ଅଣହିନ୍ଦୁ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ : ମାଡ୍ରାସ ହାଇକୋର୍ଟ

ତାମିଲନାଡୁ: ମନ୍ଦିର ଭିତରେ ପ୍ରବେଶ ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଅଣହିନ୍ଦୁମାନେ ମନ୍ଦିର ମଧ୍ଯରେ ପ୍ରବେଶ କରିପାରିବେ ନାହିଁ ବୋଲି ସମସ୍ତ ହିନ୍ଦୁ ମନ୍ଦିରରେ ଫଳକ ଲଗାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଏକ ପିକନିକ ବା ପର୍ଯ୍ୟଟନ ସ୍ଥଳୀ ନୁହେଁ ବୋଲି କହିଛନ୍ତି କୋର୍ଟ। ତାମିଲନାଡୁ ଏଚଆର ଆଣ୍ଡ ସିଇ ବିଭାଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହାସହ ହିନ୍ଦୁମାନେ ସେମାନଙ୍କ ଧର୍ମ ପାଳନ କରିବାର ଅଧିକାର ଲାଭ କରିଛନ୍ତି ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁଯାୟୀ, କେବଳ ହିନ୍ଦୁମାନଙ୍କୁ ଅରୁଲମିଗୁ ପାଲାନି ଧନଦାୟୁଥାପାନି ସ୍ବାମୀ ମନ୍ଦିରରେ ପ୍ରବେଶ ଅନୁମତି ଦେବା ସଂକ୍ରାନ୍ତରେ ଏକ ପିଟିସନର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ସମସ୍ତ ମନ୍ଦିର ଆଗରେ ଫଳକ ଲଗାଇବାକୁ  ନିର୍ଦ୍ଦେଶ ଦେବା ଲାଗି ସେ ଆବେଦନ କରିଥିଲେ । ପିଟିସନର ଶୁଣାଣି କରି କୋର୍ଟ ତାମିଲନାଡୁ ସରକାରଙ୍କ ପର୍ଯ୍ୟଟନ, ସଂସ୍କୃତି ଓ ଧାର୍ମିକ ଦେବୋତ୍ତର ବିଭାଗ ପ୍ରମୁଖ ଶାସନ ସଚିବ, ହିନ୍ଦୁ ଧାର୍ମିକ ଓ ଦାତବ୍ୟ ଦେବୋତ୍ତର ବିଭାଗ କମିଶନର, ପାଲାନି ମନ୍ଦିରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଯଦି ମନ୍ଦିରରେ ଥିବା ମୂର୍ତ୍ତିକୁ ଦର୍ଶନ ଲାଗି କୌଣସି ଅଣହିନ୍ଦୁ ଚାହାଁନ୍ତି ତେବେ ତାଙ୍କଠାରୁ ଏକ ଅଣ୍ଡରଟେକିଂ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିମୂର୍ତ୍ତି ଉପରେ ସେହି ଅଣହିନ୍ଦୁ ଭକ୍ତଙ୍କ ବିଶ୍ବାସ ରହିଛି ବୋଲି ଭକ୍ତଜଣକ ଅଣ୍ଡରଟେକିଂ ଦେବା ପରେ ତାଙ୍କୁ ଅନୁମତି ଦେବାକୁ କୋର୍ଟ କହିଛନ୍ତି । ଅଣ୍ଡରଟେକିଂ ଦେଉଥିବା ଭକ୍ତଙ୍କ ନାମ ଓ ଠିକଣା ମନ୍ଦିରର ରେଜିଷ୍ଟରରେ ଉଲ୍ଲେଖ ରହିବ। ସେହି ଭକ୍ତ ମନ୍ଦିରର ସମସ୍ତ ନିୟମ ପାଳନ କରିବେ।

ଅରୁଲମିଘୁ ବ୍ରାହାଦିଶ୍ବର ମନ୍ଦିରରେ ଅନ୍ୟ ଧର୍ମର କେତେକ ଭକ୍ତ ପ୍ରବେଶ କରି ପିକନିକ କରିବା ସହ ଆମିଷ ଭୋଜି କରିଥିଲେ। ସେହିପରି ଗତ ଜାନୁଆରୀ ୧୧ ତାରିଖରେ ମଦୁରାଇ ସ୍ଥିତ ଅରୁଲମିଘୁ ମୀନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଅନ୍ୟ ଧର୍ମର କେତେକ ବ୍ୟକ୍ତି ସେମାନଙ୍କ ଧର୍ମର ପୁସ୍ତକ ଧରି ପ୍ରବେଶ କରିବା ସହ ପ୍ରାର୍ଥନା କରିଥିଲେ।