ଭୁବନେଶ୍ବର: ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଅମର ଆତ୍ମାର ସଦଗତି ନେଇ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଲୋକଙ୍କ ହିତ ପାଇଁ ଜନପ୍ରତିନିଧି ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ନବୀନ । ଆଜି ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ପରିବହନ ନିଗମର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ପରଲୋକ ହୋଇଯାଇଛି । ୮୯ ବର୍ଷ ବୟସରେ ଆଠଗଡ଼ ଗୁରୁଡ଼ିଝାଟିଆ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । କଂଗ୍ରେସ ଦଳରୁ ୧୯୮୦ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓ ୧୯୮୫ରୁ ୧୯୯୦ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରେ କଂଗ୍ରେସ ସରକାରଙ୍କ ପକ୍ଷରୁ ତାଙ୍କୁ ଓଡ଼ିଶା ପରିବହନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ଦେହାନ୍ତ ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ବରର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜୟନ୍ତୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥୀଭାବେ ସରକାରୀ ଦଳ ମୁଖ୍ୟ ସଚେତନ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ଏହାସହ ବହୁ ବରେଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶିଷ୍ଟ ଜନନାୟକ ମୂଲ୍ୟବୋଧ ଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ଚୌଧୁରୀ ସବୁଦିନ ପାଇଁ ମନେ ରହିବେ ବୋଲି କହିଥିଲେ ମନ୍ତ୍ରୀ ପ୍ରଦୀପ ଅମାତ ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ଦ୍ବିତୀୟ ପର୍ଯ୍ୟାୟରେ ପୁରୀ, ଖେର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ବାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଂଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସମ୍ପର୍କରେ ଜାଣିହେବ ବୋଲି ଏହାଦ୍ବାରା କହିଥିଲେ ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବା ସେ କହିଥିଲେ । ଭୁବନେଶ୍ବର ରେଳ ଷ୍ଟେସନରେ ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ ହୋଇଥିବାବେଳେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତନ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ସୁର ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆଜିର ଏହି ତୀର୍ଥଯାତ୍ରାରେ ୬ ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଏକ ନିଆରା ଯୋଜନାକୁ ସାଧାରଣରେ ପ୍ରଂଶସା କରାଯାଉଛି ।

ଅଭିନେତା ପ୍ରକାଶ ରାଜଙ୍କୁ ଇଡି ସମନ
ନୂଆଦିଲ୍ଲୀ: ୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି । ତାଙ୍କୁ ପୂରା ଘଟଣାରେ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏଥିସହ ନଭେମ୍ବର ୨୦ରେ ଥିରୁଚିରାପାଲ୍ଲିରେ ଥିବା ପ୍ରଣବ ଜୁଏଲର୍ସରେ ରେଡ୍ କରିଥିଲା ଇଡି । ରେଡ୍ ପରେ ପ୍ରକାଶ ରାଜଙ୍କୁ ସମନ ହୋଇଛି । ପ୍ରଣବ ଜୁଏଲର୍ସ ପକ୍ଷରୁ ଆରମ୍ଭ କରାଯାଇଥିବା ଗୋଲ୍ଡ ଇନଭେଷ୍ଟମେଣ୍ଟ ସ୍କିମରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଇଡି ଅଭିଯୋଗ କରିଛି । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଚାହୁଁଛି । ତେଣୁ ପ୍ରକାଶ ରାଜଙ୍କୁ ଜେରା କରିବାକୁ ଲକ୍ଷ୍ୟ ରଖିଛି ଇଡି । ପ୍ରକାଶ ରାଜ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଥିଲେ । ତେଣୁ ତାଙ୍କୁ ଡିସେମ୍ବର ୫ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଛି । ଇଡି ଏହି ଘଟଣାରେ କରିଥିବା ରେଡ ବେଳେ ଅଘୋଷିତ ୨୩.୭୦ ଲକ୍ଷ ନଗଦ ଟଙ୍କା ଓ ୧୧.୬୦ କେଜିର ସୁନା ଜବତ କରିଥିଲା ।
ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ବୌଦ୍ଧ ଜିଲ୍ଲାର ଜନସାଧାରଣ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।
ସାହାରା ସାଜିଲା BSKY, ଚାଲିଲା ସାଇ
କଟକ: ପୁନର୍ଜନ୍ମ ଦେଲା BSKY। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ଜୀବନ ପାଇଲେ ମାଲକାନଗିରିର ୮ ବର୍ଷର ବାଳକ ସାଇ ଗଲରି। ନିଆଁରେ ଗୁରୁତର ହୋଇ ଚାଲିବା ଶକ୍ତି ହରାଇବସିଥିବା ସାଇ ଦେଖିଛି ଜୀବନର ନୂଆ ସକାଳ। କଟକର ଏକ ଘରୋଇ ହସ୍ପିଟାଲରେ ଅପରେସନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି । ଏବେ ଚାଲିବା ସହିତ ଖେଳିବୁଲି ପୁରୁଣା ଦିନର ମଉଜକୁ ପୁଣି ଉପଭୋଗ କରୁଛି ସାଇ। ବଡ଼କଥା ହେଉଛି ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାବେଳେ ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି ସାଇଙ୍କ ପରିବାର। ବିଏସକେଓ୍ବାଇରେ ସମ୍ପୂର୍ଣ୍ଣ ମାଗଣାରେ ତାର ଚିକିତ୍ସା କରାଯାଇଛି ।
ପରିବାର ଲୋକଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡରେ ଗୁରୁତର ହୋଇପଡ଼ିଥିଲା ସାଇ । ପରେ ଚାଲିବାର ଶକ୍ତି ହରାଇବସିଥିଲା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଭର୍ତ୍ତି ହେବା ପରେ କଟକ ସ୍ଥାନାନ୍ତରିତ ହୋଇଛି । ବାଲିକୁଦା ସ୍ଥିତ ଏସବିଏମ ହସ୍ପିଟାଲରେ ସାଇର ଅପରେସନ ହୋଇଥିଲା । ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ବିଭୁତି ଭୂଷଣ ନାୟକ ଦୁଇଟି ପର୍ଯ୍ୟାୟରେ ସର୍ଜରୀ କରିଥିଲେ । ଅପରେସନର ସବୁ ଖର୍ଚ୍ଚ ବିଏସକେଓ୍ବାଇରେ ହୋଇଥିଲା । ଚିକିତ୍ସା ପରେ ଏବେ ସାଇ ସୁସ୍ଥ ହୋଇଛି । ଏଥିପାଇଁ ଡାକ୍ତର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଇଙ୍କ ପରିବାର ।
ଆହୁରି ଚକାଚକ୍ ହେବ ରାଜଧାନୀ
ଭୁବନେଶ୍ବର: ଭୁବନେଶ୍ବର ଫାଷ୍ଟ ନେଇ ମିଶନ ମୋଡରେ ବିଏମସି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ରାସ୍ତାକୁ ପକ୍କା କରାଯିବ। ଶ୍ମଶାନରୁ କଲ୍ୟାଣ ମଣ୍ଡପ ସବୁଠି ବଦଳିବ ରୂପରେଖ । ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ସେପଟେ ସମସ୍ତ ୱାର୍ଡ ଅଞ୍ଚଳର ବିକାଶ ନେଇ କର୍ପୋରେଟରଙ୍କ ପ୍ରସ୍ତାବକୁ ମୋହର ମାରିଛି ବିଏମସି । ବିକାଶ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କର୍ପୋରେଟର ।
ରାଜଧାନୀରେ ହଟିବ କଚ୍ଚା ରାସ୍ତା, ପଡିବ ପକ୍କା ରାସ୍ତା । ଚକାଚକ୍ ହେବ ଗଳିକନ୍ଦିରୁ ସହର । ବଦଳିବ ସମସ୍ତ ଶ୍ମଶାନ ଓ କଲ୍ୟାଣ ମଣ୍ଡପର ରୂପରେଖ । ବିଏମସି ମାରିଲା ମୋହର । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରାଯିବ । ପକ୍କା ରାସ୍ତା ନେଇ ସମସ୍ତ କୋର୍ପେରଟର ପ୍ରସ୍ତାବ ଦେଇଛନ୍ତି । ଆଉ କେଉଁ କେଉଁ ୱାର୍ଡରେ କଚ୍ଚା ରାସ୍ତା ରହିଛି, ସେ ସଂପର୍କରେ ତୁରନ୍ତ ଜଣାଇବାକୁ କର୍ପୋରେଟର ମାନଙ୍କୁ ଅପିଲ କରିଛନ୍ତି ମେୟର ଓ କମିଶନର ।
ଭୁବନେଶ୍ୱରରେ ଥିବା ସମସ୍ତ ଶ୍ମଶାନର ଓ କଲ୍ୟାଣ ମଣ୍ଡପର ଚିତ୍ର ବଦଳିବ । ସତ୍ୟ ନଗର ଶ୍ମଶାନକୁ ସ୍ବତନ୍ତ୍ର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ଯୁଦ୍ଧକାଳୀନ ଭିତିରେ ୫ଟି ଶ୍ମଶାନ ଓ ପର୍ଯ୍ୟାୟକ୍ରମେ ସମସ୍ତ ଶ୍ମଶାନର କାମ କରାଯିବାକୁ ନିଷ୍ପତ୍ତି ହୋଇଛି । ସବୁ ଶ୍ମଶାନରେ ଚୁଲା, ପାନୀୟ ଜଳ, ଆଲୋକ, ଶୌଚାଳୟ, ବିଶ୍ରାମାଗାର, ପାର୍କିଂ, ଗାର୍ଡ ଓ କର୍ମଚାରୀଙ୍କ ପାଇଁ ଘର ଆଦି ବ୍ୟବସ୍ଥା ରହିବ । ସେହିଭଳି ପୁରୁଣା କଲ୍ୟାଣ ମଣ୍ଡପର ମଧ୍ୟ ରୂପରେଖ ବଦଳିବ ବୋଲି କମିଶନର କହିଛନ୍ତି ।
ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଭିନ୍ନ ୱାର୍ଡରେ ବିକାଶ ରଥ ଗଡି ଚାଲିଛି । ରାସ୍ତା ଠାରୁ ପୋଖରୀ । କଲ୍ୟାଣ ମଣ୍ଡପ ଠାରୁ ସ୍ମଶାନ । ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ କାମ ଚାଲିଛି । ଏପରିକି ଏକାଧିକ ୱାର୍ଡରେ ୬୦ ପ୍ରତିଶତରୁ ଅଧିକ କାମ ହୋଇଛି । ଯେଉଁଠାରେ ଭିତ୍ତିଭୂମି ବିକାଶ ନେଇ କାର୍ଯ୍ୟ ବାକି ରହିଛି ସେ ସବୁ କାର୍ଯ୍ୟ ଶେଷ ନେଇ ବିଏମସି ପଦକ୍ଷେପ ନେଉଛି ବୋଲି ବିଭିନ୍ନ ୱାର୍ଡର କର୍ପୋରେଟର ଓ ଭୁବନେଶ୍ବର ବାସିନ୍ଦା କହିଛନ୍ତି ।
ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ନୂଆ ନୂଆ ଯୋଜନା ହାତକୁ ନେଉଛି ବିଏମସି । ଏବେ ଭିକାରୀ ମୁକ୍ତ ନେଇ କେନ୍ଦ୍ର ପ୍ରଶଂସା କରିଥିବା ବେଳେ ଗରିମା କାର୍ଯ୍ୟକ୍ରମରେ କେନ୍ଦ୍ରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶାକୁ ପୁରସ୍କୃତ କରିଛି ।
ମନରୁ ଯାଇନି କି ବିଶ୍ବକପ ପରାଜୟ ? ସୂର୍ଯ୍ୟଙ୍କ ପ୍ରେସମିଟରେ ମାତ୍ର ୨ ସମ୍ବାଦିକ, ଜାଣନ୍ତୁ କ’ଣ କହିଲେ ଅଧିନାୟକ
ବିଶାଖାପାଟଣା: ଭାରତ ଅଷ୍ଟ୍ରେଲିଆଠାରୁ ଦିନିକିଆ ବିଶ୍ବକପ ହାରିବା ପରେ ଟିମ ଇଣ୍ଡିଆକୁ ନେଇ ଆରମ୍ଭ ହୋଇଛି ସମାଲୋଚନା । ସିନିୟର ଖେଳାଳି ହୁଅନ୍ତୁ କିମ୍ବା ଫ୍ୟାନ୍ସ ସମସ୍ତେ ସମାଲୋଚନା କରିବା ସହ ପରାଜୟର କାରଣକୁ ନେଇ ତର୍କ କରୁଛନ୍ତି । ତେବେ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟି-୨୦ ସିରିଜ ଖେଳିବାକୁ ଯାଉଛି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ ସୂର୍ଯ୍ୟ କୁମାର ଯାଜବ ଡାକିଥିବା ପ୍ରେସ କନଫରେନ୍ସରେ ମାତ୍ର ୨ ଜଣ ସାମ୍ବାଦିକ ନଜର ଆସିଥିଲେ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଯାହାକି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ପକ୍ଷରୁ ଏକ୍ସରେ ସୂର୍ଯ୍ୟଙ୍କ ପ୍ରେସ କନଫରେନ୍ସର ଭିଡିଓକୁ ମଧ୍ୟ ସେୟାର କରାଯାଇଛି ।
🗣️ My message to the players is very clear – just be fearless and do whatever it takes to help the team 👌👌#TeamIndia Captain @surya_14kumar ahead of the 1st T20I against Australia.@IDFCFIRSTBank | #INDvAUS pic.twitter.com/jmjqqdcZBi
— BCCI (@BCCI) November 22, 2023
ସୂର୍ଯ୍ୟ କହିଛନ୍ତି କି, ବିଶ୍ବକପ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଥିଲା। ଏହାକୁ ଏେତ ସହଜରେ ଭୁଲିଯିବା କଷ୍ଟସାଧ୍ୟ।ଟି-୨୦ ଏକ ନୂଆ ଆରମ୍ଭ ହେବ। ଏହାସହ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଂଶସା କରିଛନ୍ତି ସୂର୍ଯ୍ୟକୁମାର ଯାଜବ । ସେ କହିଛନ୍ତି କି, ରୋହିତ ଜଣେ ଭଲ ଖେଳାଳି । ବିଶ୍ବକପରେ ତାଙ୍କ ଅଧିନାୟକତ୍ବ ସାଙ୍ଗକୁ ପ୍ରଦର୍ଶନ ବେଶ ଦର୍ଶନୀୟ ଥିଲା । ବିରାଟ, ରୋହିତ ଏବଂ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ ଫାଇନାଲରେ ଭଲ ପ୍ରଦର୍ଶନ କରିଥିଲେ । ସେମାନେ ଏହି ଟି-୨୦ ସିରିଜ ଖେଳୁ ନାହାନ୍ତି ।
ସହିଦ କ୍ୟାପଟେନ୍ ଶୁଭମ ଗୁପ୍ତାଙ୍କୁ ନେଇ ଦୁଃଖଦ କାହାଣୀ କହିଲେ ଭାଇ, ଜନ୍ମଦିନରେ…
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସହିଦ କ୍ୟାପଟେନ ଶୁଭମ ଗୁପ୍ତାଙ୍କ ପାର୍ଥିବ ଶରୀର ଗୁରୁବାର ଜନ୍ମମାଟିରେ ପହଞ୍ଚିବ। ତାଙ୍କ ସହିଦ ଖବର ଶୁଣିବା ପରେ ସାରା ଦେଶରେ ଖେଳି ଯାଇଛି ଶୋକର ଛାୟା । ପରିବାର ଲୋକେ ସହିଦ ପୁଅକୁ ଝୁରି ହେଉଥିବାବେଳେ ଆଖିରୁ ଶୁଖୁନି ଲୁହ। ନିତା ବସନ୍ତ କହିଛନ୍ତି କି, ଦୁଇଦିନ ତଳେ ପୁଅ ସହ କଥା ହୋଇଥିଲେ। ସହିଦ ଶୁଭମ କହିଥିଲେ କି, ମୋର ଗୋଟେ କାମ ବାକି ଅଛି, ସରିବା ପରେ ମୁଁ ଛୁଟିରେ ଘରକୁ ଯିବି। କିନ୍ତୁ ଏମିତି ଯେ ଘଟଣା ଘଟିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ। ସହିଦ ଶୁଭମଙ୍କ ଭାଇ ତାଙ୍କ ସ୍ମୃତିକୁ ବଖାଣି କୋହଭରା କଣ୍ଠରେ ନିକଟରେ ପାଳିଥିବା ତାଙ୍କ ଜନ୍ମଦିନ କଥା କହିଛନ୍ତି। ସବୁ ଭାଇମାନେ ସହିଦ ଶୁଭମଙ୍କୁ କାନ୍ଧରେ ବସାଇ ’ଜିଓ ହଜାର ସାଲ’ ଗୀତ ବଜାଇ ଧୁମ ନାଚିଥିଲେ। ମାତ୍ର ଏବେ ତାଙ୍କୁ ଏମିତି କାନ୍ଧ ଦେବାକୁ ପଡ଼ିବ ଭାବିଲା ବେଳକୁ ଆକାଶ ଛିଣ୍ଡି ପଡ଼ିବା ଭଳି ମନେ ହେଉଛି।
ଏହାସହ ସହିଦଙ୍କ ଭାଇ କହିଛନ୍ତି କି, ୯ ଅକ୍ଟୋବରରେ ଶୁଭମଙ୍କ ଜନ୍ମଦିନ ଥିଲା । ସେ ଛୁଟିରେ ଘରେ ରହିଥିଲା। ଆମ ଘରେ ବେଶ ଖୁସି ମାହୋଲ ରହିଥିଲା । ପରିବାର ଲୋକଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଘରକୁ ଆସିଥିବାବେଳେ ହୋଟେଲରେ ପାର୍ଟି କରାଯାଇଥିଲା । ତାଙ୍କୁ କାନ୍ଧରେ ବସାଇ ଖୁସି ମନାଇଥିଲୁ । ଆଜି ମଧ୍ୟ ସେଦିନର ଛବି ଆଖି ଆଗରେ ଆଙ୍କି ହୋଇ ଯାଉଛି। ମାତ୍ର ୨ଦିନ ପରେ ସେ ଘରକୁ ଆସିବ ବୋଲି କହିଥିଲା । କିନ୍ତୁ କିଛି କାମ ବାକି ରହିଥିବାରୁ ସାରିବ ପରେ ଆସିବ ବୋଲି କହିଥିଲା । ଆମେ ବେଶ ଖୁସିଥିଲୁ। କିନ୍ତୁ ଏହି ଖୁସିରେ ଯେମିତି କାହାର ନଜର ଲାଗିଗଲା। ଯେତେବେଳେ ଫୋନ ଆସିଥିଲା କି, ସେ ସହିଦ ହୋଇଛନ୍ତି ପାଦ ତଳୁ ମାଟି ଖସିଗଲା ଭଳି ମନେ ହୋଇଥିଲା ।
ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ
ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ’ପନୌତି’ ଶବ୍ଦ ବ୍ୟବହାର କରିବା । ଗୁରୁବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଇସି ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବାବେଳେ ଆସନ୍ତା ୨୫ ତାରିଖରେ ଯାଏ ସମୟ ଦିଆଯାଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜେନୖତିକ ଚର୍ଚ୍ଚା ।
ସୂଚନା ଥାଉକି, ରାଜସ୍ଥାନ ନିର୍ବାଚନ ରାଲିରେ ସମ୍ବେଧାନ ଦେବାବେଳେ ରାହୁଲ କହିଥିଲେ କି, ବିଶ୍ବକପ ଆମ ଦଳ ଜିତିଥାନ୍ତା । କିନ୍ତୁ ପନୌତି ହରାଇ ଦେଲା । ଯାହାକି ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ କରି କୁହାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବୁଧବାର ନିର୍ବାଚନ ଆୟୋଗଙ୍କ ପାଖରେ ହାଜର ହୋଇଥିବାବେଳେ ଗୁରୁବାର ରାହୁଲଙ୍କୁ ନୋଟିସ ଜାରି କରାଯାଇଛି । ବିଶ୍ବକପରେ ଭାରତର ପରାଜୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବହୁ ଆକ୍ଷେପ କରାଯାଇଥିଲା । ଅଷ୍ଟ୍ରେଲିଆ ଭାରତକୁ ହରାଇଥିବାବେଳେ ପରାଜୟର କାରଣକୁ ନେଇ ଭିନ୍ନ ଭିନ୍ନ କେମଣ୍ଟମାନ ଦେଖିବାକୁ ମିଳିଥିଲା । ଏଭଳିକି ନରେନ୍ଦ୍ର ମୋଦି ଷ୍ଟାଡିୟମରେ କାହିଁକି ଖେଳାଗଲା ଏହାକୁ ନେଇ ପ୍ରଶ୍ନ ଉଠିଛି ।

