spot_img
Home Blog Page 2404

ମୟୂରଭଞ୍ଜ ଦୁଆରଶୁଣି ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ

ମୟୂରଭଞ୍ଜ:  ଦୁଆରଶୁଣି ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୟୂରଭଞ୍ଜ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଯାତ୍ରାପାର୍ଟି ଟ୍ରକ। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନେକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି। ଟ୍ରକ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ ଧଉଳି ଗଣନାଟ୍ୟର ବୋଲି ଜଣାପଡିଛି। ଆହତଙ୍କୁ ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଉ ଭକ୍ତଙ୍କୁ କରିବାକୁ ପଡ଼ିବନି ଅପେକ୍ଷା, ରାମଙ୍କ ଦର୍ଶନ କରିବାକୁ ବଢ଼ିଲା ସମୟ

ଅଯୋଧ୍ୟା: ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲି ଯାଇଛି ରାମ ମନ୍ଦିର । ଏବେ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ରାମ ଭକ୍ତଙ୍କ ଆସିଛି ଆଉ ଗୋଟେ ଖୁସି ଖବର । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବେ ଆଉ ଅପେକ୍ଷା କରିବେନି । କାରଣ ଏବେ ଶ୍ରଦ୍ଧାଳୁମାନେ ରାତି ୧୦ଟା ଯାଏ କରିପାରିବେ ରାମଙ୍କ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ବ୍ୟବସ୍ଥା ଥିଲା । ଏବେ ସକାଳ ୭ଟାରୁ ୧୧ଟା ୩୦ ଯାଏ ଦର୍ଶନ ବ୍ୟବସ୍ଥା ରହିଛି ।

ସୂଚନା ଅନୁସାରେ, ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଅଯୋଧ୍ୟାରେ ଅଛନ୍ତି । ଏବେ ଆହୁରି ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି । ସେଠାରେ ପ୍ରବଳ ଭିଡ଼ ହେଉ ଥିବାରୁ ୧୫ ଦିନ ପରେ ଅଯୋଧ୍ୟା ଆସିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ସେଠାକାର ଗତିବିଧି ଉପରେ ନଜର ରଖିବାକୁ ୮ ହଜାର ପୋଲିସ୍ କର୍ମୀ ନିୟୋଜିତ ଅଛନ୍ତି ।

ଗାନ୍ଧୀ ମାର୍ଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍ ପରେଡ ରିହରସଲ

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୨୬ରେ ଦେଶ ପାଳିବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଗାନ୍ଧୀ ମାର୍ଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍ ପ୍ୟାରେଡ ରିହରସଲ କରାଯାଇଛି। ଏହି ପ୍ୟାରେଡରେ ରାଜ୍ୟ ପୋଲିସର ମହାନିର୍ଦ୍ଦେଶକ ଅଭିବାଦନ ଗ୍ରହଣ କରିଛନ୍ତି। ଏଥର ପ୍ୟାରେଡର ନେତୃତ୍ଵ ନେଇଛନ୍ତି ଆଇପିଏସ୍ ଅଫିସର ଏବି ଶିଳ୍ପା।

ପରେଡ଼ରେ ୪୬ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ସେ ଭିତରେ ୪ଟି  ସାଂସ୍କୃତିକ ଦଳ,୨ଟି ସାହାସିକ କଳାକୌଶଳ ଯଥା ସ୍କେଟିଂ, ଡେୟାର ଡେଭିଲ୍ୟ ରହିଛି । ୧୨ଟି ପ୍ରଜ୍ଞାପନ ମେଢ, ପୋଡ଼ଶୀ ରାଜ୍ୟ ମଧରେ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ପାଇଁ ଝାଡ଼ଖଣ୍ଡ ପୋଲିସ ପରେଡ଼ରେ ଯୋଗ ଦେବ। ସର୍ବମୋଟ ୬୪ ଟି ଦଳ  ଅଂଶ ଗ୍ରହଣ କରିବେ । ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ଭାଗ ନେଇଛନ୍ତି। ମହାମହିମ ରାଜ୍ୟପାଳ ରଘୁବର ଦାଶ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେବେ।

ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର  ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଯୁବକ ଗିରଫ। କଳିଙ୍ଗ ନଗରରୁ ଅପହରଣକାରୀକୁ ଗିରଫ କରିଛି ପୋଲିସ । ନାବାଳିକାକୁ ଉଦ୍ଧାର ପରେ ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ ବଖାଣିଛି ନାବାଳିକା। ନାବାଳିକା ଉପରେ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା।

ସୂଚନା ଅନୁଯାୟୀ, ନାବାଳିକା ସ୍କୁଲରୁ ଫେରୁଥିବା ବେଳେ ଗତ ୧୬ ତାରିଖ ଦିନ ଚନ୍ଦନ ଓ ତା ସହଯୋଗୀ ମାନେ ଏକ କାର ଯୋଗେ ଅପହରଣ କରିନେଇଥିଲେ। ଯାଜପୁର ଜିଲ୍ଲା ଡୁବୁରି କଳିଙ୍ଗ ନଗରରେ ନେଇ ରଖିଥିଲେ। ପରିବାର ଲୋକେ ଏନେଇ ସଦର ଥାନାରେ ଅଭିଯୋଗ କରିବାପରେ ପୋଲିସ ଫୋନ ଟ୍ରାକିଙ୍ଗ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଅପହରଣକାରି ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନାବାଳିକାଙ୍କୁ ଚନ୍ଦନ ବାହା ହେବାକୁ ବାଧ୍ୟ କରିବା କଥା ନାବାଳିକା କହିଛନ୍ତି । ଅପହରଣକାରୀ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମଧରଣର ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ରାଜ କରୁଛି କୋହଲା ପାଗ। ଉପାନ୍ତରୁ ଉପକୂଳ ସବୁଠି ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି । ଆସନ୍ତା କାଲି ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଠାରୁ ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସସମ୍ବଲପୁର, ବରଗଡ ପାର୍ଶ୍ଵବର୍ତ୍ତୀ ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା।

ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି କୋହଲା ପାଗ ସହ ହାଲକା ବର୍ଷା ଜାରି ରହିଛି । ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଏବଂ ପଶ୍ଚିମା ବାୟୁର ମିଳନ ଏବଂ ତେଲେଙ୍ଗାନା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତା କାଲି ଯାଏଁ ରାଜ୍ୟର କିଛି ଜିଲ୍ଲରେ ଲାଗିରହିବ କୋହଲା ପାଗ, ୨୬ରୁ ବଦଳିବ ପାଗ । ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ରାତ୍ରିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ । ଫଳରେ ଜାଡ ବଢିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ବି ଦିନ ଏବଂ ରାତ୍ରି ତାପମାତ୍ରା ମଧ୍ୟରେ ତାରତମ୍ୟ କମ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା । ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୮.୨ ଡିଗ୍ରୀ, ସମ୍ବଲପୁରରେ ୧୮.୭ ଡିଗ୍ରୀ ଏବଂ ରାଉରକେଲାରେ ୧୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ୬ ଜିଲ୍ଲାରେ ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରିଛି ଫାଇଭ-ଟି ସ୍କୁଲ ରୂପାନ୍ତରଣ। ନୂଆ ଜାଗରଣ ସହ ପିଲାଙ୍କ ମଧ୍ୟରେ ଭରିଛି ନୂଆ ଉର୍ଜା। ଫାଇଭ-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲାର ୮୦, ସୁବର୍ଣ୍ଣପୁର ଜିଲ୍ଲାର ୧୪, ପୁରୀ ଜିଲ୍ଲାର ୫୩, ନୟାଗଡ଼ ଜିଲ୍ଲାର ୭୫, ବୌଦ୍ଧ ଜିଲ୍ଲାର ୧୦, ନବରଙ୍ଗପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭ଶହ ୯୪ଟି ସ୍କୁଲର ଲୋକାର୍ପଣ କରାଯାଉଛି।

ପୂର୍ବରୁ ୩ଟି ପର୍ଯ୍ୟାୟରେ ୬ ହଜାର ୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଫାଇଭ-ଟି ସ୍କୁଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି।

ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ

ବ୍ୟୁରୋ ରିପୋର୍ଟ: ଭାରତ ମହାସାଗରରେ ଚୀନର ଉପସ୍ଥିତି ବଢିବାରେ ଲାଗିଛି । ଚୀନର ଏକ ନୂଆ ଗୁଇନ୍ଦା ଜାହାଜ ଏବେ ମାଳଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ମାଳଦ୍ୱୀପ ପକ୍ଷରୁ ଚୀନ ଜାହାଜକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଠିକ ବୋଲି କୁହାଯାଇଛି । ମାଳଦ୍ୱୀପ କହିଛି ଯେ ସେ ଚୀନ ଜାହାଜକୁ ସ୍ୱାଗତ କରିବ । ମାଳଦ୍ୱୀପ ଏକ ବୟାନ ଜାରି କରି କହିଛି ଯେ, ସେ ବନ୍ଧୁରାଷ୍ଟ୍ରର ଜାହାଜକୁ ସ୍ୱାଗତ କରିବ। ମାଳଦ୍ୱୀପ ନିଜର ମାଲେ ପୋର୍ଟରେ ଚୀନ ଜାହାଜକୁ ସ୍ୱାଗତ କରିବ।

ଏସବୁ ଭିତରେ ଭାରତୀୟ ନୌସେନା ଚୀନ ଜାହାଜର ଗତିପଥ ଉପରେ ନଜର ରଖିଛି। ମାଳଦ୍ୱୀପ ସରକାର ସ୍ପଷ୍ଟ କରିଛନ୍ତି ଯେ, ଚୀନ ଜାହାଜ ମାଳଦ୍ୱୀପର ଜଳ କ୍ଷେତ୍ରରେ କୌଣସି ଅନୁସନ୍ଧାନ କରିବ ନାହିଁ । ମାଳଦ୍ୱୀପ ଏହା ମଧ୍ୟ କହିଛି ଯେ, ଚୀନର ଏହି ଜାହାଜ ରୋଟେସନ୍ ଏବଂ ରିପ୍ଲେସମେଣ୍ଟ ପାଇଁ ମଞ୍ଜୁରୀ ଲୋଡ଼ିଥିଲା ।

ସେପଟେ ଚୀନ ଜାହାଜ ଏପରି ଏକ ସମୟରେ ମାଳଦ୍ୱୀପ ପହଞ୍ଚୁଛି, ଯେତେବେଳେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଅନ୍ୟପଟେ ଚୀନ ସହ ମାଳଦ୍ୱୀପର ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଭାରତୀୟ ନୌସେନାର ଗତିବିଧି ଜାଣିବା ପାଇଁ ଚୀନ ଜାହାଜ ପଠାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଆଜି ବରଗଡ଼ ଧନୁଯାତ୍ରାର ଦଶମ ଦିନରେ ବେନି ଭାଇଙ୍କ ନଗର ଭ୍ରମ

ବରଗଡ: ମଥୁରାରେ କୃଷ୍ଣ ବଳରାମ । ଦୁଇଭାଇଙ୍କୁ ନେଇ ଅକ୍ରୁର ମଥୁରା ଆସିଥିବାରୁ ଉତଫୁଲ୍ଲିତ ମହାରାଜା କଂସ । ଧନୁଯାତ୍ରାରେ ଛଳନା କରି ମାରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କଂସ ଓ ତାଙ୍କ ଅସୁର ବନ୍ଧୁ । ଆଜି ଧନୁଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗବିଜୟ ଯାତ୍ରା ରଙ୍ଗସଭାରେ କୃଷ୍ଣଙ୍କୁ ମାରିବାକୁ ପାରିଷଦଙ୍କ ସହ ମନ୍ତ୍ରଣା କରିବେ ।

ସେପଟେ ମଥୁରା ଆସିବା ପରେ ନଗର ଭ୍ରମଣରେ ବାହାରିବେ କୃଷ୍ଣ ବଳରାମ। ରାସ୍ତାରେ ଯିବାବେଳେ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ହେବ। କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦୃଶ୍ୟ ଅଭିନିତ ହେବ। ସେହିପରି ଉପଜିଲ୍ଲାପାଳଙ୍କ ଭବନରେ କୃଷ୍ଣ ବଳରାମଙ୍କ ପୂଜାର୍ଚ୍ଚନା ପରେ ବୃନ୍ଦାବନ ଗୃହରେ ବିଶ୍ରାମ ନେବ ବେନି ଭାଇ । ଯାତ୍ରାର ନବମ ଦିନରେ କୃଷ୍ଣ ଭକ୍ତିରେ ଲୀନ ମୁନୀ ଋଷିଙ୍କ ଉପରେ ଅତ୍ୟାଚାର କରିଥିଲେ

ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ

ପୁରୀ: ଆଜି ନୂଆ ଓଡ଼ିଶାର ଇତିହାସରେ ଯୋଡ଼ିହେବ ଆଉ ଏକ ଉଜ୍ୱଳ ଅଧ୍ୟାୟ। ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ। ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ। ଦିନ ସାଢେ ୧୧ଟାରେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି। କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ। ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ସ୍କୁଲ ଅଫ ଲର୍ଣ୍ଣିଂ ତଥା ଏକାଡେମିକ ବିଲ୍ଡିଂ। ଏଠାରେ ପିଲାମାନେ ପଢିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। କ୍ୟାମ୍ପସରେ ୩ଟି ହଷ୍ଟେଲ ରହିଥିବାବେଳେ ଏହାକୁ ତାରକା ହୋଟେଲ ଭଳି ପ୍ରସ୍ତୁତ କରାଯାଇଛି। ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି। ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କ୍ୟାମ୍ପସକୁ ପାଣ୍ଡିଆନଙ୍କ ଲଗାତାର ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ  ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ୨୪ ଜଣ ହିସାବରେ  ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରୁଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ସତ୍ୟବାଦୀର ପଞ୍ଚସଖାଙ୍କ ପ୍ରତି ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ।

ଆଜିଠୁ ତିନି ଦିନିଆ ଦୁବାଇ ଗସ୍ତରେ ଯିବେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର : ଏବେ ହାଣ୍ଡିଶାଳ ନୁହେଁ ବିମାନରେ ଦୁବାଇ ଯାତ୍ରା। ଏକ୍ସପୋଜର ଭିଜିଟରେ ଯିବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ତିନି ଦିନିଆ ଦୁବାଇ ଗସ୍ତରେ ଯିବେ ୧୧ ଜିଲ୍ଲାର ୩୫ ଜଣ ମହିଳା। ଗଞ୍ଜାମ, ଝାରୁସୁଗୁଡ଼ା,କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ମାଆମାନେ ଦୁବାଇ ଗସ୍ତ କରିବେ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି।

ଦୁବାଇ ଯାତ୍ରା ପୂର୍ବରୁ ସମସ୍ତେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ। ଦୁବାଇ ଗସ୍ତ ସମୟରେ ଏକାଧିକ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବେ ମିଶନ ଶକ୍ତି ମହିଳା । ସେଠାରେ କିପରି ବ୍ୟବସାୟ ହେଉଛି ଏବଂ ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଛି  ସେନେଇ ମହିଳାମାନେ ଅନୁଧ୍ୟାନ କରିବେ। ଓଡିଶାର ଧାନ, ଚାଉଳ, ମାଣ୍ଡିଆ, ହସ୍ତଶିଳ୍ପ ଭଳି ସାମଗ୍ରୀ କିଭଳି ରପ୍ତାନି ହୋଇପାରିବ ସେଉପରେ ମଧ୍ୟ ଆଲୋଚନା କରିବେ। ଏହା ସହିତ ମାଆମାନେ ବିଭିନ୍ନ ଜାଗା ବୁଲି ଦେଖିବେ। SHGରୁ SMEର ଯାତ୍ରା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଆମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ମୁଖ୍ୟସ୍ରୋତକୁ ଆଣିଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।