ଚାଷୀଙ୍କ ସ୍ବାର୍ଥ ପାଇଁ ଆଲେଖ୍ୟ ଜରିଆରେ ଦାବି ଜଣାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ ଓଡି଼ଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି । ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ଦେଢ ଗୁଣା କରିବାକୁ ସସ୍ମିତ ପୁଣି ଥରେ ଦାବି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦାବି କରିଆସିଛନ୍ତି । ଯାହାକୁ ଏଯାଏଁ କେନ୍ଦ୍ର କାର୍ଯ୍ୟକାରୀ କରୁନି ବୋଲି ସସ୍ମିତ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।