ଭାରତ ଓ ଇଂଲଣ୍ଡ ଟେଷ୍ଟର ତୃତୀୟ ଦିନ, ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନ । ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି ମ୍ଯାଚ । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ଟି ୱିକେଟ୍ ହରାଇ ୪୭୩ ରନ୍ ସଂଗ୍ରହ କରିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାଳିରେ ଘରୋଇ ଟିମ୍ ୨୫୫ ରନରେ ଅଗ୍ରଣୀ ରହିଛି । ଗତକାଲି ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଥିଲେ । ଉଭୟେ ଦ୍ବିତୀୟ ୱିକେଟ୍ ପାଇଁ ୧୭୧ ରନର ଭାଗିଦାରୀ କରିଥିଲେ ।

ରୋହିତ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୦୩ ରନ୍ ଓ ଗିଲ୍ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୦ ରନ୍ କରିଥିଲେ । ସେହିପରି ଯୁବ ବ୍ଯାଟ୍ସମ୍ଯାନ ଦେବଦତ୍ତ ପଡିକଲ ଓ ସର୍ଫରାଜ ଖାନ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୭ ରନ କରି କୁଲଦୀପ ଯାଦବ ଓ ୧୯ ରନ କରି ଯଶପ୍ରୀତ ବୁମରା ଅପରାଜିତ ଅଛନ୍ତି । ଇଂଲଣ୍ଡ ଟସ୍ ଜିଣି ଗୁରୁବାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁଁ ୫୭.୪ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।