ଘରକୁ ଫେରିଲା ଶ୍ରମିକଙ୍କ ମୃତଦେହ, ମାଧ୍ୟମ ସାଜିଲା ଓଡ଼ିଶା ମୋ ପରିବାର

ସୋନପୁର: ଘର ଚଳାଇବା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ଯାହା କିଛି ରୋଜଗାର କରୁଥିଲେ ସୁଖ ଦୁଃଖରେ ଚଳୁଥିଲା । ଛୁଟିରେ ଆସୁଥିଲେ, ପରିବାର ସହ ସମୟ ବିତାଇ ପୁଣି କର୍ମ ସ୍ଥଳକୁ ଫେରି ଯାଉଥିଲେ । ହେଲେ ଦେହ ଖରାପ ହୋଇ ଚାଲିଗଲା ଜୀବନ । ମୃତଦେହ ଆଣିବାକୁ ବି ସକ୍ଷମ ନଥିଲେ ପରିବାର ଲୋକେ । ଶେଷରେ ଓଡ଼ିଶା ମୋ ପରିବାର ସହାୟତାରେ ରାଜ୍ୟ ବାହାରୁ ଫେରିଲା ଶ୍ରମିକଙ୍କ ମୃତଦେହ ।

ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଗାଁର । ଶଙ୍ଗର ନାଏକଙ୍କ ପୁଅ ଅଚ୍ୟୁତ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସି ପୁଣି କମ୍ପାନୀକୁ ଫେରି ଯାଉଥିଲେ । ଦୁଇ ଦିନ ପୂର୍ବରୁ ଦେହ ଖରାପ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ତାଙ୍କ ସହ କାମ କରୁଥିବା ଯୁବକ । କିନ୍ତୁ ମୃତଦେହ ଆଣିବାକୁ ସକ୍ଷମ ନଥିଲେ ପରିବାର ଲୋକ । ମୃତଦେହ ଆଣିବାକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଅନୁରୋଧ କରିଥିଲେ ପରିବାର ଲୋକେ । ଫଳରେ ବିଧାୟକ ଏବଂ ଓଡ଼ିଶା ମୋ ପରିବାରର ସହଯୋଗରେ ଗତକାଲି ଗାଁରେ ପହଞ୍ଚିଛି ମୃତଦେହ । ସ୍ଥାନୀୟ ବିଧାୟକ ଓ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକ ।