ଆଜି ଆଲୋକର ପର୍ବ ଦୀପାବଳି: ସବୁଠି ଉତ୍ସାହର ମାହୋଲ, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଭିଡ଼

1 min read

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଉତ୍ସାହର ମାହୋଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର । ଏପଟେ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ପବିତ୍ର ଦୀପାବଳିର ଶୁଭେଚ୍ଛା । କହିଲେ- ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ।

ସନ୍ଧ୍ୟାକୁ ଅପେକ୍ଷା । ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡଲେ ଘରକୁ ସଜାଇବେ ଲୋକେ । ପିଠାପଣା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରିବେ ସଭିଏଁ । ସେପଟେ ଆଜି ପୟା ଶ୍ରାଦ୍ଧ ଥିବାରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେବେ ଶ୍ରଦ୍ଧାଳୁ । କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କୁହାଯାଏ ଆଶ୍ବୀନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥିବା ଅପରପକ୍ଷ ଦିନଠାରୁ ପୂର୍ବପୁରୁଷ ମାନେ ମର୍ତ୍ତମଣ୍ତଳକୁ ଆସିଥାନ୍ତି । ଆଜି ଦୀପାବଳି ଅମାବାସ୍ୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରି ତାଙ୍କୁ ସ୍ବର୍ଗଲୋକକୁ ବିଦାୟ ଦିଆଯାଇଥାଏ । ଏଥିପାଇଁ ଘରେ ଘରେ ଶୁଭିବ ବଡ଼ବଡୁଆ ହୋ ଡାକ ।

ଆଜିଠୁ ମା’ କାଳୀଙ୍କ ପୂଜା

ସେହିପରି ଆଜିଠାରୁ ଧରାବତରଣ କରିବେ ମହାଶକ୍ତି ମହାକାଳୀ । ଏଥିପାଇଁ ସବୁ ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଧ୍ୟରାତ୍ରୀରେ ଶ୍ୟାମାକାଳୀଙ୍କୁ ଆବାହନ କରିବେ ମଣ୍ଡପ କର୍ମକର୍ତ୍ତା । ଚଣ୍ଡିପାଠରେ କମ୍ପିବ ପୂଜା ମଣ୍ଡପ । ମହାଶକ୍ତିଙ୍କ ପୂଜା ପାଇଁ ସଜେଇ ହୋଇଛି ସବୁ ମଣ୍ଡପ ।

ଶ୍ରୀକ୍ଷେତ୍ରରେ ବଡ଼ବଡୁଆଙ୍କୁ ଡାକୁଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଦର୍ଶନାର୍ଥୀ । ବଡ଼ବଡୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ, ଗଙ୍ଗା ଯା, ଗୟା ଯା, ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ । ଏହି ଡାକରେ ଗୁଞ୍ଜରିତ ହେଉଛି ସମଗ୍ର ଅଞ୍ଚଳ । ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଅଗ୍ନିଶମ ବାହିନୀ କଡା ସୁରକ୍ଷା ଓ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।