ନିଷ୍ଠୁର ପାଲଟିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ

1 min read

ନନ୍ଦିଘୋଷ ବ୍ୟୁରୋ : ନିଷ୍ଠୁର ପାଲଟିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ତାଙ୍କର ମାନମାନି ଯୋଗୁ ଜଣେ ବାଳକର ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି । ଭାରତ ପକ୍ଷରୁ ପ୍ରଦତ୍ତ ଡୋର୍ନିୟର ଏୟାରକ୍ରାଫ୍ଟ ଜରିଆରେ ଗୁରୁତର ବାଳକକୁ ଏୟାରଲିଫ୍ଟ କରିବା ଲାଗି ରାଷ୍ଟ୍ରପତି ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମାଳଦ୍ବୀପର ଗାଫ ଆଲିଫ ଭିଲିଙ୍ଗିଲି ଗ୍ରାମର ଜଣେ ବାଳକର ବ୍ରେନ ଟ୍ୟୁମର ହୋଇଥିଲା । ତାର ହଠାତ ଷ୍ଟ୍ରୋକ ହେବାରୁ ତାକୁ ତୁରନ୍ତ ରାଜଧାନୀ ମାଲେକୁ ଚିକିତ୍ସା ଲାଗି ନେବାର ଆବଶ୍ୟକତା ପଡିଥିଲା । ତେବେ ସମସ୍ତ ଚେଷ୍ଟା ସତ୍ତ୍ବେ ବାଳକ ଲାଗି ତୁରନ୍ତ ଏୟାର ଆମ୍ବୁଲାନ୍ସର ଯୋଗାଡ ହୋଇପାରି ନଥିଲା । ତେବେ ପ୍ରାୟ ୧୬ ଘଣ୍ଟା ପରେ ତାକୁ ମାଲେକୁ ଅଣାଯାଇଥିଲା । ଶିଶୁଟିର ଅବସ୍ଥା ବୁଧବାର ଖରାପ ହୋଇଥିବାବେଳେ ଗୁରୁବାର ସକାଳ ସୁଦ୍ଧା ତାକୁ ଏୟାର ଲିଫ୍ଟ କରାଯାଇ ନଥିଲା । ଏହାକୁ ନେଇ ପ୍ରତିବାଦ ହେବାରୁ ବିମାନ ସେବା କରାଯାଇଥିଲା ।

ସେପଟେ ମେଡିକାଲ ଏଭାକୁଏସନ ଲାଗି ନିୟୋଜିତ ଆସନ୍ଧ କମ୍ପାନି ଲିମିଟେଡ କହିଛି- ବାଳକକୁ ତୁରନ୍ତ ଫ୍ଲାଇଟରେ ନେବା ଲାଗି ଉଦ୍ୟମ କରାଯାଇଥିଲା । ମାତ୍ର କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନର ବିଳମ୍ବ ଘଟିଥିଲା । ତେବେ ହସ୍ପିଟାଲରେ ପହଞ୍ଚିବାବେଳକୁ ଶିଶୁର ମୃତ୍ୟୁ ଘଟିଥିବା କୁହାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ନିର୍ମିତ ଏକ ଡୋର୍ନିୟର ବିମାନ ମାଳଦ୍ବୀପରେ ମାନବିକ ସହାୟତା ଲାଗି ଭାରତ ପ୍ରଦାନ କରିଛି । କିଛିଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଜାରି ରହିଛି ।