ଚନ୍ଦନେଶ୍ଵର ପୀଠରେ ଜମୁଛି ଚଡ଼କ ଯାତ୍ରା

1 min read

ବାଲେଶ୍ବର: ଚନ୍ଦନେଶ୍ଵର ପୀଠରେ ଧୁମଧାମରେ ଚାଲିଛି ଚଡକ ଯାତ୍ରା । ଆଜି ନୀଳପର୍ବ । ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମା ସ୍ଥମ୍ବି କାଠ ନୀଳ ପୋଖରୀରୁ ଉଠାଇ ବେଢା ପରିକ୍ରମା କରୁଛନ୍ତି ଭକ୍ତ । ଭକ୍ତଙ୍କ କାନ୍ଧରେ ବାବା ଚନ୍ଦନେଶ୍ଵର ଓ ମା ପାର୍ବତୀଙ୍କ ଶୋଭାଯାତ୍ରା ଦୃଶ୍ଯ ସମସ୍ତଙ୍କୁ କରୁଛି ବିମୋହିତ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ଚଡ଼କ ଯାତ୍ରାରେ ଜନ ସମୁଦ୍ର । ବାବା ଚନ୍ଦନେଶ୍ଵରଙ୍କ ଭକ୍ତିରେ ଭିଜୁଛନ୍ତି ଭକ୍ତ। ବାବାଙ୍କ ଆଶୀର୍ବାଦ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ । ଚନ୍ଦନେଶ୍ଵର ପୀଠରେ ଚାଲିଛି ନୀଳପର୍ବ ନୀତିକାନ୍ତି । ସୃଷ୍ଟି ହେଉଛି ଭକ୍ତିମୟ ପରିବେଶ । ହର ପାର୍ବତୀଙ୍କ ଚଳନ୍ତି ପ୍ରତିମା ସ୍ଥମ୍ଵିକାଠକୁ ଭକ୍ତମାନେ କାନ୍ଧରେ ଧରି ଡୁବ ପକାଉଛନ୍ତି ନୀଳ ପୋଖରୀରେ । ଦୃଶ୍ଯକୁ ଦେଖି ବିମୋହିତ ହେଉଛନ୍ତି ହଜାର ହଜାର ଭକ୍ତ । ପୁଣି ସ୍ଥମ୍ବିକାଠକୁ ଭକ୍ତମାନେ ଝୁଲାଇ ଝୁଲାଇ, କାନ୍ଧରେ ଧରି ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ପରିକ୍ରମା କରାଉଛନ୍ତି । କାନ୍ଧରେ ହର-ପାର୍ବତୀଙ୍କ ଚଳନ୍ତି ପ୍ରତିମା , ଆଉ ମୁହଁରେ ବାବା ଚନ୍ଦନେଶ୍ଵରଙ୍କ ଧ୍ବନି। ହଜାର ହଜାର ଭକ୍ତଙ୍କ ମେଳିରେ ଚାଲିଛି ବାବାଙ୍କ ନୀଳପର୍ବ ।

ମନ୍ଦିରର ପଶ୍ଚିମ ଦ୍ବାରରେ ଆବିର୍ଭାବ ହୋଇଛନ୍ତି ବାବା ଚନ୍ଦନେଶ୍ଵର ଓ ମା’ ପାର୍ବତୀ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ନୀଳ ପୋଖରୀରେ ବିରାଜମାନ କଲେ ଚଳନ୍ତି ପ୍ରତିମା ସ୍ଥମ୍ବି କାଠ। ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନକରି ନୀଳକଣ୍ଠ ପାଲଟିଥିବା ମହାଦେବ ନୀଳ ପୋଖରୀରେ ବର୍ଷ ତମାମ ଜଳାସନରେ ରହିଥାନ୍ତି । ଆଜି ସେହି ସ୍ଥମ୍ବି କାଠକୁ ଭକ୍ତ ସ୍ପର୍ଶ କରୁଥିବାରୁ ନୀଳକଣ୍ଠ ଭକ୍ତର ଶରୀରରେ ଥିବା ସମସ୍ତ ବିଷକୁ ହରଣ କରି ନେଉଥିବା ନେଇ ରହିଛି ବିଶ୍ଵାସ ।