ବଜେଟ ପୂର୍ବରୁ ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

1 min read

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରକାରଙ୍କ ଐତିହାସିକ ଉପଲବ୍ଧିକୁ ନେଇ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି, ବିକାଶର ଉପଲବ୍ଧିରେ ପରିପୂର୍ଣ୍ଣ ଭାରତ। ସଫଳତା, ସଂସ୍କାର ଏବଂ ରୂପାନ୍ତରଣ ପ୍ରକ୍ରିୟା ଦେଶରେ ଲଗାତାର ଜାରି ରହିଛି। ଦେଶରେ ଏକ ଭାରତ ଶ୍ରେଷ୍ଠ ଭାରତର ମହକ। ସାରା ଜଗତରେ ଲାଗି ରହିଥିବା ସଂକଟ ମଧ୍ଯରେ ବିଶ୍ବର ଦ୍ରୁତତମ ବିକଶିତ ଅର୍ଥନୀତି ପାଲଟିଛି ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ଜାତୀୟ ପତାକା ଲହରାଇବାରେ ବିଶ୍ବର ପ୍ରଥମ ଦେଶ ହୋଇଛି ଭାରତ। ଏକ ନୂଆ ଭାରତ ନିର୍ମାଣର ସଂକଳ୍ପ ନେଇଛନ୍ତି ସରକାର। ସଂସଦର ନୂଆ ଭବନରେ ନୂଆ ଭାରତର ଝଲକ ଦେଖିବାକୁ ମିଳୁଛି। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହା ସହିତ ଭାରତର ସଫଳତା ବଖାଣିବା ସହ କ୍ରୀଡ଼ାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଏସୀୟ କ୍ରୀଡାରେ ଶହେରୁ ଅଧିକ ପଦକ ହାସଲ କରିଛି। ଭାରତ ବିଶ୍ବର ଦ୍ରୁତତମ ବିକଶିତ ଅର୍ଥବ୍ଯବସ୍ଥା ପାଲଟିଛି। ଭାରତରେ ସବୁଠାରୁ ଦୀର୍ଘ ସମୁଦ୍ର ସେତୁ ନିର୍ମାଣ ହୋଇଛି। ଦେଶର ଅର୍ଥ ବ୍ଯବସ୍ଥାରେ ପରିବର୍ତ୍ତନ ଜାରି ରହିଛି। ୨୫ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖା ସ୍ତରରୁ ଉପରକୁ ଉଠିଛନ୍ତି। ଦେଶର ଟାକ୍ସ ବ୍ଯବସ୍ଥାରେ ପରିବର୍ତ୍ତନ ଆସିଥିବା ବେଳେ ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ପ୍ରଦାନ କରୁଛନ୍ତି। ଏହା ସହିତ ୮ କୋଟି ଲୋକ ଆୟକର ପ୍ରଦାନ କରୁଛନ୍ତି। ସୁଶାସନ ଓ ପାରଦର୍ଶିତାକୁ ନେଇ ଆର୍ଥିକ ସୁଧାର ଆସିଛି। ଦେଶରେ ୧ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଆସିଛି। ଭାରତର ବ୍ଯାଙ୍କିଙ୍ଗ୍ ବ୍ଯବସ୍ଥା ମଜଭୁତ ହେବା ସହ ବ୍ଯାଙ୍କ ଗୁଡିକର ଏନପିଏ ହ୍ରାସ ପାଇ ୪ ପ୍ରତିଶତରେ ପହଞ୍ଚିଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅନେକ ଆଗକୁ ଯାଇଛି। ଆଗକୁ ଭାରତରେ ସି-୨୯୫ ବିମାନ ନିର୍ମାଣ ହେବାକୁ ଯାଉଛି। ଦେଶରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଭାରତର ଗର୍ବ ପାଲଟିଛି। ଇଜ୍ ଅ ଫ୍ ଡୁଇଂ ବିଜନେସରେ ଲଗାତାର ସୁଧାର ଆସିଛି। ଆଜି ଭାରତ ନିଜର ସାମଗ୍ରୀ ରପ୍ତାନୀ କରୁଛି । ସାଢେ ୩ କୋଟି ଏମଏସଏମଇ ପଞ୍ଜୀକରଣ  ହୋଇଛି। ଡିଜିଟାଲ ଇଣ୍ଡିଆ ଭାରତର ବଡ଼ ପରିବର୍ତ୍ତନ ପାଲଟିଛି। ଡିଜିଟାଲ ଇଣ୍ଡିଆରେ ବ୍ଯବସାୟ ସରଳ ହୋଇଛି। ଭାରତରେ ବିଶ୍ବର ୪୬ ପ୍ରତିଶତ ଡିଜିଟାଲ କାରବାର ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।