ଦିନେ ଥିଲେ ନକ୍ସଲ, ଏବେ ତେଲଙ୍ଗାନାର ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନାର ରେବନ୍ତଙ୍କ ସରକାରରେ ଶପଥ ନେଇଛନ୍ତି ‘ଆଇରନ ଲେଡି’। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦନସାରୀ ଅନସୁୟା ସୀତାକ୍କା। ଦିନେ ଥିଲେ ନକ୍ସଲ ଏବେ ମନ୍ତ୍ରୀ। ତାଙ୍କ ଜୀବନର ସଂର୍ଘଷ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ ।

ତେଲଙ୍ଗାନାରେ ରେବନ୍ତରାଜ। ରେବନ୍ତଙ୍କ ସରକାରରେ ଆଉ ୧୧ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦଳରେ ଅଛନ୍ତି ଆଇରନ ଲେଡି ନାଁରେ ପରିଚିତ ଦନସାରୀ ଅନସୁୟା ସୀତାକ୍କା । ନାମ ଯେମିତି କାମ ବି ସେମିତି ଦମଦାର ରହିଛି । ଲୋକମାନେ ତାଙ୍କୁ ସ୍ନେହରେ ସୀତାକ୍କା ବୋଲି ଡାକିଥାନ୍ତି । ସେ ନକ୍ସଲରୁ କେମିତି ରାଜନୀତିକୁ ପ୍ରବେଶ କଲେ ଚାଲନ୍ତୁ ଜାଣିବା।

ସୀତାକ୍କାଙ୍କ ନାମ ପୂର୍ବରୁ ଦନସାରୀ ଅନସୁୟା ଥିଲା। ସେ ୱାରଙ୍ଗଲ ଜିଲ୍ଲାର ମୁଲୁଗ ମଣ୍ଡଳର ଜଗନ୍ନାଗୁଡେନର ବାସିନ୍ଦା । ସୀତାକ୍କା ଏକ ସରକାରୀ ଆଦିବାସୀ ହଷ୍ଟେଲରେ ରହି ଅଧ୍ୟୟନ କରୁଥିଲେ। ତାଙ୍କ ଛାତ୍ର ଜୀବନ ସଂଘର୍ଷମୟ ଥିଲା । ସେ ସମୟରେ ହଷ୍ଟେଲରେ ଉପଯୁକ୍ତ ଖାଦ୍ୟ ମିଳୁନଥିଲା। ଏହା ବିରୋଧରେ ସେ ସହପାଠୀ ଛାତ୍ରୀଙ୍କୁ ଏକାଠି କରି ବିରୋଧ ଆରମ୍ଭ କରିଥିଲେ ।

ସୀତାକ୍କାଙ୍କ ଭାଇ ସ୍ୟାମ୍ବାୟା ଜଣେ ନକ୍ସଲ ଥିଲେ। ପୋଲିସ ଏନକାଉଣ୍ଟରରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ସେ ୧୯୮୪ ମସିହାରେ ମାତ୍ର ୧୪ ବର୍ଷ ବୟସରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ। ତଥାପି ସେ ଅଧ୍ୟୟନ ଛାଡି ନଥିଲେ। ୧୫ ବର୍ଷରୁ ଅଧିକ ସମୟ ଧରି ସୀତାକ୍କା ଜଙ୍ଗଲରେ ବିତାଇଛନ୍ତି। କିନ୍ତୁ ତାଙ୍କ ଅଧ୍ଯୟନ ଜାରି ରଖିଥିଲେ। ହଠାତ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସଂସ୍ପର୍ଶରେ ଆସିଥିଲେ ସୀତାକ୍କା । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ କଥାରେ ମୁଖ୍ୟ ଧାରାରେ ସାମିଲ ହୋଇଥିଲେ ।

ଆତ୍ମସମର୍ପଣ କରିବା ପରେ ସୀତାକ୍କା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ତେଣୁ ଧିରେ ଧିରେ ସେ ଆଦିବାସୀ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ। ୨୦୦୯ ମସିହାରେ ଟିଡିପି ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେ ମୁଲୁଗ ଆସନରୁ ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ। ହେଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଭାଙ୍ଗି ଦୁଇଟି ରାଜ୍ୟ ହୋଇଥିଲା ଓ ମୁଲୁଗ ଆସନଟି ତେଲେଙ୍ଗାନା ରାଜ୍ୟରେ ପଡିଥିଲା।

ଏହାପରେ ସୀତାକ୍କା ଟିଡିପି ଛାଡି ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ​​ସେ ପୁନର୍ବାର କଂଗ୍ରେସରୁ ମୁଲୁଗ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କରୋନା ସମୟରେ, ଯେତେବେଳେ ସମସ୍ତେ ନିଜ ଘରେ ରହୁଥିଲେ, ସେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ବୁଲୁଥିଲେ । ଏହାସହ ଅନେକ ଲୋକଙ୍କୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦେଉଥିଲେ।

ଏଥର ନିର୍ବାଚନରେ ବିଜୟୀ ହୋଇ ସୀତାକ୍କା ହାଟ୍ରିକ କରିଛନ୍ତି। ଗୋଟିଏ ପଟେ ରେବାନ୍ତ ରେଡ୍ଡୀଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡରେ ସୀତାକ୍କା ମଧ୍ୟ ଥିଲେ। ହେଲେ ଆଜି ସେ ତେଲେଙ୍ଗାନା କ୍ୟାବିନେଟର ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାର୍ବଜନୀକ ଜୀବନର ବ୍ୟସ୍ତତା ମଧ୍ୟରେ ସୀତାକ୍କା ପାଠ ପଢା ଛାଡିନାହାଁନ୍ତି । ସେ ୨୦୨୨ ରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସୀତାକ୍କାଙ୍କ ପାଖରେ ମୋଟ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।