ସକ୍ରିୟ ରହିଛି ଗୁରୁଚାପ ବଳୟ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ପ୍ରଭାବରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଘନ କୁହୁଡ଼ି ପଡ଼ିବା ନେଇ ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

ସେଥିପାଇଁ ଏସବୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗାଡ଼ି ଚଳାଚଳ ସମୟରେ ସାବଧାନ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ପ୍ରଭାବରେ ଫେବ୍ରୁଆରୀ ପହିଲାରୁ ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବ । ୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ତେବେ ରାତିର ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇ ଶୀତ କମିବା ସମ୍ଭାବନା ରହିଛି ।