ପୁଅଠୁ ଗେହ୍ଲା ପୁତୁରାର ଶବ ସତ୍କାର ବେଳେ ଟଳି ପଡ଼ିଲେ ବଡ଼ବାପା

1 min read

ପଟ୍ଟାମୁଣ୍ଡାଇ: ସିଏ ଥିଲା ସମ୍ପର୍କରେ ପୁତୁରା । ହେଲେ ନିଜ ପୁଅଠାରୁ ବି ଥିଲା ଅଧିକ ଗେହ୍ଲା । ନିଜ କୋଳରେ ବଡ଼ ହୋଇଥିବା ପୁତୁରାର ରକ୍ତ ଜୁଡୁବୁଡୁ ମରଶରୀର ଯେତେବେଳେ ଜୁଇକୁ ଗଲା ସହି ପାରିଲେନି ବଡ଼ ବାପା । ପୁତୁରା ଜୁଇ ପାଖରେ ଟଳି ପଡ଼ି ଆରପାରିକୁ ଚାଲିଗଲେ ବଡ଼ବାପା । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମାଣ୍ଡାଇ ଅଞ୍ଚଳରେ । ପୁରୀ ସ୍ବର୍ଗଦ୍ବାରରେ ପୁତୁରାର ଶବ ସତ୍କାଳ ବେଳେ ବଡ଼ବାପାଙ୍କ ମୃତ୍ୟୁ ।

ସୂଚନା ଅନୁସାରେ ଗତ ୧୫ ତାରିଖରେ କୋରାପୁଟ-ଜୟପୁର ମଧ୍ୟ ଜରଟି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣରୁ ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ୍ୟୁର ତଦନ୍ତ କରାଯାଉଛି । ରୁଦ୍ରଙ୍କ ମନି ପର୍ସରୁ ପରିଚୟ ମିଳିଥିଲା ।  ରୁଦ୍ର କୋରାପୁଟରେ ନିଜ ପିଉସୀଙ୍କ ଘରେ ରହି ଯୁକ୍ତତିନି ବିଜ୍ଞାନ ପଢୁଥିଲେ ।

ରୁଦ୍ରର ମୃତ୍ୟୁ ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ତାଙ୍କ ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଣାଯାଇଥିଲା । ରୀତିନୀତି ଅନୁସାରେ ଶବ ସତ୍କାର ଚାଲିଥିବା ବେଳେ ସେହିଠାରେ ଟଳି ପଡ଼ିଥିଲେ ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି । ତାଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରୁଦ୍ରଙ୍କୁ ତାଙ୍କ ବଡ଼ ବାପା ତ୍ରୈଲୋକ୍ୟ ବହୁତ ଭଲ ପାଉଥିଲେ । ଏପରିକି ତାଙ୍କ ପାଇଁ ନିଜ ପିଲାଙ୍କଠାରୁ ଅଧିକ ଗେହ୍ଲା ଥିଲେ ରୁଦ୍ର । ପରିବାରର ସବୁ ସଦସ୍ୟ ରୁଦ୍ରଙ୍କୁ ଭଲ ପାଉଥିଲେ ବି ତ୍ରୈଲୋକ୍ୟଙ୍କ ପାଇଁ ସବୁକିଛି ଥିଲେ ରୁଦ୍ର । ନିଜ ଆଖି ଆଗରେ ରୁଦ୍ରଙ୍କ ରକ୍ତାକ୍ତ ମରଶରୀର ଜୁଇକୁ ଯିବା ଦେଖି ସହି ପାରିନଥିଲେ ତ୍ରୈଲୋକ୍ୟ ଓ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

ରୁଦ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତ୍ରୈଲୋକ୍ୟଙ୍କ ମୃତ୍ୟୁ ପୂରା ଗାଁ ସ୍ତବ୍ଧ କରିଦେଇଛି । ତ୍ରୈଲୋକ୍ୟଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।