spot_img
Home Blog Page 2531

RBI ନେଲାନି ଚିରାଫଟା ନୋଟ, ଅଫିସ୍ ଆଗରେ ଉଡ଼ାଇଲେ ଲୋକେ

ଭୁବନେଶ୍ବର: ଆରବିଆଇ ଅଫିସ ଆଗରେ ଉଡ଼ିଲା ଟଙ୍କା । ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା । ତେବେ ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି ।

ଅଭିଯୋଗ ଅନୁସାରେ, ଚିରାଫଟା ଟଙ୍କାକୁ ବଦଳାଇବାକୁ କିଛି ଗ୍ରାହକ ଆରବିଆଇ ଅଫିସକୁ ଆସିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା ।

ସୂଚନାଯୋଗ୍ୟ, ଚିରା ଫଟା ନୋଟ ବଦଳାଇବା ନେଇ ଆରବିଆଇରେ ବ୍ୟବସ୍ଥା ରହିଛି । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ କାହିଁକି ଗ୍ରାହକଙ୍କୁ ପାଖରୁ ଚିରା ନୋଟ ନେବାକୁ ମନା କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଦିନେଶ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ସେ ଓ କିଛି ଗ୍ରାହକ ଆଜି ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଆସି ଲାଇନ୍‌ରେ ଛିଡ଼ା ହୋଇଥିଲେ । ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍‌କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।

ଘଟଣା ସମ୍ପର୍କରେ ପଚାରିବାରୁ ଆରବିଆଇ କର୍ତ୍ତୃପକ୍ଷ କହିଛନ୍ତି, ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ରହିଛି । ଏନେଇ ଲିଖିତ ଭାବେ କିଛି ବାହାରିନି କି ଗଣମାଧ୍ୟମରେ ଏ ସଂକ୍ରାନ୍ତିୟ ଖବର ପ୍ରକାଶିତ ହୋଇନି । ତେଣୁ ପ୍ରତିଦିନ ୨ ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି ।

ରାଜ୍ୟରେ ଖୋଲିବ ୭ଟି ନୂଆ ନର୍ସିଂ କଲେଜ

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୭ଟି ନୂଆ ନର୍ସିଂ କଲେଜ । କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ସମେତ ୭ଟି ସ୍ଥାନରେ ସ୍ଥାପନ ହେବ ନର୍ସିଂ କଲେଜ । ପ୍ରତି ନର୍ସିଂ କଲେଜ ପାଇଁ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଛି । ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ DPR ପଠାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ୪୦:୬୦ ଭାଗିଦାରିତାରେ ସ୍ଥାପନ ହେବ ଏସବୁ ନର୍ସିଂ କଲେଜ । ଏଥିରେ BSC ନର୍ସିଂ, MSC ନର୍ସିଂ ଓ PHD କୋର୍ସ ଦିଆଯିବ । ଏବେ ରାଜ୍ୟରେ ୮ଟି ନର୍ସିଂ କଲେଜ ରହିଛି । ତେବେ ସିଟ ସଂଖ୍ୟା ପରେ ସ୍ଥିର କରାଯିବ ବୋଲି କହିଛନ୍ତି ନର୍ସିଂ ନିର୍ଦ୍ଦେଶକ ।

୮ ହଜାର କୋଟିର ପ୍ରକଳ୍ପ, ୮ କୋଟି ବି ଖର୍ଚ୍ଚ କରିନି କେନ୍ଦ୍ର, ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଜାତୀୟ ରାଜପଥ କାମ ଧିମା ଗତିରେ ଚାଲିବାକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ବିଜେପି ନେତା କାହିଁକି ଏନେଇ ମୁହଁ ଖୋଲୁ ନାହାନ୍ତି ଓ ନିଜ ଦଳର କେନ୍ଦ୍ରୀୟ ନେତାଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଶ୍ରୀମୟୀ ମିଶ୍ର ।

ବିଜେଡି ପକ୍ଷରୁ କୁହାଯାଇଛି, ଧିମା ଗତିରେ ଚାଲିଛି ଏନଏଚ୍-୫୫ କାମ । କିଛି ସ୍ଥାନରେ କାମ ବନ୍ଦ ଥିବା ବେଳେ କେବେ ସରିବ ଜଣାନାହିଁ । ଆଜି ଯାଏଁ କେନ୍ଦ୍ର ଆଗରେ ପ୍ରଶ୍ନ କରିନାହାନ୍ତି ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ ଏନଏଚ୍-୫୫ ଯାଏ, ହେଲେ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି ବୋଲି କହିଛି ବିଜେଡି।

୨୦୧୫ରେ କୋଷ୍ଟାଲ ହାଇୱେ ଘୋଷଣା ହୋଇଥିଲା । ରାମେଶ୍ୱରମରୁ ଦୀଘା ଯାଏଁ ୮ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ୮ କୋଟି ଟଙ୍କା ବି ଖର୍ଚ୍ଚ ହେଲାନି । ଏ ରାସ୍ତାରେ ବାଲି ମୁଠାଏ ପଡ଼ିଲାନି, ହେଲେ ବିଜେପି ସାଂସଦ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେହିପରି ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ୍ । ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନରହିବା ପାଇଁ ଆଲାଇନମେଣ୍ଟ କରିଥିଲେ । ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ । ହେଲେ ଭୁବନେଶ୍ୱର ସାଂସଦ ଆଜି ଏପ୍ରସଙ୍ଗକୁ ଏଡାଇ ଦେଉଛନ୍ତି । ଏହାର ଭାଗ୍ୟ ଓ ଭବିଷ୍ୟତ କଥା କହୁ ନାହାନ୍ତି । ସେମାନେ ଆସନ୍ତା ନିର୍ବାଚନରେ ଲୋକଙ୍କୁ କେମିତି ସାମ୍ନା କରିବେ ବୋଲି ପ୍ରଶ୍ନ କରିଛି ବିଜେଡି ।

ପ୍ରତିଶ୍ରୁତି ଓ ବାସ୍ତବତାର ଚିତ୍ର ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି । ରାଜ୍ୟ ସରକାର ବାରମ୍ବାର ଏନଏଚ୍-୫୫ ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛନ୍ତି । ଲୋକ ମରୁଛନ୍ତି, ହେଲେ କାମ କିଛି ହେଲାନି । କୋଷ୍ଟାଲ ହାଇୱେ କାମ ହେଉନି । କାହିଁକି ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ବିଜେଡି ପ୍ରଶ୍ନ କରିଛି । ରିଂ ରୋଡ୍ ନେଇ ଭୁବନେଶ୍ୱର ସାଂସଦ ଚୁପ । ଇସ୍କନ ଦେଇ ଯାଇଥିବା NHରେ ପାଣି ଜମୁଛି । NHAI କର୍ତ୍ତୃପକ୍ଷ ଲଜ୍ଜିତ ହେଉଛନ୍ତି, ହେଲେ ଲୋକଙ୍କୁ ହଇରାଣ କରି ବିଜେପି ସାଂସଦ ଚୁପ । ଲୋକଙ୍କ ହିତ ପାଇଁ ଶୀଘ୍ର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ବିଜେଡି କହିଛି ।

ରାଜଧାନୀରେ ସମଲିଙ୍ଗୀ ସମ୍ପର୍କ ରଖି ବ୍ଲାକମେଲିଂ, ୪ ନାବାଳକଙ୍କ ସମେତ ୫ ଗିରଫ

ଭୁବନେଶ୍ବର: ରାଜଧାନୀରେ ସମଲିଙ୍ଗୀ ସେକ୍ସ ରାକେଟ୍ । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ସମୟର ଭିଡିଓ ବନାଇ ଭାଇରାଲ କରିବାକୁ ଧମକ । ଯୁବକଙ୍କ ପାଖରୁ ଲୁଟିଲେ ଦେଢ ଲକ୍ଷ ଟଙ୍କା । ଅଭିଯୋଗ ପରେ ସିସିଟିଭି ଫୁଟେଜକୁ ଆଧାର କରି ଜଣେ ଯୁବକ ଏବଂ ୪ ଜଣ ନାବାଳକଙ୍କୁ ବାନ୍ଧିଲା ପୋଲିସ ।

ପୋଲିସ ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଭୁବନେଶ୍ବରରେ ସକ୍ରିୟ ସମଲିଙ୍ଗୀ ସେକ୍ସ ରାକେଟ ଯୁବକ ଲୁଟିଛନ୍ତି । ସମଲିଙ୍ଗୀ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ଲୁଟିବାକୁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ।’

ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଏକ ସେକ୍ସ ରାକେଟ ବନାଇବା ସହ ଗେମ୍ ଆପରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସନରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ । ବିଭିନ୍ନ ଯୁବକଙ୍କ ସହ ଚାଟିଂ ଆରମ୍ଭ କରୁଥିଲେ । ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ । କଥାରେ କଥାରେ ସେମାନଙ୍କୁ ସମଲିଙ୍ଗୀ ଯୌନ ସମ୍ପର୍କ କଥା କହି ସର୍ଭିସ ଯୋଗାଇ ଦେବାକୁ ଲୋଭ ଦେଖାଉଥିଲେ । ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ ।’

ଏପରି ଉପାୟରେ ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଫସାଇ ଭୁବନେଶ୍ବର ଡକାଇଥିଲେ । ଯୁବକ ଜଣଙ୍କ ଗ୍ୟାରେଜ ଛକରେ ପହଞ୍ଚିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ । ସେଠାରେ ଯୁବକଙ୍କ ସହ ଅଭିଯୁକ୍ତମାନେ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରିଥିଲେ । ଏହାର ଭିଡିଓ ବନାଇ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ଲୋକଲଜ୍ୟା ଭୟରେ ଯୁବକ ଜଣଙ୍କ ଫୋନ୍ ପେ’ ମାଧ୍ୟମରେ ପ୍ରଥମେ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ବି ଅଭିଯୁକ୍ତମାନେ ତାଙ୍କୁ ନଛାଡ଼ି ଆହୁରି ଟଙ୍କା ଦାବି କରିଥିଲେ । ପରେ ଯୁବକ ଜଣଙ୍କ ଏଟିଏମରୁ ୫୦ ହଜାର ଟଙ୍କା ଉଠାଇ ଦେଇଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।

ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କହିଲେ- ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଯୋଜନାର ଶୁଭାରମ୍ଭ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । ୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’

କାର୍ଯ୍ୟକ୍ରମରେ ମାଆମାନଙ୍କୁ ପ୍ରସଂଶା କରିଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଛନ୍ତି, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ । ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି କାର୍ଯ୍ୟକ୍ରମ । ଘର ଘର ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିଥିଲେ ଏମବିକେ ଓ ବ୍ୟାଙ୍କ ମିତ୍ର ।’

ଆଗକୁ ସେ କହିଛନ୍ତି, ‘ସ୍କୁଟର ଆମ ମାଆମାନଙ୍କ ପାଇଁ ଏକ ପ୍ରତୀକ ହୋଇଛି । ଆଶା, ସମ୍ମାନ, ଦକ୍ଷତା ଓ ପରିଚୟର ପ୍ରତୀକ ଏହି ସ୍କୁଟର । ‘ଗତି ହିଁ ଶକ୍ତି’କୁ ଦର୍ଶାଇବେ ମାଆ । ବ୍ଲକ ଓ ଜିଲ୍ଲା ଫେଡେରସନକୁ ଆଜି ଗାଡ଼ି ମିଳିବ । ଏହି ଗାଡ଼ିରେ ପଞ୍ଜାୟତ, ଓ୍ୱାର୍ଡ ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିବେ । ୩୩୮ ବ୍ଲକ ଫେଡେରେସନକୁ ଗାଡ଼ି ଦିଆଯିବ । ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି । ଏସଏଚଜିକୁ ଏସଏମଇରେ ପରିଣତ ପାଇଁ ବଡ଼ ସହାୟକ ହେବ । ମିଶନ ଶକ୍ତି ମହିଳା ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରିବେ । ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମହିଳା ହେବେ ସାରଥି । ନୂଆ ଓଡ଼ିଶା ଗଠନରେ ସ୍କୁଟର ଏକ ପ୍ରତୀକ ।’

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ତୁର୍କୀ ରାଷ୍ଟ୍ରପତିଙ୍କ ଗାଜା ପ୍ରେମ, ଇସ୍ରାଏଲର ପାଲଟା ପ୍ରଶ୍ନ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରତି ଆକ୍ରମଣରେ ଜଳୁଛି ଗାଜା । ଉଭୟ ପକ୍ଷରୁ ରକେଟ ମାଡ଼ରେ ଟଳି ପଡୁଛି ଶହ ଶହ ଜୀବନ । ହମାସ ଆତଙ୍କବାଦୀଙ୍କ ଠିକଣାକୁ ଗୋଟି ଗୋଟି କରି ଧ୍ବଂସ କରୁଛି ଇସ୍ରାଏର ରକେଟ୍ । ଯୁଦ୍ଧ ଘୋଷଣା ସହ ଇସ୍ରାଏଲ ଗାଜା ପଟ୍ଟିକୁ ବିଦ୍ୟୁତ, ପାଣି ଓ ଖାଦ୍ୟ ଯୋଗାଣ ବନ୍ଦ କରି ଦେଇଛି । ଯାହାର ପ୍ରତିବାଦରେ ତୁର୍କୀ ଆଗକୁ ଆସିଛି । ରାଷ୍ଟ୍ରପତି ଏର୍ଦୋଗନ ମାନବାଧିକାର ଦ୍ବାହି ଦେଇ ଶୀଘ୍ର ବିଦ୍ୟୁତ, ପାଣି ଓ ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ କହିଛି । ଏର୍ଦୋଗାନଙ୍କୁ ପାଲଟା ପ୍ରଶ୍ନ କରି ନିଜ ମାନବାଧିକାର ସମ୍ପର୍କରେ ପଚାରିଛି ଇସ୍ରାଏଲ ।

ସୂଚନାଯୋଗ୍ୟ, ଇସ୍ରାଏଲ ଗାଜା ପଟ୍ଟି ଉପରେ କେବଳ ଆକ୍ରମଣ କରୁନାହିଁ । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଥିବା ବେଳେ ସହର ମଧ୍ୟକୁ ବିଦ୍ୟୁତ, ପାଣି ଓ ଖାଦ୍ୟ ଯୋଗାଣ ବନ୍ଦ କରି ଦେଇଛି । ଏହା କେମିତିକା ମାନବାଧିକାର ବୋଲି କହି ଏର୍ଦୋଗନ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଗାଜାକୁ ପାଣି ଯୋଗାଣ ହେଉନାହିଁ । ବିଦ୍ୟୁତ୍ କାଟି ଦିଆଯାଇଛି । ୟୁନିର୍ଭସିଆଲ ହ୍ୟୁମାନ ରାଇଟ୍ ଘୋଷଣାନାମା ଅନୁସାରେ ଆପଣ ପାଣି ଯୋଗାଣ ବନ୍ଦ କରିପାରିବେ ନାହିଁ କି ବିଦ୍ୟୁତ୍ କାଟି ପାରିବେ ନାହିଁ ।’

ଏର୍ଦୋଗନଙ୍କ ପ୍ରତିକ୍ରିୟା ଆସିବା ପରେ ପାଲଟା ପ୍ରଶ୍ନ କରିଛି ଇସ୍ରାଏଲ । ଆମ ମାନବାଧିକାରର କ’ଣ ହେଲା ବୋଲୀ ଏର୍ଦୋଗନକୁ ଇସ୍ରାଏଲ ପଚାରିବା ସହ ଏହାର ଜବାବ ମାଗିଛି ।

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ପଠାଇଲା ଆମେରିକା

ଗାଜା ବିବାଦ ତେଜିବା ପରେ ପ୍ରଥମ ଦେଶ ଭାବେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି । ଏହାସହ ଯୁଦ୍ଧ ପାଇଁ ଆମେରିକୀୟ ଯବାନ ବି ପହଞ୍ଚି ସାରିଛନ୍ତି । ଅସ୍ତ୍ରଶସ୍ତ୍ର ଭର୍ତ୍ତି ପ୍ଲେନ, ଗେରାଲ୍ଡ ଓ ଫୋର୍ଡ ଯୁଦ୍ଧପୋତ ଇସ୍ରାଏଲ ପାଖାପାଖି ପହଞ୍ଚି ସାରିଛି ।

ସୂନାଯୋଗ୍ୟ, ଇସ୍ରାଏଲ ହମାସର ୨୨ ଶହଟି ଆତଙ୍କୀ ଶିବିରରୁ ଟାର୍ଗେଟ କରିଛି । ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାମରିକ ମୁଖ୍ୟ ମହମ୍ମଦ ଡାଏଫଙ୍କ ବାପାଙ୍କ ଘରକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେଇଛି ଇସ୍ରାଏଲ ସେନା । ଗାଜା ପଟ୍ଟି ଆଖପାଖରେ ପ୍ରାୟ ୧୫ ଶହ ହମାସ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ୯ ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୨୬୦ ଶିଶୁ ଓ ୨ ଶହରୁ ଅଧିକ ମହିଳା ଅଛନ୍ତି ।

ଇସ୍ରାଏଲ ବୋମା ବର୍ଷଣରେ ଶ୍ମଶାନ ପାଲଟିଛି ପାଲେଷ୍ଟାଇନ । ଚାରିଆଡେ କଳା ଧୂଆଁ ଓ କୋଠାଗୁଡିକର ଭଗ୍ନାବାଶେଷ ଦେଖିବାକୁ ମିଳୁଛି । ୨୦ ଲକ୍ଷରୁ ଅଧିକ ଜନବସତି ଥିବା ପାଲେଷ୍ଟାଇନର ସ୍ଥିତି ବଦଳିଯାଇଛି । ଆଗକୁ ଆକ୍ରମଣକୁ ଆହୁରି ଜୋରଦାର କରି ପାରେ ଇସ୍ରାଏଲ । ଗ୍ରାଉଣ୍ଡ ଆଟାକ କରିପାରେ ଇସ୍ରାଏଲ । ଦକ୍ଷିଣ ଇସ୍ରାଏଲ ଅଞ୍ଚଳରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ହଜାର ହଜାର ସଂଖ୍ୟାରେ ରକେଟ୍ ମାଡ଼ କରିଛନ୍ତି । ଏଥିରେ ୧୨ ଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହାର ଜବାବରେ ଇସ୍ରାଏଲ ଫାଇଟର ଜେଟ୍ ଆତଙ୍କବାଦୀ ଶିବିରକୁ ଦ୍ବଂସ କରୁଛି ।

ଆଖଣ୍ଡଳମଣୀ ପୀଠ ରୂପାନ୍ତରଣ ପାଇଁ ଚାଲିଥିବା ଭୂମିପୂଜା ଓ ଯଜ୍ଞର ଆଜି ପୂର୍ଣ୍ଣାହୁତି

ଭଦ୍ରକ: ବାବା ଆଖଣ୍ଡଳମଣି ପୀଠର ହେବ ରୂପାନ୍ତରଣ । ନୂଆ ପ୍ରକଳ୍ପ ପାଇଁ ସୋମବାର ଠାରୁ ୩ଦିନ ଯାଏଁ ଅନୁଷ୍ଠିତ ହେଉଛି ଭୂମିପୂଜା ଓ ଯଜ୍ଞ ଉତ୍ସବ । ଆଜି ପୂର୍ଣ୍ଣାହୁତି, ଯୋଗଦେବେ କନିକାର ରାଜା ସାହେବଙ୍କ ସହ ବହୁ ଅତିଥି ।

ମନ୍ଦିର ରୂପାନ୍ତରଣ ପାଇଁ ରାଜ୍ଯ ସରକାର ପ୍ରଥମ ପର୍ଯ୍ୟାୟରେ ୬ କୋଟି ଯୋଗାଇ ଦେଇଥିବା ବେଳେ ପୀଠର ବିଭିନ୍ନ ପ୍ରକଳ୍ପ ଓ ମନ୍ଦିରର ଚତୁଃପାର୍ଶ୍ବର ସମ୍ପ୍ରସାରଣ ନିମନ୍ତେ ୨ୟ ପର୍ଯ୍ଯାୟରେ ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା । କାମ ଆରମ୍ଭରୁ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଆରଡି ପୀଠ । ମନ୍ଦିର ସିଂହଦ୍ବାର ସମ୍ମୁଖରେ ଯଜ୍ଞଶାଳା ନିର୍ମାଣ କରାଯାଇଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ, ଲିଙ୍ଗରାଜ, ବଳଦେବଜିଉ, ମାଆ ବିରଜା ଓ ମାଆ ଭଦ୍ରକାଳୀଙ୍କ ପୀଠରୁ ଆସୁଥିବା ବ୍ରାହ୍ମଣଙ୍କ ବେଦପାଠ ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ସମଗ୍ର ପୀଠ । ଯଜ୍ଞ ନିମନ୍ତେ ପ୍ରତିଦିନ ଭୋରୁ ମଣିବାବାଙ୍କର ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଭୂମିପୂଜନ ପାଇଁ ଘଟ ଶୋଭାଯାତ୍ରା, ଘଟ ସ୍ଥାପନ, ରୁଦ୍ରାଭିଷେକ, ଦ୍ବାରପାଳ ପୂଜା, ସୂର୍ଯ୍ଯ ପୂଜା, ଶିଳା ପ୍ରସ୍ତର ସ୍ଥାପନ, ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ଆଦି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି । ଏହାସହ ପ୍ରତି ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ଯକ୍ରମରେ ପାଲା, ଭଜନ ପରିବେଷଣ କରାଯାଉଛି ।

ଯଜ୍ଞ ଆରମ୍ଭରୁ ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ବିଧାୟକ ବ୍ଯୋମକେଶ ରାୟ ସଂକଳ୍ପ କରିବା ପରେ ସମସ୍ତ ପୂଜାନୀତି ଚାଲିଛି । ଭୂମି ପୂଜନ ଉତ୍ସବକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେଉଛି ପୀଠରେ। ଶିଳାପସ୍ତର ଉନ୍ମଚୋନ ସହ ପୂର୍ଣ୍ଣାହୁତି କରାଯିବ ।

ଜମିଜମା ବିବାଦକୁ କେନ୍ଦ୍ର କରି ଛୁରାମାଡ଼: ପୋଲିସକୁ ବି ଆକ୍ରମଣ, ଦୁଇ ଅଟକ

ଭଦ୍ରକ: ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ତୁମୁଳକାଣ୍ଡ । ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼, ଦୁଇ ଆହତ । ଘଟଣାକୁ ନେଇ ଭଦ୍ରକ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ।

ସୂଚନା ଅନୁସାରେ, ଜମିଜମାକୁ କେନ୍ଦ୍ର କରି ଭଦ୍ରକ ସହରର ଶୁଭ୍ରକାନ୍ତ ପତି ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କର ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ଶୁଭ୍ରକାନ୍ତଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ମରଣାସ୍ତ୍ର ନେଇ ତାଙ୍କ ହୋଟେଲ ପାଖରେ ପହଞ୍ଚିଥିଲେ । ଏଥିରେ ଭୟଭୀତ ହୋଇ ଶୁଭ୍ରକାନ୍ତ ତାଙ୍କ ସହଯୋଗୀ ସମ୍ପର୍କୀୟଙ୍କୁ ଫୋନ କରି ଡାକିଥିଲେ । ଯାହାକୁ ନେଇ ବିବାଦ ବଢିବା ସହିତ ସଂଘର୍ଷ ଘଟିଥିଲା । ଫଳରେ ଛୁରା ମାଡ଼ରେ ୨ ଜଣ ଆହତ ହୋଇଥିଲେ ।

କଥା ଏତିକିରେ ସରି ନଥିଲା । ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟ ଗୋଷ୍ଠୀର ଶତାଧିକ ଯୁବକ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । ଏହି ସମୟରେ ନିଶାଶକ୍ତ ଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରା ମାଡ଼ କରିଥିଲେ । ଏହାକୁ ନେଇ ଜିଲ୍ଲା ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ୱରେ ୩ ଜଣ ଇନ୍ସପେକ୍ଟର ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ଗଣ୍ଡଗୋଳକାରୀଙ୍କୁ ଘଉଡାଇ ଥିଲେ । ହେଲେ ଗଣ୍ଡଗୋଳକାରୀ ପୋଲିସକୁ ଆକ୍ରମଣ କରିଥିଲେ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲସ ଲାଠିଚାର୍ଜ କରିଥିଲା । ଘଟଣାରେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପାଟ୍ରୋଲିଂକୁ କଡାକଡି କରାଯିବା ସହ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ପ୍ରତି ସୋମବାର କଲେଜ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହକି ସଫଳତାର ବାର୍ତ୍ତା

ଭୁବନେଶ୍ବର: ହକି ପାଇଁ କେମିତି ବରଦାନ ସାଜିଛି ଓଡ଼ିଶା ? ଭାରତୀୟ ହକିକୁ କେମିତି ନୂଆ ଜୀବନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ମାଟି କାମୁଡ଼ି ପଡ଼ିଥିବା ଭାରତୀୟ ହକି କେମିତି ନିଜ ସ୍ବର୍ଣ୍ଣିମ ଯୁଗକୁ ଫେରୁଛି ? ହକିର ଏହି ସଫଳତା ଗାଥା ଶୁଣିବେ କଲେଜ ପିଲା । ଏଣିକି ପ୍ରତି ସୋମବାର କଲେଜରେ ସବୁ ପିଲାଙ୍କୁ ଏକାଠି କରି ଦିଆଯିବ ହକି ସଫଳତାର ବାର୍ତ୍ତା ।

ଏନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଭାରତୀୟ ଜାତୀୟ ଖେଳ ହକିର ପୁନରୁଦ୍ଧାର, ହକିକୁ ଓଡ଼ିଶାର ପ୍ରୋତ୍ସାହନ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ । ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ନେଇ କଲେଜ ପିଲାଙ୍କୁ କୁହାଯିବ ।

ଦୁଇପୃଷ୍ଠା ସମ୍ବଳିତ ଏକ ସଫଳ ବାର୍ତ୍ତା ପାଠ କରାଯିବ । ଏହାସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେତିକି ନୁହେଁ, ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

ଗତ ସୋମବାର ରାଜ୍ୟର ସମସ୍ତ ସ୍କୁଲରେ ପ୍ରାର୍ଥନା କ୍ଲାସରେ ହକିର ସଫଳ ବାର୍ତ୍ତା ଶୁଣିଥିଲେ ଛାତ୍ରଛାତ୍ରୀ । ଭାରତୀୟ ହକି ଦଳ ପାଇଁ ଓଡ଼ିଶାର ଅବଦାନ ଗୁରୁତ୍ଵପୂର୍ଣ୍ଣ । ୨୦୧୮ ମସିହାରୁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି । ସୁନ୍ଦରଗଡ଼ ଦେଶର ହକି ଏନ୍ତୁଡିଶାଳ । ଏଠାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସୃଷ୍ଟି କରିଛି ଦିଲ୍ଲୀପ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ଦୀପଗ୍ରସ ଏକ୍କା କରି ପରି ଅନେକ ହକି କ୍ରୀଡ଼ାବିତ୍ । ଯେଉଁମାନେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ଉନ୍ନତ ଭିତ୍ତିଭୂମି ଓ ତାଲିମ ପାଇଁ ଭାରତର ପ୍ରଦର୍ଶନ ଦିନକୁ ଦିନ ଆହୁରି ଉନ୍ନତ ହେଉଛି ।

ରାଜସ୍ଥାନ: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଉଗ୍ର ହେଲା ବିଜେପି ଗୋଷ୍ଠୀ କନ୍ଦଳ

ଜୟପୁର: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦେଖିବାକୁ ମିଳୁଛି ବିଜେପିର ଗୋଷ୍ଠୀ କନ୍ଦଳ । ଓଡ଼ିଶାର ବଲାଙ୍ଗୀରରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପି ନେତା ମାଡପିଟ ହେବା ଘଟଣା ଥାନାକୁ ଯାଇଛି । ବିଧାନସଭା ଟିକେଟ ଘୋଷଣା ପରେ ମଧ୍ୟପ୍ରଦେଶରେ ବିଜେପି ଅଡୁଆରେ ପଡ଼ିଯାଇଥିବାବେଳେ ଏବେ ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରୁଛି । ଟିକେଟ ଘୋଷଣା ପରେ ରାଜ୍ୟ ବିଜେପିରେ ଦେଖା ଦେଇଛି ବିଦ୍ରୋହ ।

ଜଣାପଡୁଛି ରାଜସ୍ଥାନ ବିଜେପିରେ ଅଲ ଇଜ ନଟ୍ ଓ୍ବେଲ୍ । ପ୍ରାର୍ଥୀ ଘୋଷଣା ପରେ ଦଳରେ ଉଗ୍ର ହେଉଛି ଗୋଷ୍ଠୀ କନ୍ଦଳ । ବିଜେପି ଘୋଷଣା କରିଥିବା ୪୧ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ସାଂସଦ । ହେଲେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କର କୌଣସି ସମର୍ଥକ ନାହାଁନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

ବସୁନ୍ଧରାଙ୍କ ଅତି ନିକଟତର କୁହାଯାଉଥିବା ବିଧାୟକ ନରପାଟ ସିଂ ରାଜଭି, ରାଜପାଲ ସିଂ ଶେଖାଓ୍ବତଙ୍କୁ ଟିକେଟ ମିଳିନି । କେନ୍ଦ୍ରୀୟ ନେତୃତ୍ବ ବସୁନ୍ଧରାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ଟିକେଟ କଟିଥିବା ନେତା ଏବେ ଦଳରେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି । ସାଂସଦ ଦିୟା କୁମାରୀଙ୍କୁ ଦଳ ବିଦ୍ୟାଧର ନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି । ସେପଟେ ଭରତପୁର ନଗର ବିଧାନସଭା କ୍ଷେତ୍ରରୁ ଅନିତା ସିଂ ଗୁରଜର ଟିକେଟ ନପାଇବା ପରେ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଯାହା କେନ୍ଦ୍ରୀୟ ନେତାଙ୍କ ମୁଣ୍ଡବଥା ବଢ଼ାଇ ଦେଇଛି ।