spot_img
Home Blog Page 2273

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ; ପରାକ୍ରମ ଦିବସ ଦେଶ ପାଳୁଛି ଦେଶ

ଭୁବନେଶ୍ୱର : ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ପୁଣ୍ୟ ଜୟନ୍ତୀ। ଦେଶ ପାଳୁଛି ପରାକ୍ରମ ଦିବସ । ୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ  । ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା’ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ସୁଭାଷ ବ୍ରିଟଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ ।

ସୁଭାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି  । ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ । ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ।

କୋହଲା ପାଗକୁ ଝିପିଝିପି ବର୍ଷା; ରାଜ୍ୟରେ ସକ୍ରିୟ ଗୁରୁଚାପ ବଳୟ

ଭୁବନେଶ୍ୱର : କୋହଲା ପାଗକୁ ଝିପିଝିପି ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଛି  । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର  । ଫଳରେ ବିବିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି  ।

ବିଶେଷକରି ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଆଭ୍ୟନ୍ତରୀଣ  ଜିଲ୍ଲାଗୁଡିକ ପ୍ରଭାବିତ ହୋଇଛି  । ଏହାଛଡ଼ା ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବା ନେଇ ସତର୍କତା ଜାରି କରାଯାଇଛି  । ଆଜି ଘନ କୁହୁଡ଼ି ନେଇ । ଅନୁଗୁଳ,ଢେଙ୍କାନାଳ,ବାଲେଶ୍ବର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି  ।

ପୁଣି ତାଇଓ୍ବାନ ଆକାଶରେ ଚୀନ ବେଲୁନ; ଦ୍ବୀପଦେଶ ଚାରିପଟେ ୪ଟି ଯୁଦ୍ଧ ବିମାନ ଓ ୪ଟି ଜାହାଜର କଡ଼ା ନଜର

ନୂଆଦିଲ୍ଲୀ : ପୁଣି ତାଇଓ୍ବାନ ଉପରେ ଚୀନର ନାଲିଆଖି । ଦ୍ବୀପଦେଶ ଉପରେ ଉଡିଲା ୬ଟି ଚୀନ ବେଲୁନ । ଏନେଇ ସୂଚନା ଦେଇଛି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ । ତାଇଓ୍ବାନରେ ନିର୍ବାଚନ ସରିବା ପରଠାରୁ ବିଭିନ୍ନ ଭାବେ ତାଇଓ୍ବାନକୁ ଡରାଇବାକୁ ଚେଷ୍ଟା ଜାରି ରଖିଛି ଚୀନ । ତାଇଓ୍ବାନର କିଲୁଙ୍ଗ ଉପକୂଳରେ ୫ଟି ବେଲୁନ ଉଡିଥିବାବେଳେ  ପିଙ୍ଗତୁଙ୍ଗ ଉପରେ ଉଡିଛି ଗୋଟିଏ ବେଲୁନ ।

ସେହିପରି ଦ୍ବୀପଦେଶ ଚାରିପଟେ ୪ଟି ଚୀନ ବିମାନ ଓ ୪ଟି ଜାହାଜ ପଇଁତରା ମାରିବା ଦେଖାଯାଇଛି । ପ୍ରାୟ ୧୭ ହଜାର ଫୁଟ ଉଚ୍ଚତାରେ ବେଲୁନଗୁଡିକ ଉଡିବା ଦେଖାଯାଇଛି । ଯୁଦ୍ଧଜାହାଜ ପଇଁତରା ମାରିବା ସହ ବେଲୁନ ଉଡିବା ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ଆଲର୍ଟ କରିଥିଲା ତାଇଓ୍ବାନ ସାମରିକ ବାହିନୀ ।

ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ନେତା ଲାଇ ଚିଙ୍ଗ ତେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଚୀନ ହୋଇଛି ଉତକ୍ଷିପ୍ତ । ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ନେତା ବୋଲି କହିଆସୁଛି ବେଜିଂ । ଗତ ୧୮ ତାରିଖରେ ତାଇଓ୍ବାନ ଆକାଶରେ ୨୪ଟି ଯୁଦ୍ଧ ବିମାନ ଉଡିବା ପରେ ତାଇଓ୍ବାନରେ ଆତଙ୍କ ପ୍ରକାଶ ପାଇଥିଲା । ଗତବର୍ଷ ସେପପ୍ଟେମ୍ବରରେ ତାଇଓ୍ବାନ ଉପରେ ବି ଉଡିଥିଲା ୧୦୩ଟି ଚୀନ ବିମାନ ।

ଆଜିଠାରୁ ସାଧାରଣ ଭକ୍ତଙ୍କ ଲାଗି ଉନ୍ମୁକ୍ତ ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଆଜିଠାରୁ ସର୍ବସାଧାରଣ ତଥା ଭକ୍ତଙ୍କ ଲାଗି ଉନ୍ମୁକ୍ତ ହେବ ମନ୍ଦିର । ଗତକାଲି ମହାସମାରୋହରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତା, କ୍ରିକେଟ ତାରକା ଓ ବଲିଉଡ ତାରକା । ନୂଆ ମନ୍ଦିରର ପ୍ରତିଷ୍ଠା ସହ ଏହା ପ୍ରମୁଖ ଦର୍ଶନୀୟ ସ୍ଥଳୀରେ ପରିବର୍ତ୍ତିତ ହୋଇଛି ।

ଭକ୍ତଙ୍କ ଲାଗି ସକାଳ ୭ଟାରୁ ଦିନ ୧୧ଟା ଯାଏ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ଯାଏ ମନ୍ଦିର ଖୋଲା ରହିବ । ପୂର୍ବାହ୍ନ ସାଢେ ୬ଟାରେ ହେବ ଜାଗରଣ ତଥା ଶ୍ରୀଙ୍ଗର ଆରତି । ସେହିପରି ସନ୍ଧ୍ୟା ସାଢେ ୭ଟାରେ ହେବ ସନ୍ଧ୍ୟା ଆରତି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଭକ୍ତମାନେ ଆରତି ବା ଦର୍ଶନ ଲାଗି ପାସ୍ ପାଇପାରିବେ । ଗତକାଲି ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ- ଅସୀମ ଧୈର୍ଯ୍ୟ, ତ୍ୟାଗ ଓ ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ହଜାର ହଜାର ବର୍ଷ ପରେ ଏହି ଐତିହାସିକ ଘଟଣାକୁ ଲୋକେ ସ୍ମରଣ ରଖିବେ । ଆଇନର ମର୍ଯ୍ୟାଦା ରକ୍ଷା କରିଥିବା ଦୃଷ୍ଟିରୁ ସେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ହଜାର ହଜାର ସାଧୁସନ୍ଥଙ୍କ ଗହଣରେ ଭକ୍ତିମୟ ହ ହୋଇଛି ପରିବେଶ ।

କମ୍ପୁଛି ବିଶ୍ବପ୍ରସିଦ୍ଧ ରଙ୍ଗମଞ୍ଚ, ମଥୁରାରେ ବଢୁଛି କଂସାସୁର ଅତ୍ୟାଚାର

ବରଗଡ଼ : ମଥୁରାରେ ବଢୁଛି କଂସାସୁର ଅତ୍ୟାଚାର । କୃଷ୍ଣପ୍ରେମୀଙ୍କୁ ଦଣ୍ଡିତ କରିବାକୁ ଦୃଢ ପଦକ୍ଷେବ ନେଇଛନ୍ତି ମହାରାଜା କଂସ । ଆଜି ବରଗଡ଼ ଧନୁଯାତ୍ରାର ନବମ ଦିନରେ ଆମ୍ରବନରେ କୃଷ୍ଣ ଭକ୍ତିରେ ନିମଗ୍ନ ମୁରୀଋଷିଙ୍କୁ ଦଣ୍ଡିତ କରିବେ କଂସ । ଗୋବିନ୍ଦପାଲିରେ ଥିବା ଏହି ଆମ୍ରବନରେ ଏହି ଦୃଶ୍ୟ ଅଭିନିତ ହେବ ।

ସେହିପରି ଗୋପରେ କୃଷ୍ଣ ବଳରାମଙ୍କ ବିଦାୟ ଓ ଗୋପୀଙ୍କ ବିଳାପ ଦୃଶ୍ୟ ଦର୍ଶକଙ୍କୁ ଭାବ ବିହ୍ବଳ କରିବ । ଗତକାଲି ଅଷ୍ଟମ ଦିନରେ କଂସ ଚିଟାଉ ନେଇ ଗୋପରେ ପହଞ୍ଚିଥିଲେ ଅକ୍ରୁର । ଯମୁନା କୂଳରେ ଯିବାବେଳେ ବାଲିରେ କୃଷ୍ଣଙ୍କ ପାଦଚିହ୍ନ ଦେଖି ଭାବ ବିହ୍ବଳ ହୋଇଥିଲେ ଭକ୍ତ ଅକ୍ରୁର । ସେପଟେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିଥିଲେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ ।

ଗୋପବାସୀଙ୍କୁ ରକ୍ଷା କରିବାକୁ ଆଙ୍ଗୁଠିରେ ଉଠାଇଥିଲେ ଗୋବର୍ଦ୍ଧନ ଗିରି । ଆଜି କଂସଙ୍କ ନିର୍ଦ୍ଦେଶ ମାନି ବେନି ଭାଇଙ୍କୁ ମଥୁରା ଆଣିବେ ଅକ୍ରୁର । ବେନି ଭାଇ ପହଞ୍ଚିବା ପରେ ମଥୁରାରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିବ । ମଥୁରା ଆସିବା ପରେ ହଜୁରିଟିକ୍ରା ଆଦିମାତାଙ୍କ ମନ୍ଦିରରେ ବିଶ୍ରାମ ନେବେ କୃଷ୍ଣ ବଳରାମ ।

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ; ପ୍ରତି ଘରକୁ ଯିବେ ଦଳର ନେତା, କର୍ମୀ

ଭୁବନେଶ୍ୱର : ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା। ଘରେ ଘରେ ଶଙ୍ଖ ପରି ବିଜେଡି ପରିବାର ସମ୍ପର୍କ ଅଭିଯାନ କରୁଛି । ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ତାରିଖ ବିଜୁ ଜୟନ୍ତୀ ଯାଏଁ ଅଭିଯାନ କରାଯିବ। ଲୋକଙ୍କ ଭଲ ମନ୍ଦ ବୁଝି ଆବଶ୍ୟକସ୍ଥଳେ ସହଯୋଗର ହାତ ବଢ଼ାଇବେ ବିଜେଡି ନେତା ଓ କର୍ମୀ ।

ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ବିଜେଡି ପ୍ରତିଷ୍ଠା ଦିବସରେ ଜାନୁଆରୀ ୨୩ରୁ ଜନସମ୍ପର୍କ ଅଭିଯାନ ଚଳାଇବାକୁ ଦଳ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ନିର୍ବାଚନମଣ୍ଡଳୀର ବିଧାୟକ, ସ୍ଥାନୀୟ ନେତା, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଏବଂ ଛାମୁଆ ସଂଗଠନ ନେତାମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶେଷ ଗୁରୁତ୍ବ ଦେଉଥିବାରୁ ଅଭିଯାନରେ ଦଳ ପୂରା ଦମ୍ ଲଗାଇବ । ପ୍ରତି ଘରକୁ ଯାଇ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବ ।

ଅଭିଯାନ ଜରିଆରେ ଦଳ ନିଜ ସ୍ଥିତି ପରଖିବା ସହ ସବୁ ଅଞ୍ଚଳରୁ ଜନତାଙ୍କ ମତାମତ ପାଇପାରିବ । ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ସଂଗଠନ ନିର୍ବାଚନ ପୂର୍ବରୁ ଆହୁରି ସକ୍ରିୟ ହୋଇ ଉଠିବ। ଅଭିଯାନ ବେଳେ ସ୍ଥାନୀୟ ପ୍ରସଙ୍ଗକୁ ଫୋକସ୍ କରିବ ବିଜେଡି।

ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ଆଉନାହାନ୍ତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଗତ ଦୁଇ ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଡାକ୍ତର ସୁରେନ୍ଦ୍ର ନାଥ ସେନାପତିଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ।

ସେ ୧୯୮୪ରେ ଦୈନିକ ସମାଜର ଭ୍ରାମ୍ୟମାଣ ପ୍ରତିନିଧି ଭାବରେ ସାମ୍ବାଦିକତା ଆରମ୍ଭ କରିଥିଲେ। ଜଣେ ନିର୍ଭୀକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ଥିଲା। କଟକ ସମେତ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାଜର ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ। ଜଣେ ସାମ୍ବାଦିକ ହେବା ସହିତ ଜଣେ ସୁବକ୍ତା ଓ ଲେଖକ ଭାବରେ ସେ ବେଶ ଜଣାଶୁଣା ଥିଲେ।

ତାଙ୍କ ଲିଖିତ ଗୋପବନ୍ଧୁ ଐତିହ୍ୟର ବାହକ, ସତ୍ୟମ ବୃୟାତ, କୌଟୁଲ୍ୟ ଅର୍ଥ ଶାସ୍ତ୍ର, ରାଷ୍ଟ୍ର ଭକ୍ତ ଚାଣକ୍ୟ, ଚିନ୍ତା ଚିରନ୍ତନ, ବିପ୍ଲବୀ ଧରଣୀଧର, ଅରଣ୍ୟକ ମଣିଷ, ମସି ମନ୍ଥନ, ସେକାଳ ସକାଳ, ଭାରତୀୟ ସଂସ୍କୃତିରେ ବିଶ୍ୱ ପରିକ୍ରମା ଆଦି ଅନେକ ପୁସ୍ତକର ସେ ରଚୟିତା ଥିଲେ। ସେ ୧୯୪୬ ରେ ଛାତ୍ର ଆନ୍ଦୋଳନ ରେ ଭାଗ ନେଇ ୧୮ମାସ କାରବାରଣ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ସାମ୍ବାଦିକତା, ସାହିତ୍ୟିକ ତଥା ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବରରେ ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ କାନନ ଦାସ, ପ୍ରମୋଦ ମହାପାତ୍ର, ବିଧାୟକ ମହମ୍ମଦ ମୋକିମ, ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱଳ, ମେୟର ସୁବାସ ସିଂ ସମୀର ଦେ ଜିଲ୍ଲାପାଳ ନରହରି ସେଠି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାତେଇଲେ ମୟୂରଭଞ୍ଜର ଛାତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା। ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ପାଇଲେ ପ୍ରଥମ ସ୍ଥାନ। ଜାନୁଆରୀ ୨୧ ଓ ୨୨ ଦୁଇଦିନ ବ୍ୟାପୀ ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରତିଯୋଗିତା। ପାଇପ ବ୍ୟାଣ୍ଡ ବାଳିକା ବିଭାଗରେ ଅଂଶଗ୍ରହଣ କରି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ।

ଉଦଯାପନୀ ଉତ୍ସବରେ ବିଜୟ ଟ୍ରଫି ସହ ମାନପତ୍ର ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଏହି ସଫଳତା ପାଇଁ ପିଲାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ଏଶ୍ବଥି ଏସ୍ ଓ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା।

ଗତ ନଭେମ୍ବର ୧୬ ତାରିଖରେ ରାଜ୍ୟସ୍ତରରେ ଆୟୋଜିତ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଛାତ୍ରୀ। ଭୁବନେଶ୍ବର ୟୁନିଟ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୨୨ ଡିସେମ୍ବରରେ ପୂର୍ବ ଜୋନ ସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ମନୋନିତ ହୋଇଥିଲେ। ଏହି ସଫଳତା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିବାରୁ ରାଜ୍ୟ ସରକାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଆଲୋକିତ ହେଲା ସାରା ଦେଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ସାରା ଦେଶରେ ଦୀପାବଳିର ଭ୍ରମ। ଅଯୋଧ୍ୟା ନଗରୀରେ ଲାଗିଛି ହଜାର ହଜାର ଦୀପ। କେବଳ ମନ୍ଦିର ପରିସର ନୁହେଁ ସାରା ଅଯୋଧ୍ୟା ନଗରୀରେ ଭକ୍ତମାନେ ସ୍ବତଃ ସ୍ଫବୃର୍ତ୍ତ ହୋଇ ଆଲୋକ ସଜ୍ଜା କରିଛନ୍ତି। ରଙ୍ଗବେରଙ୍ଗରେ ଆଲୋକମାଳା ସହ ଦୀପଦାନରେ ଝଲସୁଛି ପରିବେଶ।

ଅଯୋଧ୍ୟାରେ ହଜାର ହଜାର ସାଧୁସନ୍ଥ ଉପସ୍ଥିତ ରହି ଏହି ନୈସର୍ଗିକ ଅବସରକୁ ଉପଭୋଗ କରିଛନ୍ତି। କେବଳ ଅଯୋଧ୍ୟା ନୁହେଁ ଦେଶର ପ୍ରମୁଖ ସହରରେ ଥିବା ରାମ ମନ୍ଦିର ଗୁଡିକରେ ଆଲୋକ ସଜ୍ଜା ହୋଇଛି । ଏହା ସହ ପ୍ରାର୍ଥନା, ଭଜନ, କୀର୍ତ୍ତନରେ କମ୍ପୁଛି ପରିବେଶ।

ଇଣ୍ଡୋନେସିଆ ଦେଖିବ ଓଡ଼ିଶୀର ଚମକ, କାଲିଠୁ ନୃତ୍ୟୋତ୍ସବ ଆରମ୍ଭ

କଟକ: ସୁଦୂର ଇଣ୍ଡୋନେସିଆ ଦେଖିବ ଓଡ଼ିଶୀର ଚମକ। ଆସନ୍ତାକାଲି ଠାରୁ ସପ୍ତାହବ୍ୟାପୀ ବାଲି, ଜାକର୍ତ୍ତାରେ ଶୁଭିବ ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ଘୁଙ୍ଗୁରର ଶବ୍ଦ। ଇଣ୍ଡୋନେସିଆରୁ ଶୁଭିବ ଓଡ଼ିଶୀ ଘୁଙ୍ଗୁରର ଶବ୍ଦ। ସପ୍ତାହବ୍ୟାପୀ ଆୟୋଜିତ ହେବ ଓଡ଼ିଶୀ ନୃତ୍ୟୋତ୍ସବ। ପାରମ୍ପରୀକ ନୃତ୍ୟ ସହ ରାମାୟଣକୁ ମଞ୍ଚରେ ଦେଖାଇବେ ନୃତ୍ୟାଙ୍ଗନା। ବାଲି, ଜାକର୍ତ୍ତା ଭଳି ସହର ଦେଖିବ ଓଡ଼ିଶୀ ନୃତ୍ୟର ଚମକ। ଏଥିପାଇଁ ଇଣ୍ଡୋନେସିଆ ଯାତ୍ରା କରିଛନ୍ତି ନୃତ୍ଯଶିଳ୍ପୀ। କଟକ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ୧୦ ଜଣିଆ ଟିମ୍ ଇଣ୍ଡୋନେସିଆ ଯାତ୍ରା କରିଛନ୍ତି। ଜଣାଶୁଣା ନୃତ୍ୟଶିଳ୍ପୀ ମୀରା ଦାସଙ୍କ ସହ ନୃତ୍ୟାଭ୍ୟାସ କରିଛନ୍ତି ସମସ୍ତ ନୃତ୍ୟାଙ୍ଗନା।

ଦୁଇଦେଶ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏପରି ଆୟୋଜନ କରିଛି ICCR ସଂସ୍ଥା । ଗୁରୁ ମୀରା ଦାସଙ୍କ ସହ ବରିଷ୍ଠ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡା, ପ୍ରିୟଙ୍କା ଜେନା, ବିଦ୍ୟା ବିଶ୍ବଜିତା ଓ ପ୍ରଥମକରି ଏହି ଯାତ୍ରାରେ ସାମିଲ ହୋଇଛନ୍ତି ଅନେକ ନୂତନ ପ୍ରତଭା । ଏହି ୧୦ ଜଣିଆ ଦଳ ବିଭିନ୍ନ ସ୍ଥାନରେ ଆୟୋଜିତ ୮ଟି କାର୍ଯ୍ୟକ୍ରମରେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ଇଣ୍ଡୋନେସିଆରେ ଓଡ଼ିଆ ସଂସ୍କୃତିକ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିବାରୁ ସଭିଏଁ ଖୁସି ପ୍ରକାଶ କରିଛନ୍ତି।