spot_img
Home Blog Page 2403

ପ୍ରଥମ ଦିନରେ ରାମ ମନ୍ଦିରକୁ ଏତିକି ଦାନ ଦେଲେ ଭକ୍ତ

ଅଯୋଧ୍ୟା: ଅଯୋଧ୍ୟାରେ ଦାନ କରି ରେକର୍ଡ କଲେ ଶ୍ରଦ୍ଧାଳୁ । ପ୍ରଥମ ଦିନରେ ଦର୍ଶନ କରିଛନ୍ତି ୫ ଲକ୍ଷରୁ ଅଧିକ ରାମଭକ୍ତ । ୩ କୋଟିରୁ ଅଧିକ ଟଙ୍କା କଲେ ଦାନ । ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ରାମ ଲଲ୍ଲାଙ୍କ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ନାକେଦମ ହୋଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ଅଧିକାରୀଙ୍କ ସହ ଏକ ବୈଠକ କରି ସୁରକ୍ଷା କଡା ନିର୍ଦ୍ଦେଶ ଦେଇଥିଲେ। ୨୨ ତାରିଖ ଦିନ ରାମ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି ।
ରାମ ଜନମଭୂମି ଟ୍ରଷ୍ଟର ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି, ପ୍ରାଣ ପ୍ରତିଷ୍ଠା ଦିନ ୧୦ଟି ଦାନ ହୁଣ୍ଡି ଖୋଲାଯାଇଛି । ଏହା ବ୍ୟତୀତ ଦେଶ ତଥା ବିଦେଶର ବହୁ ରାମ ଭକ୍ତ ଭଗବାନ ଶ୍ରୀରାମଙ୍କୁ ଅନଲାଇନରେ ମଧ୍ୟ ଦାନ କରିଛନ୍ତି । ଅନିଲ ମିଶ୍ରଙ୍କ କହିବାନୁଯାୟୀ, ୫ଲକ୍ଷରୁ ଅଧିକ ରାମ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିଥିଲେ । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ରଶାସନ ସହିତ ପରାମର୍ଶ କରି ବ୍ୟବସ୍ଥା କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।
ଅନ୍ୟପକ୍ଷରେ, ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବୋଲେ ଟ୍ରଷ୍ଟର ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରି ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ସେ ଅଯୋଧ୍ୟା ଚାରିପାଖରେ ଥିବା ସଂଗଠକମାନଙ୍କୁ ମନ୍ଦିରରେ ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ବ ଗ୍ରହଣ କରିବାକୁ ଏବଂ ଦର୍ଶନର ସୁବ୍ୟବସ୍ଥା କରିବାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ଆଳୁ ଖୋଳୁଖୋଳୁ ମହାଦେବ ନୁହନ୍ତି ବାହାରିଲା ସୁଡ଼ଙ୍ଗ, ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଜୟପୁରରେ ଆତଙ୍କ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଜୟପୁର ଗସ୍ତର ଦୁଇ ଦିନ ପୂର୍ବରୁ ମିଳିଲା ୩୫୦ ଫୁଟ ଲମ୍ବର ଟନେଲ । ଏହି ଟନେଲ୍ ପ୍ରାୟ ୬ ଫୁଟ ଚଉଡା ଏବଂ ୧୦ ଫୁଟ ଉଚ୍ଚା। ମଙ୍ଗଳବାର ଦିନ ଏହି ଟନେଲ ବିଷୟରେ ଜଣାପଡ଼ିବା ପରେ ପୋଲିସ ପ୍ରଶାସନ ଭିତରେ ଆତଙ୍କ ଖେଳିଯାଇଛି। ଏହି ଖବର ମିଳିବା ପରେ ଘଟଣାସ୍ଥଳକୁ ଦୌଡ଼ିଥିଲେ ପୋଲିସ୍ କର୍ମଚାରୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଟନେଲ ଦୁଇଟି ବ୍ୟାଙ୍କ ଏବଂ ଏକ ଅଳଙ୍କାର ଶୋ’ ରୁମ ଭାଙ୍ଗିବା ପାଇଁ ଖୋଳାଯାଉଥିଲା। କିନ୍ତୁ ମଙ୍ଗଳବାର ଦିନ ଏକ ଆଳୁ ଭର୍ତ୍ତି ଗାଡି ଏହି ଟନେଲ ଦେଇ ଗଲାବେଳେ ରାସ୍ତାଟି ଦବିଯାଇଥିଲା । ଏହା ପରେ ଟନେଲ ଥିବା କଥା ସମସ୍ତେ ଜାଣିବାକୁ ପାଇଲେ ।

ପୋଲିସର ସୂଚନାନୁସାରେ, ରାଜଧାନୀ ଜୟପୁରର ବିଦ୍ୟାଧର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଟନେଲ ଦେଖିବାକୁ ମିଳିଛି। ଅମ୍ବାବାଡ଼ି ପରିବା ବଜାର ନିକଟ ଏକ ଦୋକାନରୁ ଏହି ଟନେଲ ଖୋଳାଯାଇଛି। ଏହି ସମଗ୍ର ଷଡଯନ୍ତ୍ରରେ ଉତ୍ତରପ୍ରଦେଶର ବରେଲିରୁ ଆସିଥିବା ଏକ ଗ୍ୟାଙ୍ଗର ନାମ ସାମ୍ନାକୁ ଆସିଛି। ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଗତ ୬ ମାସ ଧରି ଏହି ଟନେଲ ଖୋଳୁଥିଲେ। ଛଅ ମାସରେ ସେ ୩୫୦ ଫୁଟରୁ ଅଧିକ ଲମ୍ବ ଏକ ଟନେଲ ଖୋଳିଥିଲେ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଠାରେ ଅବସ୍ଥିତ ଏସବିଆଇ ସମେତ ଅମ୍ବିକା ଜୁଏଲର୍ସକୁ ଭାଙ୍ଗିବା ପାଇଁ ଏହି ଟନେଲ ଖୋଳାଯାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁର୍ବୃତ୍ତମାନେ ଏକ ଦୋକାନ ଭଡା ନେଇ ଏହି ଟନେଲ ଖୋଳିବା ଆରମ୍ଭ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ଯେତେବେଳେ ଏକ ଗାଡି ଏହା ଉପର ଦେଇ ଯାଇଥିଲା, ସେତେବେଳେ ରାସ୍ତାଟି ଦବି ଯାଇଥିଲା। ବଡ଼ ଗର୍ତ୍ତ ଦେଖିବା ପରେ ପୋଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ଏହାପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ୬୫ ଯାତ୍ରୀ ଥିଲେ

କିଭ୍: ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ । ଇଲିସୁନି-୭୬ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ନେଇ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି ସୂଚନା । ୟୁକ୍ରେନୀୟ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ବନ୍ଦୀ ବଦଳ ପ୍ରକ୍ରିୟାରେ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବିମାନରେ ୬ ଯାତ୍ରୀ ଓ ୩ ନାଗରିକଙ୍କ ସମେତ ୬୫ ଜଣ ଥିଲେ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି ।
ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା ବିମାନ।

ଶିକ୍ଷକ ନିଯୁକ୍ତିକୁ ନେଇ ରାଜନୀତି କରିବା କେତେଦୂର ଯୁକ୍ତିଯୁକ୍ତ: ସସ୍ମିତ ପାତ୍ର

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତିକୁ ନେଇ ସ୍ପଷ୍ଟୀକରଣ ରଖିସାରିଛି EdCIL। ଏହାସହ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ- ଓସେପା ମଧ୍ୟ ପ୍ରତିକ୍ରିୟା ରଖିସାରିଛି । ଏହାସତ୍ବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ପରିଚାଳିତ ବୋଲି କୁହାଯାଉଥିବା ଏକ ଆଇଟି ସେଲ୍ ଏନେଇ ତୁମ୍ବିତୋଫାନ୍ କରିଚାଲିଛି । ଏକ ଅଣସ୍ବୀକୃତ ଦସ୍ତଖତ ବିହୀନ ଓଡ଼ିଆ ପ୍ରେସ ରିଲିଜକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରି ବିଭ୍ରାନ୍ତ କରୁଛନ୍ତି । ଶିକ୍ଷକ ନିଯୁକ୍ତିକୁ ନେଇ ରାଜନୀତି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।

ମିଛ ଖବରକୁ ଅପପ୍ରଚାର କରି କୌଣସି ମତେ ପଲିଟିକାଲ ମାଇଲେଜ୍ ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ । ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ର EdCILର ବିଜ୍ଞପ୍ତି ଅପଲୋଡ୍ କରିଛନ୍ତି । ଗତ ଅଗଷ୍ଟ ୨୨ତାରିଖରେ କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା। ଏହାକୁ EdCIL ପରିଚାଳନା କରିଥିଲା । କେନ୍ଦ୍ରୀୟ ସଂସ୍ଥା EdCIL ‘ମିନି ରତ୍ନ’ କାଟେଗୋରୀରେ ଆସେ । ଯାହା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ ।

ସାଥି ୬ ଯବାନଙ୍କୁ ଗୁଳିମାଡ଼ କରି ଯବାନଙ୍କ ଆତ୍ମହତ୍ୟା

ଆସାମ: ସାଥି ୬ ଯବାନଙ୍କୁ ଗୁଳିମାଡ଼ କରି ଯବାନଙ୍କ ଆତ୍ମହତ୍ୟା। ଭାରତୀୟ ସେନା ଆସାମ ରାଇଫଲ୍ସର ଜଣେ ଯବାନ କ୍ୟାମ୍ପରେ ୬ ସାଥି ଯବାନଙ୍କୁ ଗୁଳିମାଡ଼ କରିଥିଲେ। ଯବାନଙ୍କ ଉପରେ ଆଖିବୁଜା ଗୁଳିମାଡ଼ ଡ଼ କରିବା ପରେ ଶେଷରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯବାନ ଜଣକ ମଣିପୁରର ହୋଇଥିବାବେଳେ ଗୁଳିମାଡ଼ କରିଥିବା ଅନ୍ୟ ଯବାନ ଅନ୍ୟ ରାଜ୍ୟର ବୋଲି ସୂଚନା ମିିଳିଛି । ଦକ୍ଷିଣ ମଣିପୁରରେ ଥିବା ଆସାମ ରାଇଫଲ୍ସର କ୍ୟାମ୍ପରେ ଘଟିିଛି ଏହି ଗୁଳିକାଣ୍ଡ। ସମସ୍ତ ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ସୁଚନା ଅନୁଯାୟା, ଆତ୍ମହତ୍ୟା କରିଥିବା ଯବାନ ଜଣକ ନିକଟରେ ଘରୁ ଛୁଟିରୁ ଫେରିଥିଲେ। ରାତିରେ ଡ୍ୟୁଟି ସମୟରେ ହଠାତ ବନ୍ଧୁକରେ ଗୁଳି ଲୋଡ କରି ସାଥି ଯବାନଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ତେବେ ମଣିପୁରରେ ଚାଲିଥିବା ହିଂସାକାଣ୍ଡ ସହ ଏହି ଘଟଣାର କୌଣସି ସମ୍ପର୍କ ନଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି । ଯବାନ ଜଣକ କାହିଁକି ସାଥି ଯବାନଙ୍କୁ ଗୁଳିମାଡ଼ କରିଛନ୍ତି ଏହାର ତଦନ୍ତ ଲାଗି କମିଟି ଗଠନ କରାଯାଇଛି।

ଇଣ୍ଡିଆ ମେଣ୍ଟକୁ ଝଟକା, ପଶ୍ଚିମବଙ୍ଗରେ ଏକା ଲଢିବେ ମମତା

ବ୍ୟୁରୋ ରିପୋର୍ଟ: ପଶ୍ଚିମବଙ୍ଗରେ ଏକାକୀ ଲଢିବ ଟିଏମସି। ଆସନ୍ତା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଏକାକୀ ଲଢିବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। କଂଗ୍ରେସ ସହ କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ତୃଣମୂଳ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବରଚନକୁ ଟିଏମସି ରାଜ୍ୟରେ ଏକା ଲଢିବାକୁ ଯାଉଛି। ଆସନ ବୁଝାମଣା ନେଇ ସେ ମେଣ୍ଟର ପ୍ରମୁଖ ସଦସ୍ୟ ଓ କଂଗ୍ରେସ ସହ ଆଲୋଚନା କରିଥିଲେ। କିନ୍ତୁ ସବୁ ଆଲୋଚନା ବିଫଳ ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯେକୌଣସି ପ୍ରସ୍ତାବ ଦେଲେ ମଧ୍ୟ ସେ ସବୁକୁ ଖଣ୍ଡନ କରିଥିଲେ। ତେଣୁ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି। 

 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାହୁଲଙ୍କ ଟାର୍ଗେଟ

ବ୍ୟୁରୋ ରିପୋର୍ଟ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାହୁଲଙ୍କ ଟାର୍ଗେଟ । ଦେଶର ସବୁଠାରୁ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆସାମର ବାରପେଟା ଦେଇ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଗତକାଲି ଗୁଆହାଟି ଦେଇ ରାହୁଲଙ୍କ ଯାତ୍ରା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାହୁଲଙ୍କ ଏହି ଯାତ୍ରାକୁ ଗୁଆହାଟି ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ। ସହରରେ ଟ୍ରାଫିକ ବ୍ୟବସ୍ଥା ବିଗିଡିବା ସ୍ଥିତିକୁ ନେଇ ରାହୁଲଙ୍କ ଯାତ୍ରାକୁ ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ।

ଗତକାଲି ରାହୁଲଙ୍କ ଯାତ୍ରା ସମୟରେ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା।  ରାହୁଲଙ୍କ ଯାତ୍ରା ସମୟରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କୁ ପୋଲିସ କ୍ଷତି ପହଞ୍ଚାଇବା ଦେଖିବାକୁ ମିଳିଥିଲା। ଅନେକ କଂଗ୍ରେସ କର୍ମୀ ଆହତ ମଧ୍ୟ ହୋଇଥିଲେ। ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେପଟେ ଆସାମରେ ହିଂସା ଉସୁକାଇବା ଅଭିଯୋଗ କରି ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସହ ପୋଲିସକୁ ଆକ୍ରମଣ କରିବା ଭଳି ଅଭିଯୋଗ ହୋଇଛି। ଆଜି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଏକାଦଶ ଦିନ ହୋଇଥିବାବେଳେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି । ଆସନ୍ତାକାଲି ରାହୁଲଙ୍କ ଯାତ୍ରା ପଶ୍ଚିମବଂଗକୁ ପ୍ରବେଶ କରିବ ।

ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ, ଉଦଘାଟିତ ହେଲା ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ

ପୁରୀ: ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଉଦ୍ଘାଟିତ ହେଲା। ଜାନୁଆରୀ ୨୭ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ସେହିପରି ଫେବୃଆରୀ ୩ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବ ଓ ଅସ୍ମିତାର ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ସଂସ୍କୃତି, ଜୀବନଧାରା, ପରମ୍ପରାକୁ ଭିତ୍ତି  କରି ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତ୍ୟବାଦୀ ଓଡିଆ ନବଜାଗରଣର ପୀଠ। ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ସତ୍ୟବାଦୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ରଙ୍କୁ ସମ୍ମାନ ଜଣାଇଥିଲେ। ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇଥିଲେ। ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତ୍ୟବାଦୀରେ ୨୦୧୮ ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ମନୋରମ ଦିଶୁଛି। ଏଥିରେ ସ୍କୁଲ ଅଫ ଲର୍ଣ୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।

କାନାଡାରେ ବିମାନ ଦୁର୍ଘଟଣାରେ ୬ ମୃତ, ଜଣେ ଗୁରୁତର

ବ୍ୟୁରୋ ରିରୋର୍ଟ: କାନାଡାରେ ବିମାନ ଦୁର୍ଘଟଣା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କାନାଡାର ଦକ୍ଷିଣ ପ୍ରାନ୍ତରେ ଥିବା ଖଣି ଅଞ୍ଚଳକୁ ଏକ ଘରୋଇ ବିମାନ ଯୋଗେ ଯାଉଥିଲେ ଖଣି କର୍ମଚାରୀ। ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି କାନାଡାର ନର୍ଥୱେଷ୍ଟର୍ଣ୍ଣ ଏୟାର କମ୍ପାନୀର ଥିବା ଜଣାପଡିଛି। କାନାଡାର ଫୋର୍ଟସ୍ମିଥ ନିକଟରେ ଘଟିଛି ଏ ଘଟଣା ।

ବିମାନରେ ମୋଟ ୭ ଜଣ ଥିଲେ । ୬ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଘଟଣାର ଛାନଭିନ ଲାଗି ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । କାନାଡାର ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ ଏହି ତଦନ୍ତ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛି ।

ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ପୁଣି ଥରେ ଇଡିର ରେଡ୍

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଟିଏମସି ନେତାଙ୍କ ଘରେ ପୁଣି ଥରେ ଇଡିର ରେଡ୍। ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ପୋଲିସ ଓ ବିଏସଏଫ ଜବାନଙ୍କ କଡା ସୁରକ୍ଷା ମଧ୍ୟରେ ଇଡି ଚଢାଉ କରିଛି।  କୁହାଯାଉଛି ଯେ, ଇଡି ଶାହାଜାହାନଙ୍କ ଘରର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛି । ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶେଖ ଶାହାଜାହାନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।

ସୂଚନା ଅନୁଯାୟୀ, ରାଶନ ଦୁର୍ନୀତି ମାମଲାରେ ଶେଖ ଶାହାଜାହାନ ୧୯ ଦିନ ହେବ ଫେରାର୍ ଅଛନ୍ତି । ଇଡି ତାର ପୁରା ଟିମ୍ ସହ ଆସି ଶାହାଜାନଙ୍କ ଘରେ ଛାପା ମାରିଛି । ଏହି ସମସୟରେ ୧୨୫ ସେଣ୍ଟ୍ରାଲ ଫୋର୍ସ କର୍ମଚାରୀ ଏବଂ ୩୫ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଆଠ ଜଣ ଇଡି ଅଧିକାରୀ ଶେଖ ଶାହାଜାହାନଙ୍କ ଘରେ ଖୋଜାଖୋଜି କରୁଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ କୋଲକାତା ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବା ପରେ ହାଇ କୋର୍ଟ TMC ଦଳ ନେତା ଶେଖ୍ ଶାହାଜାହାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ଇଡି ଦୁଇଟି ଏଫଆଇଆର୍ ପଞ୍ଜୀକୃତ କରି ସିବିଆଇ ତଦନ୍ତ ଦାବି କରିଛି। ଉଭୟ ମାମଲାରେ ଏସଆଇଟି ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଗିରଫ ନକରିବା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶେଖଙ୍କୁ ଗିରଫ ନକରିବା ନେଇ ରାଜ୍ୟପାଳ ମମତା ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ବୋଷ ପ୍ରଶ୍ନ କରିଛନ୍ତି ଯେ, ଶେଖ ଶାହାଜାହାନଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ?

ସୂଚନା ଅନୁଯାୟୀ, ରାସନ ସ୍କାମ ମାମଲାରେ ଶେଖ ଶାହାଜାହାନଙ୍କ ଘରକୁ ଇଡି ଚଢାଉ କରିବାକୁ ଆସିଥିଲେ। କିନ୍ତୁ ସେଠାରେ ଶେଖ ଫେରାର ଥିବା ବେଳେ ଗ୍ରାମବାସୀ ଇଡିକୁ ବିରୋଧ କରିଥିଲେ। ଏହାପରେ ୩ ଜଣ ଇଡି ଅଧିକାରୀଙ୍କୁ ମାଡମାରି ରକ୍ତାକ୍ତ କରିଥିଲେ ଗ୍ରାମବାସୀ। ଏହି ଘଟଣା ପରେ ତିନି ଜଣ ଇଡି ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।\