spot_img
Home Blog Page 2267

କିଏ ଏହି ଅବିନାଶ ପାଣ୍ଡେ ? ଉତ୍ତରପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ, ନେବେ ପ୍ରିୟଙ୍କାଙ୍କ ସ୍ଥାନ

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତରପ୍ରଦେଶରେ ଅବିନାଶ ପାଣ୍ଡେଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ନୂଆ ଦାୟିତ୍ବ ପାଇବା ପରେ ଅବିନାଶ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘ପ୍ରିୟଙ୍କା ଗାନ୍ଧିଙ୍କ ଉତ୍ତରାଧିକାରୀ ଭାବେ ଉତ୍ତରପ୍ରଦେଶକୁ ଆକଗୁ ନେବାକୁ ଶପଥ ନେଉଛି । ମୋତେ ଦିଆଯାଇଥିବା ଦାୟିତ୍ବକୁ ନିଷ୍ଠାର ସହ ସମ୍ପାଦନ କରିବି ।

ତେବେ କିଏ ଏହି ଅବିନାଶ ପାଣ୍ଡେ । ପ୍ରିୟଙ୍କାଙ୍କ ବଦଳରେ ଉତ୍ତରପ୍ରଦେଶ ପରି ରାଜ୍ୟର ପ୍ରଭାରୀ କାହିଁକି କରାଗଲା । ସୂଚନାଯୋଗ୍ୟ, ଅବିନାଶ କଂଗ୍ରେସ ପୂର୍ବତନ ରାଜ୍ୟସଭା ସାଂସଦ । ଉତ୍ତରପ୍ରଦେଶ ପ୍ରଭାରୀ ହେବା ପୂର୍ବରୁ ଝାଡଖଣ୍ଡ ପ୍ରଭାରୀ ଥିଲେ । ସେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବି ସଦସ୍ୟ ଅଛନ୍ତି । ମହାରାଷ୍ଟ୍ର ନାଗପୁର ବାସିନ୍ଦା ପେଶାରେ ଓକିଲ । ଦଳର ଯୁବ ସଙ୍ଗଠନ ଏନଏସୟୁଆି ଓ ୟୁଥ କଂଗ୍ରେସର ବିଭିନ୍ନ ପଦରେ କାମ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛନ୍ତି ।

ରାଜନୈତିକ ଜୀବନରେ ଜାତୀୟ ଓ ରାଜ୍ୟ ସ୍ତରରେ ଦଳର ବିଭିନ୍ନ ପଦପଦବୀ ସମ୍ଭାଳିଛନ୍ତି । ୨୦୧୦ରେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ମନୋନିତ ହୋଇଥିଲେ । ୨୦୧୮ ରାଜସ୍ଥାନ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ପ୍ରଭାରୀ କରାଯାଇଥିଲା । ୨୦୨୨ରେ ତାଙ୍କୁ ଝାରଖର୍ଡ ପ୍ରଭାରୀ ଏଆଇସିସି ମହାସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା ।

ଅବିନାଶ ଜଣେ ଯୁବ ବ୍ରାହ୍ମଣ ଚେହେରା । ରାହୁଲ ଗାନ୍ଧିଙ୍କ ସେ ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା ।

କାମିଆ ଜାନିଙ୍କ ସ୍ପଷ୍ଟୀକରଣ: ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିର ପ୍ରଶାସନର କୌଣସି ନିୟମ ଉଲ୍ଲଂଘନ କରିନାହିଁ

ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଲାଗି ଯାଇଥିଲି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀକୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି । ଶ୍ରୀମନ୍ଦିର ପ୍ରଶାସନ କୌଣସି ନିୟମ ଉଲ୍ଲଂଘନ କରିନହାନ୍ତି ।

ସେ ଆହୁରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି । ଭାରତୀୟ ଖାଦ୍ୟ  ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ । କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ । ଜଣେ ଭାରତୀୟ ହିସାବରେ ଭାରତର ସୁନ୍ଦରତା, କଳା, ସଂସ୍କୃତି ଓ ବିକାଶର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବାକୁ ଚାହିଁବି ।

ଆଗକୁ ସେ କହିଛନ୍ତି, ‘ମୁଁ ଜଣେ ୟୁଟ୍ୟୁବର । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ, ଜୀବନଶୈଳୀ ସହ ସେହି ସ୍ଥାନର ସ୍ବାତନ୍ତ୍ର୍ୟତା ବିଷୟରେ ଲୋକଙ୍କୁ ଜଣାଇବା ମୋ କାମ । ଗତବର୍ଷ ଧରୋହର ଭାରତ ଶୀର୍ଷକରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଭାରତର ଏକାଧିକ ଐତିହ୍ୟସ୍ଥଳ ପରିଦର୍ଶନ କରିବା ସହ ସେଠାକାର କାହାଣୀ ଓ ଭିତ୍ତିଭୂମି ବିକାଶର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇଥିଲି । ମୋ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଲୋକ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କଲଚରରାଲ ବ୍ରାଣ୍ଡ ଆମ୍ବାସଡରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।’

ଆଜିଠୁ ଅଲଟିମେଟ୍ ଖୋ ଖୋ, ଦୁଲୁକିବ କଟକ

କଟକ: କଟକରେ କ୍ରୀଡ଼ା ମହାକୁମ୍ଭ । ଆଜିଠୁ ଦୁଲୁକିବ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ । ଆରମ୍ଭ ହେବ ଅଲଟିମେଟ୍ ଖୋ ଖୋ ସିଜିନ-୨ । ଉଦଘାଟନୀ ମ୍ୟାଚରେ ଓଡିଶା ଜଗରନଟ୍, ରାଜସ୍ଥାନ ଓ୍ବାରିୟର୍ସକୁ ଭେଟିବ ।

ଆଇପିଏଲ ଭଳି ୬ଟି ଟିମକୁ ନେଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । ଏହାର ପ୍ରଥମ ସଂସ୍କରଣ ପୁନେରେ ଖେଳା ଯାଇଥିଲା । ଏଥିରେ ଓଡିଶା ଜଗରନଟ୍ ଚାମ୍ପିଅନ ହୋଇଥିଲା । ଚଳିତ ସିଜିନରେ ଓଡିଶା ଜଗରନଟ୍, ରାଜସ୍ଥାନ ଓ୍ବାରିୟର୍ସ, ଗୁଜରାଟ ଜିଆଣ୍ଟସ, ଚେନ୍ନାଇ କୁଇକ୍ ଗନ୍ସ, ମୁମ୍ବାଇ ଖେଲାଡିଜ୍, ତେଲଗୁ ଯୋଦ୍ଧାସଙ୍କୁ ଦେଖିବାକୁ ମିଳିବ । ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାର ଶ୍ରେଷ୍ଠ ଆୟୋଜନ ପାଇଁ ସୁନାମ ଅର୍ଜନ କରିଥିବା ଓଡିଶାରେ ଆଉ ଏକ ମେଗା ଇଭେଣ୍ଟ ଆୟୋଜନ କରୁଥିବାରୁ ଉତ୍ସାହ ଦେଖିବାକୁ ମିଳିଛି ।

ପଥୋତ୍ସବରେ ଦୁଲୁକୁଛି ରାଜଧାନୀ ରାସ୍ତା

ଭୁବନେଶ୍ବର: ପୁଣି ଫେରିଲା ପଥୋତ୍ସବ । ଆଜିଠୁ ଭୁବନେଶ୍ବରରେ ପାଳିତ ହେଉଛି ପଥୋତ୍ସବ । ନୂଆ ଢଙ୍ଗ ଓ ନୂଆ ରୂପରେ ଶୀତୁଆ ସକାଳରେ ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଜମିଛି ଭିଡ଼ ।

ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିବା ସହ ରାମ ମନ୍ଦିର ନିକଟରେ ଦ୍ବିତୀୟ ମଞ୍ଚ ନିର୍ମାଣ କରାଯାଇଛି । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରଯାଉଛି । ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏଏସଏଚଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି । ଚଳିତବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ । ଆଜି ଦକ୍ଷିଣ-ପଶ୍ଚିମ ଜୋନ, ଜାନୁଆରୀ ୭ ଏବଂ ୨୧ରେ ଅନ୍ୟ ଦୁଇଟି ଜୋନରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର ।

ବଢ଼ିଲା ତାପମାତ୍ରା: ଆଜିଠୁ ଆହୁରି କମିବ ଶୀତ

ଭୁବନେଶ୍ବର: ହାଡଭଙ୍ଗା ଶୀତ ପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଛି । ଆଜିଠୁ ଶୀତ ଆହୁରି କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି ।

ଏହାସହ ପୂର୍ବାଳୀ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସକ୍ରିୟ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଘନ କୁହୁଡି ପାଇଁ ଆଜି ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର କିମ୍ବା ତା’ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗାଜାରେ ଇସ୍ରାଏଲର ନରସଂହାର, ଗୋଟିଏ ପରିବାରର ୭୬ ମୃତ

ନୂଆଦିଲ୍ଲୀ: ଚେତାବନୀ ପରେ ବି ଇସ୍ରାଏଲର ନରସଂହାର ଜାରି । ରକେଟ ମାଡ଼ ନକରିବା ପାଇଁ ଜାତିସଂଘ ଚେତବାନୀ ଦେଇ ଗାଜାରେ କେହି ସୁରକ୍ଷିତ ନୁହେଁ ବୋଲି କହିଥିଲା । ଏହାସତ୍ବେ ଦକ୍ଷିଣ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗୋଟିଏ ପରିବାରର ୭୬ ଜଣଙ୍କର ମୃତ୍ୟୁ ଘଟିଛି ।

ଇସ୍ରାଏଲ-ହମାସ ଯୁଦ୍ଧରେ ଗାଜା ସହରର ଏକ କୋଠା ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣ ଥିଲା ଅତ୍ୟନ୍ତ ଭୟାନକ । ଇସାମ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଯୁଦ୍ଧ ଶେଷ ହେବା ବେଳକୁ ଆଉ କିଛି ନଥିବ ବୋଲି ପାଲେଷ୍ଟାଇନ ସରକାର ହତାଶ ହୋଇ କହିଛନ୍ତି । ଅକ୍ଟୋବର ୭ରେ, ହମାସ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣରେ ପ୍ରାୟ ୧୨୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪୦ ଜଣଙ୍କୁ ବନ୍ଧକ ରଖିଥିଲେ ହମାସ ଆତଙ୍କବାଦୀ । ଏହାପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି  । ୫୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତିନି ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ତିନି ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ୧୩ ବର୍ଷିୟା ଝିଅ କିରଣ ବେହେରାଙ୍କୁ କୃତ୍ରିମ ହାତ ପ୍ରଦାନ କରାଯାଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଭରତ ଚନ୍ଦ୍ର ବାଇ ଏବଂ କୋରାପୁଟର ଜୟପୁରର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀଙ୍କୁ କୃତ୍ରିମ ଗୋଡ ଯୋଗାଇ ଦିଆଯାଇଛି ।

କିରଣ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ଜନ୍ମରୁ ତାଙ୍କର ବାମ ହାତ ନଥିଲା । ତଥାପି ସେ ଗୋଟିଏ ହାତରେ ଭଲ ପାଠ ପଢିବା ସହ ଟାଇକୋଣ୍ଡ ଏବଂ ଭଲ ଡ୍ୟାନ୍ସ କରନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ସଚେତନତା ଶିବିରରେ କିରଣ କୃତ୍ରିମ ହାତ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଟାଙ୍ଗୀର ଭରତ ଚନ୍ଦ୍ର ବାଇଙ୍କ ଡାହାଣ ଗୋଡରେ ଫାଇଲେରିଆ ହୋଇଥିଲା । ପରେ ସଂକ୍ରମଣ ହେବାରୁ ଗୋଡଟି କାଟିବାକୁ ପଡିଥିଲା । ଗୋଟିଏ ଗୋଡରେ ଚାଲିବା କଷ୍ଟ ହେବାରୁ ଭରତ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ମାଧ୍ୟମରେ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ ।

କୋରାପୁଟର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀଙ୍କ ବାମ ଗୋଡରେ ବାରମ୍ବାର ଟ୍ୟୁମର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଡଟି କଟା ଯାଇଥିଲା । ଗୋଟିଏ ଗୋଡରେ ବଡ କଷ୍ଟରେ ଜୀବ ବିତାଉଥିଲେ ପ୍ରଫୁଲ୍ଲ । ପରେ ସେ ମଧ୍ୟ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ । ଓଡ଼ିଶା ମୋ ପରିବାରର କନଭେନର ରୁଦ୍ର ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲର ଏଆରସି ସହ ସମନ୍ବୟ ରକ୍ଷା କରି ଆଜି ତିନିଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିଛନ୍ତି ।

ବଜରଙ୍ଗଙ୍କ ପରେ ବୀରେନ୍ଦ୍ର ଫେରାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଫଳାଫଳ ଆସିବା ପରେ ବଢ଼ିବାରେ ଲାଗିଛି ବିବାଦ । ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ପ୍ରତିବାଦ ଆରମ୍ଭ ହୋଇଛି । ଏହାକୁ ନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦିକାନ୍ଦି ଅବସର ଘୋଷଣା କରିଥିଲେ ।

ସାକ୍ଷୀଙ୍କ ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଗତକାଲି ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଥିଲେ । ଏହି କ୍ରମରେ କୁସ୍ତିଯୋଦ୍ଧା ବୀରେନ୍ଦ୍ର ସିଂହ ସାକ୍ଷୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ସେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି ।

ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତକୁ ଦେଇ ଚାଲିଥିବା ରେଟିଂକୁ ନେଇ ନୂଆ ବିତର୍କ

ଭୁବନେଶ୍ବର: ଦରଦାମ କମୁନି କି ଖାଉଟିଙ୍କୁ ନିସ୍ତାର ମିଳୁନି । ତଥାପି ଦେଶ ଆର୍ଥିକ କ୍ଷେତ୍ରରେ ଉନ୍ନତି କରୁଛି । ହେଲେ ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତର ଆର୍ଥିକ ରେଟିଂକୁ ୧୫ ବର୍ଷ ଧରି ଅପରିବର୍ତ୍ତିତ ରଖୁଛନ୍ତି । ଏହା ଗ୍ରହଣୀୟ ନୁହେଁ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ରେଟିଂ ଏଜେନ୍ସି ଉପରେ ଅସନ୍ତୋଷ ଦେଶରେ ସୃଷ୍ଟି କରିଛି ନୂଆ ବିତର୍କ । ଆର୍ଥିକ ପରିଚାଳନା ସଠିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇ ଚାଲିଛି କେନ୍ଦ୍ର । ଅଥଚ ନିଜ ନିୟମ ନିଜେ ପାଳନ କରିପାରିନାହାନ୍ତି । କେନ୍ଦ୍ର ସରକାର ନିଜେ ଆତ୍ମ ବିଶ୍ଲେଷଣ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ଭାରତର ଆର୍ଥିକ ପ୍ରଗତି ଆନ୍ତର୍ଜାତିକ ରେଟିଂ ଏଜେନ୍ସିକୁ ଦେଖାଯାଉନି । ମୁଡି, ଫିଚ୍, ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ ରେଟିଂ ଏଜେନ୍ସିଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ବରନ୍ । ୨୦୦୮ରେ ଆର୍ଥିକ ପ୍ରଗତିରେ ଦ୍ବାଦଶ ସ୍ଥାନରେ ଥିବା ଦେଶ ଆଜି ପଞ୍ଚମ ସ୍ଥାନରେ ପହଞ୍ଚିଲାଣି । କିନ୍ତୁ ୧୫ ବର୍ଷ ଧରି ଭାରତର ସୋଭେରିନ୍ ରେଟିଂ BBBରେ ଅପରିବର୍ତ୍ତିତ ରହିଛି । ଏସବୁ ଆନ୍ତର୍ଜାତିକ ରେଟିଂ ଏଜେନ୍ସି କେତେବେଳେ କ’ଣ କହୁଛନ୍ତି ତାହାର ତାଳମେଳ ରହୁନି ।

ନାଗେଶ୍ବରନଙ୍କ ଏପରି ମନ୍ତବ୍ୟ ଏବେ ସୃଷ୍ଟି କରିଛି ନୂଆ ବିତର୍କ । ଆନ୍ତର୍ଜାତିକ ରେଟିଂ ସଂସ୍ଥା ଯଦି ବାସ୍ତବରେ ପାତରଅନ୍ତର କରୁଥାନ୍ତି ତାହା ନିନ୍ଦନୀୟ । ତା’ସହ କେନ୍ଦ୍ର ସରକାର ନିଜେ ନିଜକୁ ଆତ୍ମସମୀକ୍ଷା କରିବା ଦରକାର । ଏବେର କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦରଦାମ ନିୟନ୍ତ୍ରଣରେ ନାହିଁ । ଗଲା ନଭେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗିଲା । କରୋନା ପୂର୍ବରୁ ଓ ପରେ ବେରୋଜଗାରୀ ବଢି ଚାଲିଛି । କ୍ଷୁଧା ସୂଚକାଙ୍କ, ନିରନ୍ତର ବିକାଶ ଲକ୍ଷ୍ୟ, ମାନବସମ୍ବଳ ବିକାଶ ସୂଚକାଙ୍କରେ ଭାରତ ଅନ୍ୟ ଦେଶ ତୁଳନାରେ ପଛରେ ପଡିଛି । ସଂଘୀୟ ବ୍ୟବସ୍ଥାରେ ଅଣ ବିଜେପି ଶାସିତ ରାଜ୍ୟଙ୍କୁ ଏବେ କେନ୍ଦ୍ର ଅବହେଳାର ଶିକାର ହେବାକୁ ପଡୁଛି । ଏସବୁ କାହିଁକି କେନ୍ଦ୍ରର ଆଖି ଦେଖାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ।

ଭାରତର ରେଟିଂ ଅପରିବର୍ତ୍ତିତ ରହିବାରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତକୁ ପୁଞ୍ଜି ଆସିବାରେ ଅନ୍ତରାୟ ସୃଷ୍ଟି କରୁଛି । ଏକଥା ସତ, କିନ୍ତୁ ରେଟିଂ ପାଇଁ ଧାର୍ଯ୍ୟ ୬ଟି ସର୍ତ୍ତକୁ କେନ୍ଦ୍ର ସରକାର ପୂରଣ କରିପାରିନାହାନ୍ତି । ମୁଣ୍ଡପିଛା ଆୟ, ମୁଦ୍ରାସ୍ଫୀତି, ବେରୋଜଗାରୀ, ଚଳନ୍ତି ଖାତା ନିଅଣ୍ଟ, ଋଣଭାର, ଡଲାର ତୁଳନାରେ ମୁଦ୍ରା ବିନିମୟ । ଏହି ୬ଟିରେ ଭାରତ ଏପର୍ଯ୍ୟନ୍ତ ସଫଳତା ପାଇନି । ପେଟ୍ରୋଲ-ଡିଜେଲ ମୂଲ୍ୟ କମୁନି । ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଲୋକେ । ଖୋଦ ରିଜର୍ଭ ବ୍ୟାଙ୍କ ମଧ୍ୟ ଏକାଧିକ ଥର ମୁଦ୍ରାନୀତି ସଂଶୋଧନ କରି ବି ଲାଭ ମିଳୁନି । କେନ୍ଦ୍ର ସରକାରଙ୍କ ଅଖିକୁ କ’ଣ ଏହା ଦିଶୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅର୍ଥନୀତି ସମୀକ୍ଷକ ପ୍ରଦୀପ ପଣ୍ଡା ।

ଦେଶ ଆର୍ଥିକ ପ୍ରଗତି କରୁ, ଏକଥା ତ ସମସ୍ତେ ଚାହାଁନ୍ତି । କିନ୍ତୁ ବାସ୍ତବ ଅଭିବୃଦ୍ଧି ବଦଳରେ ନାମମାତ୍ର ଅଭିବୃଦ୍ଧିକୁ ନେଇ ଉତ୍ସାହିତ ହେବା ଆଦୌ ଗ୍ରହଣୀୟ ନୁହେଁ । ତା’ ସହିତ ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ମାନଦଣ୍ଡରେ କିପରି ଉନ୍ନତି ଆସିବ ସେ ନେଇ ପଦକ୍ଷେପ ନେବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ।

ବିସ୍କୁଟ୍, କେକ୍ ପ୍ୟାକେଟରେ ଲୁଚି ରହିଥିଲା ୧୧ ବିରଳ ସାପ

0

ନନ୍ଦିଘୋଷ ବ୍ୟୁରୋ: ସାପ ଚୋରା ଚାଲାଣ ମାରିଲା ଫେଲ୍ । ବିସ୍କୁଟ୍ ଏବଂ କେକ୍ ପ୍ଯାକେଟରେ ଚୋରା ଚାଲାଣ କରୁଥିଲେ ୧୧ ବିଷଧର ସାପ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ଯାଙ୍କକ୍ ଫ୍ଲାଇଟରେ । ଫ୍ଲାଇଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ତାଙ୍କ ସହ ୯ଟି ଅଜଗର, ୨ଟି ବିରଳ ପ୍ରଜାତିର ସାପ ବିସ୍କୁଟ୍ ଓ କେକ୍ ପ୍ଯାକେଟରେ ଲୁଚେଇ ରଖିଥିଲେ । ଯେତେବେଳେ ଯାତ୍ରୀଙ୍କ ବ୍ଯାଗ୍ ଯାଞ୍ଚ କରାଯାଇଥିଲା ତାଙ୍କ ପାଖରୁ ପ୍ରାୟ ୧୧ ଟି ବିରଳ ପ୍ରଜାତିର ସାପ ଉଦ୍ଧାର କରାଯାଇଥିଲା ।

ରାଜସ୍ବ ଇଣ୍ଚେଲିଜେନ୍ସି ନିର୍ଦ୍ଦେଶକଙ୍କ ଦାବି ମୁତାବିକ, ବ୍ୟକ୍ତି ଜଣକ ବନ୍ଯ ଜନ୍ତୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଯାତ୍ରୀ ଜଣକ ବ୍ୟାଙ୍କକରୁ ମୁମ୍ବାଇ ସାପ ଲୁଚାଇ ଆଣିଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଧରା ପଡିଥିଲେ ।

ସୂଚନାନୁସାରେ, ଥାଇଲାଣ୍ଡର ଧନୀ ପରିବାରର ଅଧିକାଂଶ ଲୋକେ ବନ୍ଯଜନ୍ତୁ ଚୋରା ଚାଲାଣ କରି ତାଙ୍କୁ ଗୃହପାଳିତ ପଶୁ ଓ ପଶୁପାଳନ ଭାବରେ ବ୍ଯବହାର କରନ୍ତି । ରାଜସ୍ବ ଇଣ୍ଚେଲିଜେନ୍ସି ଦ୍ବାରା ଧରାଯାଇଥିବା ଏହି ବିରଳ ସାପ ଗୁଡିକୁ ଯାତ୍ରୀ ଜଣକ ବେଆଇନ୍ ଭାବରେ ଚତୁରତାର ସହ ଲୁଚେଇ ନେଉଥିଲେ । କଷ୍ଟମ୍ ଆକ୍ଟ ୧୯୬୨ ଅନୁଯାୟୀ, ଏହା ବିରୁଦ୍ଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ ବୋଲି ରାଜସ୍ବ ଇଣ୍ଚେଲିଜେନ୍ସିର ନିର୍ଦ୍ଦେଶକ କହିଛନ୍ତି । ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ, ପଶ୍ଚିମାଞ୍ଚଳ ପୋଲିସ୍ , ନାଭି ମୁମ୍ବାଇ ପୋଲିସ ଅଧିକାରୀ ମାନେ ଜବତ ହୋଇଥିବା ସରୀସୃପଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ।