ଦିନକ ପରେ ବଜେଟ, ଆଜି କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ

1 min read

ନୂଆଦିଲ୍ଲୀ :  ଦିନକ ପରେ ବଜେଟ । ନିର୍ବାଚନକାଳୀନ ବଜେଟ ଉପରେ ସାରା ଦେଶବାସୀଙ୍କ ପ୍ରତୀକ୍ଷା । ସେପଟେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟକୁ ନେଇ ବୈଠକରେ ହେବ ଆଲୋଚନା । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାବେଳେ ଫେବ୍ରୁଆରୀ ୧ ତାରିଖର ଅନ୍ତରୀଣ ବଜେଟ ନେଇ ଚାଲିଛି କଳ୍ପନାଜଳ୍ପନା । ବଜେଟ ଲାଗି ଗତ ବୁଧବାର ଅନୁଷ୍ଠିତ ହୋଇଥିଲା ହାଲୁଆ ସେରିମନି ।

ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର ।