ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାରୁ ହତ୍ୟାକାରୀର ଦୋଷ କ୍ଷମା, ପ୍ରେମିକାକୁ ୧୧୧ ଥର ଭୁଶିଥିଲା ଛୁରି

ମସ୍କୋ: ପ୍ରେମିକାକୁ ୧୧୧ ଥର ଛୁରି ଭୁଶି ହତ୍ୟା କରିଥିବା ଅଭିଯୋଗରେ ୧୭ ବଷ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ କ୍ଷମା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ବିରୋଧରେ ଯଦ୍ଧ ଲଢ଼ିବା କାରଣରୁ ହତ୍ୟାକାରୀକୁ କ୍ଷମା ଦେଇଛି କ୍ରେମିଲିନ । ଅଭିଯୁକ୍ତ ଜଣଙ୍କ ହେଲେ ୨୭ ବର୍ଷିୟ ଭ୍ଲାଦିସ୍ଲାବ କାନ୍ୟୁସ । କନଭିକ୍ଟ ରିକ୍ୟୁଟମେଣ୍ଟ ପଲିସି ଅନୁସାରେ କାନ୍ୟୁସ୍ ୟୁକ୍ରେନ ବିରୋଧରେ ସେନାରେ ସାମିଲ ହୋଇଥିଲା ।

ଦି ସନ ରିପୋର୍ଟ ଅନୁସାରେ, ୨୩ ବର୍ଷିୟ ପ୍ରେମିକାକୁ କାନ୍ୟୁସକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।  ମାତ୍ର ବର୍ଷକ ମଧ୍ୟରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାରୁ ତାକୁ କ୍ଷମା କରିଦିଆଯାଇଛି ।

ଅଭିଯୋଗ ଅନୁସାରେ କାନ୍ୟୁସ ତା’ ପ୍ରେମିକା ବେରା ପେକ୍ଟିଲେବାଙ୍କୁ ୩ ଘଣ୍ଟା ନିର୍ଯାତନା ଦେଇଥିଲା । ଏହାପରେ ଦୁଷ୍କର୍ମ କରିବା ସହ ୧୧୧ ଥର ଛୁରି ଭୁଶି ହତ୍ୟା କରିଥିଲା । କାନ୍ୟୁସକୁ ମୁକ୍ତି ମିଳିବା ପରେ ବେରାଙ୍କ ମାଆ କହିଛନ୍ତି ଏହା ମୋ ପାଇଁ ଏକ ଝଟକା । ମୋ ଜୀବନ ପ୍ରତି ବିପଦ ରହିଛି । ଏହାସହ ଜଣେ ହତ୍ୟାକାରୀକୁ କେମିତି ଅସ୍ତ୍ର ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ମଣିଷ ନୁହେଁ, ରାକ୍ଷସ । ତାକୁ କେମିତି ଯୁଦ୍ଧ ପାଇଁ ପଠାଗଲା ? ପ୍ରତିଶୋଧ ନେବା ପାଇଁ କେବେ ବି ସେ ଆମକୁ ହତ୍ୟା କରିପାରେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ପୁଟିନଙ୍କ ନିଷ୍ପତ୍ତକୁ ସୁରକ୍ଷା ଦେଇଛି କ୍ରେମିଲିନ । ଏଏଫପି ରିପୋର୍ଟ ଅନୁସାରେ କ୍ରେମଲିନ ପ୍ରବକ୍ତା କହିଛନ୍ତି, ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଯାଇଥିବା କଏଦୀ ନିଜ ଅପରାଧର ପ୍ରାଶ୍ଚାତାପ ନିଜ ରକ୍ତ ବୁହାଇ କରୁଛନ୍ତି ।