spot_img
Home Blog Page 2473

ଉତ୍ସବର ମାହୋଲରେ ପିଆଜ ଦରରେ ଲାଗୁନି ବ୍ରେକ୍, କେଜି ପ୍ରତି ହୋଲସେଲ ଦର ୮୦ଟଙ୍କା

ନୂଆଦିଲ୍ଲୀ: କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଦିଲ୍ଲୀ ଏନସିଆରରେ ପିଆଜ କେଜି ପ୍ରତି ହୋଲସେଲ ଦର ୮୦ଟଙ୍କା ରହିଛି । ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ପାଇବା ଆଶଂକା କରାଯାଉଛି । ଖରିଫ ଋତୁରେ ଚାଷ ହୋଇଥିବା ପିଆଜ ବଜାରକୁ ଆସିବା ପରେ ଦର କମିବା ସମ୍ଭାବନା ରହିଛି ।

ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପିଆଜ ଦର କେଜି ପ୍ରତି ୧୦୦ଟଙ୍କା ପହଞ୍ଚିପାରେ। ଦୁର୍ଗାପୂଜା ପର ଠାରୁ ପିଆଜ ଦର ଅହେତୁକ ଭାବେ ବଢି ଚାଲିଛି । କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ପିଆଜ ଦର ବଢ଼ି ଚାଲିଛି । ଦର ଅଧିକ ରହୁଥିବାରୁ ମଣ୍ଡିରେ ପିଆଜ ବିଭିନ୍ନ ରାଜ୍ୟକୁ ରପ୍ତାନୀ ପୂର୍ବାପେକ୍ଷା କମ ରହିଛି । ପିଆଜର ୫ କେଜି ଦର ଆଜି ୩୫୦ ଟଙ୍କା ରହିଛି ।

ଗତକାଲି ଏହି ଦର ୩ଶହ ଥିବାବେଳେ ସପ୍ତାହକ ପୂର୍ବରୁ ଏହି ଦର ୨ଶହ ଟଙ୍କା ଥିଲା । ସେହିପରି କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପିଆଜ ଦର ବଢି ଚାଲିଛି । ବେଙ୍ଗାଳୁଲୁର ଯଶୱନ୍ତପୁରରେ ପିଆଜ କେଜି ପ୍ରତି ୬୫ରୁ ୭୦ ଟଙ୍କା ରହିଛି । ବେଙ୍ଗଳୁରୁରେ ଥିବା ପିଆଜ ଗୋଦାମକୁ ପ୍ରତିଦିନ ୫ଶହରୁ ହଜାରେ ଟ୍ରକ ଆସୁଥିଲା । କିନ୍ତୁ ପିଆଜ ବିକ୍ରି ଏବେ ମାତ୍ର ଶହେ ଟ୍ରକକୁ ଖସିଯାଇଛି । ମୁମ୍ବାଇରେ ପିଆଜ ଦର ହୋଲସେଲରେ ୫୦ ଟଙ୍କା ପ୍ରତି କେଜି ରହିଛି ।ଖୁଚୁରା ବଜାରରେ ପିଆଜ ଦର ୮୦ ଟଙ୍କା ରହିଛି । ହୋଲସେଲ ଦର ୬୦ ଟଙ୍କା ପର୍ଯ୍ୟନ୍ତ ବଢିବା ସମ୍ଭାବନା ଥିବାରୁ ଖୁଚୁରା ବଜାରରେ ପିଆଜ କେଜି ପ୍ରତି ଶହେ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଇସ୍ରାଏଲ-ହମାସ ଅସ୍ତ୍ରବିରତି ନେଇ ଜାତିସଂଘରେ ପ୍ରସ୍ତାବ, ୩୪ଟି ରାଷ୍ଟ୍ର ଦେଲେନି ଭୋଟ

ନ୍ୟୁୟର୍କ: ଇସ୍ରାଏଲ-ହମାସ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ସାଧାରଣ ଆସେମ୍ବିଲିର ଏକ ପ୍ରସ୍ତାବରୁ ବିରତ ରହିଛି ଭାରତ । ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ନେଇ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ଆସେମ୍ବ୍ଲିର ଦଶମ ଜରୁରୀ ଅଧିବେଶନ ବସିଥିଲା । ଅସ୍ତ୍ରବିରତି ପ୍ରସ୍ତାବକୁ ଜୋର୍ଡାନ ଆଗତ କରିଥିବାବେଳେ ଏହାକୁ ବାଂଲାଦେଶ, ମାଳଦ୍ବୀପ, ପାକିସ୍ତାନ, ଋଷ ଓ ସାଉଥଆଫ୍ରିକା ସମ୍ମତି ଜଣାଇଥିଲେ ।

ପ୍ରସ୍ତାବ ସପକ୍ଷରେ ୧୨୦ ରାଷ୍ଟ୍ର ଭୋଟ ଦେଇଥିବାବେଳେ ବିପକ୍ଷରେ ୧୪ ରାଷ୍ଟ୍ର ଭୋଟ ଦେଇଥିଲେ । ୩୪ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ଭାରତ ସମେତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ ଓ ବ୍ରିଟେନ ଭୋଟଦାନରୁ ବିରତ ରହିଥିଲେ । ତେବେ ଜୋର୍ଡାନ ପକ୍ଷରୁ ଆଗତ ପ୍ରସ୍ତାବରେ ହମାସ ସଂଗଠନ ସମ୍ପର୍କରେ କୌଣସି ତଥ୍ୟ ନଥିବା ଜଣାଯାଇଛି ।

ତୁରନ୍ତ ଅସ୍ତ୍ରବିରତି ସହ ମାନବିକତା ଦୃଷ୍ଟିରୁ ଯୁଦ୍ଧବନ୍ଦ ଲାଗି ପ୍ରସ୍ତାବରେ ରହିଥିଲା ଉଲ୍ଲେଖ । ସେପଟେ ଭୋଟଦାନରୁ ବିରତ ରହିବା ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।

କେରଳ ରାଲିଲେ ହମାସ ନେତା ଖାଲିଦ, ବୁଲଡୋଜରରେ ହିନ୍ଦୁତ୍ବକୁ ଓପାଡିବା ପାଇଁ ନାରା

କୋଚି: କେରଳର ମଲପ୍ପୁରମରେ ପାଲେଷ୍ଟାଇନ ସମର୍ଥନରେ ରାଲି ବାହାରିଛି  ।  ରାଲିରେ ହମାସ ନେତା ଖାଲିଦ ମଶାଲକୁ ଭର୍ଚୁଆଲରେ ରଖିବା ପରେ ବିବାଦ ଆରମ୍ଭ ହୋଇଛି  । ଏହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି  । ହମାସ ନେତା ଖାଲିଦ ମସେଲ ମଲ୍ଲପୁରମରେ ଆୟୋଜିତ ଯୁବ ପ୍ରତିରୋଧ ରାଲିରେ ଭର୍ଚୁଆଲରେ ଯୋଡି ହୋଇଥିଲେ  । ସେହିପରି ରାଲିରେ ବୁଲଡୋଜରରେ ହିନ୍ଦୁତ୍ବ ଓ ବହୁରୂପୀ ଇହୁଦୀବାଦକୁ ଓପାଡି ଫୋପାଡିବା ପାଇଁ ନାରା ଦିଆଯାଇଥିଲା  ।

ଏହା ପୂର୍ବରୁ ବି କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ମୁଖ୍ୟ ସହଯୋଗୀ IUML ଗାଜାରେ ମହିଳା ଓ ଶିଶୁଙ୍କ ସମେତ ନାଗରିକଙ୍କ ହତ୍ୟାକୁ ନିନ୍ଦା କରି ଉତ୍ତର କୋଝିକୋଡରେ ଏକ ବିଶାଳ କାଲିର ଆୟୋଜନ କରିଥିଲା  । ହଜାର ହଜାର ସଂଖ୍ୟାରେ IUML ସମର୍ଥକ ପାଲେଷ୍ଟାଇନ ଏକଜୁଟ ମାନବାଧିକାର ରାଲିରେ ଭାଗ ନେଇଥିଲେ  ।

ଏହି ରାଲିରେ କଂଗ୍ରେସ ନେତା ଶଶୀ ଥରୁର ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ଘୃଣ୍ୟ କହିଥିଲେ  । ଯାହା ପରେ ଥରୁରଙ୍କୁ ସମାଲୋଚନା କରିଥିଲା ସଙ୍ଗଠନ  । କେରଳରେ ମୁସଲିମ ସଙ୍ଗଠନଙ୍କ ପାଇଁ କାମ କରୁଥିବା ଏମଇଏମ ଅକ୍ଟୋବର ୩୦ରେ ହେବାକୁ ଥିବା ରାଲିରେ ଶଶୀ ଥରୁରଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛି  ।

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ

କଟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ବରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସାଟାୟର ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ ।

ଲେ ଲୋ ବିନା ଟିକେ ପଛକୁ ଅନା ଠାରୁ ଆରମ୍ଭ କରି.. .. ଏ ଉପରବାଲା ଦୁନିଆ ଯେବେ ତିଆରି କଲା ପର୍ଯ୍ୟନ୍ତ ଅନେକ ବ୍ୟାଙ୍ଗାତ୍ମକ ଗୀତ ପ୍ରସ୍ତୁତ କରି ପ୍ରସିଦ୍ଧି ହାସଲ କରିଥିଲେ । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

ମୁକେଶ ଅମ୍ବାନୀଙ୍କୁ ଇମେଲ୍‌ରେ ଆସିଲା ହତ୍ୟା ଧମକ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ଇମେଲ୍ ଯୋଗେ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଜଣାପଡିଛି। ଧମକ ଦେଇଥିବା ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ଦେବାକୁ ଦାବି କରିଛି । ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛି ସମ୍ପୃକ୍ତ ବ୍ୟକ୍ତି ।

ଗତକାଲି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ଇମେଲ୍ ଆଇଡିରେ ସମ୍ପୃକ୍ତ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇଛି। ଏହି ଇମେଲ ଆସିବା ପରେ ମୁକେଶ ଅମ୍ବାନୀଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ମୁମ୍ବାଇର ଗାମଦେବୀ ଥାନାରେ ଅଭିଯୋଗ କରିଛନ୍ତି।

ଇମେଲ ପଠାଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ୧୮୭ ଏବଂ ୩୨୦ ଧାରାରେ ମାମଲା ରୁଜୁ ହୋଇଛି । ଏଫଆଇଆରକୁ ନେଇ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।

ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ବର: ଆଜି ମା ଗଜଲକ୍ଷ୍ମୀଙ୍କ ପୂଜା । ରଙ୍ଗୀନ ସାଜସଜ୍ଜା ସାଙ୍ଗକୁ ଭକ୍ତିମୟ ପରିବେଶ । ମାଆ ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା ଗଜଲକ୍ଷ୍ମୀ। ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଧି ମୁତାବକ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି ।

ରୀତିନୀତି ଅନୁସାରେ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଓ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପୂଜା କମିଟି ପକ୍ଷରୁ ମାଆଙ୍କ ନିକଟରେ ଖେଚୁଡ଼ି, ପଣା, ଖିରି ଓ ପୁରୀ ଆଦି ଭୋଗ ଲାଗି କରାଯାଇଥିଲା ।ଗଜଲକ୍ଷ୍ମୀ ପୂଜା ଲାଗି ଭୁବନେଶ୍ବରରେ କମିଶନରରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ଛକରେ ମୁତୟନ ହୋଇଛନ୍ତି ୨୭ ପ୍ଲାଟୁନ ଫୋର୍ସ।

କ୍ରାଉଡ କଣ୍ଟ୍ରୋଲ ଓ ଟ୍ରାଫିକ ମ୍ୟାନେଜମେଣ୍ଟକୁ କମିଶନରେଟ ପୋଲିସ ଅଧିକ ଗୁରୁତ୍ବ ଦେଉଛି । ନିର୍ଦ୍ଦିଷ୍ଟ ସମୟ ସୀମା ବାହାରେ ବଜାଇ ପାରିବେନି ଲାଉଡ ସ୍ପିକର । ଡିଜେ ବଜାଇବା ଉପରେ ମଧ୍ୟ ରହିବ କଡ଼ା ନଜର। ପାର୍କିଂ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ନେବେ ସ୍ବରୁପ ନାୟକ

କଟକ: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ବରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସାଟାୟର ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ ।

ଲେ ଲେ ନବିନା ଟିକେ ପଛକୁ ଅନା ଠାରୁ ଆରମ୍ଭ କରି.. .. ଏ ଉପରବାଲା ଦୁନିଆ ଯେବେ ତିଆରି କଲା ପର୍ଯ୍ୟନ୍ତ ଅନେକ ବ୍ୟାଙ୍ଗାତ୍ମକ ଗୀତ ପ୍ରସ୍ତୁତ କରି ପ୍ରସିଦ୍ଧି ହାସଲ କରିଥିଲେ । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଗାଜା ସୀମା ମଧ୍ୟକୁ ପଶି ଆତଙ୍କୀ ଶିବିରକୁ ନଷ୍ଟ କରୁଛି ଇସ୍ରାଏଲୀ ଟ୍ୟାଙ୍କ୍

ଗାଜା: ଗାଜା-ଇସ୍ରାଏଲ ଯୁଦ୍ଧର ଆଜି ୨୨ତମ ଦିନ । ଘମାଘୋଟ ଲଢେଇ ମଧ୍ୟରେ ଗାଜା ସୀମା ମଧ୍ୟକୁ ପଶି ଛାନଭିନ କରୁଛି ଇସ୍ରାଏଲି ସେନାର ଟ୍ୟାଙ୍କ୍ । ଆତଙ୍କୀ ଶିବିରକୁ ଠାବ କରି ଗୋଟି ଗୋଟି କରି ନଷ୍ଟ କରୁଛନ୍ତି । ବାୟୁସେନାର ସହାୟତାରେ ଆତଙ୍କୀଙ୍କ ଅନେକ ଶିବିରକୁ ଧ୍ବଂସ କରିଛି ଇସ୍ରାଏଲ ଟ୍ଯାଙ୍କ। ଆଗକୁ ଇସ୍ରାଏଲ ସେନା ପକ୍ଷରୁ ସ୍ଥଳଭାଗରେ ଆକ୍ରମଣ ଯୋଜନା ରହିଛି ।

ସେପଟେ ସିରିଆସ୍ଥିତ ଇରାନର ଦୁଇଟି ସାମରିକ ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଛି ଆମେରିକା। ସିରିଆ ସ୍ଥିତ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇରଜିସିର ଦୁଇଟି ଟାର୍ଗେଟ ଉପରେ ହମଲା କରିଥିଲା ଆମେରିକା ସେନା। ତେଣେ ସ୍ଥିତି ନିୟନ୍ତ୍ରଣ ଲାଗି ମଧ୍ୟପ୍ରାଚ୍ୟ ଅଭିମୁଖେ ଯାଇଛନ୍ତି ୯୦୦ରୁ ଅଧିକ ଆମେରିକୀୟ ସୈନ୍ୟ । ଇରାନ ସମର୍ଥିତ ସଂଗଠନ ଦ୍ବାରା ଆକ୍ରମଣ ହେବା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ଆମେରିକା ।

ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାର ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ସେମାନଙ୍କ ମଧ୍ୟରେ ୨ ହଜାର ୯ଶହ ନାବାଳକ ଥିବାବେଳେ ୧୫ଶହ ମହିଳା ଅଛନ୍ତି । ହମାସ ନିକଟରେ ଏବେବି ୨୨୯ ପଣବନ୍ଦୀ ଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଗ୍ରାଉଣ୍ଡ ଅପରେସନ ବିଳମ୍ବ କରିବାକୁ ଆମେରିକା ଇସ୍ରାଏଲକୁ କହି ଆସୁଛି ।

ସେପଟେ ରୁଷିଆ ମସ୍କୋରେ ହମାସ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଇରାନର ଉପବୈଦେଶିକ ମନ୍ତ୍ରୀ ଅଲି ବଘେରି କାନି।ଏସବୁ ଭିତରେ ଭାରତ ମହାସାଗରରେ ଚୀନ ଓ ପାକିସ୍ତାନ ନୌବାହିନୀ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି । ଭାରତୀୟ ନୌବାହିନୀ ଚୀନର ଯୁଦ୍ଧ ଜାହାଜ ଉପରେ ସତର୍କ ଦୃଷ୍ଟି ରଖିଛି।

ଚନ୍ଦ୍ରଗ୍ରହଣ ପଡିଥିବାରୁ ସାମାନ୍ୟ ଫିକା ପଡିଛି କୁମାର ପୂର୍ଣ୍ଣିମା ଉତ୍ସବ

ଭୁବନେଶ୍ବର: ଆଜି କୁମାର ପୂର୍ଣ୍ଣିମା। କୁମାର ଓ କୁମାରୀ ମାନଙ୍କ ଲାଗି ପର୍ବ। ଆଜିର ଦିନରେ ଚନ୍ଦ୍ରକୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି। କୁମାରୀ ମାନେ ଚନ୍ଦ୍ରକୁ ବନ୍ଦାପନା କରି କରି ପୂଜାର୍ଚ୍ଚନା କରିଥାନ୍ତି। ନୂଆ ପୋଷାକ ପିନ୍ଧି କୁମାରୀମାନେ ଉତ୍ସବ ପାଳନ କରିଥାନ୍ତି।

ଏହି ଅବସରରେ ଘରେ ଘରେ ପିଠା ପଣା ପ୍ରସ୍ତୁତିର ପରମ୍ପରା ରହିଛି । ତେବେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏହାକୁ ନେଇ ସମୟ ଅନୁସାରେ ସମସ୍ତ ପରମ୍ପରା ପାଳନ କରାଯିବ । ଚନ୍ଦ୍ରଗ୍ରହଣ ପଡିଥିବାରୁ ସାମାନ୍ୟ ଫିକା ପଡିଛି କୁମାର ପୂର୍ଣ୍ଣିମା ଉତ୍ସବ।

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ପ୍ରଥମ ସମୀକ୍ଷା କଲେ ଭିକେ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବାହାରକୁ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟର ତଦାରଖ କରିଥିଲେ ।

ଏଥିସହ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓବିସିସି ଓ ଟାଟା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଐତିହ୍ୟ କରିଡର କାର୍ଯ୍ୟକୁ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ପୁରୀ ଗସ୍ତ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର 15 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି  । ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି  ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ landscaping କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି  ।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ utilities ଗୁଡିକ ର ସ୍ଥାନାନ୍ତର ,ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ  ।
ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତିର ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ  ।

ଏଥିପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ,SP OBCC MD ଉପସ୍ଥିତ ଥିଲେ ।