spot_img
Home Blog Page 2303

ଘରକୁ ଫେରିଲା ଶ୍ରମିକଙ୍କ ମୃତଦେହ, ମାଧ୍ୟମ ସାଜିଲା ଓଡ଼ିଶା ମୋ ପରିବାର

ସୋନପୁର: ଘର ଚଳାଇବା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ଯାହା କିଛି ରୋଜଗାର କରୁଥିଲେ ସୁଖ ଦୁଃଖରେ ଚଳୁଥିଲା । ଛୁଟିରେ ଆସୁଥିଲେ, ପରିବାର ସହ ସମୟ ବିତାଇ ପୁଣି କର୍ମ ସ୍ଥଳକୁ ଫେରି ଯାଉଥିଲେ । ହେଲେ ଦେହ ଖରାପ ହୋଇ ଚାଲିଗଲା ଜୀବନ । ମୃତଦେହ ଆଣିବାକୁ ବି ସକ୍ଷମ ନଥିଲେ ପରିବାର ଲୋକେ । ଶେଷରେ ଓଡ଼ିଶା ମୋ ପରିବାର ସହାୟତାରେ ରାଜ୍ୟ ବାହାରୁ ଫେରିଲା ଶ୍ରମିକଙ୍କ ମୃତଦେହ ।

ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଗାଁର । ଶଙ୍ଗର ନାଏକଙ୍କ ପୁଅ ଅଚ୍ୟୁତ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସି ପୁଣି କମ୍ପାନୀକୁ ଫେରି ଯାଉଥିଲେ । ଦୁଇ ଦିନ ପୂର୍ବରୁ ଦେହ ଖରାପ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ତାଙ୍କ ସହ କାମ କରୁଥିବା ଯୁବକ । କିନ୍ତୁ ମୃତଦେହ ଆଣିବାକୁ ସକ୍ଷମ ନଥିଲେ ପରିବାର ଲୋକ । ମୃତଦେହ ଆଣିବାକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଅନୁରୋଧ କରିଥିଲେ ପରିବାର ଲୋକେ । ଫଳରେ ବିଧାୟକ ଏବଂ ଓଡ଼ିଶା ମୋ ପରିବାରର ସହଯୋଗରେ ଗତକାଲି ଗାଁରେ ପହଞ୍ଚିଛି ମୃତଦେହ । ସ୍ଥାନୀୟ ବିଧାୟକ ଓ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକ ।

ରାତିରେ କମୁଛି ପାରଦ: ଜାଡ଼ ମାଡ଼ରେ ଅସହ୍ୟ ଜନ ଜୀବନ

ଭୁବନେଶ୍ବର: ପୁଣି ଶୀତ କରୁଛି କଲବଲ । ରାତିରେ ଖସୁଛି ପାରଦ । ଜାଡର ମାଡ଼ରେ ଅସହ୍ୟ ହେଉଛି ଜନ ଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ।

୧୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ପଶ୍ଚିମଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜିଠୁ ସୃଜନଶୀଳତା ଉତ୍ସବ: ଅଭିଭାବକ ଦେଖିବେ ବିଦ୍ୟାଳୟ ରୂପାନ୍ତରଣ

ଭୁବନେଶ୍ବର: କେମିତି ହେଉଛି ବିଦ୍ୟାଳୟ ରୂପାନ୍ତରଣ, ଦେଖିବେ ଅଭିଭାବକ । ଆଜିଠୁ ୨୦ ତାରିଖ ମଧ୍ୟରେ ବିଦ୍ୟାଳୟ ସ୍ତରରେ ହେବ ସୃଜନଶୀଳତା ଉତ୍ସବ । ଦିନିକିଆ ସୃଜନଶୀଳତା ଉତ୍ସବରେ ସାମିଲ ହୋଇ ବିଦ୍ୟାଳୟ ରୂପାନ୍ତରଣର ସଫଳତା ଦେଖିବେ ଅବିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀ ।

ପର୍ଯ୍ୟାୟ କ୍ରମେ ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି । ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ସହ ପାଠାଗାର, ପରୀକ୍ଷାଗାର ଆଦି ଉପଲବ୍ଧ ହୋଇଛି । ଆଧୁନିକ ଭିତ୍ତିଭୂମିରେ ପିଲା ପାଠ ପଢୁଛନ୍ତି । ବିଦ୍ୟାଳୟ ଗୁଡ଼ିକର ଏହି ରୂପାନ୍ତରଣ ଦୃଶ୍ୟ ଦେଖିବେ ଅବିଭାବକ ଓ ପୁରାତନ ଛାତ୍ରଛାତ୍ରୀ । ସ୍କୁଲ ରୂପାନ୍ତରୀକରଣର ସଫଳତା ଦେଖିବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ଆକାଂକ୍ଷୀ ପାଠ୍ୟକ୍ରମ ଏବଂ ଏହାର ଉପାଦାନଗୁଡ଼ିକ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବେ ।

ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବିବିଧ ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରଦର୍ଶନ କରାଯିବ । ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ‌ବମ ଓ ଦଶମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ ଅଧୀନରେ ନିଜ ପୁସ୍ତକ ପ୍ରସ୍ତୁତ କରିବେ । କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ପରିସର, ଶ୍ରେଣୀ ଗୃହ ଏବଂ ଅଡିଟୋରିୟମ ଆଦିକୁ ପ୍ରମୁଖ ପ୍ରଦର୍ଶନୀ କ୍ଷେତ୍ର ଭାବେ ବ୍ୟବହାର କରାଯିବ । ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ନିଜ ହାତଲେଖା ବହିର ପ୍ରଦର୍ଶନ ହେବ । ବିଦ୍ୟାଳୟସ୍ତରରେ ସୃଜନଶୀଳତା ଉତ୍ସବ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି । ଏଥିପାଇଁ ଅର୍ଥ ମଧ୍ୟ ମଞ୍ଜୁର କରାଯାଇଛି । ହାଇସ୍କୁଲ ରୂପାନ୍ତରଣ ଅଧୀନରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି ।

ଆଜିଠାରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ମଣିପୁରରୁ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ଆଜିଠୁ କଂଗ୍ରେସ କରିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଏହି ସମୟ ମଧ୍ୟରେ ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲାରେ ୬୨୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ କଂଗ୍ରେସର ଏହି ଯାତ୍ରା ।

ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ୪୫୦୦ କିଲୋମିଟର ବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ କରିଥିଲେ । ଭାରତୀୟ ରାଜନୀତି ଇତିହାସରେ ଏହା ଏକ ଐତିହାସିକ ଯାତ୍ରା ଥିଲା ବୋଲି କଂଗ୍ରେସ କହିଛି । ସେ ଭାରତ ଯୋଡ଼ୋ ଯାତ୍ରାର ଅନୁଭୂତି ସହ ଏହି ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ସମୟରେ ଦେଶର ମହିଳା, ଯୁବକ ଏବଂ ଦେଶର ବଞ୍ଚିତ ବର୍ଗର ଲୋକଙ୍କ ସହ ଆଲୋଚନା କରାଯିବ । ଏହି ଯାତ୍ରା ୬ ହଜାର ୨୦୦ କିଲୋମିଟର ଦୂରତା ଅତିକ୍ରମ କରି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ।  ଏହି ଯାତ୍ରା ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଯିବ । ଭରତ ଯୋଡୋ ନ୍ୟାୟ ଯାତ୍ରା ପ୍ରାୟତଃ ବସ୍ ଯୋଗେ ହେବ । କିଛି ସ୍ଥାନରେ ପଦଯାତ୍ରା ବି ହେବ । ଇଣ୍ଡିଆ ମେଣ୍ଟ ନେତାଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ନିମନ୍ତ୍ରଣ କରିଛନ୍ତି ।

ପରିକ୍ରମା ଲୋକାର୍ପଣ: ପୁରୀ ଯାଇ ଯଜ୍ଞ ଓ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

ପୁରୀ: ସକାଳୁ ସକାଳୁ ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଆସନ୍ତାକାଲିଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

ପରିକ୍ରମା ଲୋକାର୍ପଣ: ଆଜି ତୋରଣ ଓ ଧ୍ବଜା ସ୍ଥାପନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ ।

ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣକୁ ନେଇ ରଜ୍ୟରୁ ଦେଶ ସବୁଠି ଉତ୍ସବର ମାହୋଲ । ୭ ଶହ ବର୍ଷ ପରେ ପୁରୀଧାମରେ ବିକାଶର ନୂଆ ଅଧ୍ୟା ସୃଷ୍ଟି ହେବାକୁ ଯାଉଛି । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

ଏପଟେ ଆସନ୍ତାକାଲିଠାରୁ ମହାଯଜ୍ଞ ଆରମ୍ଭ ହେବାକୁ ଯାଉଛି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ବନୀ ସହ ଚାରି ଦ୍ବାରରେ ବେଦପାଠରେ କମ୍ପିବ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ । ଗତକାଲି ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣ, ଆଚାର୍ଯ୍ୟ, ରାଜଗୁରୁ ଓ ପଣ୍ଡିତଙ୍କ ଉପସ୍ଥିତିରେ ହୋଇଥିଲା ଅଙ୍କୁର ପୂଜନ ନୀତି । ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବା ପରେ ପୂଜା କାର୍ଯ୍ୟ ପାଇଁ ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରିଥିଲେ ପ୍ରଧାନ ଆଚାର୍ଯ୍ୟ । ରାଜଗୁରୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆରମ୍ଭ ହୋଇଥିଲା ଯଜ୍ଞ ପାଇଁ ଆଦ୍ୟପୂଜା । ସେପଟେ ଯଜ୍ଞ ପୂର୍ବରୁ ପୁରୀରେ ବଢିବାରେ ଲାଗିଛି ଶ୍ରଦ୍ଧଳୁଙ୍କ ଭିଡ଼ ।

୮ମ ଥରପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ EDର ସମନ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଇଡି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଏକ ଚିଠି ପଠାଇ ହାଜର ହେବାକୁ ଏକ ନୂଆ ଡେଡଲାଇନ୍ ଦେଇଛି। ତେବେ ସମନ ସତ୍ତ୍ୱେ ସେ କାହିଁକି ହାଜର ହେଉନାହାଁନ୍ତି ବୋଲି ଇଡି ପ୍ରଶ୍ନ କରିଛି।

ଇଡି ହେମନ୍ତ ସୋରେନଙ୍କୁ ଜାନୁଆରୀ ୧୬ରୁ ୨୦ ତାରିଖ ଯାଏଁ କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ଖାସ୍ କଥା ହେଉଛି ହେମନ୍ତଙ୍କୁ  ଅଷ୍ଟମ ଥର ପାଇଁ ଇଡି ସମନ କରିଛି। ଏହାପୂର୍ବରୁ ହେମନ୍ତ ସୋରେନ ସପ୍ତମ ଥର ପାଇଁ ଇଡି ଦ୍ୱାରା ଡକାଯାଇଥିବା ସତ୍ତ୍ୱେ ହାଜର ହୋଇନଥିଲେ।

ଇଡି ଦ୍ୱାରା ସପ୍ତମ ଥର ପାଇଁ ଜାରି ହୋଇଥିବା ସମନର ଶେଷ ତାରିଖ ଥିଲା ଡିସେମ୍ବର ୩। ସୋରେନ୍ ଆଜି ପର୍ଯ୍ୟନ୍ତ ଇଡି ଆଗରେ ହାଜର ହୋଇନାହାଁନ୍ତି। ୧୪ ଅଗଷ୍ଟ ୨୦୨୩ରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମ ସମନ ପଠାଯାଇଥିଲା। ସୋରେନ୍ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ଝାଡଖଣ୍ଡ ହାଇକୋର୍ଟରେ ଇଡିର ତଦନ୍ତ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ତେବେ ସୋରେନଙ୍କ ଆବେଦନକୁ ଉଭୟ କୋର୍ଟ ଖାରଜ କରିଥିଲେ।

ତାଇୱାନର ନୂଆ ରାଷ୍ଟ୍ରପତି ହେଲେ ଲାଇ ଚିଙ୍ଗତେ

ତାଇପେଇ: ଲାଇ ଚିଙ୍ଗତେ ତାଇୱାନର ନୂଆ ରାଷ୍ଟ୍ରପତି। ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଲାଇ ଚିଙ୍ଗତେ। ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ପ୍ରାର୍ଥୀ ହୋ ୟୁଇ ଏବଂ ତାଇୱାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ତଥା ତାଇପେଇର ପୂର୍ବତନ ମେୟର କୋ ଓ୍ବେନ ଜେ ପରାସ୍ତ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ଲାଇଙ୍କୁ ଜଣେ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରିଥିଲା ଚୀନ । ତାଇଓ୍ବାନରେ ଶାନ୍ତି ବଜାୟ ରଖିବା ଲାଗି ଘୋଷଣା କରିଛନ୍ତି ନୂଆ ରାଷ୍ଟ୍ରପତି । ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ୟ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହୋଇଥିଲା। ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ହୋ ୟୁଇ। ତାଇଓ୍ବାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ କୋ ଓ୍ବେନ ଜେ।

ପୂର୍ବତନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ ୮ ବର୍ଷ କ୍ଷମତାରେ ରହିଥିଲେ। ତେବେ ନିୟମ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିପାରିନଥିଲେ ସାଇ ଇଙ୍ଗ ଓ୍ବେନ। ତାଇଓ୍ବାନକୁ ସର୍ବଦା ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି DPP। DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ଜଣେ ଡାକ୍ତରରୁ ବନିଥିଲେ ରାଜନେତା। TPPର ରାଷ୍ଟ୍ରପତି ପ୍ରାର୍ଥୀ କୋ ଓ୍ବେନ ଜେ ଥିଲେ ମଧ୍ୟମ ପନ୍ଥୀ । ତାଇଓ୍ବାନର ଇତିହାସ କୁହେ- ତୃତୀୟ ଥର ଲାଗି କୌଣସି ଦଳ କ୍ଷମତାକୁ ଆସିନାହିଁ। ତାଇଓ୍ବାନର ଗଣତାନ୍ତ୍ରିକ ଇତିହାସ ୨୭ ବର୍ଷ ପୁରାତନ। ପୂର୍ବତନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କ ସମୟକାଳରେ ଚୀନ ଅନେକ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା। ଗତ କିଛି ବର୍ଷ ମଧ୍ୟରେ ତାଇଓ୍ବାନ ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ଆମେରିକା-ତାଇଓ୍ବାନ ସମ୍ପର୍କ ବଢିଛି। ଚୀନର ବିରୋଧ ସତ୍ତ୍ବେ ଆମେରିକା ତାଇଓ୍ବାନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି। ଏପରିକି ତାଇଓ୍ବାନ ଉପରେ ଯଦି ଚୀନ ଆକ୍ରମଣ କରେ ତେବେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ଆଗେଇ ଆସିବା ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗରେ ସାଧୁଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। ପଶ୍ଚିମବଙ୍ଗର ପୁରୂଲିଆରୁ ଆସିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କିଛି ସାଧୁଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି। କିଛି ବ୍ୟକ୍ତି ସାଧୁମାନଙ୍କ କେଶ ଟଣାଟଣି କରୁଥିବାର ଅଭିଯୋଗ ମଧ୍ୟ ହୋଇଛି।  କୁହାଯାଉଛି ଯେ କିଛି ସାଧୁ ମକର ସଂକ୍ରାନ୍ତି ପାଇଁ ଗଙ୍ଗାସାଗର ବୁଡ଼ ପକାଇବାକୁ ଆସୁଥିଲେ। କିନ୍ତୁ ରାସ୍ତା ଜାଣିନପାରିବାରୁ କିଛି ଲୋକଙ୍କୁ ରାସ୍ତା ପଚାରି ଥିଲେ। ସାଧୁଙ୍କ ବେଶଭୂଷା ଦେଖି ପିଲା ଚୋରି ବୋଲି ଭାବିନେଇଥିଲେ ଲୋକମାନେ। ଯାହାପରେ କିଛି ଲୋକ ସଂଘବଦ୍ଧ ଭାବେ ସାଧୁମାନଙ୍କୁ ଆକ୍ରମଣ କରିଥିଲେ।

କେବଳ ଏତିକି ନୁହେଁ, ଯେତେବେଳେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ ମଧ୍ୟ କିଛି ଅଭିଯୁକ୍ତ ମାଡ ମାରିବାକୁ ପଛାଇନଥିଲେ।

ଗୋଟିଏ ପଟେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବହୁ ଦୂରଦୂରାନ୍ତରୁ ସାଧୁ ସନ୍ଥ ଅଯୋଧ୍ୟାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗ ପୁରଲିଆରେ ଏଭଳି ଘଟଣାକୁ ନେଇ ସାଧୁ ସନ୍ଥଙ୍କ ଗହଣରେ ଅସନ୍ତୋଷ ଦେଖାଦେଇଛି। ତେବେ ଭାଇରାଲ ଭିଡିଓ ଆଧାରରେ ପୋଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବିଜେପି କ୍ଷମତାସୀନ ଟିଏମସିକୁ ଟାର୍ଗେଟ କରିଛି।

 

ଆମେ ଅଯୋଗ୍ୟ ବୋଲି କମିଟିରେ ସ୍ଥାନ ପାଇଲୁନି: ସୁର

ଭୁବନେଶ୍ବର: କଂଗ୍ରେସ ନିର୍ବାଚନ କମିଟିକୁ ନେଇ ହାତ ଶିବିରରେ ବଢ଼ିଲା ବିବାଦ । କମିଟିରୁ ବାଦ ପଡ଼ିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ କ୍ଷୋଭ । କହିଲେ- କଂଗ୍ରେସର ଆମେ ଛୋଟ ଏବଂ ଅଯୋଗ୍ୟ ନେତା ହୋଇଥିବାରୁ ଦଳ ଆମକୁ କମିଟିରେ ସ୍ଥାନ ଦେଇନାହିଁ । ଅନ୍ୟପଟେ ତାରା କିନ୍ତୁ କମିଟିର ବାଦ ପଡ଼ିବା ପରେ ଦୁଇ ଦିନ ଅପେକ୍ଷା କରନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଟିକୁ ନେଇ କଂଗ୍ରେସ ରାଜନୀତି ଗୋଳିଆ ହୋଇଛି ।

କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟିରୁ ଦଳର ଦୁଇ ହେଭିଓ୍ବେଟ ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବାଦ ପଡ଼ିଛନ୍ତି । ରାଜ୍ୟ ନିର୍ବାଚନ କମିଟିରୁ କଂଗ୍ରେସର ଫାୟାର ବ୍ରାଣ୍ଡ ବିଧାୟକ ବାଦ ପଡ଼ିବା ପରେ ବିଧାୟକ ସୁରେଶ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । କମିଟିକୁ କଟାକ୍ଷ କରି ସୁର କହିଛନ୍ତି, ଆମେ କଂଗ୍ରେସର ଛୋଟ ଏବଂ ଅଯୋଗ୍ୟ ନେତା, ସେଥିପାଇଁ କମିଟିରେ ଆମକୁ ସ୍ଥାନ ଦିଆଯାଇନାହିଁ । ମତେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦେଲେ ବି ମୋର କିଛି ଖାତିର ନାହିଁ । ଏପରିକି ଦୁଇ ପୁଅକୁ ଯଦି ଦଳ ଟିକେଟ ନମିଳେ ତେବେ ସ୍ବାଧୀନ ଭାବେ  ନିର୍ବାଚନ ଲଢାଇ ଜିତାଇବି ବୋଲି ସୁର ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି କମିଟିରୁ ବାଦ ପଡ଼ିବା ପରେ ବି ମାପିଚୁପି ବୟାନ ରଖିଛନ୍ତି । କାହିଁକି କମିଟିରୁ ବାଦ ପଡ଼ିଲେ ତାହା ଦୁଇଦିନ ପରେ ସଭିଁଏ ଜାଣିବେ ବୋଲି ତାରା କହିଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହୋଇଛି ।

କଂଗ୍ରେସରେ ଆଗକୁ ବହୁ ପରିବର୍ତ୍ତନ ଆସିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଏଆଇସିସି ଏବେ ଓଡ଼ିଶା କଂଗ୍ରେସକୁ ଫୋକସ କରିଛି । ପୁଣିଥରେ କଂଗ୍ରେସ ପାଇଁ ୨୦୨୪ ଶେଷ ସୁଯୋଗ କଥାକୁ ଦୋହରାଇଛନ୍ତି ଜୟଦେବ । ଚିରାଚରିତ ବୟାନ ଦେଇ କଂଗ୍ରେସର ନିର୍ବାଚନ କମିଟି ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଡ଼ାଇ ଦେଇଛନ୍ତି ଜୟଦେବ ।

୨୦୧୯ ନିର୍ବାଚନରେ ମାତ୍ର ୯ ଜଣ ବିଧାୟକ ପଦରେ କଂଗ୍ରେସ ସୀମିତ ରହିଥିଲା । ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳକୁ ଦଳ ନିଲମ୍ବନ କରିଛି । ଏବେ ସୁରେଶ ରାଉତରାୟଙ୍କୁ ରାଜ୍ୟ କଂଗ୍ରେସରେ ଅଣଦେଖା କରାଯାଉଥିବାରୁ ଦଳର ନେତୃତ୍ବକୁ ନେଇ ଅସନ୍ତୋଷ ନିଆଁ ପୁଣି କୁହୁଳିଛି ।