ଖାଉଛନ୍ତି କି ଏହି ପେନକିଲର, ତେବେ ହୋଇଯାଆନ୍ତୁ ସାବଧାନ

ନନ୍ଦିଘୋଷ ବ୍ୟୁରୋ: ଆପଣଙ୍କର ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି କି? ତେବେ ସାବଧାନ । ଖାଆନ୍ତୁନାହିଁ ପେନକିଲର ମେଫଟାଲ । ମେଫଟାଲର ସାଇଡ ଇଫେକ୍ଟ ରହିଥିବା ନେଇ କରାଯାଇଛି ସତର୍କତା । ଏପରିକି ମହିଳାଙ୍କ ମାସିକ ଋତୁସ୍ରାବଜନିତ ଯନ୍ତ୍ରଣା ସମୟରେ ବି ଏହି ପେନକିଲର ମହିଳାମାନେ ଖାଉଥିବାରୁ ଏହାକୁ ନେଇ ବଢିଛି ଚିନ୍ତା । ସାରା ଭାରତରେ ମେଫଟାଲର ବ୍ୟାପକ ବ୍ୟବହାର ହେଉଥିବାବେଳେ ଡାକ୍ତରମାନେ ବି ଅଧିକାଂଶ ସମୟରେ ଏହାକୁ ପ୍ରେସକ୍ରାଇବ କରିବା ଦେଖାଯାଉଛି । ଇବୁପ୍ରୋଫେନ ଓ ନାପ୍ରୋକ୍ସେନ ସମେତ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲେମେଟୋରୀ ଡ୍ରଗସ ବା ଏନଏସଏଆଇଡିର ପାର୍ଶ୍ବ ପ୍ରତିକ୍ରିୟା ଭାବେ ଡ୍ରେସ ସିଣ୍ଡ୍ରୋମ ପ୍ରକାଶ ପାଇଥାଏ ।

୧୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ବି ଏହି ପେନକିଲର ଜୀବନ ନେବାକୁ ସକ୍ଷମ ହୋଇଥାଏ । ମେଫଟାଲ ବ୍ରାଣ୍ଡରେ ପେନକିଲର ମେଫନାମିକ ଏସିଡ ବିକ୍ରି ହେଉଥିବାରୁ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା ଆଇପିସି । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ବିଭିନ୍ନ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଫାର୍ମକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ପକ୍ଷରୁ କୁହାଯାଇଛି ମେଫଟାନିକ ଏସିଡ ଜରିଆରେ ଇସିନୋଫିଲିଆ ଓ ନାନାପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଥାଏ ଯାହାକୁ ଡ୍ରେସ ସିଣ୍ଡ୍ରୋମ କୁହାଯାଇଥାଏ ।

ବିନା ପ୍ରେସକ୍ରିପସନରେ ମେଫଟାଲ ବିକ୍ରି ହେଉ ନଥିଲେ ମଧ୍ୟ ଏହାକୁ ଭାରତୀୟମାନେ ବ୍ୟାପକ ଭାବେ ବ୍ୟବହାର କରିଥାନ୍ତି । ଏପରିକି ପିଲାଙ୍କ ଜ୍ବର କ୍ଷେତ୍ରରେ ଏହି ଔଷଧର ବିକ୍ରି ହେଉଥିବା ଦେଖାଯାଇଥାଏ । ବ୍ଲୁ କ୍ରସ ଲାବରେଟୋରୀର ମେଫଟାଲ, ମେନକାଇଣ୍ଡର ମଫକାଇଣ୍ଡ ପି, ଫାଇଜରର ପନଷ୍ଟାନ, ସେରମ ଇନଷ୍ଟିଚ୍ୟୁଟର ମେଫାନୋର୍ମ ଓ ଡକ୍ଟର ରେଡୀର ଇବୁସିଲନ ପି ଆଦି ମେଡିସିନକୁ ପେନକିଲର ଭାବେ ବ୍ୟବହାର କରାଯାଇଥାଏ । ଏହା ନାନା ପ୍ରକାର ଚର୍ମ ସଂକ୍ରମଣ ଓ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଙ୍କୁ ନଷ୍ଟ ବି କରିଦେଇଥାଏ ।