ପାଣି ନ ଦେବାରୁ ରୁମ ପାର୍ଟନରକୁ ହତ୍ୟା : ଫ୍ୟାନରେ ଝୁଲାଇଲେ ମୃତଦେହ

ନୂଆଦିଲ୍ଲୀ : ପାଣି ନ ଦେବାରୁ ରୁମ ପାର୍ଟରକୁ ହତ୍ୟା । ମୃତଦେହକୁ ଫ୍ୟାନରେ ଝୁଲାଇ ଦେଲା ଅଭିଯୁକ୍ତ । ଏମିତି ଏକ  ହୃଦୟ ବିଦାରକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛି । ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇଥିଲା । ମୃତ ବ୍ୟକ୍ତି ଜଣଙ୍କ ଉତ୍ତର ପ୍ରଦେଶର ହରଦୋଇ ନିବାସୀ ରଚିତ ବୋଲି ଜଣାପଡିଛି । ବେକରେ ଗଳା ଚିପାଯାଇଥିବା ଚିହ୍ନ ପାଇବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ଏହି ଘଟଣା ପରେ ଫେରାର ହୋଇ ଯାଇଥିବା ଅଭିଯୁକ୍ତ ତଥା ରଚିତଙ୍କ ରୁମ ପାର୍ଟନର ଅଭୟ କାନ୍ତ ମିଶ୍ର ଓ ତାର ନାବାଳକ ସହଯୋଗୀକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି  ପୋଲିସ ।

ପୋଲିସ କହିବାନୁଯାୟୀ, ଜାନୁଆରୀ ୧୧ରେ ଲକ୍ଷ୍ମୀ ପାର୍କ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଯେ ଯୁବକଙ୍କ ମୃତଦେହ ଫ୍ୟାନରେ ଝୁଲୁଛି । ତଦନ୍ତ ବେଳେ ଛାତର ଉଚ୍ଚତା ଓ ଏହାର ଚାରିପାଖରେ କୌଣସି ଉପକରଣ ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା ।

ଫଳରେ ରଚିତ ସହ ରହୁଥିବା ଅଭୟ କାନ୍ତର ମୋବାଇଲ ଟ୍ରେସ କରିବାରୁ ସେ ହରଦୋଇରେ ରହୁଥିବା ଜଣାପଡିଥିଲା  । ପୋଲିସର ଏକ ଟିମ୍ ସେଠାରେ ଚଡାଉ କରି ନାବାଳକ ଓ ଅଭିଯୁକ୍ତ ଅଭୟ କାନ୍ତକୁ ଗିରଫ କରିଥିଲା ।