ଟିମ୍ ଇଣ୍ଡିଆ ଡ୍ରେସିଂ ରୁମକୁ କାହିଁକି ଯାଇଥିଲେ ପ୍ରଧାନମନ୍ତ୍ରୀ ?

1 min read

ଅହମ୍ମଦାବାଦ: ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତର ପରାଜୟ ଉଭୟ ଖେଳାଳୀ ଓ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଝଟକାଠୁ କମ୍ ନୁହେଁ । ୪୩ ତମ ଓଭରର ଶେଷ ବଲରେ ଗ୍ଲେନ୍ ମ୍ୟାକ୍ସୱେଲ ଦୁଇ ରନ୍ ନେବାକ୍ଷଣି  କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା। ପରାଜୟ ପରେ ଭାରତୀୟ ଖେଳାଳିଙ୍କ ମୁହଁରେ ନିରାଶା ଭାବ ସ୍ପଷ୍ଟ ଦେଖାଯାଉଥିଲା।

କ୍ୟାପଟେନ ରୋହିତ ଶର୍ମା ତୁରନ୍ତ ଡ୍ରେସିଂ ରୁମ ଭିତରକୁ ଚାଲି ଯାଇଥିବା ବେଳେ ମହମ୍ମଦ ସିରାଜ ପଡ଼ିଆରେ ହିଁ କାନ୍ଦିବାକୁ ଲାଗିଥିଲେ। ମ୍ୟାଚ୍ ଦେଖିବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅହମ୍ମଦାବାଦର ଏହି ଷ୍ଟାଡିୟମରେ ଉପସ୍ଥିତ ଥିଲେ।

ପରାଜୟ ପରେ ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମକୁ ଯାଇଥିଲେ

ଅହମ୍ମଦାବାଦରେ ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦୀ ଖେଳାଳିଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ‘ଆମର ଟୁର୍ନାମେଣ୍ଟ ବହୁତ ଭଲ ଥିଲା କିନ୍ତୁ କାଲି ଆମେ ହାରିଗଲୁ ।  ଏଥିପାଇଁ ଆମେସବୁ ଖୁବ୍ ଦୁଃଖିତ । ତଥାପି ଲୋକଙ୍କ ସମର୍ଥନ ଆମକୁ ଆଗକୁ ନେଉଛି। ଗତକାଲି ଡ୍ରେସିଂ ରୁମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ ଆମ ପାଇଁ ବହୁତ ଖାସ୍ ପ୍ରେରଣାଦାୟକ ଥିଲା ।

ବିଶ୍ୱକପ ଫାଇନାଲ ମ୍ୟାଚ୍ ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛନ୍ତି, ‘ପ୍ରିୟ ଦଳ ଭାରତ, ବିଶ୍ୱକପରେ ତୁମର ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା। ତୁମେ ମାନେ ବହୁତ ଭଲ ଖେଳିବା ​​ସହିତ ଦେଶକୁ ଗୌରବାନ୍ୱିତ କରିଛ। ଆମେ ସର୍ବଦା ଆପଣଙ୍କ ସହିତ ଛିଡା ହୋଇଛୁ।

ସେହିପରି ଅଷ୍ଟ୍ରେଲିଆକୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, ‘ବିଶ୍ୱକପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ! ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଟ୍ରାଭିସ୍ ହେଡଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ।