ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୈତିକ ମାହୋଲ ସରଗରମ

ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ, ଔପଦା ବ୍ଲକର ୧୧ଟି ପଞ୍ଚାୟତ, ନୀଳଗିରି ବିଜ୍ଞାପିତ ଅଞ୍ଚଳବାଲେଶ୍ଵରପରିଷଦର ୧୩ ଗୋଟି ୱାର୍ଡ ଓ ବାହାନଗା ବ୍ଲକର ୪ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏଠାରେ ଅଛନ୍ତି ୨ ଲକ୍ଷ ୧୪ ହଜାର ୨୯୧ ଜଣ ଭୋଟର । ମହିଳା ଭୋଟର ହେଲେ ୧ ଲକ୍ଷ ୭ ହଜାର ୨୬୫ ଜଣ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୭ ହଜାର ୧୯ ଜଣ । ତୃତୀୟ ଲିଙ୍ଗୀ ଭୋଟର ହେଲେ ମାତ୍ର ମାତ୍ର ୭ ଜଣ । ଜୋରଦାର ନିର୍ବାଚନୀ ପ୍ରଚାର କରୁଛନ୍ତି ୪ ପ୍ରମୁଖ ଦଳ । ଏହି ଆସନଟି ୨୦୦୪ ଓ ୨୦୦୯ରେ ବିଜେପି ଅକ୍ତିଆରରେ ଥିଲା । ୨୦୧୪ରେ ଏହା ବିଜେଡି ହାତକୁ ଯାଇଥିଲା । ପୁଣି ୨୦୧୯ ମସିହାରେ ଏବା ବିଜେପି ଅକ୍ତିଆରେ ଥିଲା । କିନ୍ତୁ ୨୦୨୪ ନିର୍ବାଚନକୁ ଦେଖିଲେ ବିକାଶ ହିଁ ପ୍ରମୁଖ ମୁଦ୍ଦା ରହିବ ବୋଲି ଚର୍ଚ୍ଚା ଜୋର ଧରିଛି ।

୨୦୦୦ ମସିହାରେ ବିଧାନସଭା ଆସନରୁ କମ୍ଯୁନିଷ୍ଟ ଦଳ ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡା ୪୯ ହଜାର ୧୩୭ ଖଣ୍ଡ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଭାବେ ଦାମ ମହାପାତ୍ର ସ୍ଵାଧୀନ ଭାବେ ଲଢି ୩୧ ହଜାର ୪୦୨ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଶ୍ଯାମନନ୍ଦ ମହାପାତ୍ର ୨୨ ହଜାର ୯୨୪ ଖଣ୍ଡ ଭୋଟ , କଂଗ୍ରେସ ପ୍ରାର୍ଥୀ ସୁକୁମାର ନାୟକ ୧୨ ହଜାର ୫୫୧ ଖଣ୍ଡ ଭୋଟ ପାଇଥିଲେ । ପ୍ରଦୀପ୍ତ ପଣ୍ଡା ୧୭ ହଜାର ୭୩୫ ଖଣ୍ଡ ଭୋଟରେ ଦାମ ମହାପାତ୍ରଙ୍କୁ ହରାଇ ବିଜେତା ହୋଇଥିଲେ । ୨୦୦୪ ମସିହାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୬୫ ହଜାର ୬୩୦ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ ।

୨୦୦୯ ମସିହାରେ ପ୍ରତାପ ଷଡ଼ଙ୍ଗୀ  ସ୍ଵାଧୀନ ଭାବେ ଲଢି ୩୫ ହଜାର ୫୨୫ ଖଣ୍ଡ ଭୋଟ ପାଇ ଜିତିଥିଲେ। ୨୦୧୪ ମସିହାରେ ସୁକାନ୍ତ ନାୟକ ବିଜେଡ଼ି ଦଳରୁ ନୀଳଗିରିର ବିଧାୟକ ପାର୍ଥୀ  ଭାବେ ଲଢି ୫୦ ହଜାର ୫୧୪ ଭୋଟ ପାଇ ବିଜୟ ଲାଭ କରି ନୀଳଗିରି ବିଧାୟକ ହୋଇଥିଲେ। ପୁଣି ୨୦୧୯ରେ ଦଳ ପରିବର୍ତ୍ତନ କରି  ବିଜେପିର ଯୋଗଦେଇଥିଲେ ସୁକାନ୍ତ ଏବଂ ୬୯ ହଜାର ୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭ ହଜାର ୯୪୦ , କଂଗ୍ରେସର  ମନୋଜା ମଞ୍ଜରୀ ଦେବୀ ୧୨ ହଜାର ୪୧୩ ଖଣ୍ଡ ଭୋଟ ପାଇଥିଲେ । ମାତ୍ର ୧ ହଜାର ୫୭୭ ଭୋଟରେ ବିଜେଡ଼ି ନେତା ସନ୍ତୋଷ ଖଟୁଆ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ଦଳ ଅଧିକ ସୁଦୃଢ ହୋଇଛି। ଚଳିତ ନିର୍ବାଚନରେ ବିକାଶ ସାଙ୍ଗ ଲୋକଙ୍କ ସମସ୍ୟାର ସମାଧାନ ହିଁ ହେବ ମୁଖ୍ୟ ପ୍ରସଙ୍ଗ ।

ସ୍ଥାନୀୟ ଅଞ୍ଚଳର ବିକାଶର ପ୍ରସଙ୍ଗ ଚଳିତ ନିର୍ବାଚନରେ ଭୋଟରଙ୍କୁ ବେଶ୍ ପ୍ରଭାବିତ କରିବାରେ ସଫଳ ହେବ।  ରାଜ୍ଯ ସରକାରଙ୍କ ପକ୍ଷରୁ ଅଞ୍ଚଳରେ ଶିକ୍ଷା ,ସ୍ଵାସ୍ଥ୍ଯ ,ଗମନାଗମନ ,ପିଇବା ପାଣିଠୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତିକରଣ ହୋଇଛି । ତେଣୁ ଚଳିତ ଥର ଲୋକଙ୍କ କହିବା ଅନୁସାରେ ବିକାଶ ଯେଉଁଠି ସମର୍ଥନ ସେଇଠି ବୋଲି ଚର୍ଚ୍ଚା ଜୋର ଧରିଛି ।