ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ ଓଡି଼ଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି । ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ଦେଢ ଗୁଣା କରିବାକୁ ସସ୍ମିତ ପୁଣି ଥରେ ଦାବି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦାବି କରିଆସିଛନ୍ତି । ଯାହାକୁ ଏଯାଏଁ କେନ୍ଦ୍ର କାର୍ଯ୍ୟକାରୀ କରୁନି ବୋଲି ସସ୍ମିତ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।
ଦିନେ ଥିଲେ ନକ୍ସଲ, ଏବେ ତେଲଙ୍ଗାନାର ମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନାର ରେବନ୍ତଙ୍କ ସରକାରରେ ଶପଥ ନେଇଛନ୍ତି ‘ଆଇରନ ଲେଡି’। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦନସାରୀ ଅନସୁୟା ସୀତାକ୍କା। ଦିନେ ଥିଲେ ନକ୍ସଲ ଏବେ ମନ୍ତ୍ରୀ। ତାଙ୍କ ଜୀବନର ସଂର୍ଘଷ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ ।
ତେଲଙ୍ଗାନାରେ ରେବନ୍ତରାଜ। ରେବନ୍ତଙ୍କ ସରକାରରେ ଆଉ ୧୧ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦଳରେ ଅଛନ୍ତି ଆଇରନ ଲେଡି ନାଁରେ ପରିଚିତ ଦନସାରୀ ଅନସୁୟା ସୀତାକ୍କା । ନାମ ଯେମିତି କାମ ବି ସେମିତି ଦମଦାର ରହିଛି । ଲୋକମାନେ ତାଙ୍କୁ ସ୍ନେହରେ ସୀତାକ୍କା ବୋଲି ଡାକିଥାନ୍ତି । ସେ ନକ୍ସଲରୁ କେମିତି ରାଜନୀତିକୁ ପ୍ରବେଶ କଲେ ଚାଲନ୍ତୁ ଜାଣିବା।
ସୀତାକ୍କାଙ୍କ ନାମ ପୂର୍ବରୁ ଦନସାରୀ ଅନସୁୟା ଥିଲା। ସେ ୱାରଙ୍ଗଲ ଜିଲ୍ଲାର ମୁଲୁଗ ମଣ୍ଡଳର ଜଗନ୍ନାଗୁଡେନର ବାସିନ୍ଦା । ସୀତାକ୍କା ଏକ ସରକାରୀ ଆଦିବାସୀ ହଷ୍ଟେଲରେ ରହି ଅଧ୍ୟୟନ କରୁଥିଲେ। ତାଙ୍କ ଛାତ୍ର ଜୀବନ ସଂଘର୍ଷମୟ ଥିଲା । ସେ ସମୟରେ ହଷ୍ଟେଲରେ ଉପଯୁକ୍ତ ଖାଦ୍ୟ ମିଳୁନଥିଲା। ଏହା ବିରୋଧରେ ସେ ସହପାଠୀ ଛାତ୍ରୀଙ୍କୁ ଏକାଠି କରି ବିରୋଧ ଆରମ୍ଭ କରିଥିଲେ ।
ସୀତାକ୍କାଙ୍କ ଭାଇ ସ୍ୟାମ୍ବାୟା ଜଣେ ନକ୍ସଲ ଥିଲେ। ପୋଲିସ ଏନକାଉଣ୍ଟରରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ସେ ୧୯୮୪ ମସିହାରେ ମାତ୍ର ୧୪ ବର୍ଷ ବୟସରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ। ତଥାପି ସେ ଅଧ୍ୟୟନ ଛାଡି ନଥିଲେ। ୧୫ ବର୍ଷରୁ ଅଧିକ ସମୟ ଧରି ସୀତାକ୍କା ଜଙ୍ଗଲରେ ବିତାଇଛନ୍ତି। କିନ୍ତୁ ତାଙ୍କ ଅଧ୍ଯୟନ ଜାରି ରଖିଥିଲେ। ହଠାତ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସଂସ୍ପର୍ଶରେ ଆସିଥିଲେ ସୀତାକ୍କା । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ କଥାରେ ମୁଖ୍ୟ ଧାରାରେ ସାମିଲ ହୋଇଥିଲେ ।
ଆତ୍ମସମର୍ପଣ କରିବା ପରେ ସୀତାକ୍କା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ତେଣୁ ଧିରେ ଧିରେ ସେ ଆଦିବାସୀ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ। ୨୦୦୯ ମସିହାରେ ଟିଡିପି ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେ ମୁଲୁଗ ଆସନରୁ ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ। ହେଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଭାଙ୍ଗି ଦୁଇଟି ରାଜ୍ୟ ହୋଇଥିଲା ଓ ମୁଲୁଗ ଆସନଟି ତେଲେଙ୍ଗାନା ରାଜ୍ୟରେ ପଡିଥିଲା।
ଏହାପରେ ସୀତାକ୍କା ଟିଡିପି ଛାଡି ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ସେ ପୁନର୍ବାର କଂଗ୍ରେସରୁ ମୁଲୁଗ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କରୋନା ସମୟରେ, ଯେତେବେଳେ ସମସ୍ତେ ନିଜ ଘରେ ରହୁଥିଲେ, ସେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ବୁଲୁଥିଲେ । ଏହାସହ ଅନେକ ଲୋକଙ୍କୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦେଉଥିଲେ।
ଏଥର ନିର୍ବାଚନରେ ବିଜୟୀ ହୋଇ ସୀତାକ୍କା ହାଟ୍ରିକ କରିଛନ୍ତି। ଗୋଟିଏ ପଟେ ରେବାନ୍ତ ରେଡ୍ଡୀଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡରେ ସୀତାକ୍କା ମଧ୍ୟ ଥିଲେ। ହେଲେ ଆଜି ସେ ତେଲେଙ୍ଗାନା କ୍ୟାବିନେଟର ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାର୍ବଜନୀକ ଜୀବନର ବ୍ୟସ୍ତତା ମଧ୍ୟରେ ସୀତାକ୍କା ପାଠ ପଢା ଛାଡିନାହାଁନ୍ତି । ସେ ୨୦୨୨ ରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସୀତାକ୍କାଙ୍କ ପାଖରେ ମୋଟ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।
ପୁଣି ହସିବ ଶିଳ୍ପ ନଗରୀ ଚୌଦ୍ବାର, ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହେବ ନୂଆ ଶିଳ୍ପ
କଟକ : ପୁଣି ହସିବ ଶିଳ୍ପ ନଗରୀ ଚୌଦ୍ବାର । ପୂର୍ବ ସ୍ଥିତିକୁ ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ବପ୍ନର ନଗରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ଉଦ୍ୟମ। ୩ହଜାର କୋଟି ନିବେଶ କରିବ ଓ୍ବେଲ୍ ସ୍ପନ୍ କମ୍ପାନୀ। ସ୍ବାଧୀନ ପୂର୍ବ ଭାରତର କମ୍ପାନୀ ହେଉଛି ଓଡ଼ିଆ ଟେକ୍ସଟାଇଲ ମିଲ୍। ଇଂରେଜ ଶାସନକାଳରେ ୧୯୪୬ ମସିହା ଓଟିମକୁ ସ୍ଥାପନ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଯାହାର ଉତ୍ପାଦନ ୧୯୫୦ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ୧୯୮୦ ଦଶକରେ ଓଟିମ୍ ସରକାରଙ୍କ ଅଧିନକୁ ଆସିଥିଲା । ଦୀର୍ଘ ବର୍ଷ ଚାଲିବା ପରେ ଏହି କାରଖାନା ୨୦୦୧ ଜୁଲାଇ ୩୧ ବିଧିବଦ୍ଧ ଭାବେ ବନ୍ଦ ହୋଇଯାଇଛି । କମ୍ପାନୀ ବନ୍ଦ ହେବା ପରେ ୪୦ ହଜାର ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ରୋଜଗାର ହରାଇଥିଲେ। କିନ୍ତୁ ପୁଣି ଏହି ଶିଳ୍ପ ନଗରୀକୁ ଫେରିଛି ଶିଳ୍ପ। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ସମ୍ଭବ ହୋଇପାରିଛି ।
ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ପୁଣି ଚୌଦ୍ବାରରେ ୩ ହଜାର କୋଟି ନିବେଶ କରିବାକୁ ଯାଉଛି ଓ୍ବେଲ୍ ସ୍ପନ୍ କମ୍ପାନୀ । ନୂତନ ଶିଳ୍ପ ପ୍ରତିଷ୍ଠା ନେଇ କ୍ୟାବିନେଟରେ ମଞ୍ଜୁରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଚୌଦ୍ବାରବାସୀ। ଏସିଆ ମହାଦେଶର ସର୍ବବୃହତ୍ତ କପଡା କାରଖାନା ଏବେ ପୁନଃଜୀବିତ ହେବ। ୫୦ ଦଶକରେ ଏହି କମ୍ପାନୀରେ ମୋଟ ୯ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଟୋ ମେସିନ୍ ହେବା ପରେ ଶ୍ରମିକଙ୍କ ସଂଖ୍ୟା ୪ ହଜାର ଥିଲା। ଏହି କମ୍ପାନୀର ୬୦ ପ୍ରତିଶତ ମାଲ୍ ବିଦେଶକୁ ରପ୍ତାନି ହେଉଥିବା ବେଳେ ରାଜ୍ୟର ଏକ ପ୍ରମୁଖ ଶିଳ୍ପାନୁଷ୍ଠାନର ମାନ୍ୟତା ପାଇଥିଲା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଚୌଦ୍ବାର ଗସ୍ତ ସମୟରେ ସ୍ଥାନୀୟ ଲୋକ, ପ୍ରତିନିଧି ସମସ୍ୟା ବିଷୟରେ ଅବଗତ କରାଇଥିଲେ । କ୍ୟାବିନେଟ୍ ସ୍ତରରେ ଆଲୋଚନା ପରେ ଚୌଦ୍ୱାରରେ ପୁଣି ନୂତନ ଶିଳ୍ପକୁ ନେଇ ଆଶା ସଞ୍ଚାର ହୋଇଛି ।
କମିଶନରେଟ ପୋଲିସକୁ ବଡ଼ ସଫଳତା, ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ
ଭୁବନେଶ୍ବର : ୨୦୨୩ରେ କମିଶନରେଟ ପୋଲିସକୁ ବଡ଼ ସଫଳତା । ଦୋଷୀ ସାବ୍ୟସ୍ତରେ ସର୍ବକାଳୀନ ରେକର୍ଡ କରିଛି କମିଶନରେଟ ପୋଲିସ। ସାକ୍ଷୀ ସୁରକ୍ଷା, ଉଚ୍ଚକୋଟୀର ତଦନ୍ତ, ଉତ୍ତମ ଜ୍ଞାନ କୌଶଳକୁ ଡିସିପି ଗୁରୁତ୍ୱ ଦେଉଥିବା ବେଳେ ଟୁଇନସିଟିରେ ୧୦୯ ମାମଲାରେ ଦଣ୍ଡବିଧାନ ହୋଇଛି ।
ଟୁଇନସିଟିରେ ଦଣ୍ଡବିଧାନ ହାର ବଢ଼ିଲା ୬୨୫ ପ୍ରତିଶତ। ଡିସେମ୍ବର ୧ ସୁଦ୍ଧା ୧୦୯ ମାମଲାର ସରିଲା ଦଣ୍ଡ ବିଧାନ। ଭୁବନେଶ୍ବରରେ ୬୩, କଟକରେ ୪୬ଟି ମାମଲାରେ ଦଣ୍ଡବିଧାନ। ତ୍ୱରିତ ତଦନ୍ତ, ସଠିକ ସମୟରେ ଚାର୍ଜସିଟ ଦାଖଲ ଯୋଗୁଁ ଅପରାଧୀଙ୍କ ସଜା ହାର ବଢିଛି। ଦ୍ବୈତ ନଗରୀରେ ୨୦୨୩ ମସିହାରେ ୧୦୯ ମାମଲାରେ ଦଣ୍ଡବିଧାନ ହୋଇଛି । ଭୁବନେଶ୍ବରରେ ୬୩ ଓ କଟକରେ ୪୬ ଟି ମାମଲାର ଶୁଣାଣି ହୋଇଛି । ୪ଟି ହତ୍ୟା, ୨ ଟି ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ପୋଲିସ ସଜା ଶୁଣାଇଛି । ହତ୍ୟା ମାମଲାରେ ରାମମୂର୍ତ୍ତି ଗାମାଙ୍ଗଙ୍କୁ ସଜା ହୋଇଛି। ଆନ୍ତଃରାଜ୍ୟ ଇରାନୀ ଗ୍ୟାଙ୍ଗ, ବାଓ୍ବରିଆ ଗ୍ୟାଙ୍ଗ, ଗାଡି କାଚ ଭାଙ୍ଗି ଲୁଟୁଥିବା ଗ୍ୟାଙ୍ଗକୁ ସଜା ଶୁଣାଯାଇଛି । ଆଉ କିଛି ବଡ଼ ଧରଣର ଅପରାଧିକ ମାମଲାର ଶୁଣାଣି ପ୍ରକ୍ରିୟା ଅଦାଲତରେ ଚାଲୁ ଥିବା କହିଛନ୍ତି ଡିସିପି।
ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ତଦନ୍ତକାରୀ ଅଧିକାରୀ, ସରକାରୀ ଆଇନଜୀବୀ, ସାକ୍ଷୀମାନଙ୍କ ସହ ସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଇଛି। ସଠିକ ପ୍ରମାଣ ସଂଗ୍ରହ ଓ କୋର୍ଟରେ ଚାର୍ଜସିଟ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କ ଫୋକସ ରହୁଛି। କୋର୍ଟରେ ଟ୍ରାଏଲ ଉପରେ ନଜର ରଖିବା ଓ ଆବଶ୍ୟକୀୟ ନଥିପତ୍ରର ବ୍ୟବସ୍ଥା ପାଇଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। କେବଳ କ୍ରାଇମ ଡିଟେକ୍ସନ ନୁହେଁ, ବରଂ ଏଭିକ୍ସନକୁ ଗୁରୁତ୍ୱ ଯୋଗୁ ପେଶାଦାର ଅପରାଧୀଙ୍କ କାର୍ଯ୍ୟକଳାପ କମୁଥିବା ଦେଖାଯାଉଛି ।
ଜମୁଛି ରାଜ୍ୟ ସ୍ତରୀୟ ପୁସ୍ତକମେଳା ‘ଅକ୍ଷର’
ଭୁବନେଶ୍ବର : ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, କବିତା ଓ ସଂସ୍କୃତିର ମହାସଙ୍ଗମ। ଗୋଟିଏ ସ୍ଥାନରେ ମିଳୁଛି ପାଠକଙ୍କ ସମସ୍ତ ପସନ୍ଦ । ମନ ମୋହୁଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା ଅକ୍ଷର। ଉତ୍କଳ ପବ୍ଲିସର୍ସ ଆଣ୍ଡ ବୁକସେଲର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ପଞ୍ଚମ ରାଜ୍ୟସ୍ତରୀୟ ପୁସ୍ତକମେଳା ଅକ୍ଷର। ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ, ପିଲାଙ୍କ ବହି, ଉପନ୍ୟାସ, ଗଳ୍ପ, କବିତା ଓ ଅନେକ ଶିକ୍ଷଣୀୟ ପୁସ୍ତକ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇଛି । ପ୍ରତିଦିନ ଜମୁଛି ଲେଖକ ଓ ପ୍ରକାଶକଙ୍କ ଆସର। ଦେଶ ବିଦେଶର ଲେଖକ ବି ମେଳାରେ ହେଉଛନ୍ତି ସାମିଲ । ଡିଜିଟାଇଲେଜସନ ଯୁଗରେ ଯେତେ ଇ-ବୁକ ମିଳୁଥିଲେ ବି କିନ୍ତୁ ବହି ପଢିବା ଓ ଜ୍ଞାନ ଆହରଣ କରିବାର ମଜା ସବୁବେଳେ ନିଆର ବୋଲି କହିଛନ୍ତି ଲେଖକ ଓ ପାଠକ ।
ବହି କଥା କୁହେ। ବହିରେ ରହିଛି ଭାଷାର ଆତ୍ମା। ତେଣୁ ପୁସ୍ତକକୁ ବନ୍ଧୁ କଲେ ମଣିଷର ଅନ୍ତର୍ନିହିତ ଜ୍ଞାନର ବିକାଶ ହୁଏ ବୋଲି କହିଛନ୍ତି ରଚୟିତା । ମେଳାରେ ୫୨୭ ଟି ଷ୍ଟଲରେ ମିଳୁଛି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ଓଡ଼ିଆ ଭାଷାର ସବୁ ବହି । ଗୀତା ଭାଗବତ ଠାରୁ ଆରମ୍ଭ କରି ପ୍ରବାଦ ପୁରୁଷଙ୍କ ବହି ମଧ୍ୟ ମେଳାରେ ବିକ୍ରି ହେଉଛି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୦ ତାରିଖରେ ଶେଷ ହେବ।
ପୂନଃଉଦ୍ଧାର ହେବ କୋଟପାଡ଼ର ଗଙ୍ଗା ଦମୟନ୍ତୀ ସାଗର
କୋରାପୁଟ : କଥା ଦେଇ କଥା ରଖିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୋରାପୁଟ ଜିଲ୍ଲା କୋଟପାଡ ସହରର ଜୀବନ ରେଖା ତଥା ଜଳଉତ୍ସ ଦମୟନ୍ତୀ ସାଗରର ପୂନଃଉଦ୍ଧାର। ପୁନଃଉଦ୍ଧାର ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ଏନେଇ ଅଞ୍ଚଳେର ଉତ୍ସାହ ପ୍ରକାଶ ପାଇଛି ।
କୋରାପୁଟ ଜିଲ୍ଲାର ୧୨୦ ଏକର ବିଶିଷ୍ଟ ଐତିହ ଦମୟନ୍ତୀ ସାଗର ବହୁ ଦିନ ହେଲା ମାଟି ପୋତି ହୋଇ ତାର ସୌନ୍ଦର୍ଯ୍ୟ ହରାଇ ବସିଥିଲା। କୋଟପାଡ ଗ୍ରସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜନସାଧାରଣ। ଏବେ ଆର୍ଥୀକ ସହାୟତାରେ ନୂଆରୂପ ନେବାକୁ ଯାଉଛି କୋଟପାଡ଼ର ଲାଇଫଲାଇନ୍। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଜଣାଛନ୍ତି ବିଧାୟିକା ଓ ଅଞ୍ଚଳବାସୀ ।
ଡିପିଆର ପ୍ରସ୍ତୁତି ସହ ଅର୍ଥ ମଞ୍ଜୁର କରି ନିଜ ପ୍ରତିଶ୍ରୁତି ପୁରଣ ସହ କୋଟପାଡ ବାସୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଦମୟନ୍ତୀ ସାଗରର ବର୍ତ୍ତମାନ ପାଖାପାଖି ୭୦ ଏକରର ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଏହାର ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ। ଏନେଇ ସହରର ସମସ୍ତ SHG ଏବଂକୋଟପାଡ ବୁଦ୍ଧିଜୀବୀମାନେ କୃତଜ୍ଞତା ଜଣାଇଛନ୍ତି ।

