ପାଲେଷ୍ଟାଇନ ଉପରେ କବଜାକୁ ଭାରତ ନାପସନ୍ଦ, ଇସ୍ରାଏଲ ବିରୋଧରେ ଦେଲା ଭୋଟ

ନୂଆଦିଲ୍ଲୀ: ଜାତିସଂଘ ପ୍ରସ୍ତାବକୁ ନେଇ ଇସ୍ରାଏଲକୁ ଭାରତର ବିରୋଧ । ପାଲେଷ୍ଟାଇନ ସହ ଇସ୍ରାଏଲର ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନ ଉପରେ କବଜାକୁ ବିରୋଧ କରିଛି ଭାରତ । ପାଲେଷ୍ଟାଇନ ଉପରେ ଇସ୍ରାଏଲର କବଜାକୁ ନେଇ ଜାତିସଂଘରେ ଆଗତ ହୋଇଥିଲା ପ୍ରସ୍ତାବ । ଏହି ପ୍ରସ୍ତାବକୁ ବିରୋଧ କରି ଇସ୍ରାଏଲ ବିପକ୍ଷରେ ଭୋଟ ଦେଇଛି ଭାରତ । ତେବେ ଆମେରିକା ଓ କାନାଡା ସହ ୭ ଦେଶ ଇସ୍ରାଏଲ ସମର୍ଥନରେ ଭୋଟ ଦେଇଛନ୍ତି ।

ଜାତିସଂଘର ଏହି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଥିଲେ ୧୮ ଦେଶ । ପାଲେଷ୍ଟାଇନର ପୂର୍ବ ଜେରୁଜେଲମ ଏବଂ ସିରିଆ ସୀମାନ୍ତ ଗୋଲାନ ଅଂଚଳରେ ପ୍ରଭୁତ୍ବ ବିସ୍ତାର କରି ଚାଲିଛି ଇସ୍ରାଏଲ । ସେଠାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଏହା ପୂର୍ବରୁ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଜାତିସଂଘ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲା । ଏହି ପ୍ରସ୍ତାବରେ ଭୋଟ ଦେବାରୁ ବିରତ ରହିଥିଲା ଭାରତ ।

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କରିଛି । ଉତ୍ତର ଗାଜାକୁ ନିଜ ଅକ୍ତିଆରକୁ ନେବା ସହ ହମାସ ଆତଙ୍କବାଦୀଙ୍କୁ ନିପାତ ନେଇ ଚଳାଇଛି ଗ୍ରାଉଣ୍ଡ ଅପରେସନ । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ପାଲେଷ୍ଟାଇର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଯାଇଥିଲା ୧୪ ଶହ ଇସ୍ରାଏଲ ନାଗରିକଙ୍କ ଜୀବନ । ଏବେ ବି ୨ଶହରୁ ଅଧିକ ପଣବନ୍ଦୀଙ୍କୁ ନିଜ ପାଖରେ ରଖିଛନ୍ତି ହମାସ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଅଛନ୍ତି । ପଣବନ୍ଦୀଙ୍କୁ ଛାଡିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ କହିଛନ୍ତି ।