ଉତ୍ତରକାଶୀରେ ଧସିଲା ଟନେଲ, ଫସିଛନ୍ତି ୩୬ ଶ୍ରମିକ: ପାଇପରେ ପଠାଯାଉଛି ଅକ୍ସିଜେନ

1 min read

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଦୁର୍ଘଟଣା । ୫୦୦ ମିଟର ଧସିଲା ନିର୍ମାଣାଧୀନ ଟନେଲ । ଫସି ରହିଛନ୍ତି ୩୬ ଶ୍ରମିକ । ପାଇପ ଯୋଗେ ଶ୍ରମିକଙ୍କ ନିକଟକୁ ପଠାଯାଉଛି ଅକ୍ସିଜେନ । ଶନିବାର ରାତିରେ ବ୍ରହ୍ମଖାଲ-ୟମୁନୋତ୍ରୀ ଜାତୀୟ ରାଜପଥର ସିଲକୟାରରୁ ଡଣ୍ଡାଲଗାଁ ପର୍ଯ୍ୟନ୍ତ ନବୟୁଗ କମ୍ପେନୀ ନିର୍ମାଣ କରୁଥିବା ଏହି ଟନେଲ ଧସିଛି । ବର୍ତ୍ତମାନ ସୁଦ୍ଧା କାହାର ମୃତାହତ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭୂସ୍ଖଳନ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଅନୁସାରେ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦୁଇରୁ ତିନି ଦିନ ସମୟ ଲାଗିପାରେ । ଉତ୍ତରକାଶୀ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି, ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ରହିଛି । ଏହାସହ ଟନେଲ ଭିତରକୁ ଏକ ଅକ୍ସିଜେନ ପାଇପ ପକାଯାଇଛି । ଜିଲ୍ଲା ପ୍ରଶାସନ ନେତୃତ୍ବରେ ପୋଲିସ, ଏସଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ, ୧୦୮ ଜରୁରୀକାଳୀନ ସେବା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ଟନେଲର ଭଗ୍ନାବଶେଷ ହଟାଇବା କାମରେ ନିର୍ମାଣକାରୀ ସଂସ୍ଥା NHIDCLର ମେଶିନ ବ୍ୟବହାର କରାଯାଉଛି । ଏହାସହ ଭର୍ଟିକାଲ ଡ୍ରିଲିଂ ମେଶିନର ବ୍ୟବସ୍ଥା କରାଯାଉଛି, ଯାହା ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବ ।

ସିଲକୟାର ଆଡ଼କୁ ଥିବା ମୁଖ୍ୟଦ୍ବାରରୁ ୨ ଶହ ମିଟର ଦୂରରେ ଏହି ଭୂସ୍ଖଳନ ହୋଇଛି । ଶ୍ରମିକମାନେ ଏବେ ଟନେଲର ୨୮ ଶହ ମିଟର ଭିତରେ ଫସି ରହିଛନ୍ତି ।