spot_img
Home Blog Page 2421

ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼

ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ ଭୋର ସାଢେ ୪ଟାରେ ଚାରିଘରିଆରେ ନିଜ ଘରେ ପୂର୍ବତନ ସିଡିଏମଓ ଥିବାବେଳେ ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ। ପରେ ରଘୁନାଥଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଛୁରାମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚୋରି ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଆସି ଛୁରାମାଡ କରିଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ, ରେଳ ଧାରଣା ଉ୍ଡ଼ାଇଲେ ନକ୍ସଲ

ଝାରଖଣ୍ଡ: ପୁଣି ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ଓଡ଼ିଶା ସୀମାନ୍ତ ଝାରଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଚାଇବାସା ଅଞ୍ଚଳରେ ରେଳ ଧାରଣା ଉ୍ଡ଼ାଇଲେ ନକ୍ସଲ। ମନୋହରପୁର ନିକଟ ବିରୁୱା ନିକଟରେ ଏହି ବିସ୍ଫୋରଣ ଘଟିଛି। ଟ୍ରାକରେ ବୋମା ବିସ୍ଫୋରଣ କରି ରେଳ ଧାରଣା ଉଡାଇ ଦେଇଛନ୍ତି ମାଓବାଦୀ।

ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥି୍ବା ଟ୍ରାକର ଅପରପକ୍ଷ ଟ୍ରାକରେ ଆସୁଥିବା ଏକ ମାଲଗାଡ଼ିର ସଦସ୍ୟ ଦେଖି ପାଖ ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ସେହି ଲାଇନରେ ଆସୁଥିବା ସମସ୍ତ ଟ୍ରେନକୁ ରୋକିଥିଲେ ଷ୍ଟେସନମାଷ୍ଟର। ରେଲୱେ ଟ୍ରାକରେ ବିସ୍ଫୋରଣ ଯୋଗୁଁ ପାଖାପାଖି ୨୨ଟି ଟ୍ରେନର ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇ-ହାୱାଡା ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଗୋଇଲକେରା ଏବଂ ପୋସୈତା ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଶାଲିମାର କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେ୍ସନରେ ଅଟକାଇ ଦିଆଯାଇଥିଲା ।

ଆଜି ସବୁଠୁ ଛୋଟ ଦିନ, ଆଜିଠୁ ହେବ ଅନେକ ପରିବର୍ତ୍ତନ

ଭୁବନେଶ୍ୱର: ଆଜି ସବୁଠୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହାବର୍ଷର “ସବୁଠାରୁ ଛୋଟ ଦିନ” ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠାରୁ  ଛୋଟ ଦିନରୁ ଉତ୍ତର ମେରୁରେ ଶୀତଦିନ ଆରମ୍ଭ ହୁଏ। ଫଳରେ ଦକ୍ଷିଣ ମେରୁରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ। ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ରହେ।

ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ  ବା ଏକା ଯାଗାରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ  ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନମାସ ୨୧ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ  ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରି ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

ଭୁବନେଶ୍ୱର ପାଇଁ ଚଳିତ ବର୍ଷ ଡିସେମ୍ବର ୨୨ ତାରିଖରେ ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ। ସେହିଭଳି ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। କିନ୍ତୁ ଭୁବନେଶ୍ୱରରେ ଡିସେମ୍ବର ୧୬ ରୁ ଡିସେମ୍ବର୨୮ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା୫ ମିନିଟ୍ ହୁଏ। ଡିସେମ୍ବର ୨୨ ତାରିଖରେ ସୁନ୍ଦରଗଡ ଓ ମାଲକାନଗିରିଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ।

ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼, ଶୂନ ଡିଗ୍ରୀରେ ଥରୁଛି ଶିମିଳିପାଳ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼। ୧୦ ଡିଗ୍ରୀ ତଳେ ଅଧାରୁ ଅଧିକ ସହରର ତାପମାତ୍ରା । କିଛି ସ୍ଥାନର ତାପମାତ୍ରା ୫ ଡିଗ୍ରୀ ତଳକୁ ମଧ୍ୟ ଖସିଛି। ଶୂନ ଡିଗ୍ରୀରେ ଥରୁଛି ଶିମିଳିପାଳ। ଶିମିଳିପାଳର ଉପରବାରାକାମୁଡାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚହଲାଠାରେ ତାପମାତ୍ରା ୩ ଡିଗ୍ରୀ ଥିବାବେଳେ ନଓ୍ବାଣାରେ ୬ଡିଗ୍ରୀ, ଗୁରୁଗୁରିଆରେ ୮, କିଆଝରି ଓ ବରେହିପାଣିରେ ୧୦ଡ଼ିଗ୍ରୀ ଓ ଯଶିପୁରଠାରେ ୧୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବିଶେଷକରି କନ୍ଧମାଳର ପୁଲବାଣୀ, ଜି.ଉଦୟଗିରି, ଦାରଙ୍ଗିବାଡ଼ି, କୋରାପୁଟର ସେମିଳିଗୁଡ଼ା, ସୁନ୍ଦରଗଡ଼ର କିରେଇ, କେନ୍ଦୁଝର, ସୁନ୍ଦରଗଡ଼, ବାରିପଦା ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ଅନ୍ୟପଟେ ଆଜି ପରଠୁ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇପାରନ୍ତି ରାଜ୍ୟବାସୀ। ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆଜି ପରେ କମିପାରେ। ଆସନ୍ତା ଦୁଇଦିନ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି। ଘନ କୁହୁଡି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ କୁହୁଡି ଅଧିକ ମାତ୍ରାରେ ରହିବ।

ସଂସଦରୁ ନିଲମ୍ବନ ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଆଉ ଚଳିବନି ତାନାଶାହୀ। ଗଣତନ୍ତ୍ରର କଣ୍ଠରୋଧକୁ କରାଯିବନି ବରଦାସ୍ତ। ଯୁକ୍ତିଯୁକ୍ତ ଓ ଯଥାର୍ଥ କାରଣକୁ ନେଇ ଦାବି ଉଠାଇବା ପଡୁଛି ମହଙ୍ଗା। ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦ ସରକାରଙ୍କ ବିବୃତି ଦାବି କରି ନିଲମ୍ବିତ ହେବା ପରେ ତାତିଛି ଇଣ୍ଡିଆ ମେଣ୍ଟ। ଆଜି ସାରା ଦେଶରେ ଇଣ୍ଡିଆ ମେ ଣ୍ଟ କରିବ ପ୍ରତିବାଦ। ସାଂସଦଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେବା ଲାଗି ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିରୋଧରେ ସାଂସଦ କରିବେ ଗର୍ଜନ। ଦେଶବ୍ୟାପୀ ବିରୋଧ କରିବାକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କରିଥିଲେ ଘୋଷଣା।

ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ୧୪୬ ସାଂସଦଙ୍କୁ କରାଯାଇଛି ସସପେଣ୍ଡ ।

ଆଜି ଯୋରନ୍ଦା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

ସେହିପରି ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ଯେପରିକି ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ଭିକ୍ଷା ମଣ୍ଡପ, ମୁଖ୍ୟ ନୀତି,  ପୂଜକ ଘର, ମୁଖ୍ୟ ନୀତି ସହ ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ଭିକ୍ଷା ମଣ୍ଡପ, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୁନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ।

 

କରୋନାକୁ ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏହାର ମୋଟ ୨୧ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ନୂଆ ଭ୍ୟାରିଆଣ୍ଟ ଯୋଗୁ ଫୁସଫୁସ ନୁହେଁ ପେଟରେ ସଂକ୍ରମଣ ହେଉଛି । ଏହା ଯୋଗୁ ଆକ୍ରାନ୍ତଙ୍କ ଠାରେ ଲୋକମାନେ ଗୁରୁତର ହଜମ ସମସ୍ୟା ଦେଖାଯାଉଛି। ତେବେ ଏପର୍ଯ୍ୟନ୍ତ ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ।
ଅଷ୍ଟ୍ରିଆ, ଜର୍ମାନୀ, ନେଦରଲାଣ୍ଡ, ସ୍ବିଜରଲାଣ୍ଡ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ପରୀକ୍ଷା ଦ୍ରୁତ ଗତିରେ ଜାରି ରହିଛି। ମେଲବୋର୍ନରେ

ଇନଫ୍ଲୁଏଞ୍ଜା ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହଯୋଗ କେନ୍ଦ୍ରର ଅନୁସନ୍ଧାନ ଏବଂ କେନ୍ଦ୍ରର ନିର୍ଦ୍ଦେଶକ କାନ୍ତା ସୁବାରାଭାନ କହିଛନ୍ତି, ଏହା ଆକ୍ରାନ୍ତଙ୍କ ହଜମ ପ୍ରକ୍ରିୟାରେ କୌଣସି କ୍ଷତି ଘଟାଉଛି କି ନାହିଁ ଆମେ ଶୀଘ୍ର ଅନୁସନ୍ଧାନ କରୁଛୁ। ସେହିଭଳି, ଆମେ ଓମିକ୍ରନ ଭ୍ୟାରିଆଣ୍ଟକୁ ମଧ୍ୟ ଅନୁସନ୍ଧାନ କରି ଠିକ ସମୟରେ ଚିହ୍ନଟ କରିଥିଲୁ। ଆମେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

ମେଲବୋର୍ନ ବିଶ୍ୱବିଦ୍ୟାଳୟର ପିଟର ଡୋହର୍ଟି ଇନଷ୍ଟିଚ୍ୟୁଟ ଫର ଇନଫେକ୍ସନ ଆଣ୍ଡ ଇମ୍ୟୁନିଟିର ମାଇକ୍ରୋବାୟୋଲୋଜି ଏବଂ ଇମ୍ୟୁନୋଲୋଜି ପ୍ରଫେସର ସୁବାରାଓ କହିଛନ୍ତି, ଜରୁରୀକାଳୀନ ୱାର୍ଡ ପରିଦର୍ଶନ ଏବଂ ଅନ୍ୟାନ୍ୟ ଚିକିତ୍ସା ତଥ୍ୟ ଦ୍ୱାରା ଏହି ନୂତନ ପ୍ରକାରର ଗମ୍ଭୀରତା ନିର୍ଣ୍ଣୟ କରାଯାଇଛି।ଏହା ରୋଗୀର ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଉଛି କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ କେତେକଙ୍କଠାରେ ସେଭଳି କିଛି ସମସ୍ୟା ପ୍ରକାଶ ପାଇଛି। ନଭେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡର କରୋନା ପୀଡିତମାନଙ୍କଠାରେ ସେଭଳି ଗୁରୁତର ପେଟ ସମସ୍ୟା ଥିବା ଲକ୍ଷଣ ଦେଖାଯାଇ ନ ଥିଲା। ଅଧିକାଂଶ ଲକ୍ଷଣ ୨୦୨୨ରେ ବ୍ୟାପିଥିବା ସଂକ୍ରମଣ ସହିତ ସମାନ ଥିଲା ।

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍! ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ମୁମ୍ବାଇ: ଅଡୁଆରେ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। ତାଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ୩୦ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି। ଏଥିପାଇଁ ତାଙ୍କୁ ଇଡି ପକ୍ଷରୁ ଜାରି ହୋଇଛି ନୋଟିସ। ଲକ୍ଷ୍ନୌ ସ୍ଥିତ ରିୟଲ ଇଷ୍ଟେଟ୍ କମ୍ପାନୀ ତାଙ୍କ ନାଁରେ ଏହି ଠକେଇ ଅଭିଯୋଗ ଆଣିଥିଲା। ତେବେ ଏହି ଖବରକୁ ଖଣ୍ଡନ କରିଛି ଇଡି। ଏହା ଏକ ଗୁଜବ ବୋଲି କହିଛି। ଗୌରୀ ଖାନଙ୍କୁ ଇଡି ପକ୍ଷରୁ କୌଣସି ନୋଟିସ ଜାରି ହୋଇନଥିବା ନେଇ ସୂଚନା ମିଳିଛି।

ନିକଟରେ ଗୌରୀ ଖାନଙ୍କ ବିଷୟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ ତାଙ୍କ ବିରୋଧରେ ଇଡି ନୋଟିସ ଜାରି କରିଛି। ଏକ ଠକେଇ ମାମଲାରେ ଇଡି ଗୌରୀଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ମାଗିଛି। ତେବେ ଏହି ସମସ୍ତ ଖବର ଏବେ ମିଛ ବୋଲି ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ବାସିନ୍ଦା କିରିଟ୍ ଜସୱନ୍ତ ଶାହାଙ୍କର ଲକ୍ଷ୍ନୌର ତୁଲସିଆନି ଗ୍ରୁପ୍ର ପ୍ରୋଜେକ୍ଟ ସୁଶାନ୍ତ ଗଲ୍ଫ ସିଟିରେ ଏକ ଫ୍ଲାଟ ରହିଛି। ସେ ୨୦୧୫ରେ ସମାନ ଅଟ୍ଟାଳିକାରେ ଫ୍ଲାଟ କିଣିଥିଲେ, କିନ୍ତୁ ବିଲଡର ତାଙ୍କୁ ତାଙ୍କ ସମ୍ପତ୍ତି ଦେଇ ନାହାଁନ୍ତି କି ତାଙ୍କୁ ତାଙ୍କ ୮୫ ଲକ୍ଷ ଟଙ୍କା ଫେରସ୍ତ କରିନାହାଁନ୍ତି। ଏହି କାରଣରୁ ଜସୱନ୍ତ ଶାହା ନିକଟରେ ତୁଲସିଆନି ଗ୍ରୁପ୍ ନିର୍ଦ୍ଦେଶକ ଅନିଲ କୁମାର ତୁଲସିଆନି, ମହେଶ ତୁଲସିଆନି ଏବଂ ଗୌରୀ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ପ୍ରକଳ୍ପର ବିଜ୍ଞାପନ ଗୌରୀ ଖାନଙ୍କ ଦ୍ୱାରା କରାଯାଇଥିଲା। ସେ ଗୌରୀଙ୍କ ନାମରେ ବିଶ୍ୱାସ କରି ଏହି ପ୍ରକଳ୍ପରେ ଟଙ୍କା ବିନିଯୋଗ କରିଥିଲେ। ସେ ଠକେଇର ଶିକାର ହୋଇଛନ୍ତି ବୋଲି ମାମଲା ରୁଜୁ କରିଥିବା ବ୍ୟକ୍ତି କହିଛନ୍ତି। ଏହି କାରଣରୁ ଗୌରୀଙ୍କ ନାମ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଥିଲା।

ଡିସେମ୍ବର ଶେଷ ସୁଦ୍ଧା ସାରିଦିଅନ୍ତୁ ଏସବୁ କାମ…

ନୂଆଦିଲ୍ଲୀ: ନୂଆ ବର୍ଷକୁ ଆଉ ମାତ୍ର ୧୩ ଦିନ ବାକି ଅଛି। ତେବେ ଏହି ସମୟ ସୀମା ଭିତରେ ଯଦି ଆପଣଙ୍କର କିଛି ଆର୍ଥିକ କାରବାର ସମସ୍ୟା ରହିଛି ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ। କାରଣ ଅନେକ ଗୁଡିଏ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଏହି ମାସ ହେଉଛି ଶେଷ ମାସ। ଏହାବ୍ୟତୀତ ଅନେକ କାମର ଅବଧି ତାରିଖ ୩୧ ଡିସେମ୍ବରରେ ମଧ୍ୟ ଶେଷ ହେଉଛି। ଯେମିତିକି ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡେମାଟରେ ନାମାଙ୍କନ ଯୋଡିବା, ଏସବିଆଇ ଅମୃତ କାଲାଶରେ ବିନିଯୋଗ କରିବା ଏବଂ ବ୍ୟାଙ୍କ ଲକର ଚୁକ୍ତିର ଶେଷ ତାରିଖ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଏଥିରେ ଅନ୍ତର୍ଭୁକ୍ତ ରହିଛି। ତେବେ ଆସନ୍ତୁ ଜାଣିବା ଏହିପରି ୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଯାହାକୁ ୩୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ଆପଣଙ୍କୁ ନିହାତି ଦରକାର।

BOB ଏବଂ SBI ଗ୍ରାହକମାନଙ୍କ ପାଇଁ ଜରୁରୀ ସୂଚନା-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ବ୍ୟାଙ୍କ ଲକର ଥିବା ଗ୍ରାହକଙ୍କୁ ୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡିବ। ସମସ୍ତ ବ୍ୟାଙ୍କକୁ ବ୍ୟାଙ୍କ ଲକର ପାଇଁ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଗ୍ରାହକଙ୍କୁ ଜଣାଇବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ଯଦି ଆପଣଙ୍କର ଏସବିଆଇ କିମ୍ବା ବ୍ୟାଙ୍କ ଅଫ୍ ବରୋଦାରେ ବ୍ୟାଙ୍କ ଲକର ଅଛି, ତେବେ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗାମୀ ୧୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପଡିବ।

ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନାମାଙ୍କନ ଯୋଗ କରିବାର ଶେଷ ତାରିଖ-
ଯଦି ଆପଣ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ନାମାଙ୍କନ ଘୋଷଣା କରୁନାହାନ୍ତି ତେବେ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟ ଫ୍ରିଜ୍ ହୋଇଯିବ। ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟ ସୀମାକୁ ହାତଛଡ଼ା କରନ୍ତି, ତେବେ ଆପଣ ଟଙ୍କା ପ୍ରତ୍ୟାହାର କିମ୍ବା ଜମା କରିବାରେ ସମର୍ଥ ହେବେ ନାହିଁ। ମ୍ୟୁଚୁଆଲ୍ ଫଣ୍ଡ ସହିତ, ଡେମାଟ୍ ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ୩୧ ଡିସେମ୍ବର ସୁଦ୍ଧା ନାମାଙ୍କନ ଦେବା ବାଧ୍ୟତାମୂଳକ।

ଅପଡେଟ୍ ହୋଇଥିବା ITR ଫାଇଲ୍ କରିବାର ଶେଷ ତାରିଖ-
ଆର୍ଥିକ ବର୍ଷ ୨୦୨୨-୨୩ ଅର୍ଥାତ୍ ମୂଲ୍ୟାଙ୍କନ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧, ୨୦୨୩ । ଯେଉଁମାନେ ଏହି ତାରିଖ ସୁଦ୍ଧା ITR ଫାଇଲ୍ କରିପାରିନାହାନ୍ତି, ତଥାପି ସେମାନେ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିଳମ୍ବ ଫି ସହିତ ଅପଡେଟ୍ ହୋଇଥିବା ITR ଫାଇଲ୍ କରିପାରିବେ।

SBI ଅମୃତ କଳସ ସମେତ ଅନେକ ସ୍ୱତନ୍ତ୍ର FDର ସମୟସୀମା-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଏଫଡି ସ୍କିମ୍ ସହିତ ଅମୃତ କଳସ ସ୍କିମ୍ ଓ ଅନେକ ସ୍ୱତନ୍ତ୍ର ଏଫଡିର ଅବଧି ତାରିଖ ୩୧ ଡିସେମ୍ବରରେ ଶେଷ ହେଉଛି। ଏହି ପରିସ୍ଥିତିରେ, ଆପଣଙ୍କ ପାଖରେ ଆଉ ମାତ୍ର ୧୪ ଦିନ ବାକି ଅଛି । ଆପଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏସବିଆଇର ସ୍ୱତନ୍ତ୍ର ଏଫଡି ସ୍କିମ ଅମୃତ କଳସ, ଆଇଡିବିଆଇ ବ୍ୟାଙ୍କର ସ୍ୱତନ୍ତ୍ର ଫିକ୍ସଡ ଡିପୋଜିଟ ସ୍କିମ ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ ବ୍ୟାଙ୍କର ଇଣ୍ଡ ସେଭର ନାମକ ଏଫଡି ଯୋଜନାରେ ବିନିଯୋଗ କରିପାରିବେ।

ବନ୍ଦ ହୋଇପାରେ UPI ID
ଯଦି ଆପଣଙ୍କର କୌଣସି UPI ID ଅଛି ଯାହାକୁ ଆପଣ ଏକ ବର୍ଷରୁ ଅଧିକ ସମୟ ବ୍ୟବହାର କରିନାହାଁନ୍ତି, ତେବେ ଏହା ଡିସେମ୍ବର ୩୧ ପରେ ବନ୍ଦ ହୋଇଯିବ । ଏପରି ପରିସ୍ଥିତିରେ, ଯଦି ଆପଣ ଗତ ଏକ ବର୍ଷ ମଧ୍ୟରେ ଆପଣଙ୍କର UPI ID ବ୍ୟବହାର କରିନାହାଁନ୍ତି, ତେବେ ଯଥାଶୀଘ୍ର ଏହାକୁ ବ୍ୟବହାର କରନ୍ତୁ । ଫଳରେ ଆପଣଙ୍କ UPI ID ସୁରକ୍ଷିତ ଭାବେ ଚାଲୁ ରହିବ ।

ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଆନନ୍ଦପୁର: ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ବ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨ ହଜାର ୨୨୧ ହେକ୍ଟର ଜମି ଜଳସେଚିତ ହେବ। ବାଲେଶ୍ବର ଜିଲ୍ଲାର ୭ଟି ବ୍ଲକରେ ୫୬ ହଜାର ୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦ ହଜାର ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ।

ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨ ହଜାର ୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫ ହଜାର ୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯ ହଜାର ୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ।

ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ। ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ଜନପ୍ରିତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଓ ଚାଷୀ ଭାଇଙ୍କର ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। 5T ଅଧ୍ୟକ୍ଷ ଗତ ଅଗଷ୍ଟ ୧୧ ତାରିଖରେ ଯଶିପୁର ଯାଇଥିବା ବେଳେ ସ୍ଥାନୀୟ ଚାଷୀ ମାନେ ଖଇରୀଭଣ୍ଡନ ବ୍ୟାରେଜ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ପରେ ମାତ୍ର ଚାରି ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇପାରିଛି।