କୋଭିଡ ପରେ ବଢୁଛି ଭାରତୀୟଙ୍କ ଫୁସଫୁସ୍ ଓ ଶ୍ବାସପ୍ରଶ୍ବାସ ଜନିତ ରୋଗ

1 min read

ଭୁବନେଶ୍ବର: କୋଭିଡ ପରେ ବଢୁଛି ଭାରତୀୟଙ୍କ ଫୁସଫୁସ୍ ଓ ଶ୍ବାସପ୍ରଶ୍ବାସଜନିତ ରୋଗ । ଭେଲୋର ସ୍ଥିତ ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜର ରିପୋର୍ଟକୁ ନେଇ ଚିନ୍ତା । ୨୦୭ ବ୍ୟକ୍ତିଙ୍କ ଫୁସଫୁସ୍ ନଷ୍ଟ ହେବା ସହ ସେ ସବୁ ବ୍ୟକ୍ତି ସ୍ବାଭାବିକ କାମ କରିବାରେ ଅସମର୍ଥ ପ୍ରମାଣିତ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଜନିତ ଜ୍ବର, କାଶ ଓ ଥଣ୍ଡା ହେଲେ ଭଲ ହେବାକୁ ୪ରୁ ୬ ସପ୍ତାହ ଲାଗୁଛି । ବାୟୁ ପ୍ରଦୂଷଣ ଓ ଜୈବ ଇନ୍ଧନ ପରିଚାଳିତ ଯାନବାହାନରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ବି ଫୁସ୍ଫୁସ୍ କ୍ୟାନସର୍ କରାଉଥିବା ବିଶେଷଜ୍ଞ କହିଛନ୍ତି ।

୩ ବର୍ଷ ତଳୁ ନିୟନ୍ତ୍ରଣ ହେଲାଣି କୋଭିଡ । ହେଲେ ଖୋଳ କରିଦେଇଛି ଆଲ୍ଫା, ଡେଲ୍ଟା-ଓମିକ୍ରନ୍ ! ଏବେ ବି ଭାରତୀୟଙ୍କଠାରେ ବଢୁଛି ଫୁସ୍ଫୁସ୍ ଓ ଶ୍ବାସପ୍ରଶ୍ବାସ ଜନିତ ରୋଗ । କୋଭିଡ ପରେ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଏବେ କୋଭିଡ ପରବର୍ତ୍ତୀ ଜଟିଳ ରୋଗରେ ପୀଡ଼ିତ ହେଉଛନ୍ତି । ସାମାନ୍ୟ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ଏଭଳି ଏକ ରିପୋର୍ଟ ଭେଲୋରସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ୍ ରିସର୍ଚ୍ଚ୍ ଗବେଷଣାରୁ ଜଣାପଡ଼ିଛି । ୨୦୭ ଜଣ ବ୍ୟକ୍ତିଙ୍କଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଏପରି ସାଂଘାତିକ ତଥ୍ୟ ସାମନାକୁ ଆସିଛି । କୋଭିଡ ପରେ ଲୋକଙ୍କର ରକ୍ତସଞ୍ଚାର କରୁଥିବା ଧମନୀଗୁଡ଼ିକ ପ୍ରଭାବିତ ହେବା ସହ ହଠାତ ହୃଦଘାତର ଶିକାର ହେଉଛନ୍ତି ଲୋକେ । ଏପରିକି ଭୂତାଣୁବାହକ ଜ୍ବର, କାଶ, ଥଣ୍ଡା ପାଇଁ ଔଷଧ ଖାଇଲେ ସୁସ୍ଥ ହେବାକୁ ମାସାଧିକ କାଳ ଲାଗୁଛି । ଏବେ ବି ବଡ଼ ମେଡିକାଲକୁ କୋଭିଡ ପରବର୍ତ୍ତୀଜନିତ ଫୁସଫୁସ୍, ଶ୍ବାସ ପ୍ରଶ୍ବାସ ଜନିତ ରୋଗ, ଗ୍ୟାସଟ୍ରାଇଟିସ୍, ଆଜମା ରୋଗୀ ଆସୁଛନ୍ତି । ଏମାନଙ୍କୁ ଚିକିତ୍ସା କରିବାକୁ ହେଲେ ସେମାନେ କୋଭିଡ ପୀଡ଼ିତ ଥିବାବେଳେ ଇଞ୍ଜେକ୍ସନ୍ ନେଇଛନ୍ତି କି ଟାବଲେଟ୍ ଖାଇଛନ୍ତି ସେ ସମସ୍ତ ତଥ୍ୟ ଅନୁଶୀଳନ କରି ଚିକିତ୍ସା କରିବାକୁ ପଡ଼ିବ ।

କେବଳ କୋଭିଡ ନୁହେଁ, ବାୟୁ ପ୍ରଦୂଷଣ ବି ଶ୍ବାସପ୍ରଶ୍ବାସଜନିତ ରୋଗ ବୃଦ୍ଧି କରୁଛି । ବିଶେଷକରି ଜୈବ ଇନ୍ଧନ ଦ୍ବାରା ପରିଚାଳିତ ଯାନବାହାନରୁ ନିର୍ଗତ କାର୍ବନମନୋକ୍ସାଇଡ୍ ଓ ଲିଡ ବାୟୁମଣ୍ଡଳରେ ଘୂରି ବୁଲୁଛି । ଏସବୁ ଲୋକଙ୍କ ଶ୍ବାସକ୍ରିୟାରେ ଯାଇ ଫୁସଫୁସରେ ଜମା ହେଉଛି । ଅନୁସନ୍ଧାନରୁ ଜଣାପଡ଼ିଛି ଆଜିକାଲି ୪୯.୩ ପ୍ରତିଶତ ଲୋକଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ରହୁଛି । ୨୭.୧ ପ୍ରତିଶତ ଲୋକେ ବାୟୁପ୍ରଦୂଷଣ ଯୋଗୁଁ କଫ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ବିଶେଷଜ୍ଞଙ୍କ ଆକଳନ ଏପରି ସମସ୍ୟା ଆହୁରି ଅଧିକ ଦେଖାଦେଇପାରେ ।

ଅନୁସନ୍ଧାନରୁ ଜଣାପଡ଼ିଛି କୋଭିଡ ପରେ ଅଧିକାଂଶ ଲୋକଙ୍କ ଦେହରେ ଟିବି ଲକ୍ଷଣ ବି ଦେଖାଦେଉଛି । ତେବେ ଶରୀରରେ ଏସବୁ ରୋଗ ନେଇ କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ନେଲେ ଆରୋଗ୍ୟ ମିଳିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।