ଗାଜା ଇସ୍ରାଏଲ ଯୁଦ୍ଧକୁ ପୁରିଲା ଦୁଇ ମାସ, ଦୁଇ ଦେଶର ୧୬ ହଜାର ଲୋକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗାଜା ଇସ୍ରାଏଲ ଯୁଦ୍ଧକୁ ପୁରିଲା ଦୁଇ ମାସ । ଆଜିର ଦିନରେ ଇସ୍ରାଏଲ ଉପରେ ଆକ୍ରମଣ କରିଥଲା ହମାସ । ନରସଂଘାର ଘଟାଇ ନେଇଥିଲେ ୧୨ଶହରୁ ଅଧିକ ଲୋକଙ୍କ ଜୀବନ । ଏବେ ଏହି ଯୁଦ୍ଧକୁ ୬୦ ଦିନରୁ ଅଧିକ ଦିନ ବିତିଛି । ଦୁଇ ଦେଶର ୧୬ ହଜାରରୁ ଅଧିକ ଲୋକଙ୍କ ମତ୍ୟୁ ହେଲାଣି । ୪୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ହମାସ ଆକ୍ରମଣରେ ଇସ୍ରାଏଲର ୧୨ଶହ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗାଜା ଉପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ ।

ଗତ ଅକ୍ଟୋବର ୭ ତାରିଖରେ ଏ ଯୁଦ୍ଧ ଆରମ୍ଭ ହୋଇଥିଲା । ତେବେ ଯୁଦ୍ଧକୁ ନେଇ ଜାତିସଂଘ ଉପରେ ଅସନ୍ତୋଷ ପ୍ରକାଶ କରିଛି ଇସ୍ରାଏଲ । ହମାସ ଆତଙ୍କୀଙ୍କ ଉପରେ ଜାତିସଂଘ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛି । ହମାସକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ତୁରନ୍ତ ଯୁଦ୍ଧ ବିରତି କରିବାକୁ କହିଥିଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଆଣ୍ଟୋନିଓଙ୍କ ଏହି ମନ୍ତବ୍ୟ ପରେ ଇସ୍ରାଏଲ ଏହି ଅଭିଯୋଗ ଆଣିଛି । ଯୁଦ୍ଧ ଆରମ୍ଭ ପରେ ଗାଜାର ପ୍ରାୟ ୧୮ ଲକ୍ଷ ଲୋକ ଉତ୍ତର ଗାଜା ଅଂଚଳରୁ ପଳାୟନ କରିଛନ୍ତି ।

ଯୁଦ୍ଧ ପୀଡ଼ିତଙ୍କ ଲାଗି ମାନବୀୟ ସହାୟତା ପଠାଇବା ଜାରି ରଖଛି ଇସ୍ରାଏଲ । ପାଲେଷ୍ଟାଇନକୁ ଅଧିକ ପରିମାଣର ଇନ୍ଧନ ପଠାଇବା ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଗାଜାକୁ ପ୍ରତିଦିନ ୬୦ ହଜାର ଲିଟର ପାଣି ସହ ଅନ୍ୟ ଖାଦ୍ୟ ସାମଗ୍ରୀ ପଠାଇବାକୁ ଆମେରିକା କହି ଆସୁଛି । ସେପଟେ ଇସ୍ରାଏଲ ଯୁଦ୍ଧକୁ ନେଇ କଡ଼ା ଚେତାବନୀ ଦେଇଛି ତୁର୍କୀ । ତୁର୍କୀ ଅଂଚଳରେ ମଧ୍ୟ ହମାସ ଆତଙ୍କୀ ସକ୍ରିୟ ଥିବାରୁ ସେଠାରେ ମଧ୍ୟ ଇସ୍ରାଏଲ ହମଲା କରିବା ସମ୍ଭାବନା ରହିଛି । ତେବେ ତୁର୍କୀ ଉପରେ ଆକ୍ରମଣ କଲେ ଏହାର ପରିଣାମ ଭୟାବହ ହେବ ବୋଲି ଚେତାଇ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ଏର୍ଦୋଗନ ।