spot_img
Home Blog Page 2521

ଧାନ କିଣା ହେବ ସ୍ବଚ୍ଛ, ଅସାଧୁ ବ୍ୟବସାୟୀ ଉପରେ ସମବାୟ ବିଭାଗର କଡ଼ା ନଜର

ଭୁବନେଶ୍ୱର :   ଧାନ କିଣା ହେବ ସ୍ବଚ୍ଛ । ଅସାଧୁ ବ୍ୟବସାୟୀ ଉପରେ ସମବାୟ ବିଭାଗର କଡ଼ା ନଜର  । ଓଡିଶା ସୀମା ଉପରେ ବି ରହିଛି ନଜର । ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂକୁ ଆହୁରି କଡ଼ା କଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା, ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ଵର ଜିଲ୍ଲା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ଲାଗିଥିବା ପାରଳାଖେମୁଣ୍ଡି, ଗଜପତି, ବ୍ରହ୍ମପୁର ଭଳି ଜାଗାରେ ସିଲ ପଏଣ୍ଟ କରି ଚେକିଂ କଡା କଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ପ୍ରାୟ ସବୁଠି ଏବେ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ । ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସେମିତି ଅଭିଯୋଗ କୌଣସି ସ୍ଥାନରୁ ଆସିନି । ଠିକ ଭାବେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି । ଯେଉଁ ତାରିଖ ଯେଉଁ ଜିଲ୍ଲା ପାଇଁ ଧାର୍ଯ୍ୟ ହୋଇଛି ସେହି ତାରିଖ ଆଧାରରେ ଧାନ ସଂଗ୍ରହ ହେଉଛି । ଯଦି କେଉଁଠି ଅଭିଯୋଗ ଆସେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କଡ଼ ଲେଉଟାଉଛି କରୋନା, କେରଳରେ ଆଜି ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କାୟା ବିସ୍ତାର କରି ଚାଲିଛି କରୋନା । କେରଳରେ ଆଜି ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଏହି ସୂଚନା ମିଳିଛି । ସେପଟେ ମହାରାଷ୍ଟ୍ରର ଠାଣେରୁ ନୂଆ ଭାରିଆଣ୍ଟ JN.1ର ୫ ପଜିଟିଭ ଟିହ୍ନଟ ହୋଇଛନ୍ତି୍ । ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ମୋଟ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୯ ଜଣ କୋଭିଡର ନୂଆ ଭାରିଆଣ୍ଟ JN.1ର ଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୪ ହଜାର ୫୪ରେ ପହଞ୍ଚିଛି ।କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଟେଷ୍ଟିଂ ଏବଂ ଚିକିତ୍ସାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଯୀଶୁଙ୍କ ଜନ୍ମସ୍ଥାନରେ ନାହିଁ ଖ୍ରୀଷ୍ଟମାସ ସେଲିବ୍ରେସନ ; ଶୁଭୁଛି ଯୁଦ୍ଧ ଏବଂ କାନ୍ଦବୋବାଳି ଶବ୍ଦ

ନନ୍ଦିଘୋଷ ବ୍ୟୁରୋ :  ପୁରା ବିଶ୍ବ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଯୀଶୁଙ୍କ ଜନ୍ମସ୍ଥାନ ବେଥଲହମରେ ପ୍ରାର୍ଥନା ବଦଳରେ ଶୁଭୁଛି ଲୋକଙ୍କ ଆର୍ତ୍ତ ଚିତ୍କାର । ଖ୍ରୀଷ୍ଟମାସ ପାଇଁ ସବୁଠି ଖୁସିର ମାହୋଲ୍ ଥିବା ବେଳେ ବେଥଲହମ୍ ଏକ ନିର୍ଜନ ସହର ପରି ମନେ ହେଉଥିଲା । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବେଥଲହମରେ ଖ୍ରୀଷ୍ଟମାସ ପାଳନ କରାଯାଉନାହିଁ । ବେଥଲହମ ରାସ୍ତାରେ ନା ଥିଲା ବିଦେଶୀ ପର୍ଯ୍ୟଟକ ଭିଡ ନା ଥିଲା ଉତ୍ସାହୀ ଜନସାଧାରଣଙ୍କ କୋଳାହଳ । କେବଳ ୧୦ ହଜାର ପାଲେଷ୍ଟାଇନ୍ ସୁରକ୍ଷା ବାହିନୀ ଖାଲି ପଡିଆରେ ପାଟ୍ରୋଲିଂ କରୁଥିବାର ଦେଖାଯାଇଥିଲା ।

୬ ବର୍ଷ ଧରି ଜେରୁଜେଲମରେ ରହୁଥିବା ଭିଏତନାମର ଜଣେ ଫ୍ରାନ୍ସସିସ୍କନ୍ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଖ୍ରୀଷ୍ଟମାସରେ ଖ୍ରୀଷ୍ଟମାସ୍ ଟ୍ରି ଏବଂ ଆଲୋକ ବଦଳରେ ଏଠି କେବଳ ଅନ୍ଧକାର ଭରି  ଅଛି । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଖ୍ରୀଷ୍ଟମାସ ପାଳନ କରାଯିବ ନାହିଁ ବୋଲି ଯେଉଁ ଘୋଷଣା କରାଗଲା ସେଥିରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ଏକ ବଡ଼ ବଡ ଝଟକା ଲାଗିଛି । ବେଥଲହମରେ ଆନୁମାନିକ ଆୟର ୭୦ ପ୍ରତିଶତ ପର୍ଯ୍ୟଟନରୁ ଆସିଥାଏ । ପର୍ଯ୍ୟଟନର ସବୁଠୁ ଅଧିକ ଆୟ ଖ୍ରୀଷ୍ଟମାସ ମାସରେ ହୋଇଥାଏ । ଖ୍ରୀଷ୍ଟମାସରେ ପାଳନ କରିବାକୁ ଏଠାକୁ ସବୁଠୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଅନେକ ପ୍ରମୁଖ ବିଦେଶୀ କମ୍ପାନୀ ଇସ୍ରାଏଲକୁ ବିମାନ ଚଳାଚଳ ବାତିଲ୍ କରିଥିବାରୁ ଏଠାକୁ ବହୁତ୍ କମ୍ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ।

ବେଥଲହମର ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ , ବେଥଲହମରେ ୭୦ ରୁ ଅଧିକ ହୋଟେଲ୍ ବନ୍ଦ ହେବା ଦ୍ବାରା ସେଥିରେ କାମ କରୁଥିବା ହଜାର ହଜାର ଲୋକ ନିଜର ରୋଜଗାର ହରେଇଛନ୍ତି । ସାଧାରଣତଃ, ଖ୍ରୀଷ୍ଟମାସର ପୂର୍ବ ରାତିରେ ବେଥଲହମ୍ ଏତେ ବ୍ୟସ୍ତ ବହୁଳ ସହର ହୋଇଯାଇଥାଏ ଯେ ସକାଳରୁ ରାତି ଯାଏଁ କାହରିକୁ ଟିକେ ଫୁରସତ୍ ନଥାଏ । ଆପଣଙ୍କୁ ଟିକିଏ ବସିବାକୁ ବି ଚେୟାର୍ ମିଳିବ ନାହିଁ । କିନ୍ତୁ ଚଳିତ ବର୍ଷ ଏପରି ଅବସ୍ଥା ଯେ ରାସ୍ତାରେ କେହି ଗୋଟେ ଲୋକ ବି ନାହାଁନ୍ତି ।

ଗାଜାରେ ଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ୭ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ୍ ଆକ୍ରମଣ ଦ୍ବାରା ପ୍ରାଣ ହରାଇଥିବା ପାଲେଷ୍ଟାଇନଙ୍କ ସଂଖ୍ୟା ୨୦,୨୫୮ କୁ ବୃଦ୍ଧି ପାଇଥିବା ବେଳେ ୫୩, ୬୮୮ ଜଣ ଆହତ ହୋଇଛନ୍ତି ।

ପାକିସ୍ତାନରେ ଇମ୍ରାନଙ୍କ ଦଳ ବେହାଲ,ନାହିଁ ନିର୍ବାଚନ ଚିହ୍ନ ନାହାନ୍ତି ନେତା

ଇସଲାମାବାଦ:  ବଢୁଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ।  ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଇମ୍ରାନ । ପ୍ରଥମେ ତାଙ୍କ ପାର୍ଟି ପିଟିଆର ନିର୍ବାଚନୀ ଚିହ୍ନ ନିର୍ବାଚନ ଆୟୋଗ ଛଡାଇ ନେଇଥିଲେ  । ଠିକ୍ ସେହିପରି ଏବେ ଇମ୍ରାନଙ୍କ ପାର୍ଟି ତହରିକ୍-ଏ- ଇନସାଫ ନେତୃତ୍ୱ ବିହୀନ ହୋଇ ପଡିଛି  ।

ଦୀର୍ଘ ସମୟ ଅପେକ୍ଷା ପରେ ଫେବୃଆରୀରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟ୍ ପାଇଁ ମଧ୍ୟ ଦୁଇ ମାସରୁ କମ୍ ସମୟ ବାକି ଅଛି | ଆଇନଗତ ମାମଲା ଏବଂ ଦଣ୍ଡ ଦ୍ୱାରା ଘେରି ରହିଥିବା ଇମ୍ରାନ ଖାନଙ୍କୁ ନିର୍ବାଚନ ପୂର୍ବରୁ ହିଁ ଦେଶର ନିର୍ବାଚନ ଆୟୋଗ ତାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।  ଫେବୃଆରୀ ୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ରବିବାର ପାକିସ୍ତାନର ନିର୍ବାଚନ ଆୟୋଗ ୧୭୫ ଟି ରାଜନୈତିକ ଦଳର ତାଲିକା ପ୍ରକାଶ କରିଛନ୍ତି।

ପଞ୍ଜୀକୃତ ରାଜନୈତିକ ଦଳ ଭାବରେ ଏହି ସମସ୍ତ ଦଳ ଆସନ୍ତା ନିର୍ବାଚନରେ ​​ଭାଗ ନେବେ। ଆଶ୍ଚର୍ଯ୍ୟର କଥା ଯେ, ପାକିସ୍ତାନ ତାହରିକ-ଏ-ଇନସାଫର ନେତା ହୋଇ ମଧ୍ୟ ଇମ୍ରାନ ଖାନଙ୍କ ନାମ ଏହି ତାଲିକାରେ ନାହିଁ। ଯଦି ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଦେଖିବାକୁ ଗଲେ ପିଟିଆଇ ବର୍ତ୍ତମାନ ଏକ ନେତୃତ୍ୱ ବିହୀନ ଦଳ ହୋଇ ରହିଯାଇଛି ।

ଏହାପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ ନିଜ ନିର୍ବାଚନ ପ୍ରତୀକ ‘ବ୍ୟାଟ୍’ ହରାଇଛି।  ପିଟିଆଇରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ନିର୍ବାଚନରେ ​​ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନଥିଲେ, ଯାହାର ପରିଣାମରେ ସେ ଏହିପରି ନଷ୍ପତ୍ତି ନେଇଥିଲେ ।

ସାମାନ୍ୟ କଳହରୁ ଭାଇକୁ ହତ୍ୟା କଲା ଭାଇ

କଳାହାଣ୍ଡି : ସାମାନ୍ୟ କଳିରୁ ଭାଇକୁ ମାରିଲା ଭାଇ ।  ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟା କାଣ୍ଡ ଘଟିଛି । ଗତକାଲି ରାତିରେ କିଛି କଥାକୁ ଦୁଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା  । ଯାହା ପରେ ବଡ଼ ଭାଇକୁ ହତ୍ୟା କରିଥିଲା ସାନ ଭାଇ ମହେନ୍ଦ୍ର ବାଗ । ନିଜ ଭାଇକୁ ଗଣେଶ ବାଗକୁ ହତ୍ୟା କରିବା ପରେ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନଭାଇ। ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ  ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା; ବନ୍ଧା ହେଲେ ୫ରୁ ଅଧିକ ଯୁବକ

ଭୁବନେଶ୍ବର : ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ତନାଘନା । ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇଲା ଏୟାରପୋର୍ଟ ଥାନା ପୋଲିସ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି । ଅନ୍ୟମାନଙ୍କ ଅପରାଧର ତାଲିକା ଖୋଜୁଛି ପୋଲିସ । ଗତକାଲି ରାତିରେ ମଦନ ମହାରଣା ଓରଫ ଶିବାକୁ ଗୋଡାଇ ଗୋଡାଇ ହାଣିଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ଶିବାକୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣର ଶିକାର ହୋଇଥିବା ଶିବା ନାଁରେ ପୂର୍ବରୁ ୧୭ରୁ ଅଧିକ ଅପରାଧିକ ମାମଲା ରହିଛି ବୋଲି ଜଣାପଡିଛି ।

ନବରଙ୍ଗପୁରରେ ବଢିଲା ବିଜେଡି ବଳ; ଯୋଗ ଦେଲେ ୩୦୦ରୁ ଅଧିକ କର୍ମୀ

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ। ୩୦୦ ରୁ ଅଧିକ କର୍ମୀ ବିଜେଡିରେ ହେଲେ ସାମିଲ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସାଂସଦ ରମେଶ ମାଝିଙ୍କ ସହ ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ପୂର୍ବତନ ନଗରପାଳ ଝଡେଶ୍ୱର ମହାନ୍ତିଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ ।

ଏହି ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଦଳ ଛାଡି ୩୦୦ ରୁ ଉର୍ଦ୍ଧ କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ନବରଙ୍ଗପୁର ଜିଲ୍ଲାରେ ସାଂସଦଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ସଂଗଠନିକ ଦକ୍ଷତାକୁ ଦେଖି ସମସ୍ତେ ଦଳ ରେ ସାମିଲ ହେଇଥିବା କର୍ମୀ ପ୍ରକାଶ କରିଛନ୍ତି ।

ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା କୋଣାର୍କ ମନ୍ଦିର

କୋଣାର୍କ : ଘନ କୁହୁଡି ବଳୟରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ । ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା କୋଣାର୍କ ମନ୍ଦିର । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା ।

ସୂର୍ଯ୍ୟମନ୍ଦିର ପରିସରରେରେ ସକାଳୁ ସକାଳୁ ମାତ୍ରାଧିକ ଘନ କୁହୁଡିର ଆସ୍ତରଣ ଯୋଗୁଁ ପର୍ଯ୍ୟଟକମାନେ ବୁୁୁଲି ଦେଖିବାରୁ ବଞ୍ଚିତ ହୋଇଥିଲେ । ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ପର୍ଯ୍ୟଟକଙ୍କୁ ଅସୁବିଧା ହୋଇଥିଲା । ବିିଶେଷ ଭାବେ ସୂର୍ଯ୍ୟ ମନ୍ଦିରର ସୁୁକ୍ଷ୍ମ କରୁୁକାର୍ଯ୍ୟ ଦେଖିବାକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ କୁହୁଡି ପାଇଁ ଦେଖିପାରି ନଥିଲେ ।  କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ପୂର୍ଣ ଭାବେ ଦୀର୍ଘସମୟ ଧରି ଏହି କୁହୁଡି ଚାଦର ଲୁଚାଇ ଦେଇଥିଲା । ଯାହାଫଳରେ ଖାଲି ଆଖିରେ କିଛି ଦୃଶ୍ୟମାନ ହେଉନଥିଲା  ।

ଘରେ ଛାଡିବା ବାହାନାରେ ଦୁଷ୍କର୍ମ କଲା ରିକ୍ସା ଡ୍ରାଇଭର

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଘଟିଛି ବର୍ବରତାର ଏକ ଅଭାବନୀୟ ଚିତ୍ର । ଉତ୍ତରପ୍ରଦେଶର ଫତେପୁରରେ ଏକ ଅଷ୍ଟମ ଶ୍ରେଣୀର ଝିଅ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଇ- ରିକ୍ସା ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଛାଡି ପଳାଇଯାଇଥିଲା ।

ଯେତବେଳେ ଝିଅଟି ଦୀର୍ଘ ସମୟ ଯାଏଁ ଘରକୁ ଫେରି ନଥିଲା ,ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ । ପରେ ଏକ ଚାଷ ଜମିରେ ଝିଅଟି ଚେତାଶୂନ୍ୟ ହୋଇ ପଡିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ସଦସ୍ୟ ଝିଅକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରି ପୋଲିସ୍ କୁ ଖବର ଦେଇଥିଲେ । ବର୍ତ୍ତମାନ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସମ୍ପୃକ୍ତ ଇ- ରିକ୍ସା ଡ୍ରାଇଭର ନାଁରେ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
ଗତ ଶନିବାର ଦିନ , ପୀଡିତା ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଡ୍ରାଇଭର ଘରେ ଛାଡିବା ବାହାନାରେ ଝିଅଟିକୁ ଇ- ରିକ୍ସାରେ ବସେଇ ନେଇଥିଲା । ତାପରେ ଝିଅକୁ ଏକ ଶୂନ୍ ଶାନ୍ ଚାଷ ଜମିକୁ ନେଇ ଦୁଷ୍କର୍ମ କରିଥିଲା । ପରେ ସେ ପୀଡିତା କୁ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଯାଇଥିଲା ।

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୨ଜଣ ମୃତ ଓ ୨ ଜଣ ଆହତ

ଭୁବନେଶ୍ୱର : ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରଙ୍ଗ ଆସୁଥିବା ଗୋଟିଏ ବାଇକ, ଅନ୍ୟ ଏକ ବାଇକ ଟର୍ଣ୍ଣିଂ ବୁଲାଇବା ବେଳେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ଆହତ ହୋଇଥିଲେ । ମୃତକ ଓ ଆହତଙ୍କ ପରିଚୟ ମିଳିନି