ଭୁବନେଶ୍ବର: ଭୟଙ୍କର ରୂପରେ ମାଡ଼ିଆସୁଛି ବାତ୍ୟା ମିଗଜୋମ୍ । ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଉତ୍ତର ଦିଗରେ ଗତି କରି ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲାର ନିକଟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାକୁ ୯୦ ରୁ ୧୦୦କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୧୧୦ କିମି ଛୁଇଁପାରେ । ଏଥିପାଇଁ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସ୍ଥଳଭାଗ ଛୁଇଁବା ଆଗରୁ ତାମିଲନାଡ଼ୁରେ ତାଣ୍ଡବ ରଚୁଛି ମିଗଜୋମ୍ । ପ୍ରବଳ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ବିଭିନ୍ନ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ବିମାନବନ୍ଦରରେ ଲହଡ଼ି ମାରୁଛି ପାଣି । ଚେନ୍ନାଇ ଆସିବାକୁ ଥିବା କେତେକ ବିମାନ ବାତିଲ ଓ ଅଧିକାଂଶର ଗତିପଥ ପରିବର୍ତ୍ତନ କରାଯାଇଛି । ତାମିଲନାଡ଼ୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବାବେଳେ ଓ ସାର୍ବଜନିକ ସ୍ଥାନ ବନ୍ଦ କରିଦେଇଛନ୍ତି । ତଳିଆ ଅଂଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନକୁ ଜୋର ଦିଆଯାଇଛି । ଉପକୂଳ ଅଂଚଳରେ ୫ ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାରକାର୍ଯ୍ୟରେ ସେନାର ଯବାନ ସହ ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି ।
ଥାନା ଅଧିକାରୀଙ୍କୁ ଗୁଳିକରି ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧିକାରୀଙ୍କୁ ଗୁଳିକରି ହତ୍ୟା ମାମଲା । ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡ । ଅଭିଯୁକ୍ତ ସମୀର କୁମାର ପଣ୍ଡାକୁ ଆଜୀବନ ଦଣ୍ଡ ସହ ୨୩ ହଜାର ଟଙ୍କା ଜୋରିମାନା ଆଦେଶ । ଜୋରିମାନା ଅନାଦେୟ ଅଧିକ ୩ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲା ଦୌରା ଜଜ୍ ପ୍ରବୀର କୁମାର ଚୌଧୁରୀ ।
ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ସୁଶାନ୍ତ ବେହେରାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଦିଆଯାଥିବାବେଳେ ସୁନୀଲ ବେହେରାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ତେବେ ଜାମିନରେ ଥିବା ସମୀର ପଣ୍ଡା କୋର୍ଟରେ ଅନୁପସ୍ଥିତ ଥିବାରୁ ଓ୍ବାରେଣ୍ଟ ଜାରି କରାଯାଇଛି । ୨୬ ନଭେମ୍ବର ୨୦୧୦ ରାତି ପ୍ରାୟ ୧୧ ଟା ବେଳେ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ର ନିଜ ବାଇକରେ ତାକରଡା ଅଭିମୁଖେ ଯାଉଥିବାବେଳେ ତାକରଡ଼ା- ଶେରଗଡ଼ ରାସ୍ତାରେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ତୃତୀୟ ଦିନରେ ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ତଟରେ ବଢୁଛି ଭିଡ
କୋଣାର୍କ: ମୁକ୍ତାକାଶ ରଙ୍ଗମଞ୍ଚରେ ୩୪ତମ କୋଣାର୍କ ଉତ୍ସବରେ ଭକ୍ତି ରସ ସହ ଭାବ ଓ ଆବେଗର ସମନ୍ୱୟ । ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ କୋଣାର୍କ ଉତ୍ସବରେ ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ତ୍ରିୟା ନୃତ୍ୟ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ । ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ରୋଜାଲିନ୍ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ୱତୀ ବନ୍ଦନାକୁ ଉପସ୍ଥାପନ କରିଥିଲେ। ପରେ ପରେ ଜନ ସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥକୁ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ।
ତୃତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀମାନେ କ୍ରୀଡ଼ା ଓ ନାରୀ ଶସକ୍ତିକରଣ ବିଷୟବସ୍ତୁ ଉପରେ ସୁବର୍ଣ୍ଣବାଲିରେ ବାଲୁକାକଳା ପ୍ରସ୍ତୁତ କରିଥିଲେ। ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗା ବେଳାଭୂମିର ବାଲୁକା କଳା ପ୍ରଦର୍ଶନ କୋଣାର୍କର ପରିବେଶକୁ କଳା-ସଂସ୍କୃତି ମୁଖର କରିଦେଇଛି।
ତେଲାଙ୍ଗାନା ସିଏମ ଦୌଡରେ ଆଗରେ ଅଛନ୍ତି ପିସିସି ସଭାପତି ରେବନ୍ତ ରେଡୀ
ହାଇଦ୍ରାବାଦ: ତେଲଙ୍ଗାନାରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚାଲିଛି ଅଙ୍କକଷା । ଯଦିଓ ଦାୟିତ୍ବ ନେଇଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ତଥାପି ଛିଣ୍ଡିପାରୁନି କଥା । ସିଏମ ଦୌଡରେ ଆଗରେ ଅଛନ୍ତି ପିସିସି ସଭାପତି ରେବନ୍ତ ରେଡୀ । ବିଆରଏସକୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ରେବନ୍ତ । କାମ ଦେଲା ୫୪ ବର୍ଷ ବୟସ୍କ ରେବନ୍ତଙ୍କ ମାଥମେଟିକସ । ସେ କାମାରେଡୀରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଲଢେଇ କରିଥିଲେ ।
ଅନ୍ୟ ଆସନ କୋଡାଙ୍ଗଲରେ ସେ ବିଜୟୀ ହୋଇଥିଲେ । ସେ ଏବେ ଲାଲକାଜଗିରିରୁ ସାଂସଦ ଅଛନ୍ତି । ସେ ତେଲଗୁ ଦେଶମ ପାର୍ଟିରୁ ବିଧାୟକ ଥିଲେ । ଟିଡିପି ତ୍ୟାଗ କରି ସେ କଂଗ୍ରେସରେ ସାମିଲ ହୋଇଥିଲେ । ସିଏମ ରେସରେ ଅଛନ୍ତି ମାଲ୍ଲୁ ଭଟ୍ଟି ବିକ୍ରମାର୍କା । କେସିଆରଙ୍କୁ ହଟାଇବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସେ ୧୪୦୦ କିଲୋମିଟର ପଦଯାତ୍ରା କରି ବିଆରଏସ ବିରୋଧରେ ପ୍ରମୁଖ ହାଓ୍ବା ସୃଷ୍ଟି କରିଥିଲେ । ୬୨ ବର୍ଷ ବୟସ୍କ ନେତାଙ୍କ ପିପୁଲସ ମାର୍ଚ୍ଚ କଂଗ୍ରେସ ଲାଗି ବେଶ୍ ସହାୟକ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଉତ୍ତମ କୁମାର ରେଡୀ । ସେ ୨୦୨୧ ଜୁଲାଇ ଯାଏ ପିସିସି ସଭାପତି ଥିଲେ । କର୍ମୀଙ୍କ ମଧ୍ୟରେ ସେ ପ୍ରିୟପାତ୍ର ।
ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ସସ୍ପେନସନ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ସସ୍ପେନସନ । ବିଜେପି ସାଂସଦ ଜିଭିଏଲ ନରସିହ୍ମା ରାଓଙ୍କ ଦ୍ବାରା ଆଗତ ଏକ ପ୍ରସ୍ତାବ କ୍ରମେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ନିଲମ୍ବନ ଆଦେଶ ହଟାଇଛନ୍ତି । ସସପେନସନ ଆଦେଶ ପ୍ରତ୍ୟାହାର ସମ୍ପର୍କିତ ଏକ ପ୍ରସ୍ତାବ କ୍ରମେ ବିଜେପି ସାଂସଦ ନରସିହ୍ମା କହିଥିଲେ- ଆପ୍ ସାଂସଦ ରାଘବ ଚଢାଙ୍କ ଉପରେ ସସ୍ପେନସନ ଆଦେଶ ତାଙ୍କ ପ୍ରତି ଯଥେଷ୍ଟ ହୋଇଛି ।
ତେଣୁ ସସପେଣ୍ଡ ଆଦେଶ ପ୍ରତ୍ୟାହାର ନେଇ ଗୃହ ବିଚାର କରୁ । ସସପେଣ୍ଡ ଆଦେଶ ପ୍ରତ୍ୟାହାର ହେବା ପରେ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଘବ । ସସ୍ପେନସନ ୧୧୫ ଦିନ ମଧ୍ୟରେ ସେ ବହୁ ଲୋକଙ୍କଠାରୁ ସ୍ନେହ ଓ ଆଶୀର୍ବାଦ ଲାଭ କରିଛନ୍ତି ଏବଂ ତାଙ୍କ ସଂଗ୍ରାମ ଲାଗି ଅନେକ ଆଡୁ ସାହସ ମିଳିଛି ବୋଲି ସେ କହିଛନ୍ତି ।
ଗତ ଅଗଷ୍ଟ ୧୧ ତାରିଖରେ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ ସଂଶୋଧନ ବିଲ୍ ପ୍ରସଙ୍ଗ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ତାଙ୍କୁ ଗୃହରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସପେଣ୍ଡ କରାଯାଇଥିଲା । ଏହି ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୌଣସି ସାଂସଦଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସପେଣ୍ଡ କରିବା ଜନଅଧିକାର ଉପରେ ଏକ ପ୍ରତିକୂଳ ପଦକ୍ଷେପ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ ।

