ କହିଥିଲେ ଆପଣ ମଙ୍ଗଳ ଗ୍ରହରେ ଥିଲେ ମଧ୍ଯ ଭାରତୀୟ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ । ମୁଁ କହିବି ଯେ, ଅସଲି ଭାରତୀୟ ଭାରତ ଓ ଭାରତୀୟ ଦୂତାବାସଙ୍କ ପାଇଁ ଛିଡ଼ା ହେବ ।

ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ଘଟଣା, ଉଭୟପକ୍ଷଙ୍କୁ ଆଲୋଚନା ପାଇଁ ଡାକିଲେ କର୍ତୃପକ୍ଷ

ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀ ମଧ୍ଯରେ ଗଣ୍ଡଗୋଳ ଘଟଣା । ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କୁ ଡାକିଲେ କଲେଜ ଭୀମସାର କର୍ତୃପକ୍ଷ ।  ଉଭୟ ପକ୍ଷଙ୍କୁ ଡାକି ହେବ ଆଲୋଚନା  । ସୂଚନା ଦେଲେ ମେଡିକାଲ ଅଧ୍ୟକ୍ଷ ଲାଲମୋହନ ନାୟକ  । ସେପଟେ ବୁର୍ଲା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି ଶହ ଶହ ସୁରକ୍ଷା କର୍ମୀ  । ବିନାକାରଣରେ ଡାକ୍ତରୀ ଛାତ୍ର ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି  ।

ଘଟଣା ପରେ ବୁର୍ଲା ମେଡିକାଲରେ ବ୍ଯାପକ ପୋଲିସ ମୁତୟନ ହୋଇଛନ୍ତି | ଗତ ରାତିରେ କୌଣସି କଥାକୁ ନେଇ  ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଜଣେ ସୁରକ୍ଷା କର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ମଧ୍ଯ ଆହତ ହୋଇଛନ୍ତି  । ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା  ।

ସବୁ ଭୁଲିଯାଅ କେବଳ ବିଶ୍ବକପ ଉପରେ ଧ୍ୟାନ ଦିଅ: ରୋହିତ ଶର୍ମା

ଅହମ୍ମଦାବାଦ: ଆଇସିସି କ୍ରିକେଟ୍ ବିଶ୍ୱକପ ପୂର୍ବରୁ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା । ଏହି ସମୟରେ ଖେଳାଳିମାନେ ବିଶ୍ବକପକୁ ନେଇ ପ୍ରେସରରେ ଥାଆନ୍ତି । ଏହାକୁ ନେଇ ସେ କହିଛନ୍ତି ସେ କହିଛନ୍ତି ଯେ,  ବର୍ତ୍ତମାନ ଆମେ ଲକ୍ଷ୍ୟ ଉପରେ ଧ୍ୟାନ ଦେବାର ସମୟ ଆସିଛି। ଟିମ୍ ଇଣ୍ଡିଆର ସବୁଠୁ ବଡ- ଲକ୍ଷ୍ୟ ହେଉଛି ବିଶ୍ୱକପ୍ ଜିତିବା । ଇଣ୍ଡିଆନ ଟିମ ଦୁଇଥର ବିଶ୍ୱ ଚାମ୍ପିୟନ ହୋଇଛି। ତୃତୀୟ ଥର ପାଇଁ ମଧ୍ୟ ଏହି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି ଇଣ୍ଡିଆ ।

ଆଜିଠୁ ଆମ ଦେଶରେ ଆରମ୍ଭ ହେବ ଆଇସିସିର ୧୩ ତମ ODI ବିଶ୍ୱକପ୍ । ଏହି ଟୁର୍ନାମେଣ୍ଟରେ ୧୦ ଟି ଦଳ ଅଂଶଗ୍ରହଣ କରିବେ । ଏହି ମହା ଯୁଦ୍ଧରେ ୪୮ ଟି ମ୍ୟାଚ୍ ଖେଳାଯିବ ଯାହା ୪୬ ଦିନ ଯାଏ ଚାଲିବ ।

ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ ରେ ଏକଦିବସୀୟ ବିଶ୍ୱକପ ଟାଇଟଲ ଦଖଲ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ୨୦୧୫ରେ ଏବଂ ୨୦୧୯ ରେ ଇଂଲଣ୍ଡ ନିଜ ମାଟିରେ ଟାଇଟଲ୍ ଜିତିଥିଲା । ଏବେ ଭାରତୀୟ ଦଳ ଟ୍ରଫି ଆଶାରେ ଅଛି । ଏହା ରୋହିତ ଶର୍ମାଙ୍କ ଶେଷ ODI ବିଶ୍ୱକପ ହୋଇପାରେ । ଏଭଳି ପରିସ୍ଥିତିରେ ସେ ଜିତିବା ସହ ହୋମ ଗ୍ରାଉଣ୍ଡରେ ହେବାକୁ ଥିବା ବିଶ୍ୱକପକୁ କାହା ହାତରେ ବି ଦେବାକୁ ଚାହାନ୍ତି ନାହିଁ ।

ଅହମ୍ମଦାବାଦରେ ଆଇସିସି ଦ୍ୱାରା ଆୟୋଜିତ ‘କ୍ୟାପଟେନ୍ ଡେ’ ଅବସରରେ ରୋହିତ କହିଛନ୍ତି ଯେ, ଆମେ ଏବେ ସବୁକିଛି ଭୁଲି କେବଳ ଖେଳ ଉପରେ ଧ୍ୟାନ ଦେବାର ସମୟ ଆସିଛି ।  ବିଶ୍ୱକପ୍ ଏକ ଲମ୍ବା ମ୍ୟାଚ ହୋଇଥିବାରୁ ତାଙ୍କ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଉପରେ ଧ୍ୟାନ ଦେବାକୁ ସେ କହିଛନ୍ତି ।

ଦେଖିବାକୁ ଗଲେ ଗତ ତିନିଟି ବିଶ୍ୱକପ୍‌ରେ ଆୟୋଜନ କରୁଥିବା ଦେଶ ହିଁ ଟ୍ରଫି ଜିତିଛି।  ଆମର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ପାଇଁ ଚେଷ୍ଟା କରିବା ଉଚିତ ।  ଭାରତୀୟ ଖେଳାଳିମାନେ ନିଜକୁ ଚାପରୁ ମୁକ୍ତ କରିବାର ଆବଶ୍ୟକତା ରହିଛି । ଏହା କଲେ ହିଁ ଆମେ ମ୍ୟାଚ୍ ଜିତି ପାରିବା ।

ସେ କହିଛନ୍ତି ଯେ, ‘ଆମକୁ କ’ଣ ମିଳିବ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କିଏ ଖେଳୁଛି ଏବଂ ବାହାରେ କ’ଣ ଘଟୁଛି ସେ ବିଷୟରେ ଆମକୁ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ଆମ ଖେଳାଳିମାନେ ଚାପରୁ ବାହାରିବା ବାଟ ଜାଣିଛନ୍ତି । ଚାପ ଏମିତି ଏକ ଜିନିଷ ଯାହା ଖେଳାଳିଙ୍କ ପିଛା କେବେ ଛାଡ଼େ ନାହିଁ । ଏଥିପାଇଁ ଚାପକୁ ପଛରେ ପକାଇ ଖେଳ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଭାରତୀୟ କ୍ରିକେଟ ଟିମ୍  ଅକ୍ଟୋବର ୮ରେ ୫ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇର ଏମ. ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ।

ମୁଥୁଟ ଫାଇନସ କର୍ମଚାରୀଙ୍କୁ ଚୁନା ଲଗାଇଲେ ଠକ, ନେଇଗଲେ ଦେଢ଼ ଲକ୍ଷ

ଭୁବନେଶ୍ବର: ଭୁବନେଶ୍ବର ଲକ୍ଷ୍ମୀସାଗର ବ୍ରାଞ୍ଚ ମୁଥୁଟ ଫାଇନସ କର୍ମଚାରୀଙ୍କୁ ଚୁନା ଲଗାଇଲେ ଠକ । ଦେଢ଼ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲା ଠକ । ନକଲି ସୁନା ଦେଇ ଠକି ନେଲା ଦେଢ଼ ଲକ୍ଷ ଟଙ୍କା ।

ଜଣେ ଭଦ୍ର ଲୋକ ମୁଥୁଟ ବ୍ରାଞ୍ଚକୁ ଆସିଲେ । କହିଲେ ମାନାପୁରମରେ ସୁନା ବନ୍ଧକ ଅଛି । ମାନାପୁରମରେ ସେ ଲୋନ କ୍ଲୋଜ କରିବାକୁ ଚାହୁଁଛନ୍ତି ଆଉ ମାନାପରମର ଡକ୍ୟୁମେଣ୍ଟ ବି ଦେଲେ ଠକ । ଆଉ ଟଙ୍କା ସହିତ ମୁଥୁଟ ବ୍ରାଞ୍ଚ ମ୍ୟାନେଜର ବି ସାଙ୍ଗରେ ଗଲେ । ମନାପୁରମ୍ ବ୍ରାଞ୍ଜ ଭିତରକୁ ଠକ୍ ପଶିଲେ। ଆଉ ସୁନା ନେଇକି ଆସିଲେ । ସୁନାକୁ ମୁଥୁଟ ମ୍ୟାନେଜରଙ୍କ ହାତରେ ଦେଇ ଛୁ ହୋଇଗଲେ ଅଭିଯୁକ୍ତ । ନିଜ ବ୍ରାଞ୍ଚରେ ପହଁଚି ମ୍ୟାନେଜର ସୁନା ଚେକ୍ କଲା ବେଳକୁ ସୁନା ଥିଲା ନକଲି । ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ପ୍ରବଳ ବିରୋଧ, ହଟହଟା ହୋଇ ଫେରିଲେ ବିଧାୟିକା

ସୁନ୍ଦରଗଡ଼: ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ପ୍ରବଳ ବିରୋଧ । ମୃତ ASI ଆଲିସା ଲାଗୁନଙ୍କ ଗାଁରେ ପ୍ରବଳ ବିରୋଧ କରିଛନ୍ତି ଲୋକେ  । ଫ୍ୟାକ୍ଟ ଫାଇଣ୍ଡିଂ ନାଁରେ ଲାଗୁନଙ୍କ ଗାଁକୁ ଯାଇଥିଲେ କୁସୁମ । ଶଵକୁ ନେଇ ଵିଜେପିର ରାଜନୀତିକୁ ଗ୍ରାମବାସୀ ଵିରୋଧ କରିଵାରୁ ହଟହଟା ହୋଇ ଫେରିଲେ ଵିଜେପି ବିଧାୟିକା କୁଶୁମ ଟେଟେ ।

ଶଵ ଉପରେ ଵିଜେପି ବିଧାୟକ କୁସୁମ ଟେଟେଙ୍କ ରାଜନିତୀକୁ ସ୍ଥାନୀୟ ଗ୍ରାମବାସୀ ନାପସନ୍ଦ କରିଛନ୍ତି । ଏପରିକି ସ୍ଥାନୀୟ ଵିରମିତ୍ରପୁର ଵିଜେପି ବିଧାୟକ ଶଙ୍କର ଓରାମ କୁଶୁମ ଟେଟେଙ୍କ ସହ ଗ୍ରାମକୁ ଯାଇନଥିଲେ । ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା  ଅନ୍ତର୍ଗତ ସନ୍ତୋସପୁର ଗ୍ରାମକୁ ଯାଇ ହଟହଟା ହୋଇଛନ୍ତି ଵିଜେପି ବିଧାୟକ କୁଶୁମ ଟେଟେ ।

ASI ଆଲିସ ଲୁଗୁନଙ୍କ ଗତ ଏକ ତାରିଖରେ ମୃତ୍ୟୁ ହେବା ପରେ ଉଦିତନଗର ଥାନାରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ରାଉରକେଲା ଏସପି ସୂଚନା ଦେଇଛନ୍ତି । ଏଏସଆଇଙ୍କ ମୃତଦେହ ଗତକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ବ୍ୟବଛେଦ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାରେ ଵିଜେପି ବିଧାୟକ ରାଜନିତୀ କରୁଥିବା ଅଭିଯୋଗ ହୋଇଛି ।

ଆଜି ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ, ମନେପଡ଼େ ସେଦିନର କଥା…

ଢେଙ୍କାନାଳ: ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ, ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ। ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଘର କରିପାରିଛନ୍ତି । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା’ ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇଥିଲେ।

ଆନ୍ଦୋଳନ ସମୟରେ ବାଜି ରାଉତଙ୍କ ସମେତ ଗ୍ରାମବାସୀ ବ୍ରିଟିଶ ପୋଲିସ ମୁହାଁମୁହିଁ ହୋଇଥିଲେ। ପ୍ରଜାମଣ୍ଡଳ ସେନାର ଜଣେ ସକ୍ରିୟ ସଦସ୍ୟ ଭାବରେ ସେ ରାତିରେ ନଦୀ କୂଳରେ ନଜର ରଖିବାକୁ ଥିଲେ। ବ୍ରିଟିଶ ପୋଲିସ୍ ଫୋର୍ସ ତାଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ନିର୍ଦ୍ଦେଶ ଦେଇଥିଲା ଯାହାକୁ ସେ ଅସ୍ୱୀକାର କରିଥିଲେ। ଏହା ପରେ ଲକ୍ଷ୍ମଣ ମଲିକ, ଫଗୁ ସାହୁ, ହୃଷୀ ପ୍ରଧାନ ଏବଂ ନଟ ମଲିକଙ୍କ ସହ ବାଜି ରାଉତ ଉପରେ ପୋଲିସ ଫୋର୍ସ ଗୁଳି ଚଳାଇଥିଲା। ସେଇଠି ଟଳିପଡିଥିଲେ କୁନି ସେନା ।

ରାଜ୍ୟ ସରକାରଙ୍କ ପକ୍ଷରୁ ନିଳକଣ୍ଠପୁର ଗାଁରେ ବାଜି ରାଉତଙ୍କ ସ୍ମୃତି ପୀଠ ସହିତ ସହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି। କିନ୍ତୁ ନଦୀ ନିକଟରେ ରହୁଥିବା ବାଜି ରାଉତଙ୍କ ଘର ଏବେ ଅଧପାନ୍ତରିଆ ଭାବେ ପଡ଼ିରହିଛି। ସରକାରଙ୍କ ପକ୍ଷରୁ ବାଜି ରାଉତ ରହୁଥିବା ଘର ସ୍ଥାନରେ ପକ୍କା ଘର ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି। ବିଶ୍ବର ସର୍ବ କନିଷ୍ଠ ବୀରଙ୍କ ପାଇଁ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ।  ଶହିଦ ବାଜି ରାଉତଙ୍କ ଜୟନ୍ତୀରେ ନନ୍ଦିଘୋଷ ଟିଭିର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ, ମିଳୁନି ୨୩ ଯବାନଙ୍କ ପତ୍ତା

ଢେଙ୍କାନାଳ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ଯବାନ  । ଏହି ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସରୋଜ କୁମାର ଦାସ । ସରୋଜଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପ ଗାଁରେ  । ଗତକାଲି ରାତି ୧୦ଟା ସମୟରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ ।

ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିଲେ ବୋଲି ଭାଇଙ୍କୁ କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ଏହି ଖବର ଶୁଣି ସରୋଜଙ୍କ ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା  । ସମସ୍ତ ନିଖୋଜଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ସରୋଜ ୨୦୧୨ ମସିହାରେ ଚାକିରିରେ ଯୋଗ ଦେଇଥିଲେ । ୭ ମାସ ତଳେ ବିବାହ କରିଥିଲେ ସରୋଜ ।

ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ସିକ୍କିମରେ ସ୍ଥିତି ସଂଗୀନ ହୋଇପଡ଼ିଛି । ପୋଲ ଭାଙ୍ଗିଛି ରାସ୍ତା ଘାଟ ଏବଂ ଘରଦ୍ବାର ମଧ୍ୟ ଧୋଇ ଯାଇଛି । ଗତ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ସିକ୍କିମର ଅନେକ ସ୍ଥାନ ଧୋଇ ହୋଇଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଲାଚେନ ଉପତ୍ୟାକାରେ ପ୍ରବଳ କ୍ଷୟକ୍ଷତି ହୋଇଛି ।

ତିସ୍ତା ନଦୀରେ ପ୍ରବଳ କାଦୁଅ ମିଶା ପାଣି ଆସିଯାଇଛି । ଏହି ବନ୍ୟାରେ ଭାସିଯାଇଛନ୍ତି ୨୩ ଜଣ ଯବାନ । ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ଏବେ ବି ସିକ୍କିମର ଅନେକ ଅଞ୍ଚଳରେ ରେଡ ଏବଂ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ନଦୀ ପାଖକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।