ଦିନେ ଖେଳାଳିଙ୍କୁ ପୁରସ୍କାର ଦେବାକୁ ବିସିସିଆଇ ପାଖରେ ନଥିଲା ଟଙ୍କା, ଲତା ମଙ୍ଗେସକର କରିଥିଲେ ସାହାଯ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ୧୯୮୩ ମସିହାରେ ଯେତେବେଳେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ ଟାଇଟଲ ଜିତି ଥିଲା ସେତେବେଳେ ପ୍ରତେକ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଲତା ମଙ୍ଗେଶକରଙ୍କୁ ଏକ କନର୍ସଟ କରିବାକୁ ପଡ଼ିଥିଲା । ୨୦୧୧ ରେ ଧୋନିଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତି ଥିବା ଦଳ ପାଇଁ ଟଙ୍କା ବର୍ଷା ହୋଇଥିଲା । କିନ୍ତୁ ଏଥର ଯଦି ଟିମ୍ ଇଣ୍ଡିଆ ଜିତେ ତାହାଲେ କେତେ ଟଙ୍କା ପାଇବ ଆପଣ ଜାଣିଛନ୍ତି କି?

ଟିମ୍ ଆଇସିସିରୁ ୩୩ କୋଟିରୁ ଅଧିକ ପୁରସ୍କାର ରାଶି ପାଇବ । ରନର୍ସ ଅପ୍ ଦଳ ମଧ୍ୟ ବହୁ ଟଙ୍କା କମେଇବ ।

୧୯୮୩ର ଟିମରେ ୱିକେଟ୍ କିପର ଥିବା ସୟଦ କିରମାନି ଏକ ସାକ୍ଷାତକାରରେ କହିଛହିନ୍ତି ଯେ, ଆମେ ପ୍ରତିଦିନ ଭତ୍ତା ଭାବରେ ୫୦ ପାଉଣ୍ଡ ପାଉଥିଲୁ । ଆମେ ଏହି ଟଙ୍କା ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏବଂ ପୋଷାକ ଧୋଇବା ପାଇଁ ବ୍ୟବହାର କରିଥିଲୁ ।ପୂରା ଟୁର ପାଇଁ ଆମେ ବୋନସ୍ ଭାବରେ ୧୫,000 ଟଙ୍କା ପାଇଲୁ

୨୮ ବର୍ଷ ପରେ, ଯେତେବେଳେ ଏମଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୧ ODI ବିଶ୍ୱକପ୍ ଜିତିଲା ତା’ପରେ ବିସିସିଆଇ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଦେଇଥିଲା । ପ୍ରତେକ ଖେଳାଳିଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସହ ବିଭିନ୍ନ ରାଜ୍ୟ ସରକାର ଖେଳାଳିଙ୍କୁ ଟଙ୍କା ଦେଇଥିଲା । ଅନେକ କମ୍ପାନୀ ଖେଳାଳିଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ଦେଇଥିଲେ । ୨୦୧୧ ବିଶ୍ୱକପର ମୋଟ ପୁରସ୍କାର ରାଶି ୮ ନିୟୁତ ଆମେରିକୀୟ ଡଲାର (୬୬ କୋଟି) ସ୍ଥିର କରାଯାଇଥିଲା  । ଏଥି ସହିତ ଆଇସିସି ଟିମ୍ ଇଣ୍ଡିଆକୁ ପ୍ରାୟ ୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛି। ରନର୍ସ ଅପ ଶ୍ରୀଲଙ୍କା ପ୍ରାୟ ୧୨.୫ କୋଟି ଟଙ୍କା ପାଇଛି।

ଆଉ ୨୦୨୩ ବିଶ୍ୱକପର ପୁରସ୍କାର ରାଶି ରହିଛି ୩୩.୧୭ କୋଟି ଟଙ୍କା (୪,000,000 ଡଲାର) । ଏବଂ ଉପବିଜେତା ଏହାର ଅଧା ଟଙ୍କା ପାଇବ । ସେମିଫାଇନାଲରେ ହାରିଥିବା ଉଭୟ ଦଳ ସମାନ ପରିମାଣର ୬.୬୩ କୋଟି (୮00,000 ଡଲାର) ପାଇବେ। ଏହା ବ୍ୟତୀତ ଯଦି ସେମାନେ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍ ଜିତଛନ୍ତି ତେବେ ସେମାନଙ୍କୁ ୩୩.୧୭ ଲକ୍ଷ ଟଙ୍କା (୪0,000 ଡଲାର) ମିଳିବ । ପ୍ରାୟ ୮୨.୯୫ କୋଟି ଟଙ୍କା (୧0,000,000 ଡଲାର) ପୁରସ୍କାର ରାଶି ବଣ୍ଟା ଯିବ ।

୧୯୮୩ରେ ବିସିସିଆଇ ପାଖରେ ସେତେ ଟଙ୍କା ନଥିଲା । ଲତା ମଙ୍ଗେଶକରଙ୍କ ସାହାଯ୍ୟ ଲୋଡିଥିଲା ଟିମ୍ । ଭାରତୀୟ ଦଳର ବିଜୟ ଉତ୍ସବକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଲତା ମଙ୍ଗେଶକର କନସର୍ଟ ଆୟୋଜନ କରାଯାଇଥିଲା । ଏଥିରେ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଏହା ପରେ ପ୍ରତି ଖେଳାଳୀଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଦିନେ ଖେଳାଳିଙ୍କୁ ଟଙ୍କା ଦେବାକୁ ନଥିଲା ବେଳେ ଆଜି ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ହେଉଛି ବିସିସିଆଇ ।

ଲତା ମଙ୍ଗେଶକରଙ୍କ ଏହି ସାହାଯ୍ୟ ବିସିସିଆଇ ସବୁ ଦିନ ପାଇଁ ମନେ ରଖିବ । ଏହି କନସର୍ଟ ପାଇଁ ଲତା ମଙ୍ଗେଶକର ବିସିସିଆଇରୁ କୌଣସି ଶୁଳ୍କ ନେଇ ନଥିଲେ ।