spot_img
Home Blog Page 2524

ମହିଳାଙ୍କ ଅନୁରୋଧ ଶୁଣି ଛାଡ଼ପତ୍ର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ‘ମୁଁ ବିବାହିତା । ଛାଡପତ୍ର ପାଇଥିବା ମହିଳା ଭାବେ ମରିପାରିବି ନାହିଁ । ଏହି ଇଚ୍ଛା ପୂରଣ ହେଉ ।’ ଛାଡ଼ପତ୍ର ପାଇବାକୁ ଯାଉଥିବା ଜଣେ ୮୨ ବର୍ଷୀୟ ମହିଳାଙ୍କ ଏହି ସ୍ପର୍ଶକାତର ଅନୁରୋଧକୁ ସହୃଦୟତାର ସହ ବିଚାର କରିଛନ୍ତି ସୁପ୍ରିମକୋର୍ଟ । ବୃଦ୍ଧାଙ୍କ ଅନୁରୋଧ ରକ୍ଷା କରି ତାଙ୍କର ୮୯ ବର୍ଷ ବୟସ୍କ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ରଦ୍ଦ କରିଛନ୍ତି ।

ବୈବାହିକ ବନ୍ଧନ ତୁଟାଇବା ଲାଗି ସ୍ବାମୀ କରିଥିବା ଆବେଦନ ବିରୋଧରେ ସୁପ୍ରିମକୋର୍ଟ ମହିଳାଙ୍କ ଅନୁରୋଧକୁ ସ୍ବୀକୃତି ଦେଇଛନ୍ତି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଳା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ସ୍ବାମୀଙ୍କୁ ଆବେଦନକୁ ରଦ୍ଦ କରିପାରିବେ ବୋଲି ଦର୍ଶାଇଛନ୍ତି ଖଣ୍ଡପୀଠ । ୨୪ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ କହିଛନ୍ତି- ଛାଡପତ୍ର ପ୍ରସଙ୍ଗରେ ଅନେକ ଆବେଦନ ହେଉଥିବା ସତ୍ତ୍ବେ ବିବାହ ପରି ଏକ ପ୍ରତିଷ୍ଠାନ ସର୍ବଦା ପବିତ୍ର, ଆଧ୍ୟାତ୍ମିକ ମୂଲ୍ୟବୋଧ ସମ୍ପନ୍ନ ଓ ଅମୂଲ୍ୟ । ଭାରତୀୟ ସମାଜରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ବିବାହ ଏକ ଭାବଗତ ବନ୍ଧନ ।

କୋର୍ଟ କହିଛନ୍ତି, ସ୍ବାମୀଙ୍କ ସେବା କରିବା ଲାଗି ସେ ସର୍ବଦା ପ୍ରସ୍ତୁତ ଏବଂ ତାଙ୍କୁ ସେ ଛାଡି ରହିପାରିବେ ନାହିଁ । ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ପରି ସେ ମରିପାରିବେ ନାହିଁ ବୋଲି ମହିଳା ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ବିଚାର କରିଛନ୍ତି । ସାମ୍ପ୍ରତିକ ସମାଜରେ ଛାଡପତ୍ର ସମସ୍ୟା ଥିଲେ ବି ସ୍ତ୍ରୀଙ୍କ ବାବନାକୁ ଗୁରୁତ୍ବ ଦେବା ଆବଶ୍ୟକ।

୧୯୬୩ରେ ଏହି ଦମ୍ପତିଙ୍କ ବିବାହ ହୋଇଥିବାବେଳେ ସେମାନଙ୍କ ୩ଟି ସନ୍ତାନ ରହିଛନ୍ତି । ସ୍ବାମୀ ଭାରତୀୟ ସେନାର ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ତାଙ୍କ ପାଖରେ ନରହି ନିଜ ଶାଶୂ ଓ ଶଶୁରଙ୍କ ନିକଟରେ ରହିବା ଲାଗି ମହିଳା ଚାହିଁଥିବାରୁ ଏହାକୁ ନେଇ ଛାଡପତ୍ର ପ୍ରସଙ୍ଗ ଉଠିଥିଲା । ଛାଡପତ୍ର ଲାଗି ପ୍ରଥମେ ପଞ୍ଜାବର ଏକ ଜିଲ୍ଲାକୋର୍ଟ ସ୍ବାମୀଙ୍କୁ ଅନୁମତି ଦେଇଥିଲେ । ମାତ୍ର ଏହି ରାୟକୁ ଅଗ୍ରାହ୍ୟ କରିଥିଲେ ପଞ୍ଜାବ ଓ ହରିଣାଣା ହାଇକୋର୍ଟ । ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ବାମୀ ।

ବେଦବ୍ୟାସ ପୀଠ ପାଇଁ ପୁଣି ୧୪କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା : ଧାର୍ମିକ ପୀଠର ବିକାଶ ପାଇଁ ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ଅନୁମୋଦିତ ହୋଇଛି ଆଉ ୧୪ କୋଟି ୫୦ ଲକ୍ଷ ଟଙ୍କା । ପୀଠର ବିକାଶ ଜାରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥରାଶି ଦେଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଗତ ଜାନୁଆରୀ ୧୪ ତାରିଖରେ ବେଦବ୍ୟାସ ମନ୍ଦିର ଗସ୍ତ କରି ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ । ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଆଉ କଣ ଆବଶ୍ୟକ ଅଛି ସେନେଇ ଆଲୋଚନା କରିଥିଲେ  । ଏ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ  । ରିପୋର୍ଟ ଆଧାରରେ ପୁଣି ଟଙ୍କା ମଞ୍ଜୁର କରାଯାଇଛି  ।

ଏହି ଅର୍ଥରାଶିରେ ବେଦବ୍ୟାସ ତୀର୍ଥସ୍ଥାନ ପରିସରରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତିକରଣ ସହ ନୂତନ ମନ୍ଦିର ନିର୍ମାଣ କରାଯିବ । ଏହାଛଡ଼ା ପୀଠର ବିଦ୍ୟୁତକରଣ, ଆଲୋକୀକରଣ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବିକାଶ କରାଯିବ  । ତ୍ରିବେଣୀ ସଙ୍ଗମ ଭାଵେ ପରିଚିତ ବେଦବ୍ୟାସ ତୀର୍ଥସ୍ଥଳୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସଵୁ ମହଲରେ ସ୍ଵାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାବାସୀ  ।

ଇସ୍ରାଏଲ ଡିଫେନ୍ସ ଫୋର୍ସେସ IDF ପକ୍ଷରୁ ଲାଇଭ୍ ଅପରେସନ ଭିଡିଓ ଜାରି

ନୂଆଦିଲ୍ଲୀ :  ଗାଜା-ଇସ୍ରାଏଲ ସଂଘର୍ଷ ମଧ୍ୟରେ ଆସିଲା ପଣବନ୍ଦୀଙ୍କୁ ଉଦ୍ଧାର କରିବାର ଲାଇଭ ଭିଡିଓ । ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍ ଏହି ଭିଡିଓ ଜାରି କରିଛି । କେମିତି ଇସ୍ରାଏଲ ସେନାର ଯବାନ ଆତଙ୍କୀଙ୍କ ଶିବିର ଉପରେ ଚଢାଉ କରୁଛନ୍ତି । ସେଠାରୁ ପଣବନ୍ଦୀଙ୍କୁ କିପରି ମୁକ୍ତ କରୁଛନ୍ତି ଏହି ଭିଡିଓରେ ସ୍ପଷ୍ଟ ବାରି ହେଉଛି। ୨୫୦ରୁ ଅଧିକ ପଣବନ୍ଦୀଙ୍କୁ ଉଦ୍ଧାର କରିଥିଲେ ଇସ୍ରାଏଲ ସେନାର ଯବାନ ।

ଗାଜାରେ ହମାସ ଆତଙ୍କବାଦୀଙ୍କ କବଳରେ ଥିବା ଇସ୍ରାଏଲି ପଣବନ୍ଦୀଙ୍କୁ ଉଦ୍ଧାର କରିଥିଲେ । ଗତ ୭ ଅକ୍ଟୋବରରେ କରାଯାଇଥିଲା ଏହି ଅପରେସନ । ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିହେଉଛି ଯେ କିପରି ଚାଲିଛି ଅପରେସନ । ଗୋଟିଏ ଘରେ ପଣବନ୍ଦୀ କରି ରଖିଥିବା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରବେଶ କରୁଛନ୍ତି ଇସ୍ରାଏଲ ସେନାର ଯବାନ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପୁରା ଟିମ୍ ଏହି ଅପରେସନରେ ସାମିଲ ହୋଇଛି । ଯବାନଙ୍କ ଶରୀରରେ ଲାଗିଥିବା ବଡି କ୍ୟାମେରାରେ ଏହି ଭିଡିଓ କଏଦ ହୋଇଥିଲା ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇସ୍ରାଏଲି ସେନା ଏହି ଭିଡିଓ ଜାରି କରିଛି । ଅପରେସନରେ ଇସ୍ରାଏଲ ସେନା ଆଇଡିଏଫ୍ ୬୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ୨୬ ଆତଙ୍କବାଦୀ ଜୀବିତ ଧରା ପଡିଥିଲେ।

ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ ଘଟଣା: ମିଳିଲା ପୁଳାପୁଳା ଟଙ୍କା ସହ ବିଦେଶୀ ନୋଟ

ପାରାଦୀପ : ପାରାଦୀପ ପୋର୍ଟ ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ସିବିଆଇ ରେଡରୁ ମିଳିଛି ପୁଳାପୁଳା ଟଙ୍କା । ବିପୁଳ ପରିମାଣର ଟଙ୍କା ସହ ଜବତ ହୋଇଛି ବିଦେଶୀ ମୁଦ୍ରା । ତେବେ କେତେ ପରିମାଣର ଟଙ୍କା ଓ ବିଦେଶୀ ନୋଟ ମିଳିଛି ତାହାର ଆକଳନ କରାଯାଇନାହିଁ। ଗତକାଲି ସନ୍ଧ୍ୟାରୁ ସିବିଆଇର ୧୦ ଜଣିଆ ଟିମ ଚଢଉ ଜାରି ରଖିଛନ୍ତି।

ପାରାଦ୍ଵୀପରେ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ହାଉସିଂ ବୋର୍ଡ ସ୍ଥିତ ଘର, ଜେବି କଲୋନୀରେ ଥିବା କ୍ବାର୍ଟର, ବାଲେଶ୍ବର ସ୍ଥିତ ନିଜ ଘର ଓ କଟକରେ ତାଙ୍କ ପତ୍ନୀ ରହୁଥିବା ଘରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଗତକାଲି ଏକ ସିପିଂ ଏଜେନ୍ସି ଠାରୁ ୫୦ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିଲେ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ।

ପାରିବାରିକ କଳହରୁ ବୀଭତ୍ସ ହତ୍ୟା, ନାତିକୁ ବର୍ଚ୍ଛାରେ ଭୁସି ହତ୍ୟା କଲା ଅଜା

ନୂଆପଡା : ପାରିବାରିକ କଳହରୁ ବୀଭତ୍ସ ହତ୍ୟା । ନାତିକୁ ବର୍ଚ୍ଛାରେ ଭୁସି ହତ୍ୟା କଲା ଅଜା । ନୂଆପଡା ଜିଲ୍ଲା କୋମନା ଥାନା କ୍ରୀଷ୍ଣା ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ୨୧ ବର୍ଷୀୟ ନାତି ଦୁଷ୍ମନ୍ତ ହଂସ । ଅଭିଯୋଗ ଅନୁସାରେ ଦୁଷ୍ମନ୍ତ ଓ ଅଭିଯୁକ୍ତ ଅଜା ଯଦୁମଣିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ନିଶାସକ୍ତ ଅବସ୍ଥାରେ ଯଦୁମଣି ଦୁଷ୍ମନ୍ତଙ୍କୁ ବର୍ଚ୍ଛାରେ ଆକ୍ରମଣ କରିଥିଲା । ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଷ୍ମନ୍ତଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଅଜାକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆଜି ଆଉ ୨ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

ପୁରୀ : ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଆଉ ଦୁଇ ଜିଲ୍ଲାର ଗାଁ ଗାଁରେ ବିକାଶର ନୂଆ ଅଧ୍ୟାୟ ଲେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ଓ ନୟାଗଡ଼ରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା । ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କାରେ ୪ ହଜାର ୧୩୦ଟି ପ୍ରକଳ୍ପ ଏବଂ ନୟାଗଡ଼ ଜିଲ୍ଲାରେ ୯୬ କୋଟି ଟଙ୍କାରେ ୨ହଜାର ୯୨୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ମାଧ୍ୟମରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟରେ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ । ନବୀନ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ବାରା ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି ।

କ୍ରିକେଟ ବିଶ୍ବକପ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ

ନୂଆଦିଲ୍ଲୀ :  କ୍ରିକେଟ ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ଣ ୨ଟାରେ ବିଶ୍ବକପର ଏହି ୧୧ ତମ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା ।

ସେହିପରି ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ ୧୩୭ ରନରେ ହାରିଥିଲା । ତେଣୁ ଆଜିର ମ୍ୟାଚ ଜିତିବାକୁ ଭରପୁର ଚେଷ୍ଟା କରିବ ବାଂଲାଦେଶ । ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା ୧୦ ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ବଣ୍ଟନ ଡିକକ୍ ଶତକୀୟ ପାଳି ଖେଳିଥିଲେ । ତେବେ ଜବାବରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟଟର ସାମ୍ନା କରି ୪୦.୫ ଓଭରରେ ୧୭୭ ରନ କରିବାରେ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବଡା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ ।

ଖରା ଓ ଗୁଳଗୁଳିରେ ସିଝୁଛି ଓଡ଼ିଶା, ପ୍ରତିଦିନ ସ୍ବାଭବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରା

ଭୁବନେଶ୍ୱର : ଖରା ଓ ଗୁଳଗୁଳିରେ ସିଝୁଛି ଓଡ଼ିଶା । ପ୍ରତିଦିନ ବଢୁଛି ପାରା । ସ୍ବାଭବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ଥିବା ବେଳେ ଉପକୂଳରେ କଲବଲ କରୁଛି ତାତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ ।

ଏବେ ଭୁବନେଶ୍ବରରେ ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ପାଖାପାଖି ତାତି ଅନୁଭବ ହେଉଛି । ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।

ଆଜି ବି ମନରୁ ଲିଭିନି ଫାଇଲିନର ଦୁଖଃଦ ଚିତ୍ର, ଭୟଙ୍କର ବାତ୍ୟାକୁ ପୁରିଲା ୧୦ ବର୍ଷ

ଭୁବନେଶ୍ୱର : ଆଜିବି ପାଇଲିନ୍ ବାତ୍ୟା ମନେ ପଡିଲେ ଭୟ ଓ ଆତଙ୍କରେ ଶିହରୀ ଉଠୁଛି ଶରିର । ମନରୁ ଲିଭୁନି ବାତ୍ୟା ଦୁଖଃଦ ଚିତ୍ର । ସେହି ଭୟଙ୍କର ବାତ୍ୟାକୁ ଆଜି ପୁରିଛି ୧୦ ବର୍ଷ । ୨୦୧୩ ମସିହା ଅକ୍ଟୋବର ୧୩ ତାରିଖ , ଆଜିର ଦିନ । ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା । ଅକ୍ଟୋବର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଭୟଙ୍କର ବାତ୍ୟା ଫାଇଲିନ ।

ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ କରିଥିଲା ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ପବନର ବେଗ ଥିଲା ପାଖାପାଖି ୨୨୦ କିଲୋମିଟର । ବାତ୍ୟାରେ ଅଧିକ କ୍ଷତି ସହିଥିଲା ଗଞ୍ଜମ ଜିଲ୍ଲା । ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସରକାରଙ୍କ ମିଶନ ଜିରୋ କାଜୁଆଲଟି ପାଇଁ ବଡ଼ ଅଘଟଣରୁ ବର୍ତ୍ତିଥିଲା ଓଡ଼ିଶା ।

ଓଡ଼ିଶା ଇତିହାସରେ ଫାଇଲିନ ବାତ୍ୟା, ରାଜ୍ୟର ବିପର୍ଯ୍ୟୟ ମୁକାବିଲା ପରିଚାଳନାରେ ଏକ ମାଇଲ ଖୁଣ୍ଟ ହୋଇ ରହିଛି । ରାଜ୍ୟ ସରକାର ଆଗୁଆ ସତର୍କ ରହିବା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା । ଯେଉଁଥି ପାଇଁ ବିଶ୍ବରେ ପ୍ରଶଂସିତ ହୋଇଥିଲା ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲା ଜାତି ସଂଘ ।

ଆରମ୍ଭ ହେଲା ଅପରେସନ୍ ଅଜୟ, ସ୍ବଦେଶ ଫେରୁଛନ୍ତି ଇସ୍ରାଏଲରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ : ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ଅପରେସନ ଅଜୟରେ ୨୧୨ ଜଣ ଭାରତୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ ଭାରତୀୟଙ୍କୁ ନେଇ ବିମାନ ବାହାରିଥିଲା ।

ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି ।

ସେପଟେ ପରସ୍ପରର ବିଧ୍ବଂସୀ ମିସାଇଲ ମାଡ଼ରେ ଛାରଖାର ହେଉଛି ଇସ୍ରାଏଲ ଓ ଗାଜା । ରାସ୍ତାରେ ବୋହୁଛି ରକ୍ତର ନଦୀ । ମୃତ୍ୟୁ ମୁହଁରେ ଥିବା ମଣିଷର ଆର୍ତ୍ତ ଚିତ୍କାରରେ କମ୍ପି ଉଠୁଛି ପରିବେଶ । ଲହୁ ଲୁହ ପୋଛି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଉଭୟ ଦେଶବାସୀ । ଏଭଳି ଦୁଃଖଦ ସମୟରେ ଯୁଦ୍ଧଭୂଇଁରୁ ଆସୁଛି ବିଭୀଷିକାର ଭୟଙ୍କର ଚିତ୍ର । ଏବେ ଗାଜା ଷ୍ଟ୍ରିପରେ ଖାଲି ନାହିଁ ଶବ ସଂରକ୍ଷଣ ଗୃହର କୋଠରୀ । ଉଭୟ ଦେଶରେ ୪ ହଜାର ଟପି ସାରିଲାଣି ମୃତ୍ୟୁସଂଖ୍ୟା । ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଯୁଦ୍ଧକାଳୀନ ସ୍ଥିତିର ମୁକବିଲା ଲାଗି ନେତାନ୍ୟାହୁ ଗଠନ କରିଛନ୍ତି ଓ୍ବାର କ୍ୟାବିନେଟ ।