ସ୍ୱାମୀଙ୍କ ମୃତ୍ୟୁ ପରେ ହୃଦଘାତରେ ସ୍ତ୍ରୀ ମୃତ, ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ବାଲିମେଳା: ସ୍ବାମୀଙ୍କ ହାତ ଧରି ବାପ ଘରୁ ଆସିଥିଲେ ଶ୍ବଶୁର ଘର । ବେଦୀ ନିଆଁରେ ଏକାଠି ଜୀଇଁବା ଓ ଏକାଠି ମରିବାର ପଣ ନେଇଥିଲେ । ସ୍ବାମୀଙ୍କୁ ନେଇ ସୁନାର ସଂସାର ଗଢ଼ିଲେ । ହେଲେ ସ୍ବାମୀଙ୍କ ମୃତ୍ୟୁ ଖବର ତାଙ୍କୁ ଦେଇଥିଲା ଶକ୍ତ ଆଘାତ । ଇହକାଳ ପରକାଳର ଦେବତାଙ୍କ ବିନା ଜୀବିତ ରହିବା ତାଙ୍କ ପାଇଁ ନଥିଲା ସହ୍ୟ । ସ୍ବାମୀଙ୍କ ମୃତଦେହ ପାଖରେ କାନ୍ଦୁ କାନ୍ଦୁ ଟଳି ପଡ଼ିଲେ । ଆଉ ଚାହୁଁ ଚାହୁଁ ଚାଲିଗଲା ଜୀବନ । ଗୋଟିଏ ଜୁଇରେ ଜଳିଲା ଦମ୍ପତିଙ୍କ ଚିତା । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ବାଲିମେଳା ଏନଏସି ୧୨ରେ ।

ମୃତ ଦମ୍ପତି ହେଲେ ହରି କୂଳଦୀପ ଏବଂ କମଳା କୂଳଦୀପ । ହରି ଦିନ ମଜୁରିଆ ଭାବେ କାମ କରନ୍ତି । ଉଭୟଙ୍କ ୩ଟି ସନ୍ତାନ ଅଛନ୍ତି । ଆଜି ହୃଦଘାତରେ ହରିଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ କମଳା । ସ୍ବାମୀଙ୍କ ମୃତଦେହ ଘରକୁ ଆସିଥିଲା । ସ୍ବାମୀଙ୍କୁ ନିର୍ଜୀବ ଅବସ୍ଥାରେ ଦେଖି କୋହ ସମ୍ଭାଳି ପାରିନଥିଲେ କମଲା । ସ୍ବାମୀଙ୍କ ମରଶରୀରରେ ଲୋଟି ପଡ଼ି କାନ୍ଦିବାକୁ ଲାଗିଥିଲେ । ଏହାରି ଭିତରେ ସେ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ବାଲିମେଳା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ଉଭୟଙ୍କୁ ଗୋଟିଏ ଜୁଇରେ ଚିତା ଦିଆଯାଇଥିଲା । ସାତ ଜନମର ସାଥି ହରି ଓ କମଳା ସାଥି ହୋଇ ସଂସାରର ମୋହ ଛାଡ଼ି ଚାଲିଗଲେ । ଆଉ ଅଭାବୀ ସଂସାର ଭିତରେ ରହି ନିଜ ଭଲ ପାଇବାର ଏକ ଉଦାହରଣ ଦେଇଗଲେ ।

ହରି ଏବଂ କମଳାଙ୍କ ଏପରି ଦୁଃଖଦ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦମ୍ପତିଙ୍କ ମୃତ୍ୟୁ ପରେ ନୀରବି ଯାଇଛି ପୂରା ଗାଁ । ଉଭୟଙ୍କୁ ମନେ ପକାଇ ପରିବାର ଓ ପଡ଼ୋଶୀ ଆଖିରୁ ଲୁହ ଗଢ଼ାଉଛନ୍ତି ।