ଜମୁଛି ରାଜ୍ୟ ସ୍ତରୀୟ ପୁସ୍ତକମେଳା ‘ଅକ୍ଷର’

1 min read

ଭୁବନେଶ୍ବର : ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, କବିତା ଓ ସଂସ୍କୃତିର ମହାସଙ୍ଗମ। ଗୋଟିଏ ସ୍ଥାନରେ ମିଳୁଛି ପାଠକଙ୍କ ସମସ୍ତ ପସନ୍ଦ । ମନ ମୋହୁଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା ଅକ୍ଷର। ଉତ୍କଳ ପବ୍ଲିସର୍ସ ଆଣ୍ଡ ବୁକସେଲର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ପଞ୍ଚମ ରାଜ୍ୟସ୍ତରୀୟ ପୁସ୍ତକମେଳା ଅକ୍ଷର। ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ, ପିଲାଙ୍କ ବହି, ଉପନ୍ୟାସ, ଗଳ୍ପ, କବିତା ଓ ଅନେକ ଶିକ୍ଷଣୀୟ ପୁସ୍ତକ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇଛି । ପ୍ରତିଦିନ ଜମୁଛି ଲେଖକ ଓ ପ୍ରକାଶକଙ୍କ ଆସର। ଦେଶ ବିଦେଶର ଲେଖକ ବି ମେଳାରେ ହେଉଛନ୍ତି ସାମିଲ । ଡିଜିଟାଇଲେଜସନ ଯୁଗରେ ଯେତେ ଇ-ବୁକ ମିଳୁଥିଲେ ବି କିନ୍ତୁ ବହି ପଢିବା ଓ ଜ୍ଞାନ ଆହରଣ କରିବାର ମଜା ସବୁବେଳେ ନିଆର ବୋଲି କହିଛନ୍ତି ଲେଖକ ଓ ପାଠକ ।

ବହି କଥା କୁହେ। ବହିରେ ରହିଛି ଭାଷାର ଆତ୍ମା। ତେଣୁ ପୁସ୍ତକକୁ ବନ୍ଧୁ କଲେ ମଣିଷର ଅନ୍ତର୍ନିହିତ ଜ୍ଞାନର ବିକାଶ ହୁଏ ବୋଲି କହିଛନ୍ତି ରଚୟିତା । ମେଳାରେ ୫୨୭ ଟି ଷ୍ଟଲରେ ମିଳୁଛି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ଓଡ଼ିଆ ଭାଷାର ସବୁ ବହି । ଗୀତା ଭାଗବତ ଠାରୁ ଆରମ୍ଭ କରି ପ୍ରବାଦ ପୁରୁଷଙ୍କ ବହି ମଧ୍ୟ ମେଳାରେ ବିକ୍ରି ହେଉଛି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୦ ତାରିଖରେ ଶେଷ ହେବ।