ବଲାଙ୍ଗୀର ପାଇଁ ଦୁଇ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

1 min read

ଭୁବନେଶ୍ବର: ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଆହୁରି ବିକଶିତ ହେବ ବଲାଙ୍ଗୀର ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଅନୁମୋଦନ କଲେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଉଭୟ ପ୍ରକଳ୍ପ ପାଇଁ ୨୯୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ।

ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଦୁଇ ପ୍ରକଳ୍ପ ହେଲା ସୁନଗଡ ନଦୀରେ ସିକୁଆଁ-ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ  5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ୪ଟି ବ୍ଲକ୍‌ର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ  ବିଶେଷ ସହାୟକ ହେବ । ସିକୁଆଁ ପ୍ରକଳ୍ପ ଦ୍ବାରା ଦେଓଗାଁ ଓ ବଲାଙ୍ଗୀର ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, କୁଟସିଙ୍ଘା ପ୍ରକଳ୍ପ ଦ୍ବାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ ।