spot_img
Home Blog Page 2362

ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ବନ୍ଧୁମିଳନ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟ ସମୀକ୍ଷା ଏବଂ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆମ୍ବପୁଆରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ସମସ୍ତ କର୍ମୀ ଓ ନେତା କିଭଳି ଏକତ୍ରିତ ହୋଇ କାର୍ଯ୍ୟକରିବେ ସେନେଇ  ଆଲୋଚନା କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଯେପରି ବିଜେଡି ପ୍ରାର୍ଥୀ ଏକପାଖିଆ ଭାବେ ବିଜୟ ଲାଭ କରିବେ ସେନେଇ ରଣନୀତି ହୋଇଛି। ମାନସ କହିଛନ୍ତି, ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିକାଶ ପଥେ ଆଗେଇ ଚାଲିଛି । ଆଗକୁ କିପରି ଆହୁରି ବିକାଶ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମାନସ । ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହାକୁ ଦାୟିତ୍ବ ଦେଇଛନ୍ତି ସେ ବ୍ୟକ୍ତିଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ଲୋକମାନେ ବିଜେଡି ପ୍ରତି ଆଶୀର୍ବାଦ ରଖିବେ ବୋଲି ମାନସ କହିଛନ୍ତି ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଙ୍ଘମିତ୍ରା ଦଳାଇ, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଉଷା ରାଣୀ, ଉପାଧ୍ୟକ୍ଷା ଅନୀତା ମହାଙ୍କୁଡ,  ରାଜେଶ୍ବରୀ ଦୋରା, ଜିଲ୍ଲାପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ, ଭାରତୀ ନାୟକ, ତଅପୋଇ ଦାସ, ବିଜେଡି ନେତା ବିନୋଦ କୁମାର ମହାଙ୍କୁଡ, ଅମିତ ମଲ୍ଲିକ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ରାଜ୍ଯ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ଯ ଯୋଗଦେଇଥିଲେ ।

ବଦଳିଲା ରାଜସ୍ଥାନ ବିଧାନସଭା ନିିର୍ବାଚନ ତାରିଖ, ୨୩ ନୁହେଁ ୨୫ରେ ମତଦାନ

ଜୟପୁର: ଆସନ୍ତା ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ  । ନଭେମ୍ବର ୨୫ରେ ମତ ସାବ୍ୟସ୍ତ କରିବେ ଭୋଟର  । ପୂର୍ବରୁ ନଭେମ୍ବର ୨୩ରେ ନିର୍ବାଚନ ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ  । ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନରେ ମତଦାନ ଗ୍ରହଣ କରାଯିବ  ।

ଆସନ୍ତା ଡିସେମ୍ବର ୩ରେ ଅନ୍ୟ ୪ ରାଜ୍ୟ ସହ ରାଜସ୍ଥାନ ନିର୍ବାଚନ ଫଳାଫଳ ବାହାରିବ  ।

ବିଲେଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ବର: ବିଲେଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ। ଭୁବନେଶ୍ବର ପଟିଆ ରେଳ ଷ୍ଟେସନ ନିକଟରେ ଘଟିଛି ଅଘଟଣ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଶିବରାମ ସାହୁ । ସୂଚନା ଅନୁସାରେ ପ୍ରାୟ ୬୦ ଗଭୀର ଏକ ପରିତ୍ୟକ୍ତ କୂଅରେ ବିଲେଇଟିଏ ପଡ଼ିଯାଇଥିଲା । ବିଲେଇଟିକୁ ମାଲିକ ଏକ ବାଲଟି ସହାୟତାରେ ବାହାର କରୁଥିଲେ। ଏହି ସମୟରେ ସ୍ଥାନୀୟ ଆଇସକ୍ରିମ ବ୍ଯବସାୟୀ ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିବାକୁ କୂଅରେ ପଶିଥିଲେ ।

ପରେ କୂଅ ଭିତରେ ଅଣନିଶ୍ବାସୀ ହୋଇପଡ଼ିଥିଲେ ଶିବରାମ । ଶିବରାମଙ୍କୁ ଉଦ୍ଧାର କରିବାକୁ ଶଙ୍କର ଦାସ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କୂଅକୁ ଯାଇଥିଲେ । ସେ ମଧ୍ୟ ସେଠାରେ ଅଣନିଶ୍ବାସୀ ହୋଇଯାଇଥିଲେ । ଶେଷରେ ଶିବରାମଙ୍କ ବଡ଼ଭାଇ ଭଜମନ ସାହୁ କୂଅକୁ ଯାଇଥିଲେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରିଥଇଲେ। ଶିବରାମଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କ୍ରିକେଟ ପ୍ରେମୀଙ୍କ ଲାଗି ଖୁସି ଖବର, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତରେ ଚାଲିଛି କ୍ରିକେଟ ମହାକୁମ୍ଭ । ବିଶ୍ବକପର ଉଦଘାଟନୀ ସମାରୋହରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନଥିବାରୁ କ୍ରିକେଟ ପ୍ରେମୀଙ୍କ ମନ ଉଣା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅନେକ ଟ୍ବିଟ କରିଥିବା ମଧ୍ୟ ନଜରକୁ ଆସିଥିଲା । ତେବେ ବିସିସିଆଇ ପକ୍ଷରୁ ଏକ ଖୁସି ଖବର ସାମନାକୁ ଆସିପାରେ । ବିଶ୍ବକପର ଉଦଘାଟନୀ ମ୍ୟାଚରେ ଯେଉଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇ ନଥିଲା । ଏବେ ପୁଣି ଥରେ ହେବାକୁ ଯାଉଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଏଭଳି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡର ଜଣାଶୁଣା ଗାୟକ ଅରଜିତ ସିଂ ସୋ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୪ ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଅରଜିତ ସିଂହଙ୍କ ଲାଇଭ ସୋ ହେବ ବୋଲି କୁହାଯାଉଛି । ତେବେ ବିସିସିଆଇ ପକ୍ଷରୁ ଏଯାବତ କୌଣସି ତଥ୍ୟ ମିଳିପାରିନାହିଁ । କିନ୍ତୁ ଏହା ଏକ ପ୍ରକାର ସ୍ଥିର ହୋଇଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ଭାରତ ପାକିସ୍ତାନ ମ୍ୟାଚ ସମୟରେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହାଙ୍କ ପିତା ତଥା ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ । ଅନ୍ୟପଟେ ଅରିଜିତଙ୍କ ସହ ସଚିନ ତେନ୍ଦୁଲକର, ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଭେଟେରାନ ଅଭିନେତା ମଧ୍ୟ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରନ୍ତି । ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।

ପାକିସ୍ତାନ ବିଶ୍ବକପରେ ଏଯାବତ ଦୁଇଟି ମ୍ୟାଚ ଖେଳିଛି । ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତା କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ସାମନା କରିଥିବାବେଳେ ବିଜୟୀ ହୋଇଥିଲା । ବୁଧବାର ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳୁଛି ଭାରତ । ଭାରତ ଏବଂ ପାକିସ୍ତାନ ଦମଦାର ଫର୍ମରେ ନଜର ଆସୁଥିବାବେଳେ ମ୍ୟାଚ କିଏ ଜିତିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଆଇସିସିର ବଡ଼ ଇଭେଣ୍ଟରେ ସବୁବେଳେ ପାକିସ୍ତାନକୁ ହରାଇଥାଏ ଭାରତ । ପାକିସ୍ତାନ ଅପେକ୍ଷା ଭାରତର ରେକର୍ଡ ଭଲ ରହିଛି ।

ବିଜେଡି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଜନସମ୍ପର୍କ ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରମେଶ ସାଏଙ୍କ ନେତୃତ୍ବରେ କିଶୋରନଗର ବ୍ଲକରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଦୋହଲି ଛକରୁ ଶତାଧିକ ଲୋକ ପଦଯାତ୍ରାରେ ବାହାରିଥିଲେ । ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା  ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ଏକ ବିରାଟ ଶୋଭାଯାତ୍ରା  ସ୍ଥାନୀୟ ଗୁନିପଡା ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ।

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବ୍ଲକର ୮ଟି ପଂଚାୟତ ଓ ବରୀ ବ୍ଲକର ୨୯ଟି ପଞ୍ଚାୟତର ଲୋକଙ୍କୁ ନେଇ ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଛି। ଏରବାଙ୍କ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା ।ଏଥିରେ ୪ ହଜାରରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ କ୍ରମେ ଲୋକଙ୍କ ପାଖରେ ପହଁଚି ବିଭିନ୍ନ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦ ଯାତ୍ରା ଆୟୋଜିତ ହୋଇଥିଲା। ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସୋର ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ତୋରାଣୀପଦା ଠାରୁ ଖଇରା ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ରାଜ୍ୟସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଂଚାଇବା ପଦଯାତ୍ରାରଲ ମୂଳ ଲକ୍ଷ୍ଯ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦଙ୍କ ସମେତ 37 ଗୋଟି ପଞ୍ଚାୟତର କର୍ମୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବର ବ୍ଲକ ଅଧୀନ ଚନ୍ଦକା ପଞ୍ଚାୟତର କୁଜିମହୁଲୁ ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବଜେଡି ନେତା ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ କିଭଳି ପହଞ୍ଚି ଘରେ ଘରେ ପହଞ୍ଚିବ ସେନେଇ ବୁଝାଉଛନ୍ତି ନେତା ଓ କର୍ମୀ ।

ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ  ବିଜୁ ଜନତା ଦଳ ପକ୍ଷରୁ ଉଦଯାପିତ ହେଲା ଜନ ସମ୍ପର୍କ ପଦଯାତ୍ରା l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ଝାରସୁଗୁଡା ବିଧାୟିକା ଦୀପାଳି  ଦାସଙ୍କ ନେତୃତ୍ୱରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଝାରସୁଗୁଡା ପୌରପରିଷଦ ଏବଂ ସମସ୍ତ ବ୍ଲକ ରେ ଏହି ଜନ ସମ୍ପର୍କ ପଦଯାତ୍ରା ରେ ଶହ ଶହ ବିଜୁ କର୍ମୀ ସାମିଲ ହୋଇଥିଲେ।

RBI ନେଲାନି ଚିରାଫଟା ନୋଟ, ଅଫିସ୍ ଆଗରେ ଉଡ଼ାଇଲେ ଲୋକେ

ଭୁବନେଶ୍ବର: ଆରବିଆଇ ଅଫିସ ଆଗରେ ଉଡ଼ିଲା ଟଙ୍କା । ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା । ତେବେ ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି ।

ଅଭିଯୋଗ ଅନୁସାରେ, ଚିରାଫଟା ଟଙ୍କାକୁ ବଦଳାଇବାକୁ କିଛି ଗ୍ରାହକ ଆରବିଆଇ ଅଫିସକୁ ଆସିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା ।

ସୂଚନାଯୋଗ୍ୟ, ଚିରା ଫଟା ନୋଟ ବଦଳାଇବା ନେଇ ଆରବିଆଇରେ ବ୍ୟବସ୍ଥା ରହିଛି । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ କାହିଁକି ଗ୍ରାହକଙ୍କୁ ପାଖରୁ ଚିରା ନୋଟ ନେବାକୁ ମନା କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଦିନେଶ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ସେ ଓ କିଛି ଗ୍ରାହକ ଆଜି ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଆସି ଲାଇନ୍‌ରେ ଛିଡ଼ା ହୋଇଥିଲେ । ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍‌କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।

ଘଟଣା ସମ୍ପର୍କରେ ପଚାରିବାରୁ ଆରବିଆଇ କର୍ତ୍ତୃପକ୍ଷ କହିଛନ୍ତି, ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ରହିଛି । ଏନେଇ ଲିଖିତ ଭାବେ କିଛି ବାହାରିନି କି ଗଣମାଧ୍ୟମରେ ଏ ସଂକ୍ରାନ୍ତିୟ ଖବର ପ୍ରକାଶିତ ହୋଇନି । ତେଣୁ ପ୍ରତିଦିନ ୨ ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି ।

ରାଜ୍ୟରେ ଖୋଲିବ ୭ଟି ନୂଆ ନର୍ସିଂ କଲେଜ

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୭ଟି ନୂଆ ନର୍ସିଂ କଲେଜ । କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ସମେତ ୭ଟି ସ୍ଥାନରେ ସ୍ଥାପନ ହେବ ନର୍ସିଂ କଲେଜ । ପ୍ରତି ନର୍ସିଂ କଲେଜ ପାଇଁ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଛି । ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ DPR ପଠାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ୪୦:୬୦ ଭାଗିଦାରିତାରେ ସ୍ଥାପନ ହେବ ଏସବୁ ନର୍ସିଂ କଲେଜ । ଏଥିରେ BSC ନର୍ସିଂ, MSC ନର୍ସିଂ ଓ PHD କୋର୍ସ ଦିଆଯିବ । ଏବେ ରାଜ୍ୟରେ ୮ଟି ନର୍ସିଂ କଲେଜ ରହିଛି । ତେବେ ସିଟ ସଂଖ୍ୟା ପରେ ସ୍ଥିର କରାଯିବ ବୋଲି କହିଛନ୍ତି ନର୍ସିଂ ନିର୍ଦ୍ଦେଶକ ।

୮ ହଜାର କୋଟିର ପ୍ରକଳ୍ପ, ୮ କୋଟି ବି ଖର୍ଚ୍ଚ କରିନି କେନ୍ଦ୍ର, ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଜାତୀୟ ରାଜପଥ କାମ ଧିମା ଗତିରେ ଚାଲିବାକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ବିଜେପି ନେତା କାହିଁକି ଏନେଇ ମୁହଁ ଖୋଲୁ ନାହାନ୍ତି ଓ ନିଜ ଦଳର କେନ୍ଦ୍ରୀୟ ନେତାଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଶ୍ରୀମୟୀ ମିଶ୍ର ।

ବିଜେଡି ପକ୍ଷରୁ କୁହାଯାଇଛି, ଧିମା ଗତିରେ ଚାଲିଛି ଏନଏଚ୍-୫୫ କାମ । କିଛି ସ୍ଥାନରେ କାମ ବନ୍ଦ ଥିବା ବେଳେ କେବେ ସରିବ ଜଣାନାହିଁ । ଆଜି ଯାଏଁ କେନ୍ଦ୍ର ଆଗରେ ପ୍ରଶ୍ନ କରିନାହାନ୍ତି ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ ଏନଏଚ୍-୫୫ ଯାଏ, ହେଲେ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି ବୋଲି କହିଛି ବିଜେଡି।

୨୦୧୫ରେ କୋଷ୍ଟାଲ ହାଇୱେ ଘୋଷଣା ହୋଇଥିଲା । ରାମେଶ୍ୱରମରୁ ଦୀଘା ଯାଏଁ ୮ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ୮ କୋଟି ଟଙ୍କା ବି ଖର୍ଚ୍ଚ ହେଲାନି । ଏ ରାସ୍ତାରେ ବାଲି ମୁଠାଏ ପଡ଼ିଲାନି, ହେଲେ ବିଜେପି ସାଂସଦ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେହିପରି ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ୍ । ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନରହିବା ପାଇଁ ଆଲାଇନମେଣ୍ଟ କରିଥିଲେ । ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ । ହେଲେ ଭୁବନେଶ୍ୱର ସାଂସଦ ଆଜି ଏପ୍ରସଙ୍ଗକୁ ଏଡାଇ ଦେଉଛନ୍ତି । ଏହାର ଭାଗ୍ୟ ଓ ଭବିଷ୍ୟତ କଥା କହୁ ନାହାନ୍ତି । ସେମାନେ ଆସନ୍ତା ନିର୍ବାଚନରେ ଲୋକଙ୍କୁ କେମିତି ସାମ୍ନା କରିବେ ବୋଲି ପ୍ରଶ୍ନ କରିଛି ବିଜେଡି ।

ପ୍ରତିଶ୍ରୁତି ଓ ବାସ୍ତବତାର ଚିତ୍ର ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି । ରାଜ୍ୟ ସରକାର ବାରମ୍ବାର ଏନଏଚ୍-୫୫ ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛନ୍ତି । ଲୋକ ମରୁଛନ୍ତି, ହେଲେ କାମ କିଛି ହେଲାନି । କୋଷ୍ଟାଲ ହାଇୱେ କାମ ହେଉନି । କାହିଁକି ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ବିଜେଡି ପ୍ରଶ୍ନ କରିଛି । ରିଂ ରୋଡ୍ ନେଇ ଭୁବନେଶ୍ୱର ସାଂସଦ ଚୁପ । ଇସ୍କନ ଦେଇ ଯାଇଥିବା NHରେ ପାଣି ଜମୁଛି । NHAI କର୍ତ୍ତୃପକ୍ଷ ଲଜ୍ଜିତ ହେଉଛନ୍ତି, ହେଲେ ଲୋକଙ୍କୁ ହଇରାଣ କରି ବିଜେପି ସାଂସଦ ଚୁପ । ଲୋକଙ୍କ ହିତ ପାଇଁ ଶୀଘ୍ର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ବିଜେଡି କହିଛି ।

ରାଜଧାନୀରେ ସମଲିଙ୍ଗୀ ସମ୍ପର୍କ ରଖି ବ୍ଲାକମେଲିଂ, ୪ ନାବାଳକଙ୍କ ସମେତ ୫ ଗିରଫ

ଭୁବନେଶ୍ବର: ରାଜଧାନୀରେ ସମଲିଙ୍ଗୀ ସେକ୍ସ ରାକେଟ୍ । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ସମୟର ଭିଡିଓ ବନାଇ ଭାଇରାଲ କରିବାକୁ ଧମକ । ଯୁବକଙ୍କ ପାଖରୁ ଲୁଟିଲେ ଦେଢ ଲକ୍ଷ ଟଙ୍କା । ଅଭିଯୋଗ ପରେ ସିସିଟିଭି ଫୁଟେଜକୁ ଆଧାର କରି ଜଣେ ଯୁବକ ଏବଂ ୪ ଜଣ ନାବାଳକଙ୍କୁ ବାନ୍ଧିଲା ପୋଲିସ ।

ପୋଲିସ ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଭୁବନେଶ୍ବରରେ ସକ୍ରିୟ ସମଲିଙ୍ଗୀ ସେକ୍ସ ରାକେଟ ଯୁବକ ଲୁଟିଛନ୍ତି । ସମଲିଙ୍ଗୀ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ଲୁଟିବାକୁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ।’

ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଏକ ସେକ୍ସ ରାକେଟ ବନାଇବା ସହ ଗେମ୍ ଆପରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସନରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ । ବିଭିନ୍ନ ଯୁବକଙ୍କ ସହ ଚାଟିଂ ଆରମ୍ଭ କରୁଥିଲେ । ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ । କଥାରେ କଥାରେ ସେମାନଙ୍କୁ ସମଲିଙ୍ଗୀ ଯୌନ ସମ୍ପର୍କ କଥା କହି ସର୍ଭିସ ଯୋଗାଇ ଦେବାକୁ ଲୋଭ ଦେଖାଉଥିଲେ । ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ ।’

ଏପରି ଉପାୟରେ ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଫସାଇ ଭୁବନେଶ୍ବର ଡକାଇଥିଲେ । ଯୁବକ ଜଣଙ୍କ ଗ୍ୟାରେଜ ଛକରେ ପହଞ୍ଚିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ । ସେଠାରେ ଯୁବକଙ୍କ ସହ ଅଭିଯୁକ୍ତମାନେ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରିଥିଲେ । ଏହାର ଭିଡିଓ ବନାଇ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ଲୋକଲଜ୍ୟା ଭୟରେ ଯୁବକ ଜଣଙ୍କ ଫୋନ୍ ପେ’ ମାଧ୍ୟମରେ ପ୍ରଥମେ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ବି ଅଭିଯୁକ୍ତମାନେ ତାଙ୍କୁ ନଛାଡ଼ି ଆହୁରି ଟଙ୍କା ଦାବି କରିଥିଲେ । ପରେ ଯୁବକ ଜଣଙ୍କ ଏଟିଏମରୁ ୫୦ ହଜାର ଟଙ୍କା ଉଠାଇ ଦେଇଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।

ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କହିଲେ- ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଯୋଜନାର ଶୁଭାରମ୍ଭ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । ୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’

କାର୍ଯ୍ୟକ୍ରମରେ ମାଆମାନଙ୍କୁ ପ୍ରସଂଶା କରିଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଛନ୍ତି, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ । ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି କାର୍ଯ୍ୟକ୍ରମ । ଘର ଘର ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିଥିଲେ ଏମବିକେ ଓ ବ୍ୟାଙ୍କ ମିତ୍ର ।’

ଆଗକୁ ସେ କହିଛନ୍ତି, ‘ସ୍କୁଟର ଆମ ମାଆମାନଙ୍କ ପାଇଁ ଏକ ପ୍ରତୀକ ହୋଇଛି । ଆଶା, ସମ୍ମାନ, ଦକ୍ଷତା ଓ ପରିଚୟର ପ୍ରତୀକ ଏହି ସ୍କୁଟର । ‘ଗତି ହିଁ ଶକ୍ତି’କୁ ଦର୍ଶାଇବେ ମାଆ । ବ୍ଲକ ଓ ଜିଲ୍ଲା ଫେଡେରସନକୁ ଆଜି ଗାଡ଼ି ମିଳିବ । ଏହି ଗାଡ଼ିରେ ପଞ୍ଜାୟତ, ଓ୍ୱାର୍ଡ ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିବେ । ୩୩୮ ବ୍ଲକ ଫେଡେରେସନକୁ ଗାଡ଼ି ଦିଆଯିବ । ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି । ଏସଏଚଜିକୁ ଏସଏମଇରେ ପରିଣତ ପାଇଁ ବଡ଼ ସହାୟକ ହେବ । ମିଶନ ଶକ୍ତି ମହିଳା ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରିବେ । ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମହିଳା ହେବେ ସାରଥି । ନୂଆ ଓଡ଼ିଶା ଗଠନରେ ସ୍କୁଟର ଏକ ପ୍ରତୀକ ।’