ଚଣ୍ଡୀଗଡ଼ ମେୟର ନିର୍ବାଚନ : ଆଜି ହେବ ହେଭି ଫାଇଟ

ନୂଆଦିଲ୍ଲୀ : ଆଜି ହେବ ଚଣ୍ଡୀଗଡ଼ ମେୟର ନିର୍ବାଚନ । ଗତ ଜାନୁଆରୀ ୧୮ରେ ମେୟର ନିର୍ବାଚନ ହେବାର ଥିଲା । ମାତ୍ର ପ୍ରିଜାଇଡିଂ ଅଫିସର ଅନିଲ ମାସିଙ୍କ ଅସୁସ୍ଥତା କାରଣରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ନିର୍ବାଚନ ଫେବ୍ରୁଆରୀ ୬ରେ ହେବା ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ହେବ ।

ନିର୍ବାଚନ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ ଡେପୁଟି କମିଶନର । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେବ ବୋଲି କହିଛନ୍ତି ଡେପୁଟି କମିଶନର ବିନୟ ପ୍ରତାପ ସିଂ । ଚଣ୍ଡୀଗଡ ସେକ୍ଟର ୧୭ସ୍ଥିତ ମ୍ୟୁନିସପାଲ କର୍ପୋରେନସ ଅଫିସରେ ଏହି ଭୋଟ ହେବ । ମେୟର ନିର୍ବାଚନ ଲାଗି ଆପ କାଉନସିଲର କୁଳଦୀପ କୁମାରଙ୍କ ପିଟିସନ ଅନୁସାରେ ଏହି ନିର୍ଦ୍ଦେ୍ଶ ଦେଇଥିଲେ ହାଇକୋର୍ଟ ।

ମେୟର ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆପ ମଧ୍ୟରେ ମେଣ୍ଟ ହୋଇଥିଲା । ତେବେ ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ ଥିବାରୁ ବିଭିନ୍ନ କାରଣ ଦେଖାଇ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଆପ୍ ଓ କଂଗ୍ରେସ । ୩୫ ସଦସ୍ୟ ବିଶିଷ୍ଟ ନିଗମରେ ଆପ ଓ କଂଗ୍ରେସର ସଦସ୍ୟ ସଂଖ୍ୟା ରହିଛି ୨୦ । ୮ ବର୍ଷ ଧରି ଶାସନ କରୁଥିବା ବିଜେପିର ଭୋଟ ସଂଖ୍ୟା ଥିଲା ୧୫ । ସେମାନଙ୍କ ମଧ୍ଯରେ ଅଛନ୍ତି ବିଜେପିର ୧୪ କାଉନସିଲର ଓ ଜଣେ ସାଂସଦ କିରଣ ଖେର । ଗୃହରେ ମ୍ୟାଜିକ ନମ୍ବର ଅଛି ୧୯ । ନିର୍ବାଚନ ପୂର୍ବରୁ ଆପର କାଉନସିଲର ଲଖବିର ସିଂ ବିଲ୍ଲୁ ବିଜେପିରେ ସାମିଲ ହୋଇଥିଲେ ।