ଭୋଟ ଦେବା କିମ୍ବା ମତ ରଖିବା କ୍ଷେତ୍ରରେ ଲାଞ୍ଚ ନେବା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

1 min read

ନୂଆଦିଲ୍ଲୀ : ବିଧାନସଭା ବା ସଂସଦରେ ଭୋଟ ଦେବା କିମ୍ବା ମତ ରଖିବା କ୍ଷେତ୍ରରେ ଲାଞ୍ଚ ନେବା ପ୍ରସଙ୍ଗ  । ଲାଞ୍ଚ ସଂକ୍ରାନ୍ତ ଅପରାଧିକ ମାମଲାରୁ ସାଂସଦ ଓ ବିଧାୟକଙ୍କୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଦେବେ ଗୁରୁତ୍ବପୂର୍ଣ୍ଣ ରାୟ । ଆଜି ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୭ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ- ଲାଞ୍ଚ ପରି ଏକ ମାମଲାରୁ ଏମପି ଓ ଏମଏଲଏଙ୍କୁ ସୁରକ୍ଷା ନଦିଆଯାଉ । ଆଇନ ନିର୍ମାତାମାନେ ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି । ଆଟର୍ଣ୍ଣି ଜେନେରାଲ, ସଲିସିଟର ଜେନେରାଲ ଓ ଆମିକସ କ୍ୟୁରୀଙ୍କ ସମେତ ବହୁ ଆଇନଜୀବୀଙ୍କ ମତାମତକୁ ନେଇ ପୂର୍ବରୁ ଶୁଣାଣି ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖିଥିଲେ  ସୁପ୍ରିମକୋର୍ଟ ।

ବହୁଚର୍ଚ୍ଚିତ ଜେଏମଏମ ଲାଞ୍ଚ ମାମଲାରେ କୌଣସି ବିବୃତି ବା ଭୋଟ ନେଇ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଦାୟରରୁ ସାଂସଦ ଓ ବିଧାୟକଙ୍କୁ ମୁକ୍ତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏହି ମାମଲାର ପୁନଃଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ । ଦୀର୍ଘ ୨୫ ବର୍ଷ ପରେ ଏହି ମାମଲା ପୁଣି ପଦାକୁ ଆସିଛି । ଲାଞ୍ଚ ଗ୍ରହଣ କରି ସଂସଦ ଓ ବିଧାନସଭାରେ ସାଂସଦ ଓ ବିଧାୟକମାନେ କୌଣସି ମତ ରଖିବା ବା ଭୋଟ ଦେବା ଏକ ଅପରାଧିକ କାର୍ଯ୍ୟ ହୋଇଥିବାବେଳେ ଅତୀତରେ ଖଣ୍ଡପୀଠ ଦେଇଥିବା ରାୟକୁ ପୁନଃତର୍ଜମା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ମାମଲାର ପୁନଃବିଚାର ଲାଗି ଗତ ୨୦୨୩ ସେପ୍ଟେମ୍ବର ୨୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ପିଭି ନରସିଂହ୍ମା ରାଓ ବନାମ ସିବିଆଇ ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ସମ୍ବିଧାନର ଧାରା ୧୦୫(୨), ୧୯୪(୨) ଅନୁସାରେ ଗୃହ ଭିତରେ କୌଣସି ବିଧାୟକ ଓ ସାଂସଦଙ୍କ ମତ ଓ ଭୋଟ କ୍ଷେତ୍ରରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ।

୧୯୯୩ରେ ନରସିଂହ୍ମା ରାଓ ସରକାରଙ୍କୁ ଅନାସ୍ଥା ଭୋଟରୁ ବଞ୍ଚାଇବା ଲାଗି ଜେଏମଏମ ନେତା ଶିବୁ ସୋରେନଙ୍କ ସମେତ 5 ସାଂସଦ ଲାଞ୍ଚନେବା ଅଭିଯୋଗ ହୋଇଥିଲା । ଜେଏମଏମର ସମର୍ଥନ ଯୋଗୁ ରାଓ ସରକାର ବଞ୍ଚିଯାଇଥିଲା । ସେମାନଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଥିଲେ ବି ଧାରା ୧୦୫(୨)କୁ ଆଧାର କରି ଏହି ମାମଲାକ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।